ଉଡ଼ତା ଓଡ଼ିଶା

ଅନିଲ ବିଶ୍ୱାଳ

୨୦୧୬ରେ ବଲିଉଡ୍‌ରେ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ଯାହାର ନାଁ ଥିଲା ଉଡ଼ତା ପଞ୍ଜାବ। ଚଳଚ୍ଚିତ୍ରଟି ଏକପ୍ରକାର ବ୍ୟବସାୟିକ ସଫଳତା ତ ପାଇଥିଲା କିନ୍ତୁ ସେହି ଚଳଚ୍ଚିତ୍ରଟିର କାହାଣୀ ଯେଉଁ ପୃଷ୍ଠଭୂମିରେ ହୋଇଥିଲା ସେହି ସମସ୍ୟାରୁ ଆଜି ପର୍ଯ୍ୟନ୍ତ ପଞ୍ଜାବ ମୁକୁଳିପାରିଲା ନାହିଁ। ଏବେ ସେହି ପଞ୍ଜାବ ରାସ୍ତାରେ ଓଡ଼ିଶା। ପଞ୍ଜାବରେ ଯୁବଗୋଷ୍ଠୀଙ୍କୁ କିପରି ବ୍ରାଉନସୁଗାର, ଡ୍ରଗ୍ସରେ କବଳିତ କରାଯାଉଛି ତାହାକୁ ଚଳଚ୍ଚିତ୍ର ମାଧ୍ୟମରେ ଦେଖାଯାଇଥିଲା। ପୋଲିସ, ରାଜନେତାମାନେ କିଭଳି ଡ୍ରଗ୍ସ ବେପାରରେ ସାମିଲ ରହୁଛନ୍ତି ତାହା ବି ଦେଖିବାକୁ ମିଳିଥିଲା ଚଳଚ୍ଚିତ୍ରରେ। କିପରି ପାକିସ୍ତାନରୁ ବିଭିନ୍ନ ରାସ୍ତା ଦେଇ ପଞ୍ଜାବକୁ ଡ୍ରଗ୍ସ ଆସୁଛି ତାହା ଏହି ଚଳଚ୍ଚିତ୍ରରେ ନଜରକୁ ଆସିଥିଲା। ଏବେ କଳାଟଙ୍କାର କାରବାର ସମ୍ପର୍କରେ ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତ ଦଳର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଓଡ଼ିଶାରେ ବ୍ରାଉନସୁଗାର ଓ ଅନ୍ୟ ଡ୍ରଗ୍ସ ମାମଲାରେ କଳାଟଙ୍କାର ବିନିଯୋଗ କଥା କହିଛନ୍ତି।
ଆମେ ଏଠାରେ ଉଡ଼ତା ଓଡ଼ିଶା କଥା ଏଇଥିପାଇଁ କହୁଛୁ ଯେ ଓଡ଼ିଶାରେ ବାର୍ଷିକ ବ୍ରାଉନସୁଗାର ବେପାର କେତେ ଟଙ୍କାର ହେବ ତା’ ଆକଳନର ପରିମାଣ ଦେଖିଲେ ମୁଣ୍ଡ ଘୂରିଯିବ। ଓଡ଼ିଶାରେ ବାର୍ଷିକ ୭୦୦କୋଟି ଟଙ୍କାର ବ୍ରାଉନ ସୁଗାର ବ୍ୟବସାୟ ହେଉଛି ବୋଲି କେତେଜଣ ବିଶେଷଜ୍ଞ ଆକଳନ କରୁଛନ୍ତି। ଏକଥା ଅସତ୍ୟ ହୋଇ ନ ଥିବ, କାରଣ ଏହି ନିଶା ଏବେ ଗାଁଠୁ ସହର ସବୁଆଡ଼େ ବ୍ୟାପିଗଲାଣି। ରାଜ୍ୟରେ ୧ ଲକ୍ଷରୁ ଅଧିକ ଯୁବତୀ ଯୁବକ ଉକ୍ତ ନିଶା କବଳରେ ଆକ୍ରାନ୍ତ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି। ପଞ୍ଜାବ ଭଳି ଓଡ଼ିଶା ବ୍ରାଉନସୁଗାର ପାଇଁ ଉଜୁଡ଼ିବାକୁ ଯାଉଛି। କିଲେ ବ୍ରାଉନସୁଗାରର ଦାମ ଏକ କୋଟି ଟଙ୍କା। ନୂଆ ନୂଆ ବ୍ରାଉନସୁଗାର ନିଶା ସେବନ କରୁଥିବା ଜଣେ ଲୋକ ଦିନକୁ ୨୦ଗ୍ରାମ ଖାଉଥିବା ବେଳେ ଏଥିରେ ଅଭ୍ୟସ୍ତ ହୋଇଗଲେ ଏହାର ପରିମାଣ ବଢ଼ି ବଢ଼ି ୬୦ ଗ୍ରାମ ହୋଇଯାଉଛି। ବ୍ରାଉନସୁଗାରର ଯେଉଁ ପୁଡ଼ିଆ ନିଶାଡ଼ିମାନଙ୍କୁ ବିକ୍ରି କରାଯାଉଛି ତାହା ହେଉଛି ୨୦ ଗ୍ରାମର, ଯାହାର ଦାମ ୪୦୦ରୁ ୫୦୦ ଟଙ୍କା ଭିତରେ। ଯଦି ଆମେ ହାରାହାରି ନିଶା ସେବନର ପରିମାଣକୁ ୨୦ ଗ୍ରାମ ଧରିବା ତାହାହେଲେ ଓଡ଼ିଶାରେ ସର୍ବନିମ୍ନ ଦୈନିକ ୨ କିଲୋ ବ୍ରାଉନସୁଗାର ବିକ୍ରି ହେଉଛି। ଦୈନିକ ୨ କିଲୋ ବ୍ରାଉନସୁଗାର ହେଲେ ବାର୍ଷିକ ଏହାର ପରିମାଣ ହେବ ୭୦୦ କିଲୋରୁ ଅଧିକ ଅର୍ଥାତ୍‌ ୭୦୦ କୋଟି ଟଙ୍କାର। ଆଉ ଏହି ଅର୍ଥ ସିଧାସଳଖ ରାଜ୍ୟର ନିଶା ବେପାରୀଙ୍କ ମାଧ୍ୟମରେ ବିଭିନ୍ନ ସ୍ତର ଦେଇ ଶେଷକୁ ପହଞ୍ଚୁଛି ପାକିସ୍ତାନ ଓ ଆଫଗାନିସ୍ତାନର ନିଶା ଉତ୍ପାଦନକାରୀମାନଙ୍କ ପାଖରେ।
ବ୍ରାଉନସୁଗାର ଓ ଅନ୍ୟ ଡ୍ରଗ୍ସ ବ୍ୟବସାୟର ମୂଳ ଚେର ହେଉଛି ଆଫଗାନିସ୍ତାନ। ସେଠାରୁ ଏହା ଆସୁଛି ପାକିସ୍ତାନ। ପରେ ପାକିସ୍ତାନରୁ ନେପାଳ ଆସୁଛି ଓ ନେପାଳରୁ ବାଂଲାଦେଶ ହୋଇ ପଶ୍ଚିମବଙ୍ଗର ମେଦିନିପୁର, ମୁର୍ଶିଦାବାଦ ଦେଇ ଓଡ଼ିଶାର ଜଳେଶ୍ୱରକୁ ପଶୁଛି। ଜଳେଶ୍ୱର ହେଉଛି ଓଡ଼ିଶାର ବ୍ରାଉନସୁଗାରର ପେଣ୍ଠସ୍ଥଳ ଓ ପ୍ରବେଶସ୍ଥାନ। ଜଳେଶ୍ୱରରେ ଆଜି ନୁହେଁ, ବର୍ଷ ବର୍ଷ ହେଲାଣି ବ୍ରାଉନସୁଗାରର ମୁଖ୍ୟ ଗୋଦାମ ହୋଇଥିବା ବେଳେ କେଜାଣି କାହିଁକି ସେଠାରେ ତାହା ଉପରେ ରୋକ ଲାଗିପାରୁନି ସେନେଇ ପୋଲିସର ଅପାରଗତାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ଅତୀତରେ ଜଣେ ପୋଲିସ ଅଫିସର ବ୍ରାଉନସୁଗାର ବ୍ୟବସାୟୀଙ୍କୁ ୭୦ ହଜାର ଟଙ୍କା ଲାଞ୍ଚ ମାଗୁଥିବାର ଫୋନ ରେକର୍ଡ ଭାଇରାଲ ହୋଇଥିଲା। ବ୍ରାଉନସୁଗାର ନିଶା, ଯାହା ଦିନେ ସହରାଞ୍ଚଳର ନିଶା ଭାବରେ ଜଣାଥିଲା ଏବେ ତାହା ଗ୍ରାମାଞ୍ଚଳରେ ମିଳିଲାଣି। ବ୍ରାଉନସୁଗାର ବେପାରୀମାନେ ଏବେ ପୂରା ଗାଁମୁହଁା ହୋଇସାରିଲେଣି।
ଯେମିତି ଅନ୍ୟ କୌଣସି ସାଧାରଣ ବ୍ୟବସାୟରେ ହୋଲ୍‌ସେଲର, ଡ୍ରିଷ୍ଟ୍ରିବ୍ୟୁଟର ଓ ରିଟେଲରମାନେ ଥାଆନ୍ତି ଠିକ୍‌ ସେମିତି ହେଉଛି ବ୍ରାଉନ ସୁଗାର ବ୍ୟବସାୟରେ। ଜଳେଶ୍ୱରରୁ ବ୍ରାଉନସୁଗାର ଏକ କିଲୋ ନ ହେଲେ ଅଧକିଲୋ ପ୍ୟାକେଟରେ ବିଭିନ୍ନ ଜିଲାକୁ ଆସୁଛି। ସେଠାରେ ରହିଥିବା ଡ୍ରିଷ୍ଟ୍ରିବ୍ୟୁଟରମାନେ ତାହାକୁ ବିଭିନ୍ନ ନିଶା ବେପାରୀଙ୍କୁ ଆହୁରି ଛୋଟ ଛୋଟ ପ୍ୟାକେଟ କରିି ପଠାଉଛନ୍ତି। ଏହି ନିଶା ବେପାରରେ ବେପାରୀମାନେ ଯେତିକି ମୂଳଧନ ସେତିକି ଲାଭ ଆକାରରେ ପାଉଛନ୍ତି। ତା’ଛଡ଼ା କିଛି ନିଶା ଖାଉଥିବା ଯୁବକ ନିଜେ ଡ୍ରଗ୍ସ ଖାଇବା ପାଇଁ ଅର୍ଥ ଆବଶ୍ୟକ ପଡୁଥିବାରୁ ସେମାନେ ବି ଏହି ବେପାରରେ ମାତିଛନ୍ତି।
ତିନି ପ୍ରକାରର ନିଶା ବର୍ତ୍ତମାନ ଯୁବଗୋଷ୍ଠୀଙ୍କୁ ବେଶି ଆକ୍ରାନ୍ତ କରୁଛି। ଗୋଟିଏ ହେଲା ମଦ, ତା’ପରେ ବ୍ରାଉନ ସୁଗାର, ତା’ପରେ ଗଞ୍ଜେଇ। ମଦ ନିଶା ସର୍ବାଧିକ ସଂଖ୍ୟାରେ ଯୁବଗୋଷ୍ଠୀଙ୍କୁ ଆକ୍ରାନ୍ତ କରିଥିଲେ ମଧ୍ୟ ଏହା ବ୍ରାଉନସୁଗାର ତୁଳନାରେ କମ୍‌ ଭୟଙ୍କର। ଗଞ୍ଜେଇ ହେଉ କିମ୍ବା ମଦ ସେହି ଦୁଇଟି ନିଶାକୁ ଛାଡ଼ିବା ସମ୍ଭବ। କିନ୍ତୁ ବ୍ରାଉନସୁଗାର ଯିଏ ଥରେ ଖାଇଛି ତାକୁ ଛାଡ଼ିବା ସହଜ ନୁହେଁ। ମଦ ବିକ୍ରି ପାଇଁ ବେପାରୀମାନଙ୍କୁ କିଛି ବିଶେଷ ଯୋଜନା କରିବାକୁ ପଡୁନାହିଁ କାରଣ ଏଥିପାଇଁ ସରକାର ଅନୁମତି ଦେଉଛନ୍ତି। ହେଲେ ବ୍ରାଉନସୁଗାର ହେଉ ବା ଗଞ୍ଜେଇ ଏହି ବେପାର ଚଳାଇବା ପାଇଁ ନିଶା ବେପାରୀମାନେ ପୂରା ଗ୍ୟାଙ୍ଗ ଗଢ଼ିଛନ୍ତି। କାରବାର ବଢ଼ାଇବା ପାଇଁ ପ୍ରଥମେ ଯୁବ ପିଲାମାନଙ୍କୁ ଏହି ନିଶା ଖୁଆଇ ଦେଉଛନ୍ତି ଓ ପରେ କେମିତି ସେମାନେ ବ୍ରାଉନସୁଗାରରେ ଅଭ୍ୟସ୍ତ ହୋଇଯିବେ ସେଥିପାଇଁ ଷଡ଼ଯନ୍ତ୍ର ରଚୁଛନ୍ତି।
ବ୍ରାଉନସୁଗାରର କାୟା ସାରା ଦେଶରେ ବ୍ୟାପିଥିବା ବେଳେ ଏ ସମ୍ପର୍କରେ କିଛି ଦିନ ତଳେ କେରଳର ଜଣେ ଖ୍ରୀଷ୍ଟିଆନ ବିଶପ ଜୋଶେଫ କଳାରଙ୍ଗାଟ ଏକ ଅଭିଯୋଗ ଆଣିଥିଲେ। ସେ ଗୋଟିଏ ନୂଆ ଶବ୍ଦ କହିଥିଲେ, ଯାହା ହେଉଛି ‘ନାର୍କୋଟିକ୍‌ସ ଜିହାଦ’। ସେ କହିଥିଲେ, କେରଳରେ ମୁସଲମାନମାନେ ଯୋଜନାବଦ୍ଧ ଭାବରେ ବ୍ରାଉନସୁଗାର ବିକ୍ରି କରୁଛନ୍ତି। ତାଙ୍କ କହିବାନୁସାରେ ନିଶା ମାଧ୍ୟମରେ ଅନ୍ୟମାନଙ୍କ ଜୀବନ ନଷ୍ଟ କରିବା ହେଉଛି ନାର୍କୋଟିକସ ଜିହାଦ। ତାଙ୍କ ବୟାନକୁ ନେଇ ସେତେବେଳେ ବହୁତ ବିତର୍କ ହୋଇଥିଲା। ତାଙ୍କର ସେହି ଅଭିଯୋଗ ପରେ ଆସାମ ଓ ମଣିପୁରରେ ସମାନ ଅଭିଯୋଗ ବିଭିନ୍ନ ସଙ୍ଗଠନମାନେ କରିଥିଲେ। ଆମେ ଏଠାରେ କେଉଁ ସମୁଦାୟ ଉପରେ ଦୋଷ ଦେବା ଠିକ୍‌ ହେବ ନାହିଁ କିନ୍ତୁ ଯେହେତୁ ବିଭିନ୍ନ ରାଜ୍ୟରେ ଅଭିଯୋଗମାନ ଆସୁଛି ତେଣୁ ଯଦି ପୋଲିସର ତଦନ୍ତ ସେଦିଗକୁ ଯାଆନ୍ତା ତା’ହେଲେ ହୁଏତ ଏହାର ପ୍ରବେଶ ସ୍ଥାନ, ଆଡ୍ଡା ଉପରେ ରୋକ ଲାଗିଯାଆନ୍ତା। କାରଣ ଏବେ ଓଡ଼ିଶାରେ ବ୍ରାଉନସୁଗାର ଏଭଳି ବ୍ୟାପକ ମାତ୍ରାରେ ଚାଲିଲାଣି ଯେ ଏହା ଉପରେ ଅଙ୍କୁଶ ଲଗାଇବାକୁ ହେଲେ ଯେଉଁମାନେ ଓଡ଼ିଶାରେ ବ୍ରାଉନସୁଗାରକୁ ପ୍ରବେଶ କରାଉଛନ୍ତି ସେମାନଙ୍କୁ ଗିରଫ କରିବାକୁ ପଡ଼ିବ।
ରାଜ୍ୟ ସରକାରଙ୍କ ନିଶା ନିବାରଣର ଯାହା ବି ଅଳ୍ପ କିଛି ସରକାରୀ ପ୍ରୟାସ ଅଛି ତାହା କେବଳ ମଦକୁ ନେଇ। ହେଲେ ବ୍ରାଉନସୁଗାର ଭଳି ନିଶାର ନିବାରଣ ନେଇ ସେପରି କିଛି ଯୋଜନା ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ ହୋଇନାହିଁ।
ହରିରାଜପୁର, ପୁରୀ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?