ପ୍ରଥମ ବନ୍ଧୁ ପଡ଼ୋଶୀ

ସାଧାରଣତଃ ଗାଁ ବା ସହରରେ ଆମ ଘର ଚାରିପାଖରେ ରହୁଥିବା ପରିବାରମାନେ ହେଉଛନ୍ତି ପଡୋଶୀ। ସେହି ପଡୋଶୀମାନଙ୍କୁ ପ୍ରଥମ ବନ୍ଧୁ ବୋଲି କୁହାଯାଏ। ଏହା ସମାଜ ସ୍ବୀକୃତ। କାରଣ ସେମାନେ ପ୍ରତ୍ୟେକଟି ଦୁଃଖସୁଖର ଘଟଣାରେ ଆାମ ସହ ଯୋଡି ହୋଇ ରହନ୍ତି ଓ ଉପସ୍ଥିତ ହୁଅନ୍ତି। ଆମର ପ୍ରତ୍ୟେକ ଘଟଣା ସହ ଜଡିତ ହୋଇ ସକାରାତ୍ମକ ନିରୀକ୍ଷଣ ମଧ୍ୟ କରିଥାନ୍ତି। ତେବେ ଯେଉଁଠି ପଡୋଶୀଙ୍କ ସହ ମନାନ୍ତର ଘଟିଥାଏ, ସେଠି ଉଭୟ ପରିବାର ପକ୍ଷେ ଚଳିବା ମୁସ୍କିଲ ହୁଏ। ଏଣୁ ପ୍ରତ୍ୟେକ ପରିବାର ତାଙ୍କ ପଡୋଶୀଙ୍କ ସହ ଉତ୍ତମ ସମ୍ପର୍କ ରଖି ଚଳିବା ଜରୁରୀ। ଯେମିତି ଘରେ ସବୁ ଭଲ ମନ୍ଦକୁ ଆଦରି ଚଳିବାକୁ ପଡେ ସେମିତି ପଡୋଶୀ ଭଲ ହୁଅନ୍ତୁ ବା ଖରାପ ତାଙ୍କ ସହ ଉତ୍ତମ ସମ୍ପର୍କ ଓ ବୁଝାମଣା ରଖିବା ହେଉଛି ବୁଦ୍ଧିମାନ ବ୍ୟକ୍ତିଙ୍କର ଏକ କଳା। କାରଣ ଅଧିକାଂଶ କ୍ଷେତ୍ରରେ ପଡୋଶୀଙ୍କ ନଜର ସବୁବେଳେ ଆମ ଘର, ପରିବାର, ବ୍ୟକ୍ତିବିଶେଷଙ୍କ ଚାଲିଚଳଣିକୁ ମାର୍ଜିତ କରେ ଓ ସୁରକ୍ଷା ଦିଏ। ପରିବାରର ସମ୍ମାନକୁ ଉଚ୍ଚା କରେ। କହିବାର ତତ୍ପର୍ଯ୍ୟ ହେଉଛି ଯେଉଁଠି ପଡୋଶୀଙ୍କ ସହ ମନୋମାଳିନ୍ୟ ଥାଏ ସେଠି ପଡୋଶୀଙ୍କ ଦୃଷ୍ଟିକୋଣ ନକାରାତ୍ମକ ରହିବା ସ୍ବାଭାବିକ କଥା। କିନ୍ତୁ ପଡୋଶୀଙ୍କ ନକାରାତ୍ମକ ଆଚରଣକୁ ସକାରାତ୍ମକ ଦିଗରେ ପ୍ରତିଫଳିତ କରିବା ଉଦ୍ଦେଶ୍ୟରେ ସେମାନଙ୍କ ସହ ଉତ୍ତମ ସମ୍ପର୍କ ରଖିବା ଜଣେ ବୁଦ୍ଧିମାନ ମୁରବିଙ୍କ ଦକ୍ଷତା ବୋଲି କୁହାଯାଇପାରେ। କାରଣ ଘରର ଆନ୍ତଃ ଓ ବାହ୍ୟ ପରିଚାଳନାରେ ପଡୋଶୀଙ୍କ ଭୂମିକା ବେଶ୍‌ ଆବଶ୍ୟକ।
କହିବା ବାହୁଲ୍ୟ ଯେ ବାହାଘର, ବ୍ରତଘର ଆଦି ମାଙ୍ଗଳିକ କାର୍ଯ୍ୟଠାରୁ ଶୁଦ୍ଧିକ୍ରିୟା, ଅନୁକୂଳଠାରୁ ଅନ୍ତ୍ୟେଷ୍ଟି ଓ ଶିଶୁ ଜନ୍ମଠାରୁ ମୃତ୍ୟୁଶଯ୍ୟା ପର୍ଯ୍ୟନ୍ତ ପ୍ରତି ମୁହୂର୍ତ୍ତରେ ପଡୋଶୀ ପାଖରେ ଥାଆନ୍ତି। ବିପଦ ଆପଦ, ଦୁଃଖସୁଖରେ ସାହସ, ଧୈଯର୍‌ୟ ବଢାଇବା ସହ ସମସ୍ତ କାର୍ଯ୍ୟକୁ ସୁରୁଖୁରୁରେ ସମାପନ କରିବାକୁ ବାଟ ବତାନ୍ତି। ଏତେ ସବୁ ସତ୍ତ୍ୱେ ସ୍ଥଳବିଶେଷରେ ପଡୋଶୀଙ୍କ ସହ ଛୋଟମୋଟ କଳିଗୋଳ ଲାଗିବାର ନଜିର ଦେଖିବାକୁ ମିଳେ। ଅନେକ ସ୍ଥାନରେ ପରିବାର ସହ ପଡୋଶୀଙ୍କ ଶତ୍ରୁତା ବିପଦପୂର୍ଣ୍ଣ ବୋଲି ଜଣାପଡିଛି। ପଡୋଶୀ ଯଦି ଶତ୍ରୁ ହୁଏ, ଏହି ଶତ୍ରୁ ଆମ ପାଖରେ ରହି ଆମ ବିଷୟରେ ସବୁକଥା ଜାଣେ ଓ ଅସୁବିଧାରେ ପକାଇବାକୁ ଏକ ଭଲ ସୁଯୋଗକୁ ଅପେକ୍ଷା କରିଥାଏ। ଏପରିସ୍ଥିତିରେ ନିଜକୁ, ନିଜ ପରିବାରକୁ ଜଗୁଜଗୁ ନିଦ ହଜିଯାଇଥାଏ। ଦିନରାତି ସତର୍କତାର ସହ ବିତାଇବାକୁ ପଡେ।
ଆବଶ୍ୟକତାକୁ ଉପଲବ୍ଧି କରି ଅଧୁନା ସହରରେ ପଡୋଶୀଙ୍କ ସହ ଆତ୍ମୀୟତା ଧୀରେ ଧୀରେ ବୃଦ୍ଧି ପାଇଲାଣି। କିନ୍ତୁ ଗଁା ଗଣ୍ଡାରେ ଏହା ବାରିହୋଇପଡେ। ପଡୋଶୀଙ୍କ ନକାରାତ୍ମକ ଦୃଷ୍ଟି ଚୋରି, ଡକାୟତି, ବଳାତ୍କାର ଭଳି ବଡବଡ ଅପରାଧର ସୂତ୍ରପାତ କରାଏ। ଆଉ ସକାରାତ୍ମକ ମନୋଭାବ ଏକ ବନ୍ଧୁତ୍ୱ ଓ ସୁରକ୍ଷିତପୂର୍ଣ୍ଣ ପରିବେଶକୁ ଜନ୍ମ ଦିଏ। ଉଦାହରଣସ୍ବରୂପ, କନ୍ୟା ସନ୍ତାନଙ୍କ ସୁରକ୍ଷାକୁ ବିଚାରକୁ ନିଆଯାଉ। କନ୍ୟା ସନ୍ତାନଟି ପାଇଁ ମଧ୍ୟ ଗାଁ, ସହର, ସାହିପଡୋଶୀଙ୍କ ସହ ଖେଳିବା ବୁଲିବା ପାଇଁ ଏକ ସୁରକ୍ଷିତ ପରିବେଶର ଆବଶ୍ୟକତା ରହିଛି। ଏପରିସ୍ଥଳେ ଶିଶୁକନ୍ୟାଟିଏ ଘରୁ କେଉଁଆଡେ ଯାଉଛି, ତା’ ସହ କିଏ କଥାବାର୍ତ୍ତା କରୁଛି, କିଏ ଖେଳୁଛି, ତାକୁ ପ୍ରଲୋଭିତ କିଏ କରୁଛି, କିଏ ଖରାପ ବ୍ୟବହାର ପ୍ରଦର୍ଶନ କରୁଛି, ଏସବୁ ବିଷୟର ଖବର ସହ ଗଁାଦାଣ୍ଡରେ ଶିଶୁଟିର ସୁବିଧା ଅସୁବିଧା ପ୍ରତି ବିଶେଷ ସଚେତନ ଓ ଯତ୍ନବାନ ଥାନ୍ତି ପଡୋଶୀ। ଏ କ୍ଷେତ୍ରରେ ପଡୋଶୀ ହେଉଛନ୍ତି ପରିବାରର ପ୍ରତିରୂପ। ଏମିତି କୌଣସି ସ୍ଥିତି ପଡୋଶୀଙ୍କ ନଜରକୁ ଆସିଲେ ସେ ତୁରନ୍ତ ଆମକୁ ଜଣାନ୍ତି। ଏହି ଖବର ଆମକୁ ଜଣାଇବା କ୍ଷଣି ତାହାକୁ ଆମେ ଯେତେ ଗମ୍ଭୀରତାର ସହ ନେଉ ପଡୋଶୀଙ୍କ ସହ ଆମ ସମ୍ପର୍କ ସେତେ ଗଭୀର ହୋଇଥାଏ। ଏହି ସମ୍ପର୍କ କଥାବାର୍ତ୍ତାର ଶୈଳୀ, ପାରସ୍ପରିକ ଯୋଗାଯୋଗ ସମ୍ପର୍କ ଉପରେ ନିର୍ଭର କରେ ସତ, କିନ୍ତୁ ପଡୋଶୀଙ୍କ ନଜର କେବେ ଆମ କାର୍ଯ୍ୟଧାରାରୁ ହଟେ ନାହିଁ। ତେବେ ପଡୋଶୀ ଦେଉଥିବା କୌଣସି ଏକ ସମ୍ବେଦନଶୀଳ ଖବରକୁ ସକାରାତ୍ମକ ଭାବେ ଗମ୍ଭୀରତାର ସହ ଗ୍ରହଣ କରି ଯଦି ଉଚିତ ପଦକ୍ଷେପ ନେବା ତେବେ ସମ୍ଭାବ୍ୟ ବିପଦରୁ ନିଜକୁ ସୁରକ୍ଷିତ ରଖିବା ସହ ପଡୋଶୀଙ୍କ ଦୃଷ୍ଟିଭଙ୍ଗୀକୁ ଆମେ ଉତ୍ସାହିତ କରିପାରିବା, ନଚେତ ଉକ୍ତ ଖବରରେ ଥିବା ସତ୍ୟତା ବା ମିଥ୍ୟା ଏକ ବଡ ଦୁର୍ଘଟଣାକୁ ଜନ୍ମ ଦେଇପାରେ।
ସବୁ ପଡୋଶୀମାନେ ସାମାଜିକ ଦାୟିତ୍ୱ ନିର୍ବାହ କଲାବେଳେ ସାମାଜିକସ୍ତରରେ ଆମ ପରିବାରର ଗୁରୁତ୍ୱ ବଢାଇଥାନ୍ତି ଓ ସମର୍ଥନ କରିଥାନ୍ତି। ତେବେ ପଡୋଶୀଙ୍କ ନଜର ଯେମିତି ସବୁବେଳେ ଆମ ପରିବାରରେ ଥିବା ଶିଶୁଙ୍କଠାରୁ ବୟୋଜ୍ୟେଷ୍ଠ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ସକାରାତ୍ମକ ରହିବ ସେଥିପ୍ରତି ଆମେ ଯତ୍ନଶୀଳ ହେବା ଉଚିତ। ଏହି ନଜର, ଆମ ଅଜାଣତରେ ଓ ଅନୁପସ୍ଥିତିରେ ଅନେକ ସମସ୍ୟାକୁ ସମାଧାନ କରେ ତାହା ନୁହେଁ ବରଂ ଆମର ଭବିଷ୍ୟତ ବଂଶଧରଙ୍କ ପାଇଁ ସାମାଜିକ ଚଳଣିର ଶିକ୍ଷା ପ୍ରଦାନ କରିଥାଏ, ଯାହା ନିରାପଦ ଓ ସୁରକ୍ଷିତ ପରିବେଶଟିଏ ଯୋଗାଇଦିଏ। ପଡୋଶୀଙ୍କର ଏହି ଦୃଷ୍ଟି ଓ ବାର୍ତ୍ତା ସତେଯେମିତି ଗୋଷ୍ଠୀର ଏକ ପୋଲିସିଂ ବ୍ୟବସ୍ଥା ପରି ମନେହୁଏ। ତେବେ ସମ୍ପର୍କ ଉତ୍ତମ ଥାଉ ବା ଖରାପ, ପଡୋଶୀଙ୍କ ପ୍ରସ୍ତାବ, ମତ, ଖବର ଇତ୍ୟାଦିର ପରୀକ୍ଷା କରାଯାଇ ମଧ୍ୟ ପଦକ୍ଷେପ ନିଆଯାଇପାରେ। ଥରେ ଯିଏ ପଡୋଶୀଙ୍କୁ ଛାଡି ଏକ ପଡୋଶୀବିହୀନ ପରିବେଶରେ ରହିଛି ସେ ପରବର୍ତ୍ତୀ ସମୟରେ ପଡୋଶୀଙ୍କ ମହତ୍ତ୍ୱ ଉପଲବ୍ଧି କରିଛି। ପଡୋଶୀଙ୍କ ପୋଲିସ ପଣିଆକୁ ଏକ ନକାରାତ୍ମକ ଢଙ୍ଗରେ ନ ନେଇ ତା’ର ପ୍ରୟୋଗାତ୍ମକ ଦିଗକୁ ସମୀକ୍ଷା କରିବା ଉଚିତ। କାରଣ ଏହା ନିଜକୁ ଓ ସାମାଜିକ ବ୍ୟବସ୍ଥାକୁ ଆହୁରି ମାର୍ଜିତ କରେ।

– ଶୁଭନାରାୟଣ ଶତପଥୀ
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ-୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri