ଜି-୨୦ ଓ ଜଳବାୟୁ ପ୍ରସଙ୍ଗ

ବିଂଶ ରାଷ୍ଟ୍ରଗୋଷ୍ଠୀ (ଜି-୨୦) ହେଉଛି ଅନ୍ତର୍ଜାତୀୟ ଅର୍ଥନୈତିକ ସହଯୋଗ କ୍ଷେତ୍ରରେ ଏକ ପ୍ରମୁଖ ଫୋରମ ବା ମଞ୍ଚ। ଜି-୨୦ ପ୍ରାରମ୍ଭରେ ସମଷ୍ଟିଗତ ଅର୍ଥନୈତିକ ପ୍ରସଙ୍ଗ ସବୁ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଥିଲା। ପରବର୍ତ୍ତୀ ସମୟରେ ଏହା ବାଣିଜ୍ୟ, ସ୍ବାସ୍ଥ୍ୟ, କୃଷି, ଶକ୍ତି, ପରିବେଶ, ନିରନ୍ତର ବିକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଦୁର୍ନୀତି ନିବାରଣ ଆଦିକୁ ଅନ୍ତର୍ଭୁକ୍ତ କରିଛି। ପ୍ରତିବର୍ଷ ଏକ ପରିବର୍ତ୍ତିତ ସଦସ୍ୟ ରାଷ୍ଟ୍ରର ଅଧ୍ୟକ୍ଷତାରେ ଜି-୨୦ ସମ୍ମିଳନୀ ସେହି ଦେଶରେ ଅନୁଷ୍ଠିତ ହୁଏ। ସମ୍ପ୍ରତି ଭାରତବର୍ଷ ୨୦୨୩ ବର୍ଷ ନିମନ୍ତେ ଜି-୨୦ଗୋଷ୍ଠୀର ଅଧ୍ୟକ୍ଷ ପଦ ଅଳଙ୍କୃତ କରିଛି। ଅନ୍ୟ ସଦସ୍ୟ ରାଷ୍ଟ୍ରମାନଙ୍କ ସହ ପରାମର୍ଶ କରି ଜି-୨୦ର ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ଏହାର ଅଧ୍ୟକ୍ଷତାକାରୀ ରାଷ୍ଟ୍ରର ଦାୟିତ୍ୱ।
ତେବେ ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ପରିବେଶ ସମ୍ପର୍କିତ ପ୍ରସଙ୍ଗ, ବିଶେଷରୂପେ ବିଶ୍ୱତାପନ ଓ ଜଳବାୟ ପରିବର୍ତ୍ତନ ଆହ୍ବାନ ସୃଷ୍ଟିକାରୀ ରୂପେ ଗଣ୍ୟ ହୋଇ ସମସ୍ତ ଅନ୍ତର୍ଜାତୀୟ ମଞ୍ଚରେ ଆଲୋଚନାର ପ୍ରମୁଖ ବିଷୟବସ୍ତୁ ପାଲଟିଛି। ଏହି ପରିପ୍ରେକ୍ଷୀରେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଏହା ଉପରେ ଫଳପ୍ରଦ ଆଲୋଚନା, କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତ ଏବଂ ପଦକ୍ଷେପ ଗ୍ରହଣ ହେବା ବିଶ୍ୱ ସମ୍ପ୍ରଦାୟ ଆଶାପ୍ରକଟ କରେ। ତେବେ ଭାରତ ସମ୍ମୁଖରେ କେତେକ ଅନ୍ତର୍ନିହିତ ପ୍ରତିବନ୍ଧକ ରହିଛି, ଯାହା ଭାରତର ଅଧ୍ୟକ୍ଷତା କାଳରେ ଯଥେଷ୍ଟ ସଫଳତା ଅର୍ଜନର ସମ୍ଭାବନାକୁ କ୍ଷୀଣ କରେ। ପୃଥିବୀର ତାପମାତ୍ରା ବୃଦ୍ଧି ଏବଂ ତଜ୍ଜନିତ ଜଳବାୟୁ ପରିବର୍ତ୍ତନର ପ୍ରଭାବ କ୍ରମେ ଗମ୍ଭୀର ରୂପ ଧାରଣ କରିଚାଲିଛି। ଏହାର ମୁଖ୍ୟ କାରଣ ଶକ୍ତି ଉତ୍ପାଦନ କ୍ଷେତ୍ରରୁ, ବିଶେଷରୂପେ କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ପରି ଜୀବାଶ୍ମ ଇନ୍ଧନ ଉତ୍ସର ବହୁଳ ବ୍ୟବହାରରୁ ସୃଷ୍ଟ ସବୁଜ ଗୃହ ବାଷ୍ପମାନଙ୍କର ବର୍ଦ୍ଧିତ ନିର୍ଗମନ, ଯାହାର ହ୍ରାସନ ଉପରେ ବିଶ୍ୱବାସୀଙ୍କର ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି। ଏସବୁ ଉତ୍ସର ବ୍ୟବହାରରେ ଯଥେଷ୍ଟ ହ୍ରାସ ଘଟାଇ ସୂର୍ଯ୍ୟାଲୋକ, ପବନ, ବର୍ଷା, ସମୁଦ୍ରଢେଉ, ଭୂଉତ୍ତାପ, ଜୈବଶକ୍ତି, ଉଦ୍‌ଜାନ ଏବଂ ନାଭିକୀୟ ଶକ୍ତି ପରି ବିକଳ୍ପ ସ୍ବଚ୍ଛ, ସବୁଜ ଓ ଅକ୍ଷୟ ଶକ୍ତିର ଉତ୍ସ ଉପରେ ଆତ୍ମନିର୍ଭରଶୀଳତାରେ ବୃଦ୍ଧି ଘଟାଇବା ହେଉଛି ଆଜିର ଆହ୍ବାନ। ଏହାକୁ ଦୃଷ୍ଟିରେ ରଖି ଜାତିସଂଘର ୨୦୧୫ ପ୍ୟାରିସ ଜଳବାୟୁ ସମ୍ମିଳନୀରେ ସ୍ବାକ୍ଷରିତ ଚୁକ୍ତିନାମାର ଇପ୍ସିତ ଲକ୍ଷ୍ୟ ଥିଲା ପୃଥିବୀର ତାପମାତ୍ରା ବୃଦ୍ଧିକୁ ଶିଳ୍ପବିପ୍ଳବ-ପୂର୍ବ ତୁଳନାରେ ୨ଡିଗ୍ରୀ ସେଲ୍ସିଅସରୁ ନିମ୍ନରେ, ଆଦର୍ଶ ଭାବେ ୧.୫ ଡିଗ୍ରୀ ସେଲ୍ସିଅସ ମଧ୍ୟରେ ସୀମିତ ରଖିବା।
ଏଥିନିମନ୍ତେ ବିଶ୍ୱର ଶକ୍ତି ଉତ୍ପାଦନ କ୍ଷେତ୍ରରେ ବ୍ୟବହୃତ ପ୍ରଦୂଷଣ ସୃଷ୍ଟିକାରୀ ପାରମ୍ପରିକ, ଅନବୀକରଣୀୟ ଉତ୍ସରେ ପୂର୍ଣ୍ଣଚ୍ଛେଦ ପକାଇ ସୁଦୂରପ୍ରଭାବୀ ନବୀକରଣୀୟ, ସ୍ବଚ୍ଛ ଉତ୍ସକୁ ପରିବର୍ତ୍ତିତ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ରାଷ୍ଟ୍ର ପ୍ରତିବଦ୍ଧ ହେବା ଏକାନ୍ତ ବାଞ୍ଛନୀୟ। ନିର୍ଦ୍ଦିଷ୍ଟ ଭାବେ ବିଦ୍ୟୁତ୍‌ ଶକ୍ତିର ସର୍ବାଧିକ ପ୍ରଦୂଷଣକାରୀ ଉତ୍ସ ରୂପେ କୋଇଲାର ବ୍ୟବହାରକୁ ନିଷିଦ୍ଧ କରିବା ଏକାନ୍ତ ଅପରିହାର୍ଯ୍ୟ। ମାତ୍ର ଭାରତରେ କୋଇଲାର ଉପଲବ୍ଧି ଯଥେଷ୍ଟ ଥିବା, ଶକ୍ତି ଉତ୍ପାଦନରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ଏବଂ ସ୍ବଚ୍ଛ ଶକ୍ତି କ୍ଷେତ୍ରରେ ନୂତନ ପ୍ରଯୁକ୍ତିର ବିଶେଷ ଅଗ୍ରଗତି ସାଧିତ ହୋଇ ନ ଥିବା ଦୃଷ୍ଟିରୁ ଆମ ଦେଶ ଏକ ଅପ୍ରସ୍ତୁତ ପରିସ୍ଥିତିରେ ଦଣ୍ଡାୟମାନ ରହିଛି। ୨୦୨୧ର ଗ୍ଲାସ୍‌ଗୋ ଜଳବାୟୁ ସମ୍ମିଳନୀ (କୋପ୨୬)ରେ ରାଷ୍ଟ୍ରମାନଙ୍କୁ ସେମାନଙ୍କର ୨୦୩୦ ଲକ୍ଷ୍ୟ ହାସଲକୁ ସୁଦୃଢ଼ କରିବା ନିମନ୍ତେ ଚେଷ୍ଟିତ ହେବାକୁ ଅନୁରୋଧ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ୨୦୭୦ ସୁଦ୍ଧା ଭାରତ ନେଟ-ଶୂନ୍ୟ ନିର୍ଗମନ ଲକ୍ଷ୍ୟ ହାସଲ କରିବ ବୋଲି ଘୋଷଣା କରିଥିଲେ, ଯେତେବେଳେ କି ଆମେରିକା ଓ ୟୁରୋପ ୨୦୫୦ ଏବଂ ଚାଇନା ୨୦୬୦ ସୁଦ୍ଧା ଏହି ଲକ୍ଷ୍ୟ ହାସଲର ପ୍ରତିଶ୍ରୁତି ଦେଇଥିଲେ। ତେବେ ବୈଜ୍ଞାନିକମାନଙ୍କର ପ୍ରତ୍ୟାଶା ତୁଳନାରେ ବିଗତ ୮ବର୍ଷରେ ଅଙ୍ଗାରକ ନିର୍ଗମନରେ ଆବଶ୍ୟକ ହ୍ରାସନ ସଂଘଟିତ ହୋଇନାହିଁ, ଯାହା ଚିନ୍ତାର କାରଣ ପାଲଟିଛି। ଜି-୨୦ ପରିପ୍ରେକ୍ଷୀରେ ଶକ୍ତିକ୍ଷେତ୍ର ନିର୍ଗମନ ଲକ୍ଷ୍ୟ ହାସଲ, ଜୀବାଶ୍ମ ଇନ୍ଧନର ହ୍ରାସ ଏବଂ ଜଳବାୟୁ ଆର୍ଥିକ ପ୍ରୋତ୍ସାହନ ପରି ଅନେକ ମୁଖ୍ୟ ପ୍ରସଙ୍ଗକୁ ଅନ୍ତର୍ଭୁକ୍ତ କରେ, ଯାହା ଭାରତ ଏହାର ନେତୃତ୍ୱାବଧିରେ ଉଭୟ ବିକଶିତ ତଥା ବିକାଶଶୀଳ ରାଷ୍ଟ୍ରମାନଙ୍କରେ ତ୍ୱରାନ୍ବିତ ହେବାର ଆଶା ପୋଷଣ କରେ।
ଅଭିଯୋଗ ହେଉଛି ଯେ ବୈଜ୍ଞାନିକମାନଙ୍କର ଗମ୍ଭୀର ଚେତାବନୀ ଏବଂ ସବୁଜ ଗୃହବାଷ୍ପ ନିର୍ଗମନକୁ ରୋକିବା ନିମନ୍ତେ ଜାତିସଂଘ ମହାସଚିବଙ୍କ ଆବେଦନ ସତ୍ତ୍ୱେ ଭାରତ ସରକାର ଏ ପର୍ଯ୍ୟନ୍ତ ଜି-୨୦ କାର୍ଯ୍ୟସୂଚୀରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ବିଷୟରେ ଆଲୋଚନାକୁ ସ୍ଥାନ ଦେଇନାହାନ୍ତି। ଏହା ଗୁରୁତ୍ୱପୂର୍ଣ୍ଣ ଯେ ବିଶ୍ୱର ୨୦ଟି ବୃହତ୍‌ ଅର୍ଥନୀତିର ସମ୍ମିଳିତ ଏହି ଗୋଷ୍ଠୀ ସାମୂହିକ ଭାବରେ ପୃଥିବୀର ସବୁଜ ଗୃହ ବାଷ୍ପ ନିର୍ଗମନର ୭୫-୮୦% ନିମନ୍ତେ ଦାୟୀ। ଇଣ୍ଡୋନେସିଆଠାରୁ ଭାରତକୁ ଅଧ୍ୟକ୍ଷ ପଦ ହସ୍ତାନ୍ତର ସମୟରେ ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତ କରିଥିଲେ ଯେ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଏବଂ ମହାମାରୀ ପରି ଆହ୍ବାନର ଦମନ ପରସ୍ପର ସହ ଲଢ଼ିବା ଦ୍ୱାରା ନୁହେଁ, ବରଂ ଏକତ୍ର ସମ୍ମିଳିତ କାର୍ଯ୍ୟ ଦ୍ୱାରା ହିଁ  ସାଧିତ ହୋଇପାରିବ। ଏବେ ବିକଶିତ ରାଷ୍ଟ୍ରମାନଙ୍କର ଚାପ ରହିଛି ଭାରତ ନେଟ୍‌-ଶୂନ୍ୟ ନିର୍ଗମନ ଲକ୍ଷ୍ୟକୁ ୨୦୫୦କୁ ଘୁଞ୍ଚାଇ ଆଣିବାର ପ୍ରଚେଷ୍ଟାରେ କାର୍ଯ୍ୟ ସମ୍ପାଦନ କରୁ ଏବଂ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ନେତୃତ୍ୱ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହି ସମ୍ଭାବନା ସମ୍ପର୍କରେ ଘୋଷଣା କରନ୍ତୁ। କିନ୍ତୁ ଭାରତୀୟ ଦୃଷ୍ଟିଭଙ୍ଗୀ ହେଉଛି ଯେ ଏହି ବିଷୟରେ ଜି-୨୦ରେ ନୁହେଁ, ବରଂ ବର୍ଷ ସମାପ୍ତି ବେଳକୁ ୟୁଏଇରେ ଅନୁଷ୍ଠିତ ହେବାକୁଥିବା ଜାତିସଙ୍ଘ ଜଳବାୟୁ ସମ୍ମିଳନୀ (କୋପ୨୮)ରେ ବିଶ୍ୱସ୍ତରୀୟ ସମୀକ୍ଷା ଅବସରରେ, ଯେଉଁଠାରେ କି ଜାତୀୟ ପ୍ରତିବଦ୍ଧତାକୁ ଉଭୟ ସ୍ବଳ୍ପ ସମୟ (୨୦୩୦) ଏବଂ ଦୀର୍ଘ ସମୟ (୨୦୫୦) ଭିତ୍ତିରେ ବିବେଚିତ ହେବ, ଭାରତ ସେଠାରେ ହିଁ ଉପସ୍ଥାପନ କରିବ।
ତେବେ ଜଳବାୟୁ ନିୟନ୍ତ୍ରଣ କ୍ଷେତ୍ରକୁ ଭାରତର ଅବଦାନ ବିଷୟରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସବୁକୁ ଜି-୨୦ ଆଲୋଚନାର ପରିସରକୁ ଅଣାଯାଇପାରେ। ଏଥିରେ ଅନ୍ତର୍ଭୁକ୍ତ ହେବାକୁ ଅଛି ‘ଲାଇଫ’ ସଂକଳ୍ପ (ପରିବେଶ ପାଇଁ ଜୀବନଶୈଳୀ), ଯାହାକୁ ମୋଦି ପୂର୍ବରୁ ଅନ୍ତର୍ଜାତୀୟ ମଞ୍ଚରେ ଗୁରୁତ୍ୱର ସହ ଉପସ୍ଥାପନ କରିଛନ୍ତି । ଅଧିକ ତାତ୍ପର୍ଯ୍ୟ ବହନକାରୀ ପ୍ରସଙ୍ଗ ହେଉଛି କିପରି ନେଟ୍‌-ଶୂନ୍ୟ ଉତ୍ସର୍ଜନ ହାସଲ ସହ ସବୁଜ ଅର୍ଥ ବ୍ୟବସ୍ଥା ସୁଦୃଢ଼ହେବା ଦିଗରେ ତ୍ୱରିତ ପରିବର୍ତ୍ତନ ଘଟାଇ ନୂତନ ନିଯୁକ୍ତି, ସ୍ବାସ୍ଥ୍ୟସେବା ଏବଂ ସ୍ଥାୟୀ ଅର୍ଥନୈତିକ ନିରାପତ୍ତାରେ ଉନ୍ନତ ଫଳାଫଳ ହାସଲ କରିବା। ଏବେ ଅକ୍ଷୟଶକ୍ତି ପ୍ରସ୍ତୁତି କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ଏହାକୁ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଶକ୍ତି ଉତ୍ପାଦନର ଘୋଷଣା କରିବାକୁ ଆତ୍ମବିଶ୍ୱାସ ଦେଇଛି। କିନ୍ତୁ ଏହି ପ୍ରସଙ୍ଗରେ ବିକଶିତ ରାଷ୍ଟ୍ରମାନେ ବିକାଶଶୀଳ ଦେଶମାନଙ୍କୁ ଆର୍ଥିକ ସହାୟତା ଏବଂ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର କରିବା ଆଶାନୁରୂପ ସଫଳତା ହାସଲରୁ ଦୂରରେ ରହିଛି, ଯାହା ଦୀର୍ଘକାଳୀନ ପ୍ରତିବଦ୍ଧତା ନିମନ୍ତେ ଏକାନ୍ତ ଅପରିହାର୍ଯ୍ୟ।

  • ଡ. ଜୟକୃଷ୍ଣ ପାଣିଗ୍ରାହୀ
    ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
    ମୋ-୯୪୩୭୦୭୬୧୦୦

Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri