ବନ୍ଧୁ ସାଙ୍ଗ ସାଥୀ

ବନ୍ଧୁ, ସାଙ୍ଗ ଓ ସାଥୀ ଏ ତିନୋଟି ଏକାର୍ଥ ବୋଧକ ଶବ୍ଦ ହେଲେ ବି ପ୍ରତ୍ୟେକର ମର୍ମ ସ୍ବତନ୍ତ୍ର। ବନ୍ଧୁ ଏକ ଆକସ୍ମିକତା, ସାଙ୍ଗ ଏକ ସଂଘଟନ ଏବଂ ସାଥୀ ଏକ ଭାବାବେଗ। ବନ୍ଧୁ ଭୁଲି ଯାଏ, ସାଙ୍ଗ ମନେରହେ, ସାଥୀ ମନେପଡ଼େ। ବନ୍ଧୁତା ସୃଷ୍ଟି ହେବା ପାଇଁ ଅନେକ ମାର୍ଗ ରହିଛି ଯଥା ପାରିବାରିକ ସମ୍ପର୍କ ସ୍ଥାପନ, କର୍ମକ୍ଷେତ୍ରରେ ସଂସ୍ପର୍ଶରେ ଆସିବା, ବାଟ ଘାଟରେ ପରିଚିତ ହେବା, ଅସୁବିଧାରେ ସାହାଯ୍ୟ କରିବା, ଅନେକ ବର୍ଷରୁ ଭୁଲିଯାଇଥିବା ପୁରୁଣା ବନ୍ଧୁଙ୍କ ସ୍ମୃତି, ବାରମ୍ବାର ସମ୍ପର୍କରେ ଆସିବା, ବନ୍ଧୁ ମାଧ୍ୟମରେ ବନ୍ଧୁ, ଦେବା ନେବା, ସ୍ନେହ, ପ୍ରେମ, ପସନ୍ଦ ଇତ୍ୟାଦି। ଏଭଳି ଘଟଣା ଆକସ୍ମିକ ଘଟେ ଏବଂ ସେଥିରୁ ବନ୍ଧୁତାର ସୂତ୍ରପାତ ହୁଏ। ଶାସ୍ତ୍ର ଅନୁସାରେ ଅଜଣା ଲୋକଟି ସହିତ ସାତ ପାଦ ଚାଲିଲେ କିମ୍ବା ସାତ ପଦ କଥା ହେଲେ ବନ୍ଧୁତା ସୃଷ୍ଟି ହୋଇଯାଏ (ପ୍ରାହୁ ସାପ୍ତପଦିଂ ମୈତ୍ରିଂ)। ବନ୍ଧୁତାର ଷଡ଼ବିଧ ଲକ୍ଷଣ ହେଲା, ଦବା ନବା, ଗୁପ୍ତକଥା କହିବା ଶୁଣିବା, ଖାଇବା ଖୋଇବା।
ବିପଦ ଆପଦ ଭଲ ମନ୍ଦରେ ସହାୟତାର ହାତ ବଢ଼େଇବା, ଖୋଜିବା ଲୋଡ଼ିବା ବନ୍ଧୁତାର ସଂକେତ। ବନ୍ଧୁ ପାଇଁ ଜୀବନ ଦେବାର ଦୃଷ୍ଟାନ୍ତ ଯେପରି ବହୁଳ ବନ୍ଧୁ ପ୍ରତି ବିଶ୍ବାସଘାତକତା କରିବାର ନଜିର ବି ସେହିପରି ଅନେକ। ବନ୍ଧୁତାକୁ ଅତୁଟ ରଖିବା ପାଇଁ ମହାବୀର କର୍ଣ୍ଣ ନିଜର ସହୋଦର ଭାଇଙ୍କଠାରୁ ଦୂରେଇ ଯାଇ ଅକାଳ ମୃତ୍ୟୁକୁ ଆଦରି ନେଲେ ପଛକେ ଦୁର୍ଯ୍ୟୋଧନ ସହିତ ବନ୍ଧୁତାକୁ ଛିନ୍ନ କଲେନାହିଁ। ବନ୍ଧୁ ପାଇଁ ଜୀବନ ଉତ୍ସର୍ଗ ଉପରେ ଆଧାରିତ ଗ୍ରୀକ୍‌ ସାହିତ୍ୟର ଲୋକପ୍ରିୟ କାହାଣୀ ଡାମନ ଓ ପିଥିୟାସ ଏବଂ ବନ୍ଧୁକୁ ମୃତ୍ୟୁମୁଖକୁ ଠେଲିଦେବା ଭଳି ସଂସ୍କୃତ ଗଳ୍ପ ସସେମିରା କଥା ବନ୍ଧୁତାର ଉଭୟ ପାର୍ଶ୍ୱର କାଳଜୟୀ ଦୃଷ୍ଟାନ୍ତ ହୋଇ ରହିଯାଇଛି। ମାଙ୍କଡ଼ କୁମ୍ଭୀର କଥା ତ ଚିର ସ୍ମରଣୀୟ। ବନ୍ଧୁତା ଭଳି ଏକ ପବିତ୍ର ସମ୍ପର୍କ ଭିତରେ ବିଶ୍ୱାସଘାତକତା ଆଶା କରା ଯାଏନା, କିନ୍ତୁ ସେପରି ଘଟେ ଯେତେବେଳେ ତା’ ଭିତରକୁ ସ୍ବାର୍ଥ ପଶି ଆସେ।
ସାଙ୍ଗ ମିଳନ୍ତି ମୁଖ୍ୟତଃ କୈଶୋର ଅବସ୍ଥାରେ। ଯେତେବେଳେ ବିଦ୍ୟାଳୟରେ ପିଲାଟିର ନାମ ଲେଖାଯାଏ ସେବେଠାରୁ ସେ ତା’ ଭଳି ଅନେକ ପିଲାଙ୍କ ସଂସ୍ପର୍ଶରେ ଆସେ ଯେଉଁମାନଙ୍କ ସହିତ ବିଶେଷ କରି ଏକା ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ସହିତ ନିତି ଚଳ ପ୍ରଚଳ ଓ ଭାବର ଆଦାନ ପ୍ରଦାନ ମଧ୍ୟରେ ଯେଉଁ ସାଙ୍ଗମାନେ ସୃଷ୍ଟି ହୁଅନ୍ତି ବିଦ୍ୟାଳୟ ଛାଡ଼ିଲା ପରେ ବି ଅନେକ ବର୍ଷ ପର୍ଯ୍ୟନ୍ତ ସେମାନେ ମନେରହନ୍ତି। ଘଟଣା ଚକ୍ରରେ ଏକା ସମୟରେ ଏକା ବିଦ୍ୟାଳୟରେ ପଢ଼ିବାକୁ ସୁଯୋଗ ମିଳି ଥିବାରୁ ଏପରି ସାଙ୍ଗ ହେବା ସମ୍ଭବ ହୁଏ। ସ୍କୁଲକୁ ଯାଇ ନ ଥିବା ସମ ବୟସର ପିଲାମାନେ ବି ପରସ୍ପରର ସଂସ୍ପର୍ଶରେ ଆସି ସାଙ୍ଗ ହୁଅନ୍ତି। କାଳକ୍ରମେ ସେମାନଙ୍କର ସ୍ମୃତି ଝାପ୍ସା ହୋଇ ଆସେ ଏବଂ ଶେଷରେ ଆଉ ମନେପଡେନା। ଏହିଭଳି ସାଙ୍ଗ ଥିଲେ ପ୍ରଭୁ ଶ୍ରୀକୃଷ୍ଣ ଓ ସୁଦାମା। ପରସ୍ପରଠାରୁ ବିଚ୍ଛିନ୍ନ ହେଲା ପରେ ଯିଏ ଯାହା କର୍ମରେ ବ୍ୟସ୍ତ ରହି ସବୁ ଭୁଲି ଯାଇଥିଲେ ବି ପୁରୁଣା ସ୍ମୃତି ଉଭୟଙ୍କର ମନରେ ଥିଲା ଏବଂ ଆକସ୍ମିକ ସାକ୍ଷାତ୍‌ରେ ପୁନରୁଜ୍ଜୀବିତ ହୋଇ ପରସ୍ପରକୁ ଅତୁଟ ବନ୍ଧନରେ ବାନ୍ଧି ଦେଇଥିଲା। ଅଥଚ ସେହିଭଳି ଏକା ସ୍ଥିତିରେ ସାଙ୍ଗ ଥିଲେ ବି ମହାରାଜା ଦ୍ରୁପଦ ଓ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ମଧ୍ୟରେ ଅନେକ ବର୍ଷର ବ୍ୟବଧାନ ପରେ ଯେତେବେଳେ ଭେଟ ହେଲା ସେ ପରିସ୍ଥିତି ଥିଲା ସମ୍ପୂର୍ଣ୍ଣ ବିପରୀତ। ଦ୍ରୁପଦ ନିଜ ସାଙ୍ଗ ଦ୍ରୋଣାଚାର୍ଯ୍ୟଙ୍କୁ ଚିହ୍ନି ବି ଚିହ୍ନିଲେନି, ବରଂ ଅପମାନିତ କରି ବିଦା କରିଦେଲେ। ଏହା ହେଉଛି ସାଙ୍ଗ ସମ୍ପର୍କର ଦୁଇଟି ପାର୍ଶ୍ୱ ’ ଯାହା ଏବେ ବି କଦାଚିତ ଅନୁଭୂତ ହୁଏ। କିନ୍ତୁ ବନ୍ଧୁ କଣ ନ ଜାଣି, ସାଙ୍ଗ କଣ ନ ବୁଝି ଶିଶୁଟିଏ ସମ ବୟସ୍କ ସହିତ ଯେଉଁ ଅନାବିଳ ଭବାବେଗରେ ବାନ୍ଧି ହୋଇପଡେ ସେ ହୁଏ ସାଥୀ। ତାକୁ ଭୁଲି ହୁଏନା, କାରଣ ସେହୃଦୟରେ ଥାଏ। ତା’ ଭିତରେ ରାଗ, ଋଷା,ଅଭିମାନ, ଦୁଇ ହାତର ବିଶି ଆଙ୍ଗୁଠିକୁ ଛକି ପକେଇ କଟି, ଡବଲ କଟି ପୁଣି କୁଟାଖଣ୍ଡକୁ ବା ଦୁବଘାସଟିକୁ ଛିଣ୍ଡେଇ ଦେଲେ କଟିଯାଏ ଫିଟି, ସମସ୍ତେହୁଅନ୍ତି ଏକାଠି। କେତେ ଅନାବିଳ ସେ ସଂପର୍କ। ସାଥୀର ମୂଲ୍ୟ ନ ବୁଝିବି ସେମାନେ ସାଥୀ, ଶୈଶବର ସାଥୀ,ବାଲ୍ୟସାଥୀ। ସେ ସାଥୀ ଜୀବନ ସାଥୀ ହୋଇ ପାରେନା, କିନ୍ତୁ ତା’ର ସ୍ମୃତି ଏତେ ମଧୁର ଯେ କଞ୍ଚା ସିଲଟରେ ପଡ଼ିଥିବା ଗାରଟିଏ ପରି ଜୀବନ ସାରା ଅଲିଭା ରହିଯାଏ।

ଅଲେଖ ଚନ୍ଦ୍ର ମିଶ୍ର
ମୋ:୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?