Posted inଫୁରସତ

ଅଭିନୟରେ ଗାନ୍ଧୀ

ଦେଶକୁ ସ୍ବାଧୀନ କରିବାରେ ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନର ମାର୍ଗ ସାରା ବିଶ୍ୱବାସୀଙ୍କୁ ଦେଖେଇ ଦେଇଥିଲା ଯେ ଶାନ୍ତିର ସ୍ବର ବି କେତେ ପ୍ରଭାବଶାଳୀ ହୋଇପାରେ। ଯାହାଫଳରେ ଲକ୍ଷଲକ୍ଷ ଲୋକ ଗାନ୍ଧିଜୀଙ୍କ ବିଚାରଧାରା ପ୍ରତି ଆକୃଷ୍ଟ ହୋଇଥିଲେ। ଆଜି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶକୁ ଅନୁକରଣ କରୁଛନ୍ତି। କିନ୍ତୁ ଏହି ନୀତି ଆଦର୍ଶକୁ ବାଦ୍‌ ଦେଲେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବା ଓ ନିଜକୁ ଗାନ୍ଧୀଭାବେ ସଜାଇ ଲୋକଙ୍କ ପାଖକୁ ଆସିବାକୁ ଭଲ ପାଆନ୍ତି। କେହି ଏମାନଙ୍କୁ ସିଲ୍‌ଭର୍‌ ଗାନ୍ଧୀ କହନ୍ତି ତ କାହାକୁ ଗାନ୍ଧୀ ଅଜା। ଏମିତି ପରିଚୟରେ ପରିଚିତ ହେଉଥିବା ଓଡ଼ିଶାର କେତେଜଣ ଗାନ୍ଧୀ ଅଭିନେତାଙ୍କ ସମ୍ପର୍କରେ..

ଗାନ୍ଧିଜୀଙ୍କ ଅଭିନୟରେ ନବୀନ ସାର୍‌: ଅଭିନୟରେ ରୁଚି ରଖି ପ୍ରାୟ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ସେ ବହୁ ନାଟକର ନିର୍ଦ୍ଦେଶକ, ନାଟ୍ୟପ୍ରଶିକ୍ଷକ, ମଞ୍ଚକଳା ବିଶେଷଜ୍ଞ ଭାବରେ ଯାତ୍ରା, ଥିଏଟର, ଟିଭି ଧାରାବାହିକ ଓ ଚଳଚ୍ଚିତ୍ର ଆଦିରେ ସୃଷ୍ଟି କରିଛନ୍ତି ଭିନ୍ନ ପରିଚୟ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଅଧ୍ୟାପକ, ବିଭାଗୀୟ ମୁଖ୍ୟ ଓ ଅଧ୍ୟକ୍ଷ ଭାବେ କାର୍ଯ୍ୟକରି ୨୦୧୨ମସିହା ମାର୍ଚ୍ଚରେ ଅବସର ନେଇଛନ୍ତି। ସେ ହେଲେ ଅବସରପ୍ରାପ୍ତ ଶିକ୍ଷାବିତ୍‌ ତଥା ନାଟ୍ୟକାର ନବୀନ ପରିଡ଼ା। ସେ କୁହନ୍ତି, ‘୨୦୨୦ମାର୍ଚ୍ଚ ୨୩ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ନାଟକ ‘ଗାନ୍ଧୀଙ୍କ ଓଡ଼ିଶା’ରେ ନିର୍ଦ୍ଦେଶନା ଦେବା ସହ ଅଭିନୟ କରିଥିଲି। ଏହାର ଲେଖକ ଥିଲେ ଶଙ୍କର ତ୍ରିପାଠୀ। ସାରା ଓଡ଼ିଶାରେ ଖୁବ୍‌ ଚର୍ଚ୍ଚା ହୋଇଥିବା ଏହି ନାଟକଟି ସେତେବେଳେ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା। କୋଭିଡ୍‌ କଟକଣା ବେଳେ ସେଲୁନ ବନ୍ଦ ରହିଥାଏ । ଅଭିନୟ ପାଇଁ ନିଜେ ଲଣ୍ଡା ହେବାପାଇଁ ମୁଣ୍ଡରୁ ଚୁଟି କାଟୁଥିବା ବେଳେ ବ୍ଲେଡ୍‌ରେ ମୁଣ୍ଡ ଖଣ୍ଡିଆ ହୋଇଯିବାରୁ ଛାତ୍ରମାନେ ନିଜେ ମୋତେ ଲଣ୍ଡା କରିଥିଲେ। ଏହାବାଦ୍‌ ଗାନ୍ଧିଜୀଙ୍କ ଭୂମିକାରେ ଅଭିନୟ ପାଇଁ ଟେଲି ଫିଲ୍ମ-ଗାନ୍ଧୀ ଆସୁଛନ୍ତିରେ ଅଭିନୟ କରିଥିଲି। ଏହା ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲା। ୨୦୨୦ରେ ଏକ ଘରାଇ ଟିଭି ଚ୍ୟାନେଲ ଦ୍ୱାରା ପ୍ରାୟୋଜିତ ଗାନ୍ଧୀଙ୍କ ସମ୍ପର୍କରେ ଏକ ଶର୍ଟ ଫିଲ୍ମ ନିମାର୍ଣ ହେବା ପାଇଁ ଯୋଜନା ହେଲା । ଏଥିରେ ମୋତେ ଗାନ୍ଧିଜୀଙ୍କ ଚରିତ୍ରରେ ଅଭିନୟ ପାଇଁ କହିଲେ । ସେଥିପାଇଁ ଗାନ୍ଧିଜୀଙ୍କ ସମ୍ପର୍କରେ କେତେକ ଫଟୋ ଓ ଭିଡିଓକୁ ଦେଖିଲି। ସ୍ବରାଜ ଆଶ୍ରମ ଏବଂ ପୁରୀଜିଲାର ବେରବୋଇ ଠାରେ ଶୁଟିଂ ପାଇଁ ଯାଇଥାଏ । ଗାନ୍ଧିଜୀଙ୍କ ଅଭିନୟ ପୂର୍ବରୁ ଏକ ଟେରିକଟ୍‌ର ଧୋତି ଦେଲେ ପିନ୍ଧିବାକୁ ଏହାକୁ ଦେଖି ମୁଁ ରୋକଠୋକ ମନାକରିଦେଲି। ଏହି ପୋଷାକ ଚଳିବ ନାହିଁ। ସେଠାରେ ଶୁଟିଂ ଦେଖିବାକୁ ଆସିଥିବା ଜଣେ ବୃଦ୍ଧ ମୋତେ କହିଲେ ଆପଣ ଯଦି କିଛି ନ ଭାବିବେ ମୋ ପାଖରେ ଥିବା କେତୋଟି ପୁରୁଣା ଖଦଡ଼ ଓ ଧୋତି ଆପଣଙ୍କୁ ଦେବି। ଏକଥା ଶୁଣି ମୁଁ ବହୁତ ଖୁସି ହୋଇଗଲି । ତା’ ପରେ ସେହି ଭଦ୍ରବ୍ୟକ୍ତିଙ୍କ ଘରୁ ଆଣିଥିବା ଖଦଡ଼ ଓ ଧୋତିକୁ ପିନ୍ଧି ଗାନ୍ଧୀବେଶରେ ଅଭିନୟ କରିଥିଲି। ଏକଥା ସବୁଦିନ ମୋର ମନେ ରହିବ। ପରବର୍ତ୍ତୀ ସମୟରେ ଆଉ ଏକ ସିନେମାରେ ଗାନ୍ଧିଜୀଙ୍କ ଚରିତ୍ରରେ ଅଭିନୟ ପାଇଁ ବାଣୀବିହାର ଅଞ୍ଚଳର ଜଣେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କଠାରୁ ସାଇତି ରଖିଥିବା କେତୋଟି ଖଦଡ଼କୁ ସଂଗ୍ରହକରି ଏବେ ଅଭିନୟରେ ବ୍ୟବହାର କରୁଛି। ଗାନ୍ଧୀଙ୍କ ବେଶରେ ଅଭିନୟ କରୁଥିବାରୁ ମୋତେ କେତେଜଣ କୁହନ୍ତି ଓଡ଼ିଶାରେ ଗାନ୍ଧୀ ଭୂମିକାରେ ଅଭିନୟ କରିବ କିଏ- ନବୀନ ସାର୍‌ ଆଉ କିଏ। ଏମିତି କଥା ଶୁଣିଲେ ମୋତେ ଖୁବ୍‌ ଆନନ୍ଦ ଲାଗେ।

ଗାହାଣୀ ପର୍ବରେ ଗାନ୍ଧିଜୀଙ୍କ ବେଶ ହୁଏ: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରତନପୁର ଗ୍ରାମପଞ୍ଚାୟତ । ଏହି ଗାଁର ତେଲୁଗୁ ସାହିରେ ପ୍ରତିବର୍ଷ ଆଶ୍ୱିନ ମାସର ତୃତୀୟାଠାରୁ ପ୍ରାୟ ୧୧ଦିନଧରି ପାରମ୍ପରିକ ରୀତିନୀତିରେ ମା’ ଗୌରୀଙ୍କ ଗାହାଣୀପର୍ବ ପାଳନ ହୋଇଥାଏ। ଏହି ପର୍ବର ଭସାଣି ଦିନ ମା’ ଗୌରୀଙ୍କୁ ସାହି ଭ୍ରମଣ ବେଳେ ପଟୁଆରରେ ମାନସିକଧାରୀମାନେ ବିଭିନ୍ନ ମହାପୁରୁଷ ଓ ବହୁରୂପୀଙ୍କ ବେଶଭୂଷାରେ ନିଜକୁ ସଜାଇ ବିଭିନ୍ନ ଲୋକକଳା ପରିବେଷଣ କରିଥାନ୍ତି। କିନ୍ତୁ ପ୍ରତିବର୍ଷ ଏହି ପଟୁଆରରେ ଜଣେ ଯୁବ କଳାକାର ଗାନ୍ଧିଜୀଙ୍କ ବେଶରେ ଅଭିନୟକରି ସାହି ବୁଲିଥାନ୍ତି। ସେ ହେଲେ ବିଜୟକୁମାର ପାତ୍ର, ଡାକ ନାମ ଟୁଟୁ। ସେ କୁହନ୍ତି, ‘ସ୍କୁଲ ବୟସରେ ବାରବାଟୀ ହଷ୍ଟେଲରେ ରହି ଖେଳୁଥିଲି। ସେତେବେଳେ ଆମେ ସାଙ୍ଗମାନେ ବିଭିନ୍ନ ମହାପୁରୁଷଙ୍କ ବେଶରେ ନିଜକୁ ସଜେଇ ବେଶ୍‌ ମଜା କରୁଥିଲୁ। ପରେ ଆମ ଗାଁର ଗାହାଣୀ ପର୍ବ ସମୟରେ କେଉଁ ବେଶରେ ସଜେଇ ହେବି ଭାବୁଥିଲି। ଆଉ ମୋର ଗାନ୍ଧିଜୀଙ୍କ କଥା ମନକୁ ଆସିଲା। ସେବେଠାରୁ ଗାନ୍ଧୀଜୀଙ୍କ ବେଶରେ ଗାନ୍ଧିଜୀଙ୍କ ସ୍ବଚ୍ଛତା ଅଭିଯାନର ପ୍ରଚାର କରିଆସୁଛି। ଗାଁର ବିଭିନ୍ନ ଛକସ୍ଥାନରେ ସଜେଇ ହୋଇ ଠିଆ ହୁଏ। ଛୋଟଛୋଟ ପିଲାମାନେ ମୋ ପାଖକୁ ଆସନ୍ତି ମତେ ଦେଖନ୍ତି ଓ ବହୁତ ଖୁସି ହୁଅନ୍ତି । ଏଥିରେ ମତେ ବି ଖୁବ୍‌ ଖୁସି ଲାଗେ। ଏହି ପର୍ବରେ ଗାନ୍ଧିଜୀଙ୍କ ବେଶଭୂଷାରେ ଅଭିନୟ କରିବା ପାଇଁ ପ୍ରଥମେ ଯେତେବେଳେ ଲଣ୍ଡା ହେଲି ଅନ୍ୟମାନେ ମତେ ଥଟା ମଜା କରିଥିଲେ। ଯେତେବେଳେ ଖଦଡ଼ ଧୋତି ପିନ୍ଧି ଅଣ୍ଟାରେ ଘଣ୍ଟା, ହାତରେ ଗୀତା ଓ ଆଉ ଏକ ହାତରେ ବାଉଁଶବାଡ଼ି ଧରିଚାଲିଲି ଅନେକେ ମୋତେ ଖୁବ୍‌ ପ୍ରଶଂସା କରିଥିଲେ। ଯାହା ମତେ ଉତ୍ସାହିତ କରିଥିଲା। ସମସ୍ତଙ୍କ ଦୃଷ୍ଟି ମୋ ଉପରେ ପଡ଼ିଲା । କେହିକେହି ମୋ ପାଖକୁ ଆସି ମୋତେ ନିରିଖେଇ ଦେଖନ୍ତି ଏହା ଜୀବନ୍ତ ମଣିଷ ନା ଏକ ପ୍ରତିମୂର୍ତ୍ତି କ’ଣ ବୋଲି ଭାବନ୍ତି। କାରଣ ମୁଁ ଗାନ୍ଧୀ ହୋଇ ଠିଆ ହେଲା ବେଳେ ପୂରାପୂରି ହଲଚଲ ନ ହୋଇ କିଛି ସମୟ ସ୍ଥିର ହୋଇ ରହେ। ଏହା ଦେଖଣାହାରୀଙ୍କୁ ଚକିତ କରିଥାଏ। ଗାହାଣୀ ପର୍ବ ସମୟ ଆସିଲେ ମୋତେ ଲୋକ ପଚାରନ୍ତି ଏଥର ଗାନ୍ଧୀ ଆସୁଛନ୍ତି ତ?

ସିଲଭର ଗାନ୍ଧୀ:-ସ୍କୁଲ ବୟସରୁ ସେ ଅଗଷ୍ଟ ୧୫ ଓ ଜାନୁୟାରୀ ୨୬ରେ ଗାନ୍ଧିଜୀଙ୍କ ବେଶରେ ନିଜକୁ ସଜେଇ ହେଉଥିଲେ । ମାତ୍ର ଏବେ ତାଙ୍କୁ ଅନେକେ ‘ସିଲଭର ଗାନ୍ଧୀ’ ନାଁରେ ଜାଣନ୍ତି। ସେ ହେଲେ ମୋହନ ମହାପାତ୍ର, ଡାକ ନାମ ସାଇରାମ। ପିତା ଅର୍ଜୁନ ମହାପାତ୍ର, ମାତା ମନୋରମା ମହାପାତ୍ର। ଜନ୍ମ ସ୍ଥାନ ପୁରୀ ଜିଲାର ବେରବୋଇ ଗାଁରେ। ସେ କୁହନ୍ତି, ଆମ ଗାଁକୁ ଦିନେ ଗାନ୍ଧିଜୀ ଆସି ରହିଥିଲେ। ସେଥିପାଇଁ ଗାନ୍ଧିଜୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିପୀଠ ରହିଛି। ସ୍କୁଲରେ ଅଗଷ୍ଟ ୧୫ ହେଉ କି ଜାନୁୟାରୀ ୨୬ ଆଦି ପାଳନ ବେଳେ ଗାନ୍ଧିଜୀଙ୍କ ବେଶରେ ନିଜକୁ ସଜେଇ ହୋଇଥାଏ। ଏହା ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଥାଏ। ପ୍ରଥମେ ଧଳା ଧୋତି ପିନ୍ଧୁଥିଲି। ଏବେ ଖଦଡ଼ ସଂଗ୍ରହକରି ପିନ୍ଧୁଛି। ସମୟକ୍ରମେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗରେ ବିଏ ସାରିଲି। ଏବେ ନ୍ୟାଶନାଲ ସ୍କୁଲ ଅଫ୍‌ ଡ୍ରାମାରେ ପାଠପଢ଼ା ଚାଲିଛି। ସିଲଭର ଗାନ୍ଧୀ ସିନେମାରେ ସିଲଭର ଗାନ୍ଧୀଙ୍କ ଭୂମିକାରେ ଅଭିନୟକରି ଭିନ୍ନ ପରିଚୟ ସୃଷ୍ଟି ହୋଇଛି। ଏଥିରେ ମୋତେ ଆତ୍ମସନ୍ତୋଷ ମିଳିପାରିଛି। ବିଶ୍ୱଶାନ୍ତି ପାଇଁ ଶାନ୍ତିର ବାର୍ତ୍ତା ସହ ସ୍ବଚ୍ଛଭାରତ ଅଭିଯାନ କରି ଜନ ସଚେତନତା ସୃଷ୍ଟି କରୁଛି। ୨୦୧୬ ମସିହାରୁ ଖାଲି ପାଦରେ ଚାଲି ଚାଲି ସାରା ଦେଶର ପ୍ରାୟ ୨ହଜାର କିମି ଦୂର ୭ଟି ରାଜ୍ୟକୁ ଘୂରିବୁଲିଛି। ଓଡ଼ିଶା, ପଞ୍ଜାବ, ଚଣ୍ଡିଗଡ଼, ରାଜସ୍ଥାନ, ଗୁଜରାଟ, କୋଲକାତା, ଦିଲ୍ଲୀ ଆଦି ସହର ବୁଲିଛି। ସାବରମତୀ ଯାଇଛି। ବାପାଙ୍କ ଦେହାନ୍ତ ପରେ ଯେତେବେଳେ ଗାଁକୁ ଆସିଲି ଏଠାରେ ମଧ୍ୟ ଗାନ୍ଧୀ ବେଶ ହୋଇ ବିଭିନ୍ନ ଅଞ୍ଚଳ ବୁଲିଲି। ଏଥିଯୋଗୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କଠାରୁ ପ୍ରଶଂସା ମିଳିଛି। ଅନେକ ସ୍ଥାନରୁ ପୁରସ୍କୃତ ହୋଇଛି।

ବସ୍ତିପିଲାଙ୍କ ଗାନ୍ଧୀ ଅଜା: ଅଗଷ୍ଟ ୧୫ ହେଉ କି ଜାନୁୟାରୀ ୨୬ କିମ୍ବା ଗାନ୍ଧୀ ଜୟନ୍ତୀ । ଏମିତି ଦିବସରେ ସ୍ଥାନୀୟ ବସ୍ତି ଅଞ୍ଚଳର ପିଲାମାନେ ତାଙ୍କୁ ଖୋଜନ୍ତି, ସେ ମଧ୍ୟ ପିଲାଙ୍କୁ ଏକାଠିକରି ମିଠେଇ, ଚକୋଲେଟ, ବିସ୍କୁଟ ବଣ୍ଟନ କରିଥାନ୍ତି। ନିଜକୁ ଗାନ୍ଧୀ ବେଶରେ ସଜେଇ ହୋଇ ବସ୍ତିକୁ ବସ୍ତି ବୁଲନ୍ତି। ସେ ହେଲେ ୮୩ ବର୍ଷୀୟ ଏନ. ଦୁର୍ଗା ରାଓ । ସେ କୁହନ୍ତି- ସେତେବେଳେ କଟକ ବକ୍ସି ବଜାରରେ ରହୁଥିଲି। ଏବେ କିନ୍ତୁ କେତେବର୍ଷଧରି ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ଜଗନ୍ନାଥ ରୋଡ ନଂ୧୧ରେ ରହୁଛି । ସେତେବେଳେ ରେଭିନ୍ୟୁ ଡିପାର୍ଟମେଣ୍ଟରେ କାମ କରୁଥିଲି। ଅବସର ପରେ ବସ୍ତି ପିଲାଙ୍କ ଖୁସି ପାଇଁ ବିଭିନ୍ନ ପର୍ବ ଓ ଜାତୀୟ ଦିବସରେ ନିଜସ୍ବ ଉଦ୍ୟମରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରିଆସୁଛି। ଏଥିରେ ମୋତେ ଶାନ୍ତି ମିଳୁଛି। ପରିବାରରେ ସ୍ତ୍ରୀ, ପୁଅ, ବୋହୂ ଓ ନାତି ନାତୁଣୀ ଅଛନ୍ତି। ସେମାନେ ଏଥିପାଇଁ ବହୁତ ଖୁସି ହୁଅନ୍ତି। ବସ୍ତି ପିଲାଙ୍କ ମନରେ ପାଠ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ସ୍ବାଧୀନତା ଦିବସ ଓ ଗାନ୍ଧୀ ଜୟନ୍ତୀ ଦିନ ମହାପୁରୁଷମାନଙ୍କ ଜୀବନୀଙ୍କୁ ନେଇ ଆଲୋଚନା କରାଯାଇଥାଏ। ପିଲାମାନଙ୍କୁ ପୁରସ୍କୃତ କରିଥାଏ। ଜାତୀୟ ଦିବସଗୁଡ଼ିକରେ ସକାଳୁ ସକାଳୁ ପ୍ରଭାତ ଫେରି, ସଫେଇ କାର୍ଯ୍ୟକ୍ରମ କରିଥାଏ। ପିଲାମାନଙ୍କୁ ନେଇ ବସ୍ତିର ସାହି ସାହି ବୁଲିଲା ବେଳେ ରାମଧୂନ, ବନ୍ଦେ ମାତରମ୍‌ ଗାନ କରିଥାଏ। ସୁଭାଷ ବୋଷ, ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସ, ମଧୁସୂଦନ ଦାସଙ୍କ ନାମରେ ସ୍ଲୋଗାନ ଦେଇଥାଉ। ସ୍ବାଧୀନତା ଦିବସ ଦିନ ମୁଣ୍ଡରେ ଗାନ୍ଧୀ ଟୋପି, ଧଳାପୋଷାକ ପିନ୍ଧି ସାହି ବୁଲିଥାଏ। ସ୍ବାଧୀନତାର ସ୍ମୃତିକୁ ମନେପକାଇବା ପାଇଁ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ଦେଶପ୍ରେମଭିତ୍ତିକ କାର୍ଯ୍ୟକ୍ରମ କରାଇଥାଏ। ସ୍ଥାନୀୟ ରାଧାକୃଷ୍ଣ ମନ୍ଦିରରେ ଜାତୀୟ ପତାକା ଉତ୍ତୋଳନ କରିଥାଏ। ଉପସ୍ଥିତ ପିଲାଙ୍କୁ ମିଠା ବଣ୍ଟନ କରିଥାଏ। ଅରୁଆ ଡାଲମା ଖାଇବାକୁ ଦେଇଥାଏ। । ସେମାନଙ୍କ ମଧ୍ୟରେ ମୋତେ କେହି କେହି ଗାନ୍ଧୀ ଅଜା ବୋଲି ଡାକିଲେ ଖୁବ୍‌ ଖୁସି ହୁଏ। ଏମିତି କାର୍ଯ୍ୟକ୍ରମରେ ପ୍ରତିବର୍ଷ ଆଖପାଖ ବସ୍ତିର ପିଲାମାନେ ଯୋଗ ଦେବାକୁ ଆସିଥାନ୍ତି। ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କୁ ଅତିଥିଭାବେ ଡାକି ସେମାନଙ୍କ ଦ୍ୱାରା ପତାକା ଉତ୍ତୋଳନ କରିଆସୁଛି। ଗାନ୍ଧିଜୀଙ୍କ ବେଶରେ ନିଜକୁ ସଜେଇ ହୋଇଥିବାରୁ ମନରେ ଖୁସି ଭରିଯାଏ। ଏଥିପାଇଁ କାହାରିଠାରୁ କିଛି ଟଙ୍କା ନ ଆଣି ନିଜ ପକେଟ ମନିରେ ସବୁ କାର୍ଯ୍ୟକ୍ରମ କରିଥାଏ।

ଏକଥା ସତ ଯେ, ଗାନ୍ଧିଜୀଙ୍କ ପ୍ରତି ଏମାନଙ୍କର ଥିବା ଭଲ ପାଇବା ଯୋଗୁ ଏମାନେ ନିଜକୁ ଗାନ୍ଧୀ ବେଶରେ ସଜେଇ ହୋଇ ଖୁସି ହେଉଛନ୍ତି। ଯାହା ତାଙ୍କର ଅନ୍ୟତମ ପରିଚୟ ବି ପାଲଟିଛି।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?