ଆମେରିକାରେ କମିଛନ୍ତି ବିଦେଶୀ ବିଦ୍ୟାର୍ଥୀ

ଓ୍ବାଶିଂଟନ୍‌, ୨୧ା୩: ଆମେରିକାରେ ୨୦୨୦ରେ ଅଧ୍ୟୟନ କରୁଥିବା ବାହାର ଦେଶର ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୦୧୯ଠାରୁ କମ୍‌ ରହିଛି। ଗତ ବର୍ଷ ସେଠାରେ ପଢ଼ୁଥିବା ବିଦେଶୀ ପିଲାଙ୍କ ମଧ୍ୟରୁ ୪୭ ପ୍ରତିଶତ କେବଳ ଭାରତ ଓ ଚାଇନାର ବୋଲି ଏକ ରିପୋର୍ଟରେ କୁହାଯାଇଛି। ଷ୍ଟୁଡେଣ୍ଟ ଆଣ୍ଡ ଏକ୍ସଚେଞ୍ଜ ଭିଜିଟର ପ୍ରୋଗ୍ରାମ (ଏସ୍‌ଇଭିପି) ପକ୍ଷରୁ ସଦ୍ୟ ପ୍ରକାଶିତ ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୧୯ ତୁଳନାରେ ୨୦୨୦ରେ ଏହି ସଂଖ୍ୟା ୧୭.୮୬ ପ୍ରତିଶତ କମିଛି।
କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ପାଇଁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ନିମନ୍ତେ ଏଫ୍‌-୧ ଭିସା ଏବଂ ଭୋକେଶନାଲ ଓ ଟେକ୍ନିକାଲ ସ୍କୁଲ ପାଇଁ ଏମ୍‌-୧ ଭିସା ଆବଶ୍ୟକ। ଉକ୍ତ ରିପୋର୍ଟ ଅନୁଯାୟୀ, କେବଳ ଆମେରିକୀୟ ସ୍କୁଲଗୁଡ଼ିକରେ ୨୦୧୯ଠାରୁ ୨୦୨୦ରେ ବିଦେଶୀ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୭୨ ପ୍ରତିଶତ ହ୍ରାସ ପାଇଛି। ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ତଥ୍ୟ ରଖୁଥିବା ଓ୍ବେବ-ଆଧାରିତ ସଂସ୍ଥା ଏସ୍‌ଇଭିପି ଅନୁସାରେ, ମୋଟ ପିଲାଙ୍କ ମଧ୍ୟରୁ ୩ ଲକ୍ଷ ୮୨ ହଜାର ୫୬୧ ଜଣ ଚାଇନାର ହୋଇଥିବାବେଳେ ୨ ଲକ୍ଷ ୭ ହଜାର ୪୬୦ ଜଣ ଭାରତର। ଏହା ତଳକୁ ଦକ୍ଷିଣ କୋରିଆର ୬୮ ହଜାର ୨୧୭ ଜଣ, ସାଉଦି ଆରବର ୩୮ ହଜାର ୩୯, କାନାଡାର ୩୫ ହଜାର ୫୦୮ ଏବଂ ବ୍ରାଜିଲର ୩୪ ହଜାର ୮୯୨ ଜଣ ଛାତ୍ରୀଛାତ୍ର ଆମେରିକାରେ ଅଧ୍ୟୟନରତ। ସେମାନଙ୍କ ମଧ୍ୟରେ ଛାତ୍ରୀଙ୍କ ସଂଖ୍ୟା ୪୪ ପ୍ରତିଶତ ହୋଇଥିବାବେଳେ ଛାତ୍ରଙ୍କ ସଂଖ୍ୟା ୫୬ ପ୍ରତିଶତ। ଆମେରିକାରେ ପାଠ ପଢ଼ୁଥିବା ଭାରତୀୟଙ୍କ ମଧ୍ୟରେ ୩୫ ପ୍ରତିଶତ ଛାତ୍ରୀ ଏବଂ ୬୫ ପ୍ରତିଶତ ଛାତ୍ର। ୨୦୧୯ରେ କରୋନା ମହାମାରୀ ଯୋଗୁ ଆମେରିକାରେ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ହ୍ରାସ ପାଇଥିବା ଏସ୍‌ଇଭିପି କହିଛି।

Share