ଭଦ୍ରକରେ ଗାନ୍ଧିଜୀ

ଡ.ପ୍ରଫୁଲ୍ଲ କୁମାର ସାହୁ

ଆଜି ସେହି ମାର୍ଚ୍ଚ ୨୫ ତାରିଖ। ଏମିତି ଏକ ମାର୍ଚ୍ଚ ୨୫ରେ ପ୍ରଥମ ଥର ପାଇଁ ଭଦ୍ରକ ଆସିଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ। ଇତିମଧ୍ୟରେ ଗୋଟିଏ ଶତାବ୍ଦୀ ବିତିଗଲାଣି, ମାତ୍ର ଏବେ ସୁଦ୍ଧା ସେ ଐତିହାସିକ ଘଟଣାର ସ୍ମୃତିଚାରଣ କରିଚାଲିଛି ତ୍ୟାଗଭୂମି ଭଦ୍ରକ।
ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ମହାତ୍ମା ଗାନ୍ଧୀ। ଦକ୍ଷିଣ ଆଫ୍ରିକାରେ ଅବସ୍ଥାନ କାଳରେ ସେ ପାଇଥିଲେ ଏହି ଅସହଯୋଗ ଆନ୍ଦୋଳନର ସୂତ୍ର। ଇଂରେଜ ସରକାରଙ୍କୁ ଖଜଣା ନ ଦେବାଠାରୁ ଆରମ୍ଭକରି ବିଦେଶୀ ବସ୍ତ୍ର ବର୍ଜନ ପର୍ଯ୍ୟନ୍ତ ସାତ ପ୍ରକାର ଅସହଯୋଗ ପାଇଁ ସେ ଡାକରା ଦେଲେ ୧୯୨୦ ନାଗପୁର କଂଗ୍ରେସ ଅଧିବେଶନରେ। ଏହି ଅସହଯୋଗ ଆନ୍ଦୋଳନର ତାତ୍ପର୍ଯ୍ୟ ପ୍ରତ୍ୟକ୍ଷ ଭାବରେ ଉତ୍କଳବାସୀଙ୍କୁ ବୁଝାଇବା ପାଇଁ ସେତେବେଳେ ଗାନ୍ଧିଜୀଙ୍କୁ ଅନୁରୋଧ କରିଥିଲେ ଉତ୍କଳମଣି ଗୋପବନ୍ଧୁ। ତାଙ୍କ ଅନୁରୋଧ ରକ୍ଷାକରି ଗାନ୍ଧିଜୀ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ ୧୯୨୧ ମସିହା ୨୩ ତାରିଖ ପବିତ୍ର ଦୋଳପୂର୍ଣ୍ଣିମା ଦିନ। ସେଦିନ ବଢ଼ି ଭୋରରୁ ସେ କୋଲକାତାରୁ ଉତ୍କଳ ଏକ୍ସପ୍ରେସ ଯୋଗେ ଆସି ପହଞ୍ଚିଥିଲେ କଟକ ରେଳ ଷ୍ଟେଶନରେ। ସେଠାରୁ ତାଙ୍କୁ ସ୍ବରାଜ୍ୟ ଆଶ୍ରମକୁ ନିଆଯାଇଥିଲା ଏକ ବିରାଟ ଶୋଭାଯାତ୍ରାରେ। ସେଦିନ କାଠଯୋଡ଼ି ନଦୀ ଶଯ୍ୟାରେ ଅନୁଷ୍ଠିତ ସାଧାରଣ ସଭାରେ ଗାନ୍ଧିଜୀ ଭାଷଣ ଦେଇଥିଲେ ଏବଂ ପରଦିନ କଟକରେ ବିଭିନ୍ନ କାର୍ଯ୍ୟକ୍ରମ ସାରି ରାତିରେ ଯାତ୍ରା ଆରମ୍ଭ କରିଥିଲେ ଭଦ୍ରକ ଅଭିମୁଖେ। ମାର୍ଚ୍ଚ ୨୫ ତାରିଖ ସକାଳେ ଗାନ୍ଧିଜୀ ଭଦ୍ରକ(ଚରମ୍ପା)ରେଳ ଷ୍ଟେଶନରେ ପହଞ୍ଚିଥିଲେ। ମାତ୍ର ଗାନ୍ଧିଜୀଙ୍କ ପାଇଁ କୌଣସି ଗାଡ଼ିର ବ୍ୟବସ୍ଥା ହୋଇ ପାରି ନ ଥିଲା ଇଂରେଜ ସରକାର ଜାରି କରିଥିବା କଟକଣା କାରଣରୁ । ଗାନ୍ଧିଜୀ ଲୋକଙ୍କ ସହିତ ତିନି ମାଇଲ୍‌ ବାଟ ଚାଲି ଚାଲି ଯାଇଥିଲେ ଅକୁଣ୍ଠଚିତରେ। ସେଦିନ ସକାଳବେଳା ଚନ୍ଦନ ବଜାରରେ ପହଞ୍ଚି ମାରୁଆଡି ଏବଂ ଅନ୍ୟାନ୍ୟ ନେତାଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ ସ୍ବାଧୀନତା ଆନ୍ଦୋଳନ ରୂପରେଖ ସମ୍ପର୍କରେ। ଅପରାହ୍ନରେ ଆୟୋଜିତ ଏକ ବିରାଟ ସାଧାରଣ ସଭାରେ ଭାଷଣ ଦେଇଥିଲେ, ଆଜି ଯାହାର ସ୍ମୃତି ବହନ କରେ ଐତିହାସିକ ଗାନ୍ଧୀ ପଡ଼ିଆ।
୧୯୨୭ରେ ଗାନ୍ଧିଜୀ ଦ୍ବିତୀୟ ଥର ପାଇଁ ଭଦ୍ରକରେ ପାଦ ଥାପିଥିଲେ ତାଙ୍କର ତୃତୀୟ ଓଡ଼ିଶା ଗସ୍ତ ଅବସରରେ। ଖଦିର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଆସି ୧୯୨୭ ଡିସେମ୍ବର ୧୭ ତାରିଖରେ ଉଦ୍‌ବୋଧନ ଦେଇଥିଲେ ବାସୁଦେବପୁରର ଚାରିବାଟିଆ ଠାରେ ଆୟୋଜିତ ଏକ ବିରାଟ ସାଧାରଣ ସଭାରେ। ସେତେବେଳେ ଭୟଙ୍କର ଦୁର୍ଭିକ୍ଷ ସହିତ ଲଢୁଥିଲା ଓଡ଼ିଶା। ହାଡ଼ କଙ୍କାଳ ଧରି ବୁଲୁଥିବା କିଛି ଅନାହାରକ୍ଳିଷ୍ଟ ଶିଶୁଙ୍କୁ ଦେଖି କୋହ ସମ୍ଭାଳି ପାରି ନ ଥିଲେ ଗାନ୍ଧିଜୀ। ଭଦ୍ରକରୁ ଫେରିବା ବେଳେ ମହତାବ କୋଠିରୁ ଆସି ରେଳ ଷ୍ଟେଶନରେ ପହଞ୍ଚିବା ପରେ ମନକୁ ମନ ପଚାରିଥିଲେ ଏ ଦୁର୍ଭିକ୍ଷ ଜନିତ ସମସ୍ୟାରୁ ମୁକୁଳିବାର ଉପାୟ କ’ଣ? ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିବା ଗାନ୍ଧିଜୀଙ୍କ ମନର ଅବସ୍ଥା ବୁଝି ପାରିଥିଲେ ତାଙ୍କ ସାଥିରେ ଗୁଜରାଟରୁ ଆସିଥିବା ବିଶିଷ୍ଟ ସମାଜସେବୀ କଲ୍ୟାଣଜୀ କୋଠାରୀ। ସେଠାରେ ସେ ଅନାଥ ଶିଶୁ ମାନଙ୍କୁ ସାହାଯ୍ୟ କରିବା ପାଇଁ ଗାନ୍ଧିଜୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ତାଙ୍କରି ଉଦ୍ୟମରେ ୧୯୨୮ ମସିହାରେ ଭଦ୍ରକ ଗରଦପୁରଠାରେ ପ୍ରତିଷ୍ଠା ହେଲା ଗାନ୍ଧୀ ଓଡ଼ିଶା ବାଳାଶ୍ରମ।
ତୃତୀୟ ଥର ପାଇଁ ଗାନ୍ଧିଜୀ ଓଡ଼ିଶା ଆସିଥିଲେ ୧୯୩୪ ଜୁନ୍‌ ୭ ତାରିଖରେ। ୧୯୩୪ ମେ ୯ ତାରିଖ (ବୈଶାଖ ମାସ)ପୁରୀ ସିଂହଦ୍ବାରରୁ ଆରମ୍ଭ ହୋଇଥିଲା ତାଙ୍କର ‘ହରିଜନ’ ପଦଯାତ୍ରା। ମୁଣ୍ଡଫଟା ଖରାରେ ଉଚ୍ଚ ରକ୍ତଚାପ ଓ ଅଗ୍ନିମାନ୍ଦ୍ୟ ରୋଗରେ ପୀଡ଼ିତ ପଞ୍ଚଷଠି ବର୍ଷର ଜଣେ ଦୁର୍ବଳ ବୃଦ୍ଧ ଯେ ପଦଯାତ୍ରା କରିବେ-ଏ କଥା ସହଜରେ ଗ୍ରହଣ କରିପାରି ନ ଥିଲେ କଂଗ୍ରେସ ନେତୃମଣ୍ଡଳୀ। ମାତ୍ର ବାରମ୍ବାର ଅନୁରୋଧ ସତ୍ତ୍ବେ ବଦଳି ନଥିଲା ତାଙ୍କ ପଦଯାତ୍ରା ନିଷ୍ପତ୍ତି। ଦାଣ୍ଡିଯାତ୍ରା ବେଳୁ ସେ ଅନୁଭବ କରିଥିଲେ ଖାଲି ବାଟ ଚାଲିଲେ ତାହା ପଦଯାତ୍ରା ହୁଏନି, ସେଥିପାଇଁ ଲୋଡା ନିର୍ଦ୍ଦିଷ୍ଟ ଆଭିମୁଖ୍ୟ। ତାଙ୍କ ଦୃଷ୍ଟିରେ ଛୁଆଁ ଅଛୁଆଁ ଭେଦଭାବ ଏକ ଭୟଙ୍କର ସାମାଜିକ ବ୍ୟାଧି ଓ ତା’ର ନିରାକରଣ ପାଇଁ ତାଙ୍କର ହରିଜନ ପଦଯାତ୍ରା ଥିଲା ଏକ ପ୍ରଚଣ୍ଡ ଧର୍ମଯାତ୍ରା। ସେଥିପାଇଁ ପଦଯାତ୍ରା ବେଳେ ସେ କହିଥିଲେ- ରେଳ, କାର୍‌ କି ଶଗଡ଼ ଗାଡ଼ିରେ ଯାଇ ଧର୍ମ ପ୍ରଚାର କରି ହୁଏନି, ତାହା ସମ୍ଭବ କେବଳ ପଦ ଯାତ୍ରାରେ। ତାଙ୍କ ମତରେ ବେଗ ବଢ଼ିଲେ ଆବେଗ କମେ ଏବଂ ଗତି ବୃଦ୍ଧି ପାଇଲେ ମନ୍ଥର ହୋଇଯାଏ ପ୍ରଗତି। ଏହାକୁ ଦୃଷ୍ଟିରେ ରଖି ସେ ନିଜ ନିଷ୍ପତ୍ତିରେ ଅଟଳ ଥିଲେ ଏବଂ ପଦଯାତ୍ରା ସହିତ ଲୋଡ଼ିଥିଲେ ଗ୍ରାମ ସଫେଇ ଓ ହରିଜନଙ୍କ ସହ ପଂକ୍ତି ଭୋଜନ। ରହଣି ସ୍ଥାନରେ ପ୍ରାର୍ଥନା ସଭା ବି ହେଉଥିଲା ସକାଳ ଓ ସଞ୍ଜରେ। ବିଶେଷକରି ପଦଯାତ୍ରୀମାନେ ଯେପରି ଗାଁ ଲୋକଙ୍କ ଉପରେ ବୋଝ ନ ହୁଅନ୍ତି ବା ସେମାନଙ୍କ ଖାଦ୍ୟ ଓ ରହଣି ଆଦି ବିଳାସପୂର୍ଣ୍ଣ ନହୁଏ ସେଥିପ୍ରତି ସତର୍କ ଦୃଷ୍ଟି ରଖିଥିଲେ ଗାନ୍ଧିଜୀ। ପଦଯାତ୍ରା ଅବସରରେ ପ୍ରଚଣ୍ଡ ରୌଦ୍ରତାପ ସହ ତୁହାକୁ ତୁହା ବର୍ଷା ମାଡ଼କୁ ବି ସମ୍ଭାଳି ନେଉଥିଲେ ଖୁବ୍‌ ଦମ୍ଭର ସହିତ। ଏମିତି କେତେ ପ୍ରତିକୂଳ ସ୍ଥିତିକୁ ସାମ୍ନାକରି ସେ ଜୁନ ୩ ତାରିଖରେ ପହଞ୍ଚିଥିଲେ ଭଦ୍ରକ ଜିଲାର(ନବ ଗଠିତ)ମଞ୍ଜୁରୀ ଗ୍ରାମରେ। ଅନୂ୍ୟନ ସାତ ଶହ ଲୋକ ଯୋଗ ଦେଇଥିଲେ ଗାନ୍ଧିଜୀଙ୍କ ସଭାରେ। ପରଦିନ ମଞ୍ଜୁରୀରୁ ପଦଯାତ୍ରା ବାହାରିଥିଲା ଭଦ୍ରକ ଅଭିମୁଖେ। ବାଟରେ ବାରିକପୁର ନିକଟସ୍ଥ ତୋଡଗାଁରେ ସେ ଅଟକି ଥିଲେ ହରିଜନମାନଙ୍କ ସହିତ ମନଖୋଲା ଆଲୋଚନା ପାଇଁ। ଜୁନ ପାଞ୍ଚ ତାରିଖରେ ସେଠାରୁ ଏକାଦିକ୍ରମେ ଏଗାର କିମି ଚାଲି ଚାଲି ପହଞ୍ଚିଥିଲେ ଭଦ୍ରକର ଗରଦପୁରରେ। ସେଠାରେ ମଧ୍ୟ ଗାନ୍ଧିଜୀଙ୍କୁ ସଭା କରାଇ ନ ଦେବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ ଉପଜିଲାପାଳ ଦୁର୍ଗା ଦାସ। ଗାନ୍ଧିଜୀ ବାଧ୍ୟ ହୋଇ ସଭାସ୍ଥାନ ପରିବର୍ତ୍ତନ କରିଥିଲେ ଏବଂ କଲ୍ୟାଣିଜୀଙ୍କ ଆଶ୍ରମ ପରିସରରେ ଲୋକଙ୍କୁ ଉଦବୋଧନ ଦେଇ ପ୍ରମାଣ କରିଦେଇଥିଲେ ଯେ ଉପଜିଲାପାଳଙ୍କ କାନୁନ୍‌ଠାରୁ ତାଙ୍କ ଆଇନ ଜ୍ଞାନ ବେଶି।
ଗରଦପୁର ଗାନ୍ଧୀ ବାଳାଶ୍ରମରେ ତିନି ଦିନ ରହଣି ମଧ୍ୟରେ ସେ ନିଜେ ଅରଟରେ ସୂତାକାଟି ଲୋକଙ୍କୁ ପ୍ରୋତ୍ସାହିତ କରିଥିଲେ କୁଟୀର ଶିଳ୍ପର ପ୍ରସାର ପାଇଁ। ଜୁନ୍‌ ୭ ତାରିଖ ଗାନ୍ଧିଜୀ ମହତାବ କୋଠିରେ ବସି ବହୁ ସ୍ବାଧୀନତା ସଂଗ୍ରାମୀଙ୍କ ସହ ଆଲୋଚନା କରିଥିଲେ ସତ୍ୟାଗ୍ରହର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ। ଶେଷରେ ସେ ହରିଜନ ପଦଯାତ୍ରା ସମାପ୍ତ କରି ମହତାବ କୋଠିରୁ ଚାଲି ଚାଲି ଯାଇଥିଲେ ରେଳ ଷ୍ଟେଶନ ପର୍ଯ୍ୟନ୍ତ। ସେଦିନ ଲୋକାରଣ୍ୟ ହୋଇ ଯାଇଥିଲା ଭଦ୍ରକ ରେଳ ଷ୍ଟେଶନ। ବାପୁଙ୍କୁ ମେଲାଣି ଦେବା ପାଇଁ ରାସ୍ତାକଡରେ ଧାଡି ବାନ୍ଧି ଠିଆ ହୋଇଥିଲେ ଶହ ଶହ ମହିଳା ଓ ପୁରୁଷ। ବାପୁ ରେଳ ଷ୍ଟେଶନରେ ପହଞ୍ଚିବା ମାତ୍ରେ ତାଙ୍କୁ ଘେରି ଯାଇଥିଲେ ଝିଅ ଓ ଭୁଆସୁଣୀମାନେ। ବାପୁ ହସି ହସି କହିଥିଲେ ତୁମମାନଙ୍କ ହାତରେ ତ ସୁନା ଚୁଡି ନାହିଁ,ମୁଁ ନେବି ଆଉ କ’ଣ?ସେ ସ୍ମରଣୀୟ ବିଦାୟ ବେଳାରେ ଜନତାଙ୍କ ଉଦ୍ଦେଶ୍ୟରେ ତାଙ୍କର ବକ୍ତବ୍ୟ ଥିଲା-ମୋ ସହିତ ପଦଯାତ୍ରାର ଯେତେ ସାଥୀ ଥିଲେ ସେମାନଙ୍କ କଷ୍ଟ ସହିବାର ଶକ୍ତି ମୋତେ ଯେତିକି ଚକିତ କରିଛି ସେତିକି ମୁଗ୍ଧ କରିଛି ଭଦ୍ରକର ଅନାବିଳ ଆତିଥେୟତା। ଏଠାରେ ମୋର ଯେତେ ଦିନ କଟିଲା,ସେ ସ୍ମୃତି ମୋ ମାନସ ପଟରେ ସାଇତା ହୋଇ ରହିବ ଜୀବନର ଶେଷ ପର୍ଯ୍ୟନ୍ତ। ସମୟ କ୍ରମେ ଭଦ୍ରକ ଗସ୍ତ ହୁଏତ ବାପୁଙ୍କ ମାନସ ପଟରୁ ଲିଭି ଲିଭି ଆସିଥିବ,ମାତ୍ର ତାଙ୍କ ରହଣି କାଳର ସ୍ମୃତିକୁ ଭଦ୍ରକ ଏବେ ସୁଦ୍ଧା ଭୁଲିନାହିଁ କି ଭୁଲିିିବ ନାହିଁ କାଳ କାଳ ପାଇଁ। ଭଦ୍ରକ ଗାନ୍ଧୀ ବାଳାଶ୍ରମରେ କେବଳ ଯେ ତାଙ୍କ ସ୍ମୃତିର ସନ୍ତକ କିଛି ସାଇତା ହୋଇ ରହିଛି ତାହା ନୁହେଁ,ଆଶ୍ରମର ଯେଉଁ ଘରେ ସେ ବସିଥିଲେ ତା’ ଏବେ ତୀର୍ଥ ପାଲଟିଯାଇଛି ଏବଂ ତା’ର ନାମ ରଖାଯାଇଛି ଗାନ୍ଧୀ ମନ୍ଦିର।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri