ବନ୍ୟା, ମହାନଦୀ ଓ ହୀରାକୁଦ ବନ୍ଧ

ଡ.ପ୍ରଫୁଲ୍ଲ କୁମାର ସାହୁ

 

ଓଡ଼ିଶା ଏକ ନଦୀବହୁଳ ରାଜ୍ୟ ହୋଇଥିବାରୁ ବନ୍ୟା ସମସ୍ୟା ତା’ର ଚିର ସହଚର। ଦିନ ଥିଲା ବନ୍ୟା ବିତ୍ପାତ ଯୋଗୁ ଅଣ୍ଟାସଳଖି ଠିଆହୋଇ ପାରୁ ନ ଥିଲା ରାଜ୍ୟ। ବିଶେଷକରି ବଡ଼ ନଦୀ ଭାବରେ ପରିଚିତ ମହାନଦୀ ଥିଲା ଓଡ଼ିଶାର ସବୁଠାରୁ ବଡ଼ ଦୁଃଖ। ଛତିଶଗଡ଼ର ଅମରକଣ୍ଟକ ପର୍ବତମାଳାରୁ ଝରିଆସିଥିବା ଏହି ନଦୀ ବାଟରେ ସିଓନାଥ,ଜୋଙ୍କ ଓ ହାସଦେବ ଆଦି ଉପନଦୀକୁ ସାଙ୍ଗରେ ଯୋଡି ପହଞ୍ଚିଛି ଓଡ଼ିଶାର ଅବିଭକ୍ତ ସମ୍ବଲପୁର ଜିଲାରେ। ହୀରାକୁଦ,ସୋନପୁର,ଟିକରପଡ଼ା,ହରଭଙ୍ଗା,ବୌଦ୍ଧ ଦେଇ କଟକର ନରାଜଠାରେ ପହଞ୍ଚିବା ପୂର୍ବରୁ ତା’ର ବକ୍ଷ ଆହୁରି ବିସ୍ତାରିତ ହୋଇଛି ଇବ୍‌, ଅଙ୍ଗ ଓ ତେଲ ଆଦି ନଦୀର ସମାବେଶରେ। ବାଟରେ କାଠଯୋଡ଼ି,ବିରୂପା,ପାଇକା,ଲୁଣା ଆଦି ନଦୀକୁ ଜନ୍ମ ଦେଇ ପାରାଦୀପର ହୁକିତୋଳାଠାରେ ମୁହାଣ ମେଲି ନିଜକୁ ଅଜାଡ଼ି ଦେଇଛି ବଙ୍ଗୋପସାଗରରେ। ଭରା ଯୌବନରେ ଗିରିଗହ୍ବର ଓ ସମତଳ ଅଞ୍ଚଳ ଅତିକ୍ରମ କରି ସେ ଯେତେବେଳେ ଛନ ଛନ ଗତିରେ ଧାଇଁଥିଲା ସାଗର ଆଶ୍ଳେଷ ପାଇଁ ସେତେବେଳେ ତା’ ଗତିର ଉଦ୍ଦାମତ୍ତା ଆଗରେ ହାର ମାନିଥିଲା କଙ୍କରିତ ପଥର ବନ୍ଧୁରତା ଓ ଶିଳାରାଜିର ଅହଂକାର। ଦେଶ ସ୍ବାଧୀନ ହେବା ପର୍ଯନ୍ତ ଅତି ଉଦ୍ଦଣ୍ଡ ଥିଲା ରୂପ। କୂଳ ଲଙ୍ଘୁଥିଲା ଫି’ ବର୍ଷ। ଜିଭ ଲହଲହ କରି ଚାଟି ନେଉଥିଲା କେତେ ଧନ ଜୀବନ ଓ କ୍ଷେତବାର। ଉଚ୍ଛନ୍ନ ହୋଇଯାଉଥିଲା ଅବବାହିକାର ହଜାର ହଜାର ଗାଁ। ତା’ର ଏହି ବିତ୍ପାତ କାରଣରୁ ଅଣ୍ଟାସଳଖି ଠିଆ ହୋଇ ପାରୁ ନ ଥିଲା ଓଡ଼ିଶା।
୧୯୩୭ ମସିହା ପ୍ରଳୟଙ୍କରୀ ବନ୍ୟାର ତାଣ୍ଡବଲୀଳା ପରେ ଓଡ଼ିଶାକୁ ଘାରିଥିଲା କରାଳ ବନ୍ୟାରୁ ମୁକୁଳିବାର ଚିନ୍ତା। ବହୁ ବିଚାର ବିମର୍ଶ ପରେ ସମ୍ବଲପୁରର ହୀରାକୁଦଠାରେ ଏକ ବହୁମୁଖୀ ନଦୀବନ୍ଧ ଯୋଜନା ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ ପ୍ରଖ୍ୟାତ ଇଞ୍ଜିନିୟର ସାର୍‌ ବିଶ୍ବେଶ୍ବରାୟା। ଏହି ପ୍ରସ୍ତାବର ଯଥାର୍ଥତା ଅନୁଭବ କରି ୧୯୪୫ ମସିହାରେ ଏ ସମ୍ପର୍କରେ ସରକାରଙ୍କୁ ସୁପାରିସ କଲେ ତତ୍କାଳୀନ ବିଦ୍ୟୁତ୍‌ ଶକ୍ତି ଓ ଜଳସମ୍ପଦ କମିଶନର ଅଧ୍ୟକ୍ଷ ତଥା ବିଖ୍ୟାତ ଇଞ୍ଜିନିୟର ଅଯୋଧ୍ୟା ନାଥ ଖୋସାଲା। ଏହି ସୁପାରିସଭିତ୍ତିରେ ଗଠନ ହେଲା ସେଣ୍ଟ୍ରାଲ ୱାଟର ୱେଜ୍‌ ଇରିଗେଶନ ଓ ନାଭିଗେଶନ କମିଶନ। ୧୯୪୭ ମାର୍ଚ୍ଚ ୧୫ ତାରିଖରେ ହୀରାକୁଦ ଜଳ ଭଣ୍ଡାର ନିର୍ମାଣ ଲାଗି ଭିତ୍ତି ସ୍ଥାପନ କଲେ ତତ୍କାଳୀନ ରାଜ୍ୟପାଳ ହାଥ ଥ୍ରୋନ ଲୁଏସ। ମାତ୍ର ବିଡ଼ମ୍ବନାର ବିଷୟ ଯୋଜନାକୁ ବିରୋଧ କରି ପଶ୍ଚିମ ଓଡ଼ିଶାରେ ଆରମ୍ଭ ହେଲା ଜନ ଆନ୍ଦୋଳନ। ସେମାନଙ୍କ ଯୁକ୍ତି ଥିଲା ହୀରାକୁଦ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହେଲେ ପ୍ରଭୂତ କ୍ଷତି ସହିବ ପଶ୍ଚିମ ଓଡ଼ିଶା। ବିସ୍ଥାପିତ ହେବେ ହଜାର ଲୋକ। ଏହି ଯୁକ୍ତି ନେଇ ସେମାନେ ଯୋଜନା ବିରୋଧରେ ସରକାରଙ୍କ ନିକଟରେ ଉପସ୍ଥାପନ କଲେ ଦୃଢ଼ ଦାବି। ମହାତ୍ମା ଗାନ୍ଧୀଙ୍କୁ ବି ସାକ୍ଷାତ କରି ଅନୁରୋଧ ଜଣେଇଲେ ଏଥିରେ ହସ୍ତକ୍ଷେପ ପାଇଁ। ମାତ୍ର ଗାନ୍ଧିଜୀ କ’ଣ ଚାହିଁବେ – ଓଡ଼ିଶା ସବୁଦିନେ ଗରିବ ହୋଇ ରହୁ ବୋଲି!
ସ୍ବାଧୀନତା ପରେ ଦେଶର ଦ୍ରୁତ ବିକାଶ ଉପରେ ଗୁରୁତ୍ୱ ଦେଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ତିତ ଜବାହରଲାଲ ନେହେରୁ। ସେ ବୁଝିଥିଲେ କୃଷିର ବିକାଶ ପାଇଁ ପ୍ରଥମ ଆବଶ୍ୟକତା ଜଳସେଚନ। ତେଣୁ ଓଡ଼ିଶାରେ କୃଷିର ଉନ୍ନତିକୁ ତ୍ୱରାନ୍ବିତ କରିବା ପାଇଁ ସେ ସମ୍ବଲପୁର ଆସି ଆଉଥରେ ହୀରାକୁଦ ବନ୍ଧର ଶୁଭଦେଲେ ୧୯୪୮ମସିହା ଏପ୍ରିଲ ୧୨ ତାରିଖରେ। ଇଞ୍ଜିନିୟରମାନଙ୍କ ପାରଦର୍ଶିତା, ପ୍ରଧାନମନ୍ତ୍ରୀଙ୍କ ଆନ୍ତରିକତା ଓ ଡ.ହରେକୃଷ୍ଣ ମହତାବଙ୍କ ସାମ,ଦାନ,ଦଣ୍ଡ ଓ ଭେଦନୀତି ଯୋଗୁ ଯଥା ସମୟରେ ସମ୍ପୂର୍ଣ୍ଣ ହେଲା ଭାରତର ଅନ୍ୟତମ ବୃହତ୍‌ ଜଳଭଣ୍ଡାରର ନିର୍ମାଣ କାର୍ଯ୍ୟ। ଶହେ କୋଟି ଦୁଇ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଜଳଭଣ୍ଡାରକୁ ୧୯୫୭ ମସିହା ଜାନୁୟାରୀ ୧୩ତାରିଖରେ ଲୋକାର୍ପିତ କରି ପ୍ରଧାନମନ୍ତ୍ରୀ ପଣ୍ତିତ ନେହେରୁ କହିଲେ, ଏହି ବହୁମୁଖୀ ନଦୀବନ୍ଧ ଯୋଜନା ହେବ ଦେଶ ପ୍ରଗତିର ମାଇଲଖୁଣ୍ଟ। ସେବେଠାରୁ ହୀରାକୁଦ ନଦୀବନ୍ଧ ଯୋଜନା ସହାୟତାରେ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ସାଙ୍ଗକୁ ଜଳସେଚିତ ହେଲା ମହାନଦୀ ଅବବାହିକାରେ ଥିବା ୬୫,୭୨୮ ବର୍ଗ କିମି ପରିମିତ ଚାଷଜମି। ବୁର୍ଲା ଓ ଚିପିଲିମାରେ ଉତ୍ପାଦିତ ହେଲା ୩୪୭ ମେଗାୱାଟ ବିଜୁଳି ଶକ୍ତି। ବଦଳିଗଲା ଓଡ଼ିଶାର ଅର୍ଥନୈତିକ ଚିତ୍ର। ଯେଉଁ ନଦୀକୁ ଦିନେ କୁହାଯାଉଥିଲା ଓଡ଼ିଶାର ଦୁଃଖ,ସେହି ନଦୀ ପାଲଟିଗଲା ୧୫ଟି ଜିଲାର ଅଧିବାସୀଙ୍କ ପାଇଁ ଜୀବନ ଜୀବିକାର ଆଧାର। ଓଡ଼ିଶାର ଜୀବନରେଖା।
କୌଣସି ଅଞ୍ଚଳର ଶ୍ରୀ ଓ ସମୃଦ୍ଧିରେ ସହାୟକ ହୁଏ ନଦୀ। ଯେମିତି ମହାନଦୀ ଓଡ଼ିଶାର ଅର୍ଥନୀତିକୁ ସମୃଦ୍ଧ କରିବା ସହିତ ବିଭିନ୍ନ ସ୍ଥାନରେ ପ୍ରକାଶ ପାଇଛି ତା’ର ସୌନ୍ଦର୍ଯ୍ୟମୟୀ ରୂପ। ମହାନଦୀ ସବୁଠାରୁ ସୌନ୍ଦର୍ଯ୍ୟମୟୀ ହୋଇ ଉଠିଛି ସୁବର୍ଣ୍ଣପୁର ସହର ପାଦଦେଶରେ। ସେଠାରେ ତା’ର ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇ କୋଶଳାନନ୍ଦ କାବ୍ୟରେ ତାକୁ ଦ୍ବିତୀୟ ବାରାଣସୀ ବୋଲି କହିଛନ୍ତି ପଣ୍ଡିତ ଗଙ୍ଗାଧର ମିଶ୍ର। ବିନିକାରୁ ସୁବର୍ଣ୍ଣପୁର ଦେଇ ବୌଦ୍ଧ ପର୍ଯ୍ୟନ୍ତ ଶୋଭାମୟୀ ମହାନଦୀକୁ କୁହାଯାଏ ଚିତ୍ରୋତ୍ପଳା। ସତରେ ଚିତ୍ରୋତ୍ପଳାକୁ ଯିଏ ଦେଖିନାହିଁ ,ସେ ଆକଳନ କରିପାରିବନି ମହାନଦୀର ସୁଷମା। ମହାନଦୀର ପ୍ରାକୃତିକ ସୁଷମା ନିମନ୍ତେ ୧୯୭୪ ମସିହାରୁ ଐତିହାସିକ ସୁବର୍ଣ୍ଣପୁର ସହରକୁ ମିଳିଛି ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା।
ରୂପରୁ ଭାବ ଓ ଭାବରୁ ଜାତ ସଙ୍ଗୀତ। ମହାନଦୀକୁ ନେଇ ସମ୍ଭବ ହୋଇଛି ସେହି ଭାବଚିତ୍ରର ତ୍ରିବେଣୀ ସଙ୍ଗମ। ଅପରୂପା ମହାନଦୀକୁ ଦେଖି ଚଳଚଞ୍ଚଳ ହୋଇ ଉଠିଛି ଭାବମୁଗ୍ଧ କବିର କଲମ। ତା’ର ଅଫୁରନ୍ତ ସୌନ୍ଦର୍ଯ୍ୟରେ ବିହ୍ବଳ ହୋଇ କବି କେତେବେଳେ ତା’ ଗର୍ଭରେ ଜ୍ୟୋତ୍ସ୍ନା ବିହାର କରିଛି ତ ଆଉ କେତେବେଳେ ରୋମାଞ୍ଚିତ ହୋଇ ତା’ ଗର୍ଭରେ ଭସାଇ ଦେଇଛି କାଗଜ ଡଙ୍ଗା। ତା’ର ବହୁଭିନ୍ନ ରୂପକୁ ଦୃଷ୍ଟିରେ ରଖି କିଏ ତାକୁ ଓଡ଼ିଶାର ଗଙ୍ଗା କହେ ତ କିଏ କହେ ଗଳାରମାଳା ଚିତ୍ରୋତ୍ପଳା। ତାଜମହଲ ହେଉ କି କୋଣାର୍କ, ମଣିଷ ଯେତେ ସବୁ ଆଶ୍ଚର୍ଯ୍ୟଜନକ କୀର୍ତ୍ତି ସ୍ଥାପନ କରିଛି ତାହା ପ୍ରାୟତଃ ଅଧିକାଂଶ ନଦୀ କୂଳରେ। ମହାନଦୀ କୂଳେ କୂଳେ ଗଢ଼ିଉଠିଛି ଭଦ୍ରାମ୍ବିକା, ସୁବର୍ଣ୍ଣମେରୁ,ସମଲେଶ୍ବରୀ, ସିଦ୍ଧେଶ୍ବର, ସିଦ୍ଧେଶ୍ବରୀ, ନୀଳମାଧବ, ଚର୍ଚ୍ଚିକା, ରାମନାଥ, ନୃସିଂହନାଥ, ଚମ୍ପେଶ୍ବର, ଭଟ୍ଟାରିକା, ଚଣ୍ଡୀ, ଧବଳେଶ୍ବର ଓ ମା’ ଗଡ଼ଚଣ୍ଡୀଙ୍କ ପ୍ରାଚୀନ ପୀଠ। କେବଳ ଆର୍ଥନୀତିକ ଦୃଷ୍ଟିରୁ ନୁହେଁ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ଓଡ଼ିଶା ସହ ମହାନଦୀର ସମ୍ପର୍କ ଅଭିନ୍ନ ଓ ଅତୁଟ। ମାତ୍ର ଆମର ଅପରିଣାମଦର୍ଶିତା ଯୋଗୁ ଶ୍ରୀହୀନ ହେଲାଣି ପୁଣ୍ୟତୋୟା ମହାନଦୀ। ଆମର ପ୍ରାଚୀନ ଜ୍ଞାନ ଓ ଆଧୁନିକ ବିଜ୍ଞାନ ନଦୀକୁ ସଭ୍ୟତାର ଜନ୍ମଦାତ୍ରୀ ବୋଲି କହିବା ସତ୍ତ୍ବେ ଦେଶର ପ୍ରାୟ ସବୁ ନଦୀ ଏବେ ବିପଦଗ୍ରସ୍ତ। ଧମନୀରେ ଶୁଦ୍ଧ ରକ୍ତ ପ୍ରବାହିତ ହେଲା ଭଳି ନଦୀଗୁଡ଼ିକରେ ସ୍ବଚ୍ଛ ଜଳ ପ୍ରବାହିତ ହେବା ଦରକାର। ମାତ୍ର ମହାନଦୀର ଜଳ ଏବେ ଭୟଙ୍କର ଭାବେ ପ୍ରଦୂଷିତ।
ହୀରାକୁଦ ଜଳଭଣ୍ଡାରରେ ପଡ଼ିବା ପୂର୍ବରୁ ମହାନଦୀକୁ ଏବେ ଅତିକ୍ରମ କରିବାକୁ ପଡୁଛି ଅନେକଗୁଡ଼ିଏ ବନ୍ଧ,ଚେକ୍‌ଡ୍ୟାମ ଓ ବ୍ୟାରେଜ। ଛତିଶଗଡ଼ରେ କାର୍ଯ୍ୟକ୍ଷମ ଏସବୁ ପ୍ରକଳ୍ପ ଯୋଗୁ କ୍ରମାଗତ କମୁଛି ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳର ପରିମାଣ। ମହାନଦୀ ଆଉ ଆଗଭଳି ଚିରସ୍ରୋତା ହୋଇ ନାହିଁ। କେବଳ ବର୍ଷା ଋତୁକୁ ଛାଡ଼ିଦେଲେ ଅନ୍ୟ ସମୟରେ ତା’ର ଖଣ୍ଡବିଖଣ୍ଡିତ ଜଳଧାରାକୁ ବଳିଯାଉଛି ପୋତିହୋଇ ପଡ଼ିଥିବା ବାଲିପଠାର ବିସ୍ତୃତି। ଧୀରେ ଧୀରେ ମଲା ନଈରେ ପରିଣତ ହେବାକୁ ବସିଲାଣି ମହାନଦୀ। ଅନ୍ୟପକ୍ଷରେ ବର୍ଷାଦିନେ ଛତିଶଗଡ଼ ଅତ୍ୟଧିକ ଜଳ ନିଷ୍କାସନ କରିବା ଫଳରେ ମହାନଦୀ ଅବବାହିକାରେ ସୃଷ୍ଟି ହେଉଛି ବନ୍ୟା ବିତ୍ପାତ।
ବିଜୁ ପଟ୍ଟନାୟକ ନଗର,ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri