Posted inଫୁରସତ

ଦରମା ଟଙ୍କାରେ ବହି କିଣୁଥିଲି: ଲକ୍ଷ୍ମୀଧର ମହାରଣା

କଟକର ଟାଙ୍ଗୀ ଅଞ୍ଚଳରେ ମୋ ଜନ୍ମ। ଟାଙ୍ଗୀ ବିଦ୍ୟାପୀଠରୁ ୧୯୭୦ରେ ଏକାଦଶ ପାସ୍‌ କରିବା ପରେ ବେଶ୍‌ କିଛିଦିନ ଘରେ ରହି ଇଂଲିଶର ବିଭିନ୍ନ ପୁସ୍ତକ ଆଣି ପଢାପଢି କରୁଥିଲି। କାରଣ ସେ ସମୟରେ ଇଂଲିଶରେ ମୁଁ ଟିକେ ଦୁର୍ବଳ ଥିଲି। ତା’ପରେ ମୋତେ ଶିକ୍ଷକତା କରିବା ପାଇଁ ସୁଯୋଗ ମିଳିଲା। ଦୁଇ ବର୍ଷ ଟ୍ରେନିଂ ନେବା ପରେ ୧୯୭୯ରେ ପ୍ରତାପନଗରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ପୋଷ୍ଟିଂ ହୋଇଥିଲା। କିଛିଦିନ ପରେ ମୋର ବଦଳି ହେଲା ଆଉ ମୁଁ ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ଶେଷରେ ଜୟପୁର ପ୍ରାଥମିକ ବିଦ୍ୟାଳୟରୁ ୨୦୧୨ରେ ଚାକିରିରୁ ଅବସର ନେଇଥିଲି। ଅବଶ୍ୟ ତା’ରି ଭିତରେ ମୁଁ ପ୍ରାଇଭେଟ୍‌ରେ ପଢି ବି.ଏ. ପାସ୍‌ କରି ସାରିଥିଲି। ତେବେ ଚାକିରି କରିବା ପୂର୍ବରୁ ମୋର ସାହିତ୍ୟ ପ୍ରତି ବେଶ୍‌ ଆଗ୍ରହ ବଢ଼ିସାରିଥିଲା। ମୁଖ୍ୟତଃ କବିତା ଲେଖିବା ସହ ବିଭିନ୍ନ ପ୍ରକାରର ବହି ଖାସ୍‌କରି କବିତା, ଆଲୋଚନା ତଥା ଧର୍ମକଥା ସମ୍ବନ୍ଧୀୟ ପୁସ୍ତକ ସଂଗ୍ରହ କରି ପଢୁଥିଲି। ଆଉ ଚାକିରି କରିବା ପରେ ଏହି ଅଭ୍ୟାସ ମୋର ଆହୁରି ବଢ଼ିଗଲା। ପ୍ରତିମାସ ଦରମା ପାଇବା ମାତ୍ରେ କଟକ ଯାଇ ଗୁଡ଼ାଏ ବହି କିଣିଆଣି ପଢ଼ାପଢ଼ି କରୁଥିଲି। ତା’ସହିତ ଘରକୁ ବି କିଛି ଟଙ୍କା ଦେଉଥିଲି। କାରଣ ଘରର ଆର୍ଥିକାବସ୍ଥା ସେତେ ଭଲ ନ ଥିଲା। ବାପା ଶଗଡ଼ ଚକ ତିଆରି କରି ବହୁ କଷ୍ଟରେ ପରିବାର ଚଳାଉଥିଲେ। ଚାରି ଭାଇଭଉଣୀ (ତିନି ଭାଇ ଓ ଗୋଟେ ଭଉଣୀ) ମଧ୍ୟରେ ଯେହେତୁ ମୁଁ ବଡ଼ ଥିଲି, ତେଣୁ ବାପାଙ୍କୁ ସାହାଯ୍ୟ କରିବାକୁ ପ୍ରତିମାସ ଦରମା ଟଙ୍କାରୁ ଅଧା ଘରେ ଦେଇ ଦେଉଥିଲି। ଏମିତି ଭାବେ ସମୟ ଗଡିଚାଲିଲା, ଆଉ ତା’ସହିତ ତାଳଦେଇ ଲେଖାଲେଖିର ଧାରା ବି ମୋର ଆଗେଇଲା। ବିଶେଷକରି କବିତା, ଧର୍ମକଥା, ସନେଟ୍‌ (୧୪ଟି ଧାଡି ଭିତରେ ସୀମିତ କବିତା) ଲେଖା ମୁଁ ବହୁତ ଲେଖିଲି। ପିଲାଦିନେ ଅନେକ ପାଲା ଦେଖୁଥିଲି ଆଉ ଶୁଣୁଥିଲି, ଧୀରେ ଧୀରେ ପାଲା ସାହିତ୍ୟ ପ୍ରତି ଆକୃଷ୍ଟ ହେଲି। ତା’ସହିତ ଆମ ଘର ପାଖରେ ଗୋଟିଏ ଆଶ୍ରମ ଥିଲା, ସେଠାରେ ବାବାଜୀ ବୈଷ୍ଣବ ଚରଣ ଦାସ ନାମରେ ଜଣେ ସାଧୁ ରହୁଥିଲେ। ସେ ଅନେକ ବହି (ବିଶେଷକରି କବିତା) ଲେଖିଥିଲେ। ତାଙ୍କରି ସଂସ୍ପର୍ଶରେ ଆସି ମୋ ଭିତରେ ବି କବିତା ଲେଖିବାକୁ ଆଗ୍ରହ ସୃଷ୍ଟି ହୋଇଥିଲା। ୯ମ ଶ୍ରେଣୀରୁ ମୁଁ ଛୋଟ ଛୋଟ କବିତା ଲେଖିବା ଆରମ୍ଭ କରିଥିଲି। ସେତେବେଳେ ଭକ୍ତି କବିତା ଲେଖୁଥିଲି। ପରେ ପ୍ରେମ, ସାମାଜିକ ଚିନ୍ତା, ସନେଟ୍‌ କବିତା ଲେଖିବା ଆରମ୍ଭ କରିଥିଲି। ପ୍ରାଥମିକ ବିଦ୍ୟାଳୟରେ ଚାକିରି କରିବା ପରେ ଶିଶୁ କବିତା ଲେଖିବାର ଧାରା ମୋର ଆରମ୍ଭ ହୋଇଥିଲା। ୟା’ଭିତରେ ୫୦୦ରୁ ଊର୍ଦ୍ଧ୍ୱ ଶିଶୁ କବିତା ମୁଁ ଲେଖିସାରିଛି; ତନ୍ମଧ୍ୟରୁ ଅଧିକାଂଶ କବିତା ବିଭିନ୍ନ ଖବରକାଗଜ ତଥା ପତ୍ରପତ୍ରିକାରେ ପ୍ରକାଶିତ ମଧ୍ୟ ହୋଇସାରିଛି। ଏପରି କି ‘କୁନି ରାଇଜର ବଗୁଲା ବଗୁଲି’ ନାମରେ ଏକ କବିତା ସଂକଳନ ବି ମୋର ପ୍ରକାଶିତ ହୋଇଛି। ତା’ସହିତ ବିଭିନ୍ନ ପର୍ବପର୍ବାଣି, ବିଭିନ୍ନ ଦିବସ, ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପରେ ଆଧାର କରି ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ସନେଟ୍‌ ବି ମୁଁ ଲେଖିଛି। ସେହିପରି ଧର୍ମକଥା ସମ୍ବନ୍ଧୀୟ ଅନେକ ଲେଖା ବି ଲେଖିଛି ଆଉ ତାହା ଖବରକାଗଜରେ ପ୍ରକାଶିତ ହୋଇ ମୋତେ ବହୁ ପାଠକୀୟ ପ୍ରଶଂସା ବି ମିଳିସାରିଛି। ରାଜମହିସୀ ନାମରେ ଏକ ଅନୁବାଦ ଉପନ୍ୟାସ ବି ଲେଖିଛି। ତେବେ ‘ଯେ ଗୀତ ଗାଇଲି’ ଓ ‘ଶୁଷ୍କ ସିନ୍ଧୁ’ ନାମରେ ଦୁଇଟି ସନେଟ୍‌ ସଂକଳନ ଚାକିରି ସମୟରେ ପ୍ରକାଶ କରିଥିଲି। ଆଉ ଚାକିରିରୁ ଅବସର ପରେ ‘ବାନପ୍ରସ୍ଥି ଦର୍ଶନ’ (କବିତା ସଂକଳନ) ‘ଅବ୍ୟକ୍ତ ଆର୍ତ୍ତନାଦ’ (ସନେଟ୍‌ ସଂକଳନ), ‘ମହାବାହୁ’ (ଭକ୍ତି କବିତା ସଂକଳନ), ‘ଆଲୋକିତ ଉପବନ’ (ଚୁନା କବିତା ସଂକଳନ) ନାମରେ ୪ଟି ପୁସ୍ତକ ମୋର ଗ୍ଲସି ପେପର୍‌ରେ ପ୍ରକାଶିତ ହୋଇଛି। ଲେଖାଲେଖି ବ୍ୟତୀତ କବିତା ଆବୃତ୍ତି କରିବାରେ ବି ମୋର ବେଶ୍‌ ନା ରହିଛି। ସେଥିପାଇଁ ମୋତେ ‘ପରଭୃତ’ ନାମରେ ଏକ ଉପନାମର ଆଖ୍ୟା ମିଳିଛି। ତା’ଛଡ଼ା ଡାଳିଯୋଡା ସାହିତ୍ୟ ସଂସଦ, ଚୌଦ୍ୱାର ସାହିତ୍ୟ ସଂସଦ, ଉତ୍କଳ ସାହିତ୍ୟ ସମାଜ ଏବଂ ଓଡ଼ିଶା ଶିଶୁ ସାହିତ୍ୟ ଲେଖକ ସମ୍ମିଳନୀର ମୁଁ ଆଜୀବନ ସଦସ୍ୟ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?