
ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୪/୭(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଜୁଲାଇ ପହିଲାରୁ ନୂତନ ଜଙ୍ଗଲ ସୃଷ୍ଟି ଏବଂ ଉଜୁଡିଯାଇଥିବା ଜଙ୍ଗଲର ପୁନଃରୁଦ୍ଧାର ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଯାଇଛି। ଏହି ଅବସରରେ ବିଭାଗ ପକ୍ଷରୁ ବହୁତ ବଡ଼ ଯୋଜନା ସହ ତାକୁ କାର୍ଯ୍ୟକ୍ଷମ କରିବା ପାଇଁ ବନାଞ୍ଚଳ ଅଧିକାରୀ ହରିହର ବେହେରା ଏବଂ ତାଙ୍କ କାର୍ଯ୍ୟଳୟର ସମସ୍ତ କର୍ମଚାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି।
ପ୍ରକାଶ ଯେ, ଉକ୍ତ ବନାଞ୍ଚଳର କାଟିଙ୍ଗିଆ ସେକ୍ସନ ଅଧୀନରେ ରହିଥିବା ଗୁଡିକିଆ ଗ୍ରାମର ବଡ଼ପଦର ଜଙ୍ଗଲରେ ବନ ମହୋତ୍ସବ ପାଳନ କରି ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ଅବଗତ କରାଯାଇ ବୃକ୍ଷରୋପଣ କରାଯାଇଥିଲା। ଏହା ଜଙ୍ଗଲ ସୃଷ୍ଟି କରିବା ସହ ସାଧାରଣ ଲୋକଙ୍କ ଜୀବନଜୀବିକାରେ ସ୍ବାବଲମ୍ବୀ ହୋଇପାରିବ। ତେଣୁ ବିଭାଗ ବିଭିନ୍ନ ଫଳ ବୃକ୍ଷ ସହ ଔଷଧୀୟ ବୃକ୍ଷକୁ ରୋପଣ କରାଇଥିଲେ। ମୋଟ ୫୦ ହେକ୍ଟର ଜମିରେ ୧୦ ହଜାର ବୃକ୍ଷ ରୋପଣ କାର୍ଯ୍ୟକୁ ଗୁରୁବାରଠାରୁ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟରେ ବାଲିଗୁଡା ବନଖଣ୍ଡ କାର୍ଯ୍ୟାଳୟର ଏଏସିଏଫ ମନୋରଞ୍ଜନ ବାଗ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ଥାନୀୟ ଲୋକଙ୍କୁ ଗଛ ବଞ୍ଚାଇବା ପାଇଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଗଛ ଆମକୁ ଜୀବନ ଦେବ, ଗଛ ଲଗାଇ ପରିବେଶକୁ ସ୍ବଚ୍ଛ ରଖିବାକୁ ସେ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମର ସେ ଶୁଭାରମ୍ଭ କରିଥିବାବେଳେ ବ୍ରାହ୍ମଣୀଗାଁ ବନପାଳ ଯୋଗେଶ୍ୱର ଧାରୁଆ , ଗଦାପୁର ବନପାଳ ଦାୟିତ୍ୱରେ ଥିବା ସନ୍ତୋଷ ପଟ୍ଟନାୟକ ଓ କାଟିଙ୍ଗିଆ ଦାୟିତ୍ୱରେ ଥିବା ବନପାଳ ଆଶିଷ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।