ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି

ବୃହସ୍ପତି ସାମଲ

ଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍‌ ନେସନ୍ସ ଅଫିସ ଅନ୍‌ ଡ୍ରଗ୍ସ ଆଣ୍ଡ କ୍ରାଇମ୍ସର ସୂଚନା ଅନୁଯାୟୀ, ବିଶ୍ୱସ୍ତରୀୟ ଅର୍ଥନୈତିକ ବୈଷମ୍ୟତା ଆପେକ୍ଷିକ ଦାରିଦ୍ର୍ୟ ସୃଷ୍ଟିର କାରଣ; ଯାହା ସମାଜରେ ହିଂସା ଓ ଅପରାଧ ବୃଦ୍ଧି ପାଇଁ ଦାୟୀ। ବିଶ୍ୱ ଅସମାନତା ରିପୋର୍ଟ-୨୦୨୨ ଅନୁଯାୟୀ ବିଶ୍ୱ ଜନସଂଖ୍ୟାର ଉପର ୧୦% ଲୋକଙ୍କ ପାଖରେ ୭୬% ସମ୍ପତ୍ତିର ମାଲିକାନା ଥିବାବେଳେ, ନିମ୍ନ ୫୦% ଲୋକଙ୍କ ପାଖରେ ମାତ୍ର ୨% ସମ୍ପତ୍ତିର ମାଲିକାନା ରହିଛି। ସେହିଭଳି ଭାରତରେ ୧୦% ଧନୀଙ୍କ ପାଖରେ ଦେଶର ୭୭% ସମ୍ପତ୍ତି ଥିଲାବେଳେ, ନିମ୍ନରେ ଥିବା ୫୦% ଲୋକଙ୍କ ପାଖରେ ମାତ୍ର ୧୩% ସମ୍ପତ୍ତି। ଏହା ଏକ ଆପେକ୍ଷିକ ଦାରିଦ୍ର୍ୟର ଉଦାହରଣ, ଯାହା ସମାଜର ସନ୍ତୁଳନକୁ କ୍ଷୁଣ୍ଣ କରୁଛି। ଇନ୍‌ଷ୍ଟିଚ୍ୟୁଟ ଫର୍‌ ଇକୋନୋମିକ୍ସ ଆଣ୍ଡ ପିସ୍‌ ଅନୁଯାୟୀ ଯେଉଁ ଦେଶର ଦାରିଦ୍ର୍ୟ ଓ ଅର୍ଥନୈତିକ ଅସମାନତା ଯେତେ ଅଧିକ, ସେ ଦେଶ ସେତେ ଅଶାନ୍ତ। ଗ୍ଲୋବାଲ ପିସ୍‌ ଇଣ୍ଡେକ୍ସ-୨୦୨୩ର ତଥ୍ୟ ଅନୁସାରେ, ଏ ବାବଦରେ ବିଶ୍ୱର ୧୬୩ଟି ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ୧୨୬; ଯାହା ଭାରତର ଅନ୍ତର୍ଦ୍ୱନ୍ଦ୍ୱ ଓ ରାଜନୈତିକ ଅସ୍ଥିରତା ପ୍ରତି ଏକ ଆହ୍ବାନ।
୨୦୧୫ ସୁଦ୍ଧା ବିଶ୍ୱର ୧୦% ଜନସଂଖ୍ୟା, ଅର୍ଥାତ୍‌ ଅନୂ୍ୟନ ୭୪ କୋଟି ଲୋକ ଆନ୍ତର୍ଜାତିକ ଦାରିଦ୍ର୍ୟ ସୀମାରେଖା (ଦୈନିକ ରୋଜଗାର ୧.୯୦ ଡଲାରରୁ କମ୍‌, ଯାହା ୨୦୨୨ରେ ୨.୧୫ ଡଲାର) ତଳେ ବାସ କରୁଥିଲେ। ଜାତିସଂଘ ତଥ୍ୟ ଅନୁସାରେ, ୨୫ରୁ ୩୪ ବର୍ଷ ବୟସ ଭିତରେ ପ୍ରତି ୧୦୦ ଜଣ ପୁରୁଷରେ ୧୨୨ଜଣ ମହିଳା ଦାରିଦ୍ର୍ୟର ଶିକାର ହେବା ସହ ୨୦୩୦ ସୁଦ୍ଧା ୧୬ କୋଟି ଶିଶୁ ଏହି ଦୁର୍ଦ୍ଦଶାର ସମ୍ମୁଖୀନ ହେବେ ବୋଲି ଆକଳନ କରାଯାଇଛି। ବିଗତ କେଇ ଦଶନ୍ଧି ଭିତରେ ଜାତିସଂଘ ସହ ବିଶ୍ୱ ବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଏବଂ ବିଭିନ୍ନ ରାଷ୍ଟ୍ର ନିଜସ୍ବ ନୀତି ମୁତାବକ ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଶେଷ ଗଠନମୂଳକ ପଦକ୍ଷେପମାନ ଆପଣେଇବା ଦ୍ୱାରା ୨୦୨୨ ସୁଦ୍ଧା ବିଶ୍ୱସ୍ତରରେ ଉତ୍କଟ ଦାରିଦ୍ର୍ୟ ସୀମାରେଖା ଭିତରେ ରହୁଥିବା ଲୋକଙ୍କ ସଂଖ୍ୟା ଯଦିଓ ୬୮ କୋଟିକୁ (ବିଶ୍ୱ ଜନସଂଖ୍ୟାର ୮.୫%) କମିଆସିଛି, ଏବେ ବି ଅନେକ ଆହ୍ବାନର ମୁକାବିଲା କରିବାକୁ ବାକି ଅଛି। ୧୯୯୦ (ଯେତେବେଳେ ବିଶ୍ୱର ମୋଟ ୩୬% ଜନତା ଉତ୍କଟ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିଲେ) ତୁଳନାରେ ଆଜିର ଏ ପ୍ରଗତି ଗ୍ରହଣୀୟ ହେଉଥିଲେ ବି ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱସ୍ତରରେ ଅର୍ଥନୈତିକ ବୈଷମ୍ୟତା, ଅନ୍ତଃରାଷ୍ଟ୍ରୀୟ କନ୍ଦଳ ଏବଂ ଯୁଦ୍ଧର ବିଭୀଷିକା, ଜଳବାୟୁ ପରିବର୍ତ୍ତନ ଏବଂ କୋଭିଡ୍‌ ଭଳି ମହାମାରୀ ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପକୁ ଶିଥିଳ କରିଛି। ଏକୁଟିଆ କୋଭିଡ୍‌ ମହାମାରୀ ୧୦ କୋଟି ଲୋକଙ୍କୁ ଉତ୍କଟ ଦାରିଦ୍ର୍ୟ ଭିତରକୁ ଠେଲି ଦେଇଛି। ଆଫ୍ରିକାର ସାହାରା ଅଞ୍ଚଳ ସହ ଦକ୍ଷିଣ ଏସିଆର ୪୦% ଲୋକ ଏଯାଏଁ ସେହି ଉତ୍କଟ ଦାରିଦ୍ର୍ୟରୁ ମୁକୁଳି ପାରିନାହାନ୍ତି। ୧୯୯୦-୯୧ରୁ ଅର୍ଥନୈତିକ ସଂସ୍କାର ଆପଣେଇ ଭାରତ ଭଳି ରାଷ୍ଟ୍ର ଦାରିଦ୍ର୍ୟକୁ ୪୫%ରୁ କମେଇ ୨୦୧୧ ସୁଦ୍ଧା ୨୧.୯% ଓ ୨୦୨୧ରେ ୧୦%ରେ ପହଞ୍ଚେଇ ଥିଲେ ମଧ୍ୟ ଏବେ ମଧ୍ୟ ଅନୂ୍ୟନ ୧୪ କୋଟି ଜନତା ଦାରିଦ୍ର୍ୟ ସୀମାରେଖା ତଳେ। ୨୦୨୦ରେ ୟୁନାଇଟେଡ୍‌ ନେସନ୍ସ ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ ଓ ଅକ୍ସଫୋର୍ଡ ପଭର୍ଟି ଆଣ୍ଡ ହ୍ୟୁମାନ ଡେଭଲପ୍‌ମେଣ୍ଟ ଇନିସିଏଟିଭର ମିଳିତ ତଥ୍ୟାନୁଯାୟୀ ଭାରତର ୧୬.୪% ଜନତା ବହୁମୁଖୀ ଦାରିଦ୍ର୍ୟରେ ରହୁଛନ୍ତି, ଯେଉଁଥିରେ ସହରାଞ୍ଚଳ ଲୋକଙ୍କ ଅପେକ୍ଷା ସୀମିତ ଶିକ୍ଷା ଓ ସ୍ବାସ୍ଥ୍ୟର ସୁବିଧା ଏବଂ ସ୍ବଳ୍ପ କୃଷିଭିତ୍ତିକ ଅଗ୍ରଗତି ଯୋଗୁ ଗ୍ରାମାଞ୍ଚଳର ଲୋକେ ବେଶୀ ପ୍ରଭାବିତ।
ବିଶ୍ୱରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜାତିସଂଘ ତରଫରୁ ୧୯୯୩ରୁ ପ୍ରତିବର୍ଷ ୧୭ ଅକ୍ଟୋବରକୁ ଆନୁଷ୍ଠାନିକ ଭାବେ ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ ରୂପେ ପାଳନ କରାଯାଏ। ଏହି ଅବସରରେ ଭାରତ ସହ ବିଶ୍ୱର ସମସ୍ତ ରାଷ୍ଟ୍ର ଉତ୍କଟ ଦାରିଦ୍ର୍ୟରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ତଥା ପାରସ୍ପରିକ ସହଯୋଗ ଭିତ୍ତିରେ ବିଭିନ୍ନ କାର୍ଯ୍ୟପନ୍ଥା ଆପଣେଇଥା’ନ୍ତି। ଯୋଡ଼ାଯୋଡ଼ି ହୋଇ ରହିଥିବା ଦାରିଦ୍ର୍ୟର ଉଭୟ ଦୃଶ୍ୟ ଓ ଅଦୃଶ୍ୟ କାରଣଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ବର୍ଷ ଏକ ନିର୍ଦ୍ଦିଷ୍ଟ କାରଣର ନିରାକରଣ ପାଇଁ ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସରେ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥାଏ। ଏ ଯାବତ୍‌ ଅନାଲୋଚିତ ଓ ଗୁପ୍ତ ରହିଥିବା ଦାରିଦ୍ର୍ୟର ସେମିତି ଏକ ମୁଖ୍ୟ ଦିଗ ହେଲା ଦରିଦ୍ରଙ୍କୁ ସାମାଜିକ ଓ ଆନୁଷ୍ଠାନିକ ଦୁରାଚାର, ଯେଉଁଥିପାଇଁ ୨୦୨୪ର ବିଷୟବସ୍ତୁ ରହିଛି, ସାମାଜିକ ଓ ଆନୁଷ୍ଠାନିକ ଦୁରାଚାର ଦୂରୀକରଣ ଏବଂ ସଠିକ୍‌, ଶାନ୍ତିପୂର୍ଣ୍ଣ ଓ ସମନ୍ବିତ ସମାଜ ପାଇଁ ମିଳିତ କାର୍ଯ୍ୟକ୍ରମ।
ଭାରତରେ ଏସବୁ ଦୁରାଚାରର ପରିମାଣ ବେଶି। ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ- ୨୦୨୪ର ଅବଧାରଣା ଟିପ୍ପଣୀରେ ଜାତିସଂଘ ସିଧାସଳଖ ଉଲ୍ଲେଖ କରିଛି କି ଦଶନ୍ଧି ଦଶନ୍ଧି ଧରି ବହୁ ଜନହିତକର ଓ ସମାଜ କଲ୍ୟାଣକାରୀ କାର୍ଯ୍ୟକ୍ରମ ସତ୍ତ୍ୱେ ଭାରତ ସହ ବିଶ୍ୱର ବହୁ ଉନ୍ନତ ଦେଶଗୁଡ଼ିକରେ ମଧ୍ୟ ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଦରିଦ୍ର ଓ ଧନୀମାନଙ୍କ ଭିତରେ ବାଛବିଚାର ଜାରି ରହିଛି। କୌଣସି ସିଦ୍ଧାନ୍ତ ଗ୍ରହଣ କରିବା ପ୍ରକ୍ରିୟାରେ ଅଧିକାରୀଙ୍କ ଦ୍ବାରା ଏମାନେ ଅଣଦେଖା ହୋଇଥାନ୍ତି। ଏଭଳି ପରିସ୍ଥିତି ସୃଷ୍ଟି କରାଯାଉଛି, ଯେମିତି ଜଣେ ବୁଝିବ ଯେ ଗରିବ ହୋଇ ଜନ୍ମ ହେବାର ଅର୍ଥ କେବଳ ନିଷ୍ପେଷିତ ହେବା, ଠକାମିର ଶିକାର ହେବା, ଶାରୀରିକ ଓ ମାନସିକ ଭାବେ ନିର୍ଯ୍ୟାତିତ ହେବା, ସବୁବେଳେ ଅସୁରକ୍ଷିତ ଅନୁଭବ କରିବା, ଅସମ୍ମାନିତ ହେବା, ଆତ୍ମସମ୍ମାନ ହରେଇବା, ଅନ୍ୟାୟ ସହିବା ଓ ସର୍ବଦା ଭୟରେ ନତମସ୍ତକ ହୋଇ ରହିବା। ବିଭିନ୍ନ ରାଷ୍ଟ୍ରର ସରକାରୀ ନୀତିନିୟମ ମଧ୍ୟ ଏଭଳି ମାନସିକତାକୁ ପ୍ରୋତ୍ସାହିତ କରୁଥିବାରୁ ଜାତିସଂଘ ଘୋର ଉଦ୍‌ବେଗ ପ୍ରକାଶ କରିବା ସହ ଏହାକୁ ଏକ ମିଳିତ ବିଫଳତା ବୋଲି ଅଭିହିତ କରି ଏଥିରୁ ମୁକ୍ତି ନିମିତ୍ତ ଏକ ସଶକ୍ତ ବିକାଶ ଲକ୍ଷ୍ୟ ନେଇ ମିଳିତ ଉଦ୍ୟମ ଜାରି ରଖିବାକୁ ଆହ୍ବାନ ଦେଇଛନ୍ତି।
ଉତ୍କଟ ଦାରିଦ୍ର୍ୟ ଭିତରେ ଥିବା ବ୍ୟକ୍ତିଟି ସବୁବେଳେ କ୍ଷମତା ଓ ପ୍ରଭାବର ଜଟିଳ ବ୍ୟବସ୍ଥା ଭିତରେ ଛନ୍ଦି ହୋଇଯାଏ। ସଠିକ୍‌, ଶାନ୍ତିପୂର୍ଣ୍ଣ ଓ ସମନ୍ବିତ ସମାଜ ଗଠନ ପାଇଁ ସେଥିରୁ ମୁକ୍ତି ମିଳିବା ଦରକାର। ଦାରିଦ୍ର୍ୟରେ ସମୟ କାଟୁଥିବା ବ୍ୟକ୍ତିମାନଙ୍କର ବହୁମୂଲ୍ୟ ଅନୁଭବକୁ ଗ୍ରହଣ କରି ସେମାନଙ୍କର ବିଶ୍ବାସକୁ ପୁନର୍ଜୀବିତ କରିବାକୁ ହେବ।
ପଦ୍ମପୁର (ଆନନ୍ଦପୁର), କେନ୍ଦୁଝର
ମୋ: ୯୪୩୭୦୨୨୬୬୯


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri