Posted inଫୁରସତ

ବଦଳୁଛି ମଶାଣି ରୂପ

ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ। ତେବେ ଜନ୍ମର ଅନ୍ତୁଡ଼ି ନିଆଁଠାରୁ ମଶାଣିର ଜୁଇକୁ ଯିବା ସମୟର ବ୍ୟବଧାନ ମଧ୍ୟରେ ସମସ୍ତଙ୍କୁ ଦୁନିଆ ରଙ୍ଗମଞ୍ଚରେ ଅଭିନୟ କରିବାକୁ ପଡ଼ିଥାଏ । ଯେମିତି କି କୁହାଯାଏ ଏଜୀବନଟା ଏକ ନାଟକ। ହାରଜିତ, ମାନସମ୍ମାନ, ପ୍ରାପ୍ତି ଅପ୍ରାପ୍ତିର ହିସାବ ନିକାଶ ସବୁକିଛି ସରିଯାଏ ମଣିଷର ମୃତ୍ୟୁରେ। ତେବେ ମୃତ୍ୟୁ ପରେ କେହି ଶବକୁ ଦାହ କରନ୍ତି ତ ପୁଣି କେହି କବର ଦିଅନ୍ତି। ଏମିତି ନାନାପ୍ରକାରର ପ୍ରଥା ପରମ୍ପରା ମଧ୍ୟରେ ଆସିଯାଏ ଜୀବନର ଶେଷଦୃଶ୍ୟ। ଲିଭିଯାଏ ମଶାଣି ଭୂଇଁରେ। ମଶାଣିଙ୍କୁ ବାଦ ଦେଲେ ଜୀବନର ଇତିହାସ ଅପୂର୍ଣ୍ଣାଙ୍ଗ। ଯେମିତି କି କାହାରି ମନେଥାଇପାରେ ‘ଜହ୍ନମାମୁ’ବହିରେ ପଢିଥିବା ବେତାଳ କଥା – ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା। ବଣବୁଦା ଭିତରୁ ଭାସି ଆସୁଥାଏ ସାଇଁ …ସାଇଁ ..ଶବ୍ଦ। ଶ୍ୱାନ ଶ୍ୱାପଦଙ୍କ ରଡ଼ି ସାଙ୍ଗକୁ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ। ଘନଘନ ବିଜୁଳି ଆଲୋକରେ ଦିଶି ଯାଉଥାଏ ଭୟାନକ ମୁହଁଟି। ତେବେ ମଶାଣି ଭୂଇଁ କଥା ମନପଡ଼ିଲେ ଆଖି ସମ୍ମୁଖରେ ନାଚିଉଠେ- ଗାଁଠାରୁ ଅନିତ ଦୂର ଶୂନଶାନ୍‌ ପ୍ରାନ୍ତରରେ ମଶାଣି ଅବସ୍ଥିତି। ନିକଟରେ ଖାଁଖାଁ ଲାଗୁଥିବା ଓହଳା ବରଗଛ। ଆର ପାଖରେ କିଆଗୋହିରି କି ନଈପଠା କିମ୍ବା ପାହାଡ଼ତଳ ପଡ଼ିଆ ଆଦି ଜାଗାରେ ରହିଥିବା ମଶାଣିରେ ପଡ଼ିଥିବା କେଇଟା ଛିଣ୍ଡା ଟୋକେଇ, ଭଙ୍ଗାହାଣ୍ଡି, ଖପରା, ହାଡ଼, ଦରପୋଡ଼ାକାଠ, କୁଲା,ବାଉଁଶ, ଛାଞ୍ଚୁଣି, ଛିଣ୍ଡା ସନ୍ତସନ୍ତିଆ ମଶିଣା, ଭଙ୍ଗା ବୋତଲ, ନଖ, ବାଳ, ଟିକିଟିକି ହାଡ଼ ଅଲରାବଲରା ହୋଇ ପଡ଼ିଥାଏ। ନିଛାଟିଆ ଦିପହର ହେଉ କି ମୁହଁ ସଞ୍ଜ, ବେଳେ ବେଳେ ଏଇ ସମୟରେ ମଶାଣିର ବଣବୁଦା ଗହଳରୁ ବିଲୁଆର ଡାକ ଶୁଭେ। ପବନ ହେଲେ ମଶାଣିଭୂଇଁରେ ରହିଥିବା କୋଚିଲା, ଝାମ୍ପୁଲା କିଆଁଗଛ, ଡେଙ୍ଗା ବରଗଛ କି ଉଚ୍ଚତାଳଗଛରୁ ପତ୍ରଝଡ଼ିବାର ଶବ୍ଦ କାହାରିକୁ ବି ଡର ଲାଗିପାରେ। ମଶାଣିରେ ଦିକ୍‌ଦିକ୍‌ ଜଳେ ଜୁଇ, ଧୂଆଁ ମୋଡ଼ି ମୋଡ଼ି ହୋଇ ଆକାଶର ମଥାନ ଛୁଉଁଥାଏ। ମଝିରେ ମଝିରେ ହାବୁକା ହାବୁକା ହାଲକା ପବନ ବହୁଥାଏ। ତାଳବାହୁଙ୍ଗା ଉପରେ ଯେବେ ଶାଗୁଣା କି ଚିଲପକ୍ଷୀ ଫଡ଼ଫଡ଼କରି ଡେଣାଝାଡ଼େ ଦେହ ଶିହରି ଯାଏ । ଛାତି ଧଡ଼ଧଡ଼ ହୁଏ। ତେବେ ମଶାଣିରେ ଶବଦାହ ପରମ୍ପରା କାହିଁ କେଉଁ କାଳରୁ ସମାଜରେ ପ୍ରଚଳିତ।

ଗହଳିରେ ଯଦି କାହାରି ମୃତ୍ୟୁ ଘଟେ! କେବେ ଯଦି ଭାଇ, ବନ୍ଧୁ, କୁଟୁମ୍ବ, ସାହି ପଡ଼ିଶାରେ କେମିତି କେତେବେଳେ କାହାରି ମଧ୍ୟରେ ମତାନ୍ତର ହୋଇଥାଏ କି ରାଗରୁଷା ବା ବାଡ଼ ପଡ଼ିଥିଲେ, କଥାବାର୍ତ୍ତା ହେଉ ନ ଥିଲେ କିମ୍ବା ଗାଁରେ ମାଲିମକଦ୍ଦମା ଲାଗିଥିଲେ ସବୁ ବାଦବିବାଦ ଭୁଲି ବାହାରି ଆସନ୍ତି ଶେଷଥର ଦେଖିବାକୁ ସେଇ ଅଫେରା ମଣିଷଙ୍କୁ । ତାଙ୍କର ଗୁଣଗାନକୁ କେହି କେହି ବି ମନେପକାଇ କୁହନ୍ତି, ଆହା ବିଚରା ଭଲ ମଣିଷଟିଏ ଅମକରେ। ଜୁଳୁ ଜୁଳୁ ଅନାଇ ଆହାପଦେ କୁହନ୍ତି। ଆଉ ବୁଢ଼ାବୁଢ଼ୀମାନେ ପୁରୁଣାକଥାକୁ ମନେପକାଇ ଆଖିରୁ ଲୁହ ଗଡ଼ାଇ କୁହନ୍ତି, ଆମର ଆଉ ଦିନ କେଇଟା ରହିଲା। ହେଲେ ଯେଉଁ ଚିହ୍ନା ମୁହଁମାନେ ସାହିରେ ଚଲାବୁଲା କରୁଥିଲେ ମୁରବି ପଣିଆ ବୋଲାଉଥିଲେ ଚାହୁଁ ଚାହୁଁ ସେ ଚାଲିଗଲେ, ସମସ୍ତଙ୍କୁ ଚକିତ ଲାଗେ। ତେବେ ସାହିଭାଇ କୁଟୁମ୍ବ ଆସନ୍ତି। କିଏ ଧୋବା , କିଏ ବାରିକକୁ ଡାକେ , କିଏ କୁଟା କେରାଏ ତ କିଏ ବାଉଁଶ ହାଣିଆଣେ। କିଏ ପାଳରେ ଦଉଡ଼ି ବୋଳି ପକାଏ, ଆଉ କିଏ ଅମୁକ ଅମୁକ ଜିନିଷ ଆସିବ ବୋଲି କୁହେ। କିଏ ପୁଣି କହିଦିଅନ୍ତି ଆରେ ଛଅ ଖଣ୍ଡ ବାଉଁଶରେ ହେବ କୋକେଇ। ହିନ୍ଦୁ ରୀତିନୀତିରେ ଛ’ଖଣ୍ଡରୁ ଚାରିଖଣ୍ଡ ଛୋଟ ଏବଂ ଦୁଇଖଣ୍ଡ ବଡ଼ ଲମ୍ବାବାଉଁଶରେ ପାଳ ଦଉଡ଼ିରେ ବନ୍ଧାଯାଇ କୋକେଇ ହୁଏ। କୋକେଇ ପ୍ରସ୍ତୁତି ପରେ ନିଆଁ ଅଟା ତିଆରି ହୁଏ। ମୃତଦେହକୁ ସଫାସତୁରା କରାଯାଇ କୋକେଇରେ ଶୂନ୍ୟକୁ ହାତ ଖେଳାଇ ଶୁଆଇ ଦିଆଯାଇଥାଏ। ମାଲଭାଇ ମାନେ ମୃତକଙ୍କୁ କୋକେଇରେ କାନ୍ଧେଇ ଖୁବ୍‌ ସମ୍ମାନ ସହ ନେଉଥିବା ବେଳେ ଧର୍ମର କଥା ମନେପଡ଼େ। ରାମ ନାମ ସତ୍ୟହେ ଧ୍ୱନି ମୁଖରିତ ବେଳେ ପରିବେଶରେ ଆତ୍ମୀୟସ୍ବଜନଙ୍କ କାନ୍ଦବୋବାଳିରେ ଚତୁର୍ଦିଗକୁ ପ୍ରତିଧ୍ୱନି କରୁଥାଏ। ଆଗେ ଆଗେ ଚାଲିଥାନ୍ତି ମାଲଭାଇ । କୋକେଇର ଆଗରେ ଶୁଭଖଇ ଓ କଉଡ଼ି ବିଞ୍ଚାଇ ଚାଲିଥାନ୍ତି ଆତ୍ମୀୟଜନ। ପଛେ ପଛେ ଗୋବରପାଣି ଛିଞ୍ଚାଯାଏ। ତେବେ ଦିନରାତି ଶୀତ, ବର୍ଷା ଓ ଖରା ସବୁ ସମୟରେ ସମସ୍ତଙ୍କ ପାଇଁ ଖୋଲା ରହିଥାଏ ମଶାଣି ଭୂଇଁ। ଏଇମଶାଣି କ୍ଷଣିକ ଭିତରେ ସମସ୍ତଙ୍କୁ ଆପଣେଇ ଏକାଠି କରେ।ତେବେ ମଶାଣିରେ ଶବଦାହ ସମୟରେ କେଉଁଠି କେଉଁ ଭାଗରେ କାଠ ଦେଲେ କମ ସମୟ ମଧ୍ୟରେ ଦାହ କରିହେବ ପୁରୁଖା ମାଲଭାଇମାନଙ୍କୁ ଜଣାଥାଏ। ଶବକୁ ମଶାଣିକୁ ଆଣି ମଶାଣି ଚୁଲାରେ କାଠକୁ ସାଇଜକରି ରଖାଯାଇଥାଏ। କେତେକ ପାରମ୍ପରିକ ରୀତି ନୀତିରେ ଶବସତ୍କାର କରାଯାଇଥାଏ। ଜୁଇ ପାଖରେ ଶବକୁ ସାତଘେରା ବୁଲା ଯାଏ। ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ମାଲଭାଇମାନେ ଶବକୁ ଜୁଇରେ ଶୁଆଇଥାନ୍ତି। ପରିବାର ପୁଅ କିମ୍ବା ଝିଅ ବି ମୁଖାଗ୍ନି ଦେଇଥାନ୍ତି। ଶବ ଉପରେ କାଠ ଲଦାଯାଏ, ଯେପରି ମୃତ ଲୋକର ଆଣ୍ଠୁଗଣ୍ଠି ଭାଙ୍ଗି ବଙ୍କା ହୋଇ ନ ଉଠେ। ମୁଖାଗ୍ନି ଦେବାରେ ଶବକୁ କେହି କେହି ଉତ୍ତରମୁହାଁ କରି ମୁଖାଗ୍ନି ଦିଅନ୍ତି। ଚିତାରେ ନିଆଁ ସଂଯୋଗ ମାତ୍ରେ ହୁତୁହୁତୁ ହୋଇ ଜଳେ। ସାରା ପରିବେଶ ନିଆଁ ଧାସରେ ତତଲା ହାଓ୍ବା ଖେଳିଯାଏ। ମଶାଣିକୁ ନୂଆକରି ଆତ୍ମୀୟଜନଙ୍କୁ ଦେଖିବାକୁ ଯାଉଥିବା ଲୋକଙ୍କୁ ମାଲଭାଇମାନେ ଶବ ଜଳିବାବେଳେ ଗଣ୍ଠିଫୁଟିବା ମୁଣ୍ଡଫୁଟିବାର କଥା କହିଥାନ୍ତି । ମୁର୍ଦ୍ଦାରଟା ଯେବେ ଜୁଇ ନିଅଁା ଉପରେ ସେଁ ସେଁ କରେ କି ତା’ର ସେଙ୍ଗେଡ଼ା ହୋଇ ଉପରକୁ ବାହାରିପଡ଼େ ତେବେ ମାଲଭାଇମାନେ ଲମ୍ବା ବାଉଁଶ କି କାଠରେ ଶବକୁ ଓଟାରିଆଣି କେଞ୍ଚି ଜୁଇରେ ପକାଇ ଦିଅନ୍ତି। ତେବେ ଶବ ଦାହ ପରେ ଅସ୍ଥି ସଂଗ୍ରହ ପାଇଁ କିଛି ବିଧି ବି ରହିଥାଏ। ବିଧି ଅନୁସାରେ କିଛି ଦ୍ରବ୍ୟ ଯଥା ହଳଦୀପାଣିରେ ଅସ୍ଥିକୁ ବୁଡ଼ାଯାଏ । ପରେ ମଶାଣିରେ ମାଟି ବା ବାଲିରେ ଏକ ମଣିଷ ଆକୃତି ତିଆରି କରାଯାଏ। ମୂର୍ତ୍ତି ପେଟ ଉପରକୁ ଅସ୍ଥି ରଖାଯାଏ। ତା’ ପରେ ହଳଦୀ କନା ପେଟ ଓ କାନ୍ଧ ଉପରେ ରହେ ପୁଣି ହଳଦୀ କନାରେ ପାଞ୍ଚଟି କାଠିରେ ଗୁଡ଼ାଇ ରଖାଯାଏ। ହାତ ଓ ମୁଣ୍ଡ ପାଖରେ ପୋତାଯାଏ। ଅସ୍ଥି ଉପରେ ପଞ୍ଚଶସ୍ୟ ପକାଯାଏ। ମୂର୍ତ୍ତିର ଦୁଇପାଦ ପାଖରେ ଦୁଇଟି ଗାତ ଖୋଳାଯାଏ । ଗୋଟିଏ ଖାଲରେ ପାଣି ଅନ୍ୟଟିରେ ପଣା ଦିଆଯାଏ। ପୁଣି ପଇଡ଼ ପାଣି ମୂର୍ତ୍ତି ଓ ଅସ୍ଥି ଉପରେ ଦିଆଯାଇଥାଏ। ପରେ ଛୋଟ ମାଟିଘଡ଼ିରେ ଅସ୍ଥିକୁ ରଖି ତା’ ମୂର୍ତ୍ତିକୁ ଘୋଡ଼ାଯାଇ ଘରକୁ ଅଣାଯାଇଥଏ। ତେବେ ମଶାଣିକୁ ନେଇ ଅନେକକଥା ଅନେକ କାହାଣୀ, ଯେମିତି ରାଜା ହରିଶ୍ଚନ୍ଦ୍ରଙ୍କ ଶ୍ମଶାନ ଜଗିବା କଥା ପୁରାଣରେ ରହିଛି। ପଦ୍ମଶ୍ରୀ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ – ଛୋଟ ମୋର ଗାଁଟି- ମାଟିର ସେଇ ସରଗମୋର, ସେଇଟି ଅଛି ମୋ ଷଠିଘର, ଜଳିବ ପୁଣି ସେଇଠି ଶେଷେ ମୋହର ଚିତା ନିଆଁଟି, ଛୋଟ ମୋର ଗାଁଟି। ଆଜିକାଲି ଆଉ ସେତେବେଳର ମଶାଣି ନାହିଁ, ଅନେକ ସ୍ଥାନରେ ବଦଳିଗଲାଣି ମଶାଣିର ରୂପ। ବଦଳି ଯାଉଛି ସେଠାର ପରିବେଶ। ବିଦ୍ୟୁତଚୁଲା ରହିଛି । ସୁଇଚ ଟିପିଲେ ମୁହୂର୍ତ୍ତକରେ ଶବଦାହ କାଯର୍‌ୟଶେଷ ହେଉଛି। କିନ୍ତୁ ଆମ ସଂସ୍କୃତିର କେତେକ ପ୍ରଚଳିତ ଧାରା ମଶାଣିକୁ ନେଇ ରହିଛି। -ଏକଥା ସତ ଯେ ଯେମିତି ଜୀବନ ସହିତ ମୃତ୍ୟୁର ସମ୍ପର୍କ ସେମିତି ମଶାଣି ସହିତ ମଣିଷର ।

ମଶାଣି ପାଲଟିଛି ସବୁଜ ଉଦ୍ୟାନ- ନୟାଗଡ଼ ଜିଲାରେ ଏମିତି ଏକ ସ୍ଥାନ ରହିଛି ; ଯାହାକୁ ଦୂରରୁ ଦେଖିଲେ କାହାରି ମନରେ ହୁଏତ ସନ୍ଦେହ ଉପୁଜିବ ଏହା ପାର୍କ ନା ଶ୍ମଶାନ ! ତେବେ ଏମିତି ପରିବେଶକୁ ହଠାତ୍‌ ଠଉରାଇବା ମୁସ୍କଲି। ତେବେ ଅଧିକାଂଶ ସ୍ଥାନରେ ସରକାରୀ ଅନୁଦାନରେ ଶ୍ମଶାନ ନିର୍ମାଣ ହୋଇଛି। ମାତ୍ର ଆଉ କେତେକ ସ୍ଥାନରେ କଁା ଭଁା ବ୍ୟକ୍ତିବିଶେଷଙ୍କ ଉଦ୍ୟମରେ ଅର୍ଥବ୍ୟୟ କରାଯାଇ ଶ୍ମଶାନ ପରିସର ମଧ୍ୟରେ ବିଭିନ୍ନ ବୃକ୍ଷଲତାର ଉଦ୍ୟାନ କରାଯାଇଥିବା ଏବେ ଦେଖିବାକୁ ମିଳୁଛି। ଏହାଦ୍ୱାରା ଶ୍ମଶାନର ନୂଆରୂପ ଲୋକଙ୍କ ମନରେ ସ୍ବଚ୍ଛତା ଓ ସୁନ୍ଦର ପରିବେଶର ସକାରାତ୍ମକ ପ୍ରଭାବ ପକାଉଛି। ଏପରି ସ୍ଥାନ ନିଆରା ମନୋରଞ୍ଜନର ମାଧ୍ୟମ ପାଲଟିଛିି । ଏହି ଜିଲାର ସଦର ବ୍ଲକ ବିରୁଡା ପଞ୍ଚାୟତର ବିରୁଡାରେ ଥିବା ଶ୍ମଶାନର ସୌନ୍ଦର୍ଯ୍ୟକରଣକୁ ଦେଖି ବ୍ଲକ ପ୍ରଶାସନ ନିଜ ହେପାଜତକୁ ନେଇ ଉନ୍ନତୀକରଣରେ ଲାଗି ପଡିଛି । ବିରୁଡାରେ ପରିତ୍ୟକ୍ତ ହୋଇ ପଡିଥିବା ଶ୍ମଶାନକୁ ଗଁା ଲୋକେ ସଫେଇ କରିଥିଲେ। ପରେ ଏଥିରେ ଫୁଲଗଛ ଲଗାଇଥିଲେ । ଏପରି କି ବିଭିନ୍ନ ପ୍ରକାରର ଚିତ୍ରକଳା ଓ ନୀତିବାଣି ଲେଖି ସୌନ୍ଦର୍ଯ୍ୟକରଣର ଦାୟିତ୍ୱ ନେଇଥିଲେ । ବ୍ଲକ ପ୍ରଶାସନ ଏହାର ନିର୍ମାଣର ଦାୟିତ୍ୱ ନେବା ପରେ ଶ୍ମଶାନର ରୂପରେଖ ପୂରା ବଦଳିଗଲା। ଏଠାରେ ସିଂହ, ବାଘ, ମୟୂର,ବୁଦ୍ଧଦେବଙ୍କ ପରି ଅନେକ ଚିତ୍ର ଦେଖିବାକୁ ମିଳୁଛି । ପ୍ରାଚୀର କାନ୍ଥରେ ଯମ ଦଣ୍ଡକୁ ନେଇ ବିଭିନ୍ନ ପର୍ଯ୍ୟାୟର ଛବି ଶୋଭାପାଉଛି । ପାପ କଲେ ନର୍କଗାମୀ ଓ ଧର୍ମକଲେ ପୁଣ୍ୟମିଳିଥାଏ ବୋଲି ସଂସ୍କାରଧର୍ମୀ ବାର୍ତ୍ତା ଉଲ୍ଲେଖ ରହିଛି । ପୁଣି ପଥରରେ ଖୋଦିତ ବିଭିନ୍ନ ଦେବଦେବୀ ଏଠାରେ ସ୍ଥାନ ପାଇଛନ୍ତି । ପୌରାଣିକ କାହାଣୀ ଭାବେ- ଦାନବୀର ହରିଶ୍ଚନ୍ଦ୍ର, ଶ୍ରବଣ କୁମାରଙ୍କ ମାତୃପିତୃ ଭକ୍ତିର ଛବି, ନଚିକେତା ଓ ସତ୍ୟବାନ ସାବିତ୍ରୀଙ୍କ ଚେତନାଧର୍ମୀ କାହାଣୀର କଥା ଉପରେ ଆଧାରିତ ମୂର୍ତ୍ତି ସ୍ଥାନ ପାଇଛି। ମଶାଣି ପରିସର ଆଲୋକୀକରଣ ହୋଇଛି। ପାଣିର ବ୍ୟବସ୍ଥା ସହ ବସିବା ପିଣ୍ଡି ଓ ଚୌକି ରହିଛି । ବିଭିନ୍ନ ଫୁଲଗଛର ସମ୍ଭାର ଏହାର ଶୋଭାକୁ ବଢ଼ାଉଛି । ଘାସ ଗାଲିଚାର ସୌନ୍ଦର୍ଯ୍ୟ ମଧ୍ୟ କମ ନୁହେଁ । ଶ୍ମଶାନକୁ ନେଇ ଥିବା ଭୟର ମାନସିକତା ଏଠାରେ ନାହିଁ । ମୃତଦେହକୁ ସତ୍କାର କରିବାକୁ ରହିଛି ସବୁ ପ୍ରକାରର ବ୍ୟବସ୍ଥା । ଏବେ ପିଲାଠାରୁ ଆରମ୍ଭକରି ବୁଢ଼ା ସେଲ୍ଫି ଉଠାଇ ମଜା ନେଉଛନ୍ତି । ସୁନ୍ଦର ସୁନ୍ଦର ପେଣ୍ଟିଂ ଓ ସୁନ୍ଦର ପରିବେଶରେ ଆସି ଜମାଉଛନ୍ତି ଖଟି । ଏନେଇ ନୟାଗଡ ଉପଜିଲାପାଳ ଲଗ୍ନଜିତ ରାଉତ କୁହନ୍ତି ବିରୁଡାର ଶ୍ମଶାନକୁ ଗଲେ ପାର୍କକୁ ଗଲା ପରି ଲାଗୁଛି । ଏଠାରେ ଶ୍ମଶାନର ଭୟ ନାହିଁ।ଖଁା ଖଁା ଲାଗୁଥିବା ଶ୍ମଶାନରେ ଏବେ ଭିଡ ଜମୁଛି । ସରପଞ୍ଚମାନେଏହିପରି କିଛି କାମ କରି ଜିଲାର ବିକାଶରେ ସହଯୋଗ କରନ୍ତୁ । ଅନନ୍ୟା ଫାଉଣ୍ଡେସନର ସଭାପତି ନୀଳମଣି ସ୍ବାଇଁ କୁହନ୍ତି ବିରୁଡାର ଶ୍ମଶାନର ରୂପରେଖ ପରିବର୍ତ୍ତନ କରିବାରେ ଗଁାଲୋକ, ସରପଞ୍ଚ, ଅନନ୍ୟା ଫାଉଣ୍ଡେସନ ଓ ବ୍ଲକ ପ୍ରଶାସନର ଉଦ୍ୟମ ପ୍ରଶଂସନୀୟ। ଏହାଦ୍ୱାରା ସମାଜକୁ ଏକ ଭଲବାର୍ତ୍ତା ଦେଉଛି। ନୟାଗଡ ବିଡିଓ ମନୋଜ ପାତ୍ର କୁହନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥ କମିଶନ ଅନୁଦାନ ସହ ଏମଜିଏନଆରଇଜିଏସ ଜରିଆରେ ପ୍ରାୟ୨୦ ଲକ୍ଷ ଟଙ୍କା ବିରୁଡା ଶ୍ମଶାନରେ ଖର୍ଚ୍ଚହୋଇ ସାରିଲାଣି । ଆଗକୁ ପୁଣି ଅଧିକ ଅର୍ଥ ବ୍ୟୟ ହେବାର ବ୍ୟବସ୍ଥା କରାଯାଇଛି । ଏହା ଏକ ମଡେଲ ଶ୍ମଶାନ ହେବ । ଶ୍ମଶାନ ପ୍ରତି ଭୟ ଦୂର କରିବା ଓ ଲୋକଙ୍କ ମନରୁ ଅନ୍ଧ ବିଶ୍ୱାସକୁ ଦୂର କରିବାକୁ ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା କରାଯାଇଛି ।

ମଶାଣିକୁ ବି ଘଡିଏ ଚାହିଁବେ : ନୟାଗଡ଼ ଜିଲାର ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ରଣପୁର ପୂର୍ତ୍ତ ବିଭାଗ ରାସ୍ତାର ମନ୍ଦାକିନୀ ନଦୀ କଡ଼ର ପଶ୍ଚିମପଟେ ରହିଛି ରଣପୁର ମଶାଣି । ପ୍ରାୟ ୪୫ ଡିସିମିଲ ପରିମିତ ମଧ୍ୟରେ ରହିଥିବା ଏହି ମଶାଣିିଟି ରଣପୁର ଓ୍ବାର୍ଡ ନଂ. ୨ର ଅଧୀନ। ତେବେ ରଣପୁରରୁ ସୁନାଖଳା ରାସ୍ତାରେ ଯା’ଆସ କରୁଥିବା ଅଧିକାଂଶ ପଥଚାରୀଙ୍କ ନଜର ବି ପଡିପାରେ ଏକଫୁଲ ବଗିଚା ମଧ୍ୟରେ ରହିଥିବା ମଶାଣି ଉପରେ। ଏଠାରେଥିବା ଶୂନ୍ୟଛାତଘର କାନ୍ଥରେ ଲେଖାଥିବା କିଛି ମହତ୍‌ ବାଣୀ ଉପରେ। ମାତ୍ର ଏହି ସ୍ଥାନଟି ଏକ ମଶାଣି ଭୂଇଁ।ଏ ସମ୍ପର୍କରେ ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ କୈଳାସଚନ୍ଦ୍ର ରଥ କୁହନ୍ତି- ଶ୍ମଶାନ ହେଉଛି ଏକ ପବିତ୍ର ଜାଗା। ଏହା ମଣିଷଙ୍କୁ ପ୍ରକୃତ ଜୀବନର ମୋକ୍ଷପ୍ରାପ୍ତିର ମାର୍ଗ ଦର୍ଶନ ପାଇଁ ଶିକ୍ଷା ଦେଇଥାଏ। କିପରି ସଂସ୍କାରୀ ହୋଇ ଜୀବନରେ କିଛି ଉତ୍ସର୍ଗୀକୃତ କାର୍ଯ୍ୟ କରିବା ପାଇଁ ସଙ୍କଳ୍ପ ନେବାର ଆହ୍ବାନ ଦିଏ। ତେବେ ଥରେ ଡିଙ୍ଗର ଶ୍ମଶାନର ପରିବେଶରେ ବିଭିନ୍ନ ଗଛଲତାରେ ପରିପୂର୍ଣ୍ଣ ସୁନ୍ଦରଉଦ୍ୟାନ ଦେଖି ପ୍ରଭାବିତ ହୋଇଥିଲି। ତା’ ପରେ ୨୦୧୮ ମସିହା ଜାନୁୟାରୀ ୨୧ରେ ସୂର୍ଯ୍ୟନାରାୟଣ ବେହେରା, ରାଜ କିଶୋର ପ୍ରଧାନଙ୍କ ସହିତ ମିଶି ରଣପୁର ମଶାଣିକୁ ସୁନ୍ଦର କରିବା ପାଇଁ ପ୍ରୟାସ କରିଥିଲୁ। ଖଲି ପୃଷ୍ଟି ନାମକ ଜଣେ ବ୍ୟକ୍ତି ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ମଶାଣି ପାଇଁ କିଛି ଜାଗା ଦାନ କରିଛନ୍ତି । ଏଠାରେ ବିଭିନ୍ନ ପ୍ରକାରର ଫୁଲଗଛ ଲଗାଇ ଯତ୍ନ ନେଲୁ। ସରକାରୀ ସହାୟତାରେ ଶୂନ୍ୟ ଛାତ କରାଯାଇଛି। ରାତିରେ ଆଲୋକୀକରଣ କରାଗଲା। ଘାଟ ନିର୍ମାଣ ସେବା ସଂଘର କର୍ମକର୍ତ୍ତାମାନେ ଏହାର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ସମୟରେ ନାନା ପ୍ରକାରର ସେବାକାର୍ଯ୍ୟ କରି ଆସୁଛନ୍ତି। ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର କୁହନ୍ତି, ଏହି ମଶାଣିରେ ଶିବଙ୍କ ଫଟୋଚିତ୍ର, ବିଭିନ୍ନ ଫୁଲଗଛ ଓ କେତେକ ନୀତିବାଣୀ ଲେଖାଯାଇଛି; ଯାହା ଏଠାର ପରିବେଶରେ ଶବ ବାହକ କିମ୍ବା ମୃତକଙ୍କ ଆତ୍ମୀୟସ୍ବଜନଙ୍କ ମନରେ ନିଆରା ଭାବ ସୃଷ୍ଟି କରିଥାଏ। ସେବାସଂଘର ସଦସ୍ୟ କବିର ବେହେରା କୁହନ୍ତି, ଶ୍ମଶାନ ଦେବାଳୟ ସଦୃଶ। ସର୍ବଦା ପରିଷ୍କାର ପରିଚ୍ଛନ ମନରେ ପବିତ୍ରତା ସୃଷ୍ଟି କରଥାଏ। ପ୍ରତିଦିନ ସକାଳେ ଓ ଅପରାହ୍ନରେ ଏଠାକୁ ଆସି ଏଠାର ପରିବେଶକୁ ସଫାସୁତୁରା ରଖିବା ପାଇଁ ଉଦ୍ୟମ କରିଥାଏ। ଏହି ପରିବେଶକୁ ଅନ୍ୟମାନେ ଦେଖି ଖୁସୀ ହୋଇପଡ଼ନ୍ତି। ତେବେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ବିଶି କୁହନ୍ତି, ଏହି ମଶାଣିର ବିଭିନ୍ନ ସୌନ୍ଦର୍ଯ୍ୟକରଣ ପାଇଁ ମଡେଲ ଶ୍ମଶାନରେ ପରିଣତ କରିବା ଯୋଜନା ରହିଛି। ରଣଜିତ୍‌ ସାମନ୍ତରା କୁହନ୍ତି, ଏବେ ବିଭିନ୍ନ ଯୁବଗୋଷ୍ଠୀ ଏଥିରେ ମଧ୍ୟ ସାମିଲ ହୋଇ ସେବାକାର୍ଯ୍ୟ କରିଥାନ୍ତି।

ମଶାଣି ଲାଗୁନି ଖାଁ ଖାଁ, ହସୁଛି ସୁନ୍ଦର ଉଦ୍ୟାନ-: ଖୋର୍ଦ୍ଧା ଜିଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ଡିଙ୍ଗର ଗ୍ରାମପଞ୍ଚାୟତର ଊତ୍ତର ଦିଗକୁ ଥିବା ପର୍ଶୁରାମପୁର ମୌଜାରେ ରହିଛି ଗୋଟିଏ ସରକାରୀ ଶୂନ୍ୟଛାତ ମଶାଣିଘର, ଚୁଲା। ସେହିପରି ଆଉ ଗୋଟିଏ ଚୁଲା ତିଆରି କରାଯାଇଛି। ଯାହା କି ଗ୍ରା:ପ:ର ଅନ୍ୟ ମଶାଣିଠାରୁ ଟିକେ ଭିନ୍ନ । ଏ ସମ୍ପର୍କରେ ବିଶ୍ୱନାଥ ମାର୍ଥା (ଓରଫ କାଳୁ)କୁହନ୍ତି, ଘରେ ଖଡ଼ିପଥର କାମ କରେ। ବିଭିନ୍ନ ମୂର୍ତ୍ତି ଗଢ଼େ। ହେଲେ ପିଲାଟି ଦିନରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସେବା ଆଦର୍ଶରେ ନିଜକୁ ଗଢ଼ିବା ପାଇଁ ପ୍ରୟାସ କରିଥାଏ। ବିଭିନ୍ନ ସମୟରେ ଜନସଚେତନତା କାର୍ଯ୍ୟ କରିଥାଏ। ଏମିତିରେ ଗାଁ ମଶାଣିରେ ୨୦୧୭ ମସିହାରେ ବିଭିନ୍ନ ଔଷଧୀୟ ବୃକ୍ଷଲତା ଲଗାଇ ତା’ର ଯତ୍ନ ନେବାରୁ ଏବେ ଏଠାରେ ଆମ୍ବ, ପଣସ, ଅଁଳା, ଶାହାଡ଼ା ଏବଂ କେତେକ ଫୁଲ ଗଛର ଉଦ୍ୟାନ ହୋଇଛି। ଏପରି କି ଏଠାରେ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଓଷଧୀୟ ବୃକ୍ଷଲତା ଲାଗିଛି। ଏଥିପାଇଁ ପ୍ରକୃତିବନ୍ଧୁ ପୁରସ୍କାର ବି ମିଳିଛି। ହେଲେ ମଶାଣି ପରିବେଶ ସବୁଜ ସୁନ୍ଦର ହୋଇଗଲା। ଆମ ଗାଁର ୪ଟା ସାହିର ପ୍ରାୟ ଦେଢ ହଜାର ଲୋକ ଏହି ମଶାଣି ଉପରେ ନିର୍ଭରଶୀଳ। ଏବେ ଏହି ମଶାଣି ପରିବେଶ ଖାଁଖାଁ ଲାଗୁନି। ଚାରିଆଡ଼େ ଗଛଲତାରେ ପରିପୂର୍ଣ୍ଣ। ପରିବେଶ ସୁରକ୍ଷା ପ୍ରତି ନଜର ଦେବାକୁ ଏଠାରେ ବିଭିନ୍ନବୃକ୍ଷ ରୋପଣ କରାଯାଇଛି। ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ କେତେକ ବିଜ୍ଞାନ ସମ୍ମତ ଓ ମହତବାଣୀ ଲେଖାଯାଇଛି; ଯାହାକି ଲୋକଙ୍କୁ ସଚେତନ କରାଇଥାଏ।

ମଶାଣି ଦେଉଛି ସ୍ବଚ୍ଛତାର ବାର୍ତ୍ତା: ଖୋର୍ଦ୍ଧା ଜିଲାର ବେଗୁନିଆବ୍ଲକ ଅନ୍ତଗର୍ତ ସିକୋ ଗ୍ରାମପଞ୍ଚାୟତରେ ରହିଛି ପ୍ରାୟ ୭ଟି ମଶାଣି । କିନ୍ତୁ ଗାଁର ପୂର୍ବ ଦିଗରେ ରହିଥିବା ଚନ୍ଦ୍ରଶେଖରପୁର ମଶାଣିଟି ଗାଁର ଅନ୍ୟ ମଶାଣିଠାରୁ ଟିକେ ନିଆରା। ଜଗନ୍ନାଥ ସଡ଼କର କଡ଼ରେ ଏହି ମଶାଣି ରହିଥିବାରୁ ଅଧିକାଂଶ ପଥଚାରୀମାନଙ୍କ ଦୃଷ୍ଟି ଆକର୍ଷଣ ହେଉଛି ।
ଗ୍ରାମର ସରପଞ୍ଚ ସୁରେଶ ଚନ୍ଦ୍ର ସାହୁ କୁହନ୍ତ, ଏହି ମଶାଣି ଉପରେ ଗ୍ରାମର ପ୍ରାୟ ୧୦ଖଣ୍ଡ ସାହି ନିର୍ଭରଶୀଳ। ପ୍ରାୟ ଦେଢ ଏକର ପରିମିତ ଅଞ୍ଚଳ ବିଶିଷ୍ଟ ମଶାଣିର ପରିସର ମଧ୍ୟରେ ରହିଛି ପଥର ପାଚେରି। ଏହି ପାଚେରି କାନ୍ଥରେ ଦାନବୀର ହରିଶ୍ଚନ୍ଦ୍ରଙ୍କ ପୁରାଣ କଥାଚିତ୍ର ଓ ମହତ ବାଣୀ ଶୋଭାପାଉଛି। ମଶାଣିର ପରିସର ମଧ୍ୟରେ ଅଳିଆ ଆବର୍ଜନା ପକାଇବା ପାଇଁ ୬ଟି କୁଣ୍ଡ ରହିଛି। ୨ଟି ଶୂନ୍ୟଛାତ ଘର ରହିଛି। ୩ଟି ଶବଦାହ ଚୁଲା ରହିଛି। ବ୍ୟବହାର ପାଇଁ ପାଣିଟାଙ୍କି ବି ରହିଛି। ୨୦୨୦ ରେ ଏହି ମଶାଣିର ସୌନ୍ଦର୍ଯ୍ୟକରଣ ହୋଇପାରିଛି। ଏଥିପାଇଁ ପ୍ରାୟ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ସରିଛି। ତେବେ ମଶାଣି ଏକ ପବିତ୍ର ସ୍ଥାନ। ଧନୀ, ଗରିବ, ଗୁଣିଜ୍ଞାନୀ, ଶତ୍ରୁ ମିତ୍ର, ପରଆପଣାର ସଭିଏଁ ପାଆନ୍ତି ସ୍ଥାନ। ମୃତ୍ୟୁ ଯେତେ ନିଷ୍ଠୁର ହେଲେ ବି ଦୁଃଖ ସମୟରେ ସତ୍ୟ, ଧର୍ମ ଓ କର୍ମରଫଳ ଭୋଗିବାକୁ ହୋଇଥାଏ। ତେବେ ବଦଳୁଛି ମଶାଣିର ରୂପ, ବଦଳୁଛି ତା’ର ପରିବେଶ । ଏମିତି ମଶାଣିରେ ସ୍ବଚ୍ଚତା ଓ ଆଧାତ୍ମିକ ପରିବେଶ ନିରାଶ ମନରେ ଧୈଯର୍‌ୟ ଏବଂ ସରସତା ଭରିଦେବାର ନିଆରା ପ୍ରୟାସ ସୃଷ୍ଟିକରେ ।

-ବନବିହାରୀ ବେହେରା,ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

ଦେଶର ସବୁଠାରୁ ବଡ ଭୋଟର ପରିବାର, ୧୦-୨୦ ନୁହେଁ ଗୋଟିଏ ପରିବାରରେ ଭୋଟରଙ୍କ ସଂଖ୍ୟା ଶହେରେ

ଗୁଆହାଟି,୧୫।୪: ଲୋକ ସଭା ନିର୍ବାଚନ ୨୦୨୪ରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ସମୟରେ ଆସାମରେ ଏକ ପରିବାର...

ଇସ୍ରାଏଲ-ଇରାନ ବିବାଦ ମଧ୍ୟରେ ଆନନ୍ଦ ମହିନ୍ଦ୍ରାଙ୍କୁ ପସନ୍ଦ ଆସିଗଲା ଏହି ଗୋଟିଏ ଜିନିଷ: କହିଲେ, ଭାରତକୁ ବି ଏହା ଆବଶ୍ୟକ

ନୂଆଦିଲ୍ଲୀ,୧୫।୪: ଅନେକ ଦିନ ପରେ ନୀରବ ରହିବା ପରେ ଶେଷରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଏହି ବିବାଦ ଉପରେ ସମଗ୍ର...

ବିବାହରେ ଅପେକ୍ଷା କରିଥିଲେ ଅତିଥି, ହନିମୁନ୍‌ରେ ବାହାରିଲେ ବରକନ୍ୟା, ଲଜ୍ଜିତ ହେଲେ ପରିବାର

ବିବାହ ହଲ୍‌ରେ ପ୍ରବେଶ କରିବା ପୂର୍ବରୁ ଆପଣ ବର କିମ୍ବା କନ୍ୟାଙ୍କର ଅନେକ କାହାଣୀ ଶୁଣିଥିବେ ନିଶ୍ଚୟ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଉଭୟ...

Featured Video Play Icon

ସଫେଇ କର୍ମଚାରୀରୁ IAS ଅଫିସର

ଅବଦୁଲ୍ ନସର । ୫ ବର୍ଷ ବୟସରେ ମାତାପିତାଙ୍କ ଘଟିଥିଲା ମୃତ୍ୟୁ ।ଏହାପରେ ତାଙ୍କର ଲାଳନ ପାଳନ ହୋଇଥିଲା ଅନାଥ ଆଶ୍ରମରେ । କିନ୍ତୁ ଭାଗ୍ୟ...

ଗାଧୋଇବା ପାଇଁ ଅନ୍ୟ ଦେଶକୁ ବିମାନ ଯାତ୍ରା କଲେ ଏହି ଯୁବକ, ଖର୍ଚ୍ଚ କଲେ ଏତିକି ଟଙ୍କା…

ମୁମ୍ବାଇ: ଦୁନିଆରେ ଅଜବ ଧରଣର ଲୋକ ରହିଛନ୍ତି। କିଛି ଲୋକଙ୍କର ଅଜବ ସଉକ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ସେମିତି ଜଣେ ଯୁବକଙ୍କ ଫିଟୋ...

ଲାଞ୍ଚଂ ଶରଣଂ ଗଚ୍ଛାମି

ଥରେ ଜୀବେ ଦୟା ବିଷୟରେ ପ୍ରବଚନ ଶୁଣିଲା ପରେ ଉଦବୁଦ୍ଧ ହୋଇ ବାଟରେ ଯାଉଥିବା ଗାଈକୁ ଟିକେ ଆଉଁସି ଦେଲି । ଜାଗା ଅଜାଗାରେ ହାତ...

ମୋନାଲିସା ପେଣ୍ଟିଂ ଏତେ ପ୍ରସିଦ୍ଧ କ’ଣ ପାଇଁ? ଜାଣନ୍ତୁ ରହସ୍ୟ…

ଇଟାଲିର ମହାନ ଚିତ୍ରକର ଲିଓନାର୍ଡୋ ଦା ଭିନ୍ସିଙ୍କ ହାତର ଯାଦୁକରୀ ହେଉଛି ପୃଥିବୀ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ। ୧୫୦୩ରୁ ୧୫୦୬ ମସିହା ମଧ୍ୟରେ ତିଆରି ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri