ପୁରୁଷୋତ୍ତମପୁର,୫।୯ (ସବିତା ମିଶ୍ର): ଗୁରୁଙ୍କ ଶରୀର ନ ଥାଇପାରେ, କିନ୍ତୁ ତାଙ୍କ ଆଦର୍ଶ ଆଜି ବି ଜୀବନ୍ତ। ଏହି ବାକ୍ୟକୁ ସତ୍ୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଷି ପଞ୍ଚାୟତର ତାରିଣୀପଲ୍ଲୀ ଗ୍ରାମବାସୀ ଓ ପ୍ରାକ୍ତନ ଛାତ୍ରଛାତ୍ରୀ। ନିଜର ପ୍ରିୟ ଶିକ୍ଷକଙ୍କ ବିୟୋଗ ପରେ ମଧ୍ୟ ତାଙ୍କୁ ଭୁଲି ନ ପାରି ତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ପୂଜାର୍ଚ୍ଚନା ମାଧ୍ୟମରେ ପାଳନ କରିଛନ୍ତି ପବିତ୍ର ଗୁରୁଦିବସ। ଏହା ସମଗ୍ର ଅଞ୍ଚଳକୁ ଭାବବିହ୍ୱଳ କରିବା ସହ ଆଜିକାର ଶିକ୍ଷକ ଓ ଛାତ୍ର ସମାଜ ପାଇଁ ଏକ ବଡ଼ ପ୍ରେରଣାର ବାର୍ତ୍ତା ଦେଇଛି।
ଏହି ଅନନ୍ୟ ଶ୍ରଦ୍ଧାର କେନ୍ଦ୍ରବିନ୍ଦୁ ପୁରୁଷୋତ୍ତମପୁର ରଥସାହିର ସ୍ୱର୍ଗତ ପ୍ରଧାନଶିକ୍ଷକ ଦ୍ୟୁତିକୃଷ୍ଣ ମିଶ୍ର ଦୀର୍ଘ ୩୪ ବର୍ଷ ଧରି ତାରିଣୀପଲ୍ଲୀରେ ଶିକ୍ଷକତା କରିଥିଲେ। କେବଳ ପାଠପଢ଼ା ନୁହେଁ, ସମାଜସେବାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଥିବାରୁ ମୃତ୍ୟୁ ପରେ ବି ତାଙ୍କ ନୀତି ଓ ଆଦର୍ଶ ଗ୍ରାମବାସୀଙ୍କ ହୃଦୟରେ ଜୀବନ୍ତ ହୋଇ ରହିଛି। ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଏହି ନିଆରା ଉତ୍ସବରେ ସଭାପତି ଡି. ଦେବହରି ରେଡ୍ଡୀଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମପୁର ଓକିଲ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ସ୍ୱର୍ଗତ ଶିକ୍ଷକଙ୍କ ପୁତ୍ର তথা ଆଇନଜୀବୀ ସୀମାଞ୍ଚଳ ମିଶ୍ର, ବରିଷ୍ଠ ସାମ୍ବାଦିକ ଉମାକାନ୍ତ ବେହେରା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାମଚନ୍ଦ୍ର ଗୌଡ଼ ଓ ଗ୍ରାମ୍ୟ ସଭାପତି ଚୈତନ୍ୟ ରେଡ୍ଡୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଅତିଥିମାନେ ଗୁରୁଙ୍କ ଆଦର୍ଶକୁ ସ୍ମରଣ କରି ଛାତ୍ରଛାତ୍ରୀଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାର ପ୍ରେରଣା ଦେଇଥିଲେ।
ଏହି ଅବସରରେ ଆୟୋଜିତ ସ୍ମାରକୀ ସମ୍ମାନ ସମାରୋହରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାମଚନ୍ଦ୍ର ଗୌଡ଼ଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବେ ସମ୍ମାନିତ କରାଯାଇଥିବା ବେଳେ ସ୍ୱପ୍ନା ନାହାକଙ୍କୁ କୁନି ଶ୍ରେଷ୍ଠ ବିଦ୍ୟାର୍ଥୀ ଓ ଏ. ଜୋସ୍ନା ରେଡ୍ଡୀଙ୍କୁ ଶ୍ରେଷ୍ଠ ବିଦ୍ୟାର୍ଥୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଦୀପକ ସାହୁ, ପ୍ରଶାନ୍ତ କୁମାର ମହାପାତ୍ର, ପ୍ରଦୀପ ମହାପାତ୍ର, ଆର. ମାଗୁଣି ରେଡ୍ଡୀ, ପି. ଡମ୍ବରୁ, ଚୈତନ୍ୟ ରେଡ୍ଡୀ, ରବୀନ୍ଦ୍ର ଗୌଡ଼ ଓ ରମେଶ ଗୌଡ଼ଙ୍କ ସମେତ ଗ୍ରାମବାସୀ ଓ ପ୍ରାକ୍ତନ ଛାତ୍ରଛାତ୍ରୀମାନେ ସଚାରୁ ରୂପେ ପରିଚାଳନା କରିଥିଲେ।

