ଉଡ଼ତା ଓଡ଼ିଶା

ଅନିଲ ବିଶ୍ୱାଳ

୨୦୧୬ରେ ବଲିଉଡ୍‌ରେ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ଯାହାର ନାଁ ଥିଲା ଉଡ଼ତା ପଞ୍ଜାବ। ଚଳଚ୍ଚିତ୍ରଟି ଏକପ୍ରକାର ବ୍ୟବସାୟିକ ସଫଳତା ତ ପାଇଥିଲା କିନ୍ତୁ ସେହି ଚଳଚ୍ଚିତ୍ରଟିର କାହାଣୀ ଯେଉଁ ପୃଷ୍ଠଭୂମିରେ ହୋଇଥିଲା ସେହି ସମସ୍ୟାରୁ ଆଜି ପର୍ଯ୍ୟନ୍ତ ପଞ୍ଜାବ ମୁକୁଳିପାରିଲା ନାହିଁ। ଏବେ ସେହି ପଞ୍ଜାବ ରାସ୍ତାରେ ଓଡ଼ିଶା। ପଞ୍ଜାବରେ ଯୁବଗୋଷ୍ଠୀଙ୍କୁ କିପରି ବ୍ରାଉନସୁଗାର, ଡ୍ରଗ୍ସରେ କବଳିତ କରାଯାଉଛି ତାହାକୁ ଚଳଚ୍ଚିତ୍ର ମାଧ୍ୟମରେ ଦେଖାଯାଇଥିଲା। ପୋଲିସ, ରାଜନେତାମାନେ କିଭଳି ଡ୍ରଗ୍ସ ବେପାରରେ ସାମିଲ ରହୁଛନ୍ତି ତାହା ବି ଦେଖିବାକୁ ମିଳିଥିଲା ଚଳଚ୍ଚିତ୍ରରେ। କିପରି ପାକିସ୍ତାନରୁ ବିଭିନ୍ନ ରାସ୍ତା ଦେଇ ପଞ୍ଜାବକୁ ଡ୍ରଗ୍ସ ଆସୁଛି ତାହା ଏହି ଚଳଚ୍ଚିତ୍ରରେ ନଜରକୁ ଆସିଥିଲା। ଏବେ କଳାଟଙ୍କାର କାରବାର ସମ୍ପର୍କରେ ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତ ଦଳର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଓଡ଼ିଶାରେ ବ୍ରାଉନସୁଗାର ଓ ଅନ୍ୟ ଡ୍ରଗ୍ସ ମାମଲାରେ କଳାଟଙ୍କାର ବିନିଯୋଗ କଥା କହିଛନ୍ତି।
ଆମେ ଏଠାରେ ଉଡ଼ତା ଓଡ଼ିଶା କଥା ଏଇଥିପାଇଁ କହୁଛୁ ଯେ ଓଡ଼ିଶାରେ ବାର୍ଷିକ ବ୍ରାଉନସୁଗାର ବେପାର କେତେ ଟଙ୍କାର ହେବ ତା’ ଆକଳନର ପରିମାଣ ଦେଖିଲେ ମୁଣ୍ଡ ଘୂରିଯିବ। ଓଡ଼ିଶାରେ ବାର୍ଷିକ ୭୦୦କୋଟି ଟଙ୍କାର ବ୍ରାଉନ ସୁଗାର ବ୍ୟବସାୟ ହେଉଛି ବୋଲି କେତେଜଣ ବିଶେଷଜ୍ଞ ଆକଳନ କରୁଛନ୍ତି। ଏକଥା ଅସତ୍ୟ ହୋଇ ନ ଥିବ, କାରଣ ଏହି ନିଶା ଏବେ ଗାଁଠୁ ସହର ସବୁଆଡ଼େ ବ୍ୟାପିଗଲାଣି। ରାଜ୍ୟରେ ୧ ଲକ୍ଷରୁ ଅଧିକ ଯୁବତୀ ଯୁବକ ଉକ୍ତ ନିଶା କବଳରେ ଆକ୍ରାନ୍ତ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି। ପଞ୍ଜାବ ଭଳି ଓଡ଼ିଶା ବ୍ରାଉନସୁଗାର ପାଇଁ ଉଜୁଡ଼ିବାକୁ ଯାଉଛି। କିଲେ ବ୍ରାଉନସୁଗାରର ଦାମ ଏକ କୋଟି ଟଙ୍କା। ନୂଆ ନୂଆ ବ୍ରାଉନସୁଗାର ନିଶା ସେବନ କରୁଥିବା ଜଣେ ଲୋକ ଦିନକୁ ୨୦ଗ୍ରାମ ଖାଉଥିବା ବେଳେ ଏଥିରେ ଅଭ୍ୟସ୍ତ ହୋଇଗଲେ ଏହାର ପରିମାଣ ବଢ଼ି ବଢ଼ି ୬୦ ଗ୍ରାମ ହୋଇଯାଉଛି। ବ୍ରାଉନସୁଗାରର ଯେଉଁ ପୁଡ଼ିଆ ନିଶାଡ଼ିମାନଙ୍କୁ ବିକ୍ରି କରାଯାଉଛି ତାହା ହେଉଛି ୨୦ ଗ୍ରାମର, ଯାହାର ଦାମ ୪୦୦ରୁ ୫୦୦ ଟଙ୍କା ଭିତରେ। ଯଦି ଆମେ ହାରାହାରି ନିଶା ସେବନର ପରିମାଣକୁ ୨୦ ଗ୍ରାମ ଧରିବା ତାହାହେଲେ ଓଡ଼ିଶାରେ ସର୍ବନିମ୍ନ ଦୈନିକ ୨ କିଲୋ ବ୍ରାଉନସୁଗାର ବିକ୍ରି ହେଉଛି। ଦୈନିକ ୨ କିଲୋ ବ୍ରାଉନସୁଗାର ହେଲେ ବାର୍ଷିକ ଏହାର ପରିମାଣ ହେବ ୭୦୦ କିଲୋରୁ ଅଧିକ ଅର୍ଥାତ୍‌ ୭୦୦ କୋଟି ଟଙ୍କାର। ଆଉ ଏହି ଅର୍ଥ ସିଧାସଳଖ ରାଜ୍ୟର ନିଶା ବେପାରୀଙ୍କ ମାଧ୍ୟମରେ ବିଭିନ୍ନ ସ୍ତର ଦେଇ ଶେଷକୁ ପହଞ୍ଚୁଛି ପାକିସ୍ତାନ ଓ ଆଫଗାନିସ୍ତାନର ନିଶା ଉତ୍ପାଦନକାରୀମାନଙ୍କ ପାଖରେ।
ବ୍ରାଉନସୁଗାର ଓ ଅନ୍ୟ ଡ୍ରଗ୍ସ ବ୍ୟବସାୟର ମୂଳ ଚେର ହେଉଛି ଆଫଗାନିସ୍ତାନ। ସେଠାରୁ ଏହା ଆସୁଛି ପାକିସ୍ତାନ। ପରେ ପାକିସ୍ତାନରୁ ନେପାଳ ଆସୁଛି ଓ ନେପାଳରୁ ବାଂଲାଦେଶ ହୋଇ ପଶ୍ଚିମବଙ୍ଗର ମେଦିନିପୁର, ମୁର୍ଶିଦାବାଦ ଦେଇ ଓଡ଼ିଶାର ଜଳେଶ୍ୱରକୁ ପଶୁଛି। ଜଳେଶ୍ୱର ହେଉଛି ଓଡ଼ିଶାର ବ୍ରାଉନସୁଗାରର ପେଣ୍ଠସ୍ଥଳ ଓ ପ୍ରବେଶସ୍ଥାନ। ଜଳେଶ୍ୱରରେ ଆଜି ନୁହେଁ, ବର୍ଷ ବର୍ଷ ହେଲାଣି ବ୍ରାଉନସୁଗାରର ମୁଖ୍ୟ ଗୋଦାମ ହୋଇଥିବା ବେଳେ କେଜାଣି କାହିଁକି ସେଠାରେ ତାହା ଉପରେ ରୋକ ଲାଗିପାରୁନି ସେନେଇ ପୋଲିସର ଅପାରଗତାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ଅତୀତରେ ଜଣେ ପୋଲିସ ଅଫିସର ବ୍ରାଉନସୁଗାର ବ୍ୟବସାୟୀଙ୍କୁ ୭୦ ହଜାର ଟଙ୍କା ଲାଞ୍ଚ ମାଗୁଥିବାର ଫୋନ ରେକର୍ଡ ଭାଇରାଲ ହୋଇଥିଲା। ବ୍ରାଉନସୁଗାର ନିଶା, ଯାହା ଦିନେ ସହରାଞ୍ଚଳର ନିଶା ଭାବରେ ଜଣାଥିଲା ଏବେ ତାହା ଗ୍ରାମାଞ୍ଚଳରେ ମିଳିଲାଣି। ବ୍ରାଉନସୁଗାର ବେପାରୀମାନେ ଏବେ ପୂରା ଗାଁମୁହଁା ହୋଇସାରିଲେଣି।
ଯେମିତି ଅନ୍ୟ କୌଣସି ସାଧାରଣ ବ୍ୟବସାୟରେ ହୋଲ୍‌ସେଲର, ଡ୍ରିଷ୍ଟ୍ରିବ୍ୟୁଟର ଓ ରିଟେଲରମାନେ ଥାଆନ୍ତି ଠିକ୍‌ ସେମିତି ହେଉଛି ବ୍ରାଉନ ସୁଗାର ବ୍ୟବସାୟରେ। ଜଳେଶ୍ୱରରୁ ବ୍ରାଉନସୁଗାର ଏକ କିଲୋ ନ ହେଲେ ଅଧକିଲୋ ପ୍ୟାକେଟରେ ବିଭିନ୍ନ ଜିଲାକୁ ଆସୁଛି। ସେଠାରେ ରହିଥିବା ଡ୍ରିଷ୍ଟ୍ରିବ୍ୟୁଟରମାନେ ତାହାକୁ ବିଭିନ୍ନ ନିଶା ବେପାରୀଙ୍କୁ ଆହୁରି ଛୋଟ ଛୋଟ ପ୍ୟାକେଟ କରିି ପଠାଉଛନ୍ତି। ଏହି ନିଶା ବେପାରରେ ବେପାରୀମାନେ ଯେତିକି ମୂଳଧନ ସେତିକି ଲାଭ ଆକାରରେ ପାଉଛନ୍ତି। ତା’ଛଡ଼ା କିଛି ନିଶା ଖାଉଥିବା ଯୁବକ ନିଜେ ଡ୍ରଗ୍ସ ଖାଇବା ପାଇଁ ଅର୍ଥ ଆବଶ୍ୟକ ପଡୁଥିବାରୁ ସେମାନେ ବି ଏହି ବେପାରରେ ମାତିଛନ୍ତି।
ତିନି ପ୍ରକାରର ନିଶା ବର୍ତ୍ତମାନ ଯୁବଗୋଷ୍ଠୀଙ୍କୁ ବେଶି ଆକ୍ରାନ୍ତ କରୁଛି। ଗୋଟିଏ ହେଲା ମଦ, ତା’ପରେ ବ୍ରାଉନ ସୁଗାର, ତା’ପରେ ଗଞ୍ଜେଇ। ମଦ ନିଶା ସର୍ବାଧିକ ସଂଖ୍ୟାରେ ଯୁବଗୋଷ୍ଠୀଙ୍କୁ ଆକ୍ରାନ୍ତ କରିଥିଲେ ମଧ୍ୟ ଏହା ବ୍ରାଉନସୁଗାର ତୁଳନାରେ କମ୍‌ ଭୟଙ୍କର। ଗଞ୍ଜେଇ ହେଉ କିମ୍ବା ମଦ ସେହି ଦୁଇଟି ନିଶାକୁ ଛାଡ଼ିବା ସମ୍ଭବ। କିନ୍ତୁ ବ୍ରାଉନସୁଗାର ଯିଏ ଥରେ ଖାଇଛି ତାକୁ ଛାଡ଼ିବା ସହଜ ନୁହେଁ। ମଦ ବିକ୍ରି ପାଇଁ ବେପାରୀମାନଙ୍କୁ କିଛି ବିଶେଷ ଯୋଜନା କରିବାକୁ ପଡୁନାହିଁ କାରଣ ଏଥିପାଇଁ ସରକାର ଅନୁମତି ଦେଉଛନ୍ତି। ହେଲେ ବ୍ରାଉନସୁଗାର ହେଉ ବା ଗଞ୍ଜେଇ ଏହି ବେପାର ଚଳାଇବା ପାଇଁ ନିଶା ବେପାରୀମାନେ ପୂରା ଗ୍ୟାଙ୍ଗ ଗଢ଼ିଛନ୍ତି। କାରବାର ବଢ଼ାଇବା ପାଇଁ ପ୍ରଥମେ ଯୁବ ପିଲାମାନଙ୍କୁ ଏହି ନିଶା ଖୁଆଇ ଦେଉଛନ୍ତି ଓ ପରେ କେମିତି ସେମାନେ ବ୍ରାଉନସୁଗାରରେ ଅଭ୍ୟସ୍ତ ହୋଇଯିବେ ସେଥିପାଇଁ ଷଡ଼ଯନ୍ତ୍ର ରଚୁଛନ୍ତି।
ବ୍ରାଉନସୁଗାରର କାୟା ସାରା ଦେଶରେ ବ୍ୟାପିଥିବା ବେଳେ ଏ ସମ୍ପର୍କରେ କିଛି ଦିନ ତଳେ କେରଳର ଜଣେ ଖ୍ରୀଷ୍ଟିଆନ ବିଶପ ଜୋଶେଫ କଳାରଙ୍ଗାଟ ଏକ ଅଭିଯୋଗ ଆଣିଥିଲେ। ସେ ଗୋଟିଏ ନୂଆ ଶବ୍ଦ କହିଥିଲେ, ଯାହା ହେଉଛି ‘ନାର୍କୋଟିକ୍‌ସ ଜିହାଦ’। ସେ କହିଥିଲେ, କେରଳରେ ମୁସଲମାନମାନେ ଯୋଜନାବଦ୍ଧ ଭାବରେ ବ୍ରାଉନସୁଗାର ବିକ୍ରି କରୁଛନ୍ତି। ତାଙ୍କ କହିବାନୁସାରେ ନିଶା ମାଧ୍ୟମରେ ଅନ୍ୟମାନଙ୍କ ଜୀବନ ନଷ୍ଟ କରିବା ହେଉଛି ନାର୍କୋଟିକସ ଜିହାଦ। ତାଙ୍କ ବୟାନକୁ ନେଇ ସେତେବେଳେ ବହୁତ ବିତର୍କ ହୋଇଥିଲା। ତାଙ୍କର ସେହି ଅଭିଯୋଗ ପରେ ଆସାମ ଓ ମଣିପୁରରେ ସମାନ ଅଭିଯୋଗ ବିଭିନ୍ନ ସଙ୍ଗଠନମାନେ କରିଥିଲେ। ଆମେ ଏଠାରେ କେଉଁ ସମୁଦାୟ ଉପରେ ଦୋଷ ଦେବା ଠିକ୍‌ ହେବ ନାହିଁ କିନ୍ତୁ ଯେହେତୁ ବିଭିନ୍ନ ରାଜ୍ୟରେ ଅଭିଯୋଗମାନ ଆସୁଛି ତେଣୁ ଯଦି ପୋଲିସର ତଦନ୍ତ ସେଦିଗକୁ ଯାଆନ୍ତା ତା’ହେଲେ ହୁଏତ ଏହାର ପ୍ରବେଶ ସ୍ଥାନ, ଆଡ୍ଡା ଉପରେ ରୋକ ଲାଗିଯାଆନ୍ତା। କାରଣ ଏବେ ଓଡ଼ିଶାରେ ବ୍ରାଉନସୁଗାର ଏଭଳି ବ୍ୟାପକ ମାତ୍ରାରେ ଚାଲିଲାଣି ଯେ ଏହା ଉପରେ ଅଙ୍କୁଶ ଲଗାଇବାକୁ ହେଲେ ଯେଉଁମାନେ ଓଡ଼ିଶାରେ ବ୍ରାଉନସୁଗାରକୁ ପ୍ରବେଶ କରାଉଛନ୍ତି ସେମାନଙ୍କୁ ଗିରଫ କରିବାକୁ ପଡ଼ିବ।
ରାଜ୍ୟ ସରକାରଙ୍କ ନିଶା ନିବାରଣର ଯାହା ବି ଅଳ୍ପ କିଛି ସରକାରୀ ପ୍ରୟାସ ଅଛି ତାହା କେବଳ ମଦକୁ ନେଇ। ହେଲେ ବ୍ରାଉନସୁଗାର ଭଳି ନିଶାର ନିବାରଣ ନେଇ ସେପରି କିଛି ଯୋଜନା ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ ହୋଇନାହିଁ।
ହରିରାଜପୁର, ପୁରୀ


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri