ଭବିତବ୍ୟ ଯାହା ଅବଶ୍ୟ ଘଟିବ

ଏ ପୃଥିବୀ ସଦା ବୈଚିତ୍ର୍ୟମୟ। ପରିବେଶ ଓ ପରିସ୍ଥିତି ଦସ୍ୟୁ ରତ୍ନାକରକୁ ବାଲ୍ମୀକିରେ ରୂପାନ୍ତରିତ କରେ ଓ ବିଶ୍ରବାଙ୍କ ପରି ଋଷିଙ୍କ ଔରସ ସମ୍ଭୁତ ରାବଣ ଦେବ ଓ ମାନବଙ୍କ ଉପରେ କରି ବସେ ଅକଥନୀୟ ଅତ୍ୟାଚାର। ସତୀ ସାଧ୍ୱୀ ସୀତାଙ୍କୁ ଅପହରଣ କରି ଶେଷରେ ସବଂଶ ନିଧନ ହୁଏ। ପୁରାଣ, ଇତିହାସଠାରୁ ଆରମ୍ଭକରି ବର୍ତ୍ତମାନ ଯୁଗ ପର୍ଯ୍ୟନ୍ତ ମଧ୍ୟ ଏପରି ବ୍ୟକ୍ତିମାନଙ୍କର ଦୃଷ୍ଟାନ୍ତର ଅଭାବ ନାହିଁ। ଶ୍ରେଣୀରେ ପ୍ରଥମସ୍ଥାନ ଅଧିକାର କରି ଆସିଥିବା ଛାତ୍ରଟି ଉଚ୍ଚ ସରକାରୀ ଅଧିକାରୀ ହୋଇ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଆତ୍ମସାତ୍‌ କରି ଧରା ହେଉଥିବାବେଳେ ଶ୍ରେଣୀରେ ସର୍ବନିମ୍ନ ସ୍ଥାନ ଅଧିକାର କରିଥିବା ଛାତ୍ରଟି ଦିନେ ସାଂସଦ, ବିଧାୟକ କିମ୍ବା ମନ୍ତ୍ରୀ ହୋଇ କୋଟି ଜନତାର ପ୍ରଣମ୍ୟ ସାଜୁଛି।
ପୃଥିବୀର କିଛି ମହାନ୍‌ ଜନନାୟକଙ୍କ ଜୀବନୀ ଅନୁଶୀଳନ କଲେ ଉପରୋକ୍ତ ତଥ୍ୟର ସତ୍ୟତା ଉପଲବ୍ଧ ହେବ। ଯୁବାବସ୍ଥାରେ କୁସଙ୍ଗ ସାନ୍ନିଧ୍ୟରେ ନିଜ ଜୀବନକୁ ବିପଥଗାମୀ କରିଥିବା ଯୁବକଟି ଥିଲା ପରିବାର ଓ ସମାଜ ପାଇଁ ଏକାନ୍ତ ଅଲୋଡା। ବିବାହ ବୟସ ଉପଗତ ହେବାରୁ ମାତାପିତା ତାଙ୍କୁ ଏକ ସୁଶ୍ରୀ ଅନିନ୍ଦ୍ୟସୁନ୍ଦରୀ କନ୍ୟାସହ ବିବାହ ବନ୍ଧନରେ ବାନ୍ଧିଦେଲେ। ଆଶାଥିଲା ହୁଏତ ସୁନ୍ଦରୀ ପତ୍ନୀଙ୍କୁ ପାଇ ତାଙ୍କର ଚାରିତ୍ରିକ ପରିବର୍ତ୍ତନ ହେବ। କିନ୍ତୁ ପ୍ରଥମ ପତ୍ନୀଙ୍କୁ ହତାଦାର କରି ନିଜ ପସନ୍ଦର ଯୁବତୀକୁ ଦ୍ୱିତୀୟ ବିବାହ କଲେ। ସାରାଦିନ ସେ ନିଶାସକ୍ତ ରହୁଥିଲେ। ଏତେ ମନ୍ଦଗୁଣ ସତ୍ତ୍ୱେ ବି ସେ ଥିଲେ ପ୍ରଗାଢ଼ ଅଧ୍ୟବସାୟୀ। ଦ୍ୱିତୀୟ ପତ୍ନୀଙ୍କର ନିଷ୍ଠା ଓ ସହନଶୀଳତା ତାଙ୍କ ଜୀବନରେ ଆଣିଥିଲା ଏକ ବିରାଟ ପରିବର୍ତ୍ତନ। ସେ ପଙ୍କରୁ ଜାତ ପଙ୍କଜ ପରି ଫୁଟି ଉଠିଲେ। ପରବର୍ତ୍ତୀ ଜୀବନରେ ସେ ହେଲେ ପ୍ରବୀଣ ରାଷ୍ଟ୍ରବାଦୀ ତଥା ଆମେରିକାର ୩୨ତମ ରାଷ୍ଟ୍ରପତି ଫ୍ରାଙ୍କ୍‌ଲିନ୍‌ ରୁଜ୍‌ଭେଲ୍ଟ।
ଆଉ ଜଣେ ବିପଥଗାମୀ ବ୍ୟକ୍ତିଙ୍କ ଜୀବନୀ ଆଲୋଚନା ସାପେକ୍ଷ। ଧୂମପାନ, ମଦ୍ୟପାନ ଓ କୁସଙ୍ଗ ଥିଲା ତାଙ୍କ ଜୀବନର ବୈଶିଷ୍ଟ୍ୟ। ଦାୟିତ୍ୱହୀନତା ପାଇଁ ସେ ସରକାରୀ ଚାକିରିରୁ ଦୁଇଥର ନିଲମ୍ବିତ ହୋଇଥିଲେ। ପ୍ରତିଥର କ୍ଷମା ଯାଚନାପୂର୍ବକ ଚାକିରିରେ ପୁନଃ ଅବସ୍ଥାପିତ ହୋଇଥିଲେ ମଧ୍ୟ ଶେଷରେ ଚାକିରିରୁ ବହିଷ୍କୃତ ହେବାକୁ ପଡିଥିଲା। କଲେଜ ଜୀବନରୁ ସେ ଅଫିମ ନିଶାରେ ଅଭ୍ୟସ୍ତ ଥିଲେ। ସ୍କୁଲ ଜୀବନରେ ଆଲ୍‌ଜେବ୍ରା ବହି ଅଧା ହୋଇଥିଲେ ମଧ୍ୟ ‘ଆଲ୍‌ଜେବ୍ରା’ ଶବ୍ଦ ସମ୍ବନ୍ଧରେ ସେ ଅଜ୍ଞଥିଲେ। ପରୀକ୍ଷା ଖାତାରେ ସମସ୍ତେ ଉତ୍ତର ଲେଖିଥିଲେ ମଧ୍ୟ ସେ କେବଳ କେତୋଟି ସୁନ୍ଦର ଚିତ୍ର ଆଙ୍କି ଖାତା ପଇଠ କରିଥିଲେ। ତଥାପି ଗୁରୁଜୀ ତାଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିଥିଲେ। ଗୁରୁଜୀଙ୍କ ଯୁକ୍ତିଥିଲା, ପିଲାଟି ସିନା ପାଠରେ ଅମନଯୋଗୀ; ହେଲେ ଜଣେ ଉତ୍ତମ ଚିତ୍ରକର ଓ ତା’ଭିତରେ ଲୁଚି ରହିଛି ଉଜ୍ଜ୍ୱଳ ସମ୍ଭାବନା। ପରୀକ୍ଷାରେ ଫେଲ୍‌ ହେବ ବୋଲି ଧରିନେଇଥିବା ପିଲାଟି ଗୁରୁଜୀଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ହୋଇ ଉଠିଲା। ହାଇସ୍କୁଲ ଶିକ୍ଷକଙ୍କ ପ୍ରେରଣା ତା’ ଚରିତ୍ର ସଂଶୋଧନର ଥିଲା ପ୍ରଧାନ ଉସତ୍। ସେ ଆଉ କେହି ନୁହନ୍ତି- ସେ ହେଉଛନ୍ତି ଇଂଲଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ୍‌ ଚର୍ଚ୍ଚିଲ।
ରୁଷିଆର ପ୍ରସିଦ୍ଧ ଲେଖକ ଲିଓ ଟଲ୍‌ଷ୍ଟୟଙ୍କ ପ୍ରାରମ୍ଭିକ ଜୀବନ କୈାଣସି ଦୁରାଚାରୀ ଖଳ ବ୍ୟକ୍ତିର ଜୀବନଠାରୁ ଉନ୍ନତ ନ ଥିଲା। ତାଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁ ତାଙ୍କ ପରିବାରବର୍ଗ, ଆତ୍ମୀୟ ସ୍ବଜନ ତାଙ୍କୁ ନିଜଠାରୁ ଦୂରେଇ ଦେଇଥିଲେ। ସମସ୍ତେ ଭାବୁଥିଲେ ଟଲଷ୍ଟୟଙ୍କ ଜୀବନ ନର୍କଗାମୀ। କିନ୍ତୁ ବିଧିର ବିଧାନ କିଛି ଭିନ୍ନ ଥିଲା। ତାଙ୍କପରି ଜଣେ ନଷ୍ଟଚରିତ୍ର ବ୍ୟକ୍ତିଙ୍କୁ ଭଲପାଇ ବସିଲେ ଆଭିଜାତ୍ୟସମ୍ପନ୍ନା, ଉଚ୍ଚଶିକ୍ଷିତା, ସୁଶ୍ରୀ ସୋଫିଆ, ଯେକି ସ୍ବଇଚ୍ଛାରେ ଟଲଷ୍ଟୟଙ୍କୁ ବିବାହ କଲେ। ସେହିଠାରୁ ବଦଳିଗଲା ଟଲଷ୍ଟୟଙ୍କ ଜୀବନର ଗତିପଥ। ଟଲଷ୍ଟୟ ତାଙ୍କ ଆବର୍ଜନାମୟ ଖୋଳପା ମଧ୍ୟରୁ ବାହାରି ଆସିଲେ ଜଣେ ପ୍ରସିଦ୍ଧ ଗାଳ୍ପିକ ଓ ଔପନ୍ୟାସିକ ଭାବେ। ତାଙ୍କ ରଚିତ ଉପନ୍ୟାସ ‘ୱାର ଆଣ୍ଡ ପିସ୍‌’ ପାଠକ ମହଲରେ ସର୍ବାଧିକ ଆଦୃତି ଲାଭ କରିଛି। ନିଜ ଜୀବନର ତିକ୍ତ ଅନୁଭୂତି ତାଙ୍କର ପ୍ରତିଟି ଲେଖାରେ ପ୍ରତିଫଳିତ। ‘ଅନା କରେନିନା, ‘ଡେଥ୍‌ ଅଫ୍‌ ଇଭାନ ଇଲ୍ଚି’, ‘ହାଓ ମଚ୍‌ ଲ୍ୟାଣ୍ଡ ଡଜ ଏ ମ୍ୟାନ୍‌ ନିଡ’ ଓ ‘ଏ ଗ୍ରେନ୍‌ ଆଜ୍‌ ବିଗ୍‌ ଆଜ୍‌ ଏ ହେନ୍‌ସ୍‌ ଏଗ୍‌’ ପରି ଗଳ୍ପ ସମୂହ ତାଙ୍କୁ ସଦାକାଳେ ଅମର ରଖିଥିବ।
ବର୍ତ୍ତମାନ ଆଉ ଜଣେ ବ୍ୟକ୍ତିଙ୍କ କଥା ଆଲୋଚନା କରିବା, ଯେ କି ଉପରବର୍ଣ୍ଣିତ ବ୍ୟକ୍ତିଙ୍କର ଥିଲେ ସମ୍ପୂର୍ଣ୍ଣ ବିପରୀତ। ପିଲାଦିନୁ ଆମିଷ ଭକ୍ଷଣ ଓ ଜୀବ ବଧକୁ ସେ ବିରୋଧ କରୁଥିଲେ। ଧୂମପାନ ଓ ମଦ୍ୟପାନଠାରୁ ସେ ଥିଲେ ବହୁ ଦୂରରେ। ସେ ଥିଲେ ପରିବାର, ଗୁରୁ, ଗୁରୁଜନ ଓ ସାଥୀମାନଙ୍କର ଅତିପ୍ରିୟ। ଜୀବନରେ ଏକପତ୍ନୀ ବ୍ରତ ଗ୍ରହଣ ତାଙ୍କ ଚରିତ୍ରବତ୍ତାର ଥିଲା ଅନନ୍ୟ ନିଦର୍ଶନ। କେତେକ କ୍ଷେତ୍ରରେ ଘୃଣା ମଣିଷକୁ ସଜାଡ଼ି ଦେଉଥିବା ବେଳେ ଅତ୍ୟଧିକ ପ୍ରଶଂସା ବ୍ୟକ୍ତିକୁ ସର୍ବନାଶର ମାର୍ଗ ଦର୍ଶାଏ। ସ୍ବୀୟ ପ୍ରଶଂସାରେ ଉତ୍‌ଫୁଲ୍ଲିତ ଏଇ ବ୍ୟକ୍ତି ଜଣକ ସମସ୍ତ ବ୍ୟତିକ୍ରମକୁ ଆପଣେଇନେଲେ। ସେ ହୋଇ ଉଠିଲେ ହିଂସ୍ର, କ୍ରୂର ଓ ଯୁଦ୍ଧପିପାସୁ। ତାଙ୍କ ନା ଶୁଣିଲେ ବିଶ୍ୱବକ୍ଷରେ କମ୍ପନ ସୃଷ୍ଟିହେଲା। ସେ ଆଉ କେହି ନୁହନ୍ତି, ଇତିହାସର କଳା ପୃଷ୍ଠାରେ ଲିପିବଦ୍ଧ ହୋଇଥିବା ଏଇ ଉଗ୍ର ଏକଚ୍ଛତ୍ର ଶାସକ ହେଲେ ‘ଆଡଲଫ୍‌ ହିଟ୍‌ଲର’। ତାଙ୍କଠାରେ ମାନବିକତା ପରିବର୍ତ୍ତେ ସୃଷ୍ଟି ହୋଇଥିଲା ନିଷ୍ଠୁର ମାନସିକତା।
ଉପରୋକ୍ତ ଚାରିଗୋଟି ଦୃଷ୍ଟାନ୍ତରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଯେ ମଣିଷ ବାସ୍ତବରେ ପରିସ୍ଥିତିର ଦାସ। ନିୟତିର ନିୟନ୍ତ୍ରଣରେ ପରିଚାଳିତ ସମଗ୍ର ବିଶ୍ୱ। କବିବର ରାଧାନାଥଙ୍କ ଭାଷାରେ-
ଭବିତବ୍ୟ ଯାହା ଅବଶ୍ୟ ଘଟିବ କିଏ ତା କରିବ ଆନ/କିଏ ଅବା ଏହି ଜ୍ୟୋତିଶ୍ଚକ୍ରଗତି ରୋଧିବାକୁ ବଳବାନ ?
ପିଲାଦିନେ ସୁଧୀର ସୁଶୀଳ ବାଳକଟି ବଡ଼ହୋଇ ସମାଜର ପ୍ରଭୂତ କ୍ଷତିସାଧନ କରୁଥିବାବେଳେ ପିଲାଦିନେ ବିପଥକୁ ଚାଲିଯାଇଥିବା ବାଳକଟି କୋଟିଜନଙ୍କର ପ୍ରିୟଭାଜନ ହୋଇ ଅମରତ୍ୱ ଲାଭକରେ। ପୁରାଣ କଥା ଦୂରେ ଥାଉ ଇତିହାସ ପୃଷ୍ଠା ଓଲଟାଇଲେ ଏହିପରି ଦ୍ବୈତ ଚରିତ୍ରସମ୍ପନ୍ନ ବ୍ୟକ୍ତିତ୍ୱର ଅଭାବ ନାହିଁ। ନିନ୍ଦା ଅପମାନ ସହୁଥିବା ବାଳକଟି ପ୍ରଶଂସାର ଉଚ୍ଚତର ସୋପାନକୁ ଉନ୍ନୀତ ହେଉଥିବା ବେଳେ ବାଲ୍ୟକାଳେ ବହୁ ପ୍ରଶଂସିତ ଓ ଆଦୃତି ଲାଭ କରିଥିବା ବାଳକଟି ପରିଶେଷରେ ଘୃଣାର ପାତ୍ର ହୋଇ ଉଭାହୁଏ। ପରିସ୍ଥିତିର ପ୍ରଭାବରେ ମନୁଷ୍ୟ ସ୍ବଭାବରେ ନାନା ବିପରୀତ ଧର୍ମୀ ପରିବର୍ତ୍ତନ ଘଟିଥାଏ। ଏହା ତ ବିଧିତ୍ର ବିଡ଼ମ୍ବନା ମାତ୍ର! ଏହାକୁ ରହସ୍ୟମୟ ସୃଷ୍ଟିର ବୈଚିତ୍ର୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ।

  • ବୈକୁଣ୍ଠନାଥ ମିଶ୍ର
    ସିଦ୍ଧଳ, ଜଗତ୍‌ସିଂହପୁର
    ମୋ-୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?