Posted inଫୁରସତ

ପ୍ରୋଗ୍ରାମ୍‌ ଟଙ୍କାରେ ନୃତ୍ୟାଭୂଷଣ କିଣିଥିଲି: ଲିଙ୍ଗରାଜ ସ୍ବାଇଁ

ମୋର ଜନ୍ମ ପୁରୀ ଜିଲାର କୋଣାର୍କଠାରେ। କୋଣାର୍କ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ସ୍ଥାନୀୟ ଭଗବତୀ ମହାବିଦ୍ୟାଳୟରେ ଯୁକ୍ତ ତିନି ଯାଏଁ ପାଠ ପଢିଥିଲି। ପାଠ ସିନା ପଢୁଥିଲି ହେଲେ ମୋର ରୁଚି ରହିଥିଲା ଓଡ଼ିଶୀ ନୃତ୍ୟରେ। ଲୋକପ୍ରିୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଗଙ୍ଗାଧର ପ୍ରଧାନ ଯେହେତୁ ମୋର ନିଜ ଭିଣୋଇ ଥିଲେ, ତେଣୁ ତାଙ୍କ ସଂସ୍ପର୍ଶରେ ଆସି ମୋ ଭିତରେ ମଧ୍ୟ ଓଡ଼ିଶୀ ନୃତ୍ୟ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ସେଥିପାଇଁ ସ୍କୁଲପଢା ସମୟରେ ଗୁରୁ ବିଚିତ୍ରାନନ୍ଦ ସ୍ବାଇଁଙ୍କଠାରୁ ପ୍ରଥମେ ଓଡ଼ିଶୀ ନୃତ୍ୟ ଶିଖିବା ଆରମ୍ଭ କରିଥିଲି। ତାଙ୍କଠାରୁ ୪ ବର୍ଷ ଶିଖିବା ପରେ ସେହି ଗୁରୁଙ୍କର କ’ଣ ଅସୁବିଧା ହେବାରୁ ସେ ଆଉ ନୃତ୍ୟ ଶିଖାଇବାକୁ ଆସିଲେ ନାହିଁ। ତେଣୁ ନୃତ୍ୟ ଶିକ୍ଷା ମୋର ଅଧାରୁ ବନ୍ଦ ହୋଇଗଲା। ଯୁକ୍ତ ତିନି ପଢା ସରିବା ପରେ ପୁଣିଥିରେ ଓଡ଼ିଶୀ ନୃତ୍ୟ ଶିଖି ସେଥିରେ କ୍ୟାରିୟର୍‌ କରିବା ପାଇଁ ଚିନ୍ତା କରି ଭୁବନେଶ୍ୱରସ୍ଥିତ ଓଡ଼ିଶା ସଙ୍ଗୀତ ମହାବିଦ୍ୟାଳୟରେ ଆଡ୍‌ମିଶନ ନେଲି। ତା’ସହିତ ଗୁରୁ ଗଙ୍ଗାଧର ପ୍ରଧାନଙ୍କର ଭୁବନେଶ୍ୱରରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ନାମରେ ଏକ ବଡ଼ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ମଧ୍ୟ ଥିଲା। ସଙ୍ଗୀତ ମହାବିଦ୍ୟାଳୟରେ ପଢିବା ସହିତ ଉକ୍ତ ଡ୍ୟାନ୍ସ ଏକାଡେମୀରେ ରହି ପ୍ରାଇଭେଟ୍‌ରେ ମଧ୍ୟ ଓଡ଼ିଶୀ ନୃତ୍ୟ ଶିକ୍ଷା ନେଉଥିଲି। ତେବେ ସଙ୍ଗୀତ ମହାବିଦ୍ୟାଳୟରୁ ଓଡ଼ିଶୀ ନୃତ୍ୟରେ ମାଷ୍ଟର ଡିଗ୍ରୀ ସାରିବା ପରେ ବେଶ୍‌ କିଛି ଦିନ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଟ୍ରୁପ୍‌ରେ ରହି ନିଜେ ନୃତ୍ୟାଭ୍ୟାସ କରିବା ସହ ପିଲାଙ୍କୁ ମଧ୍ୟ ନୃତ୍ୟ ଶିକ୍ଷା ଦେଉଥିଲି। ତା’ସହିତ ନିଜସ୍ବ ଉଦ୍ୟମରେ ତଥା ଉକ୍ତ ଟ୍ରୁପ୍‌ ସହ ମିଶି ବିଭିନ୍ନ ସ୍ଥାନକୁ ଯାଇ ଷ୍ଟେଜ୍‌ ପ୍ରୋଗ୍ରାମ୍‌ ବି କରୁଥିଲି। ଉକ୍ତ ପ୍ରୋଗ୍ରାମ୍‌ରୁ ଯାହା କିଛି ପଇସା ହାତକୁ ଆସୁଥିଲା, ସେହି ପଇସାରେ ଖୁସିରେ ଭୋଜି କରି ଆମେ ଖାଉଥିଲୁ। ଥରେ ଉତ୍କଳ ଦିବସ ଅବସରରେ ଦିଲ୍ଲୀ ଓ ଚଣ୍ଡିଗଡ଼ରେ ଓଡ଼ିଶୀ ନୃତ୍ୟ ପରବେଷଣ କରିବା ପାଇଁ ଆମକୁ ସୁଯୋଗ ମିଳିଥିଲା। ଆଉ ଏହି ପ୍ରୋଗ୍ରାମ୍‌ରୁ ଆମକୁ ଭଲ ପଇସା ମଧ୍ୟ ମିଳିଥିଲା, ଯେଉଁଥିରେ ମୁଁ ମୋ ପାଇଁ ଓଡ଼ିଶୀର ପୋଷାକ ଓ ଗହଣା କିଛି କିଣିଥିଲି। ତେବେ ୧୯୯୭ ମସିହାରେ କଲିକତାସ୍ଥିତ ଓଡ଼ିଶୀ ଭିଜନ୍‌ ଆଣ୍ଡ ମୁଭ୍‌ମେଣ୍ଟ ସେଣ୍ଟରରେ ଜଏନ୍‌ କରିବା ପାଇଁ ମୋତେ ଅଫର୍‌ ମିଳିଲା, ଯେଉଁଥିରେ ମୋତେ ମାତ୍ର ୧୫ ଦିନ କଲିକତାରେ ରହି ପିଲାଙ୍କୁ ଓଡ଼ିଶୀ ନୃତ୍ୟ ଶିଖାଇବାକୁ ପଡୁଥିଲା। ଆଉ ସେତିକି ଦିନ ପାଇଁ ମୋତେ ସେମାନେ ଆଠ ହଜାର ଟଙ୍କା ଦରମା ଦେଉଥିଲେ। ବାକି ୧୫ ଦିନ ମୁଁ ଭୁବନେଶ୍ୱର ଆସି ପୂର୍ବଭଳି ନିଜେ ପ୍ରାକ୍ଟିସ୍‌ କରିବା ସହ ପିଲାଙ୍କୁ ନୃତ୍ୟ ଶିକ୍ଷା ଦେଉଥିଲି, ତା’ସହିତ ଷ୍ଟେଜ୍‌ ପ୍ରୋଗ୍ରାମ୍‌ ବି କରୁଥିଲି। ୨୦୦୬ ପର୍ଯ୍ୟନ୍ତ ଏମିତି ଚାଲିଲା। ତା’ପରେ ସେ ଚାକିରି ଛାଡ଼ି ଓଡ଼ିଶା ସଙ୍ଗୀତ ମହାବିଦ୍ୟାଳୟର ରିପୋର୍ଟର୍‌ ୟୁନିଟ୍‌ରେ ଟେକ୍‌ନିକାଲ୍‌ ଟିଚର୍‌ ଭାବେ ଜଏନ୍‌ କଲି। ଏଥିରେ ମୁଖ୍ୟତଃ ସଙ୍ଗୀତ ମହାବିଦ୍ୟାଳୟରୁ ପାସ୍‌ କରିଥିବା କେତେକ ଛାତ୍ରୀଛାତ୍ରଙ୍କୁ ପାରିଶ୍ରମିକ ଦେଇ ବିଭିନ୍ନ ସ୍ଥାନକୁ ନୃତ୍ୟ ପରିବେଷଣ କରିବାକୁ ପଠା ଯାଉଥିଲା। ଆଉ ମୋତେ ସେମାନଙ୍କର ଗାଇଡ୍‌ ଭାବେ ଦାୟିତ୍ୱ ତୁଲାଇବାକୁ ପଡୁଥିଲା। ମାତ୍ର ଦୁଇ ବର୍ଷ ଏହି ଦାୟିତ୍ୱରେ ରହିବା ପରେ ଉକ୍ତ ପ୍ରୋଗ୍ରାମ୍‌ଟି ମଧ୍ୟ ବନ୍ଦ ହୋଇଗଲା। ତା’ପରେ ମୁଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଓଡ଼ିଶୀ ନୃତ୍ୟର ଅଧ୍ୟାପକ ଭାବେ ଜଏନ୍‌ କଲି, ଯେଉଁଠାରେ ମୁଁ ଏବେ ବି କାର୍ଯ୍ୟରତ। ତେବେ ୟା’ଭିତରେ ମୁଁ ଓଡ଼ିଶୀରେ ଏମ୍‌.ଫିଲ୍‌ ସାରି ପିଏଚ୍‌.ଡି. ପାଇଁ ବି ପ୍ରସ୍ତୁତି ଆରମ୍ଭ କରିଦେଇଛି। ତା’ଛଡ଼ା ନିଜେ ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ହିସାବରେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କର ଯେମିତି ପ୍ରଶଂସା ସାଉଁଟି ପାରିଛି, ଠିକ୍‌ ସେମିତି ମୋଠାରୁ ନୃତ୍ୟ ଶିକ୍ଷା ଲାଭ କରି ମୋ ଛାତ୍ରୀଛାତ୍ରମାନେ ବି ବାହାରେ ବେଶ୍‌ ନାଁ କମାଇ ପାରିଛନ୍ତି, ଯାହା ମୋ ପାଇଁ ଖୁବ୍‌ ଗର୍ବର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?