Posted inଖେଳ

ଚେନ୍ନାଇକୁ ପଞ୍ଚମ ଟାଇଟଲ

ଅହମଦାବାଦ, ୩୦।୫
ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ଶ ସଂସ୍କରଣରେ ବିଜୟ ମୁକୁଟ ପିନ୍ଧିଛି ଚେନ୍ନାଇ ସୁପର କିଙ୍ଗ୍ସ। ସୋମବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଏବଂ ରୋମାଞ୍ଚକ ମେଗା ଫାଇନାଲରେ ଏହି ଦଳ ଗତଥରର ଚାମ୍ପିୟନ ଗୁଜରାଟ ଟାଇଟନ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ଗୁଜରାଟ ୨୦ ଓଭରରେ ୪ ଉଇକେଟ ହରାଇ ୨୧୪ ରନ ସଂଗ୍ରହ କରିଥିଲା। ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେବାରୁ ଚେନ୍ନାଇ ସମ୍ମୁଖରେ ୧୫ ଓଭରରେ ୧୭୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିଲେ ହେଁ ଏହି ଦଳ ୫ ଉଇକେଟ ହରାଇ ଶେଷ ବଲ୍‌ରେ ବିଜୟ ଲକ୍ଷ୍ୟରେ ପହଞ୍ଚତ୍ ଯାଇଥିଲା। ୬ ବଲ୍‌ରୁ ୧୫ ରନର ଛୋଟ ଇନିଂସ ଖେଳିଥିଲେ ହେଁ ପ୍ରଶଂସାର ହକ୍‌ଦାର ହୋଇଥିଲେ ରବୀନ୍ଦ୍ର ଜାଡେଜା। ସେ କ୍ରମାଗତ ୨ଟି ବଲ୍‌ରେ ଛକା ଓ ଚୌକା ମାରି ଚେନ୍ନାଇକୁ ଚାମ୍ପିୟନ କରାଇଥିଲେ। ଶିବମ ଦୁବେ ୨୧ ବଲ୍‌ରୁ ୩୨ (୨ ଛକା) ରନକରି ଅପରାଜିତ ରହିଥିଲେ। ରବିବାର ବର୍ଷା ଯୋଗୁ ଖେଳ ସମ୍ଭବ ହୋଇ ନ ଥିବାରୁ ସୋମବାର ରିଜର୍ଭ ଦିବସରେ ଫାଇନାଲ ଅନୁଷ୍ଠିତ ହୋଇଥିଲା। ଏହାକୁ ମିଶାଇ ଚେନ୍ନାଇ ୫ ଥର ଟାଇଟଲ ହାସଲ କରି ମୁମ୍ବାଇ ଇଣ୍ଡିଆନ୍ସର ସମକକ୍ଷ ହୋଇଛି। ପୂର୍ବରୁ ଏହି ଦଳ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଚାମ୍ପିୟନ ହୋଇଥିଲା। ଏଥର ତାହାର ପୁନରାବୃତ୍ତି କରିଛି ମହେନ୍ଦ୍ର ସିଂ ଧୋନୀଙ୍କ ସୁପର କିଙ୍ଗ୍ସ।
ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଲିଗ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଆସିଥିବା ଗୁଜରାଟ ଏଠାରେ ମଧ୍ୟ ଭଲ ଆରମ୍ଭ କରିଥିଲା। ଟପ୍‌ ଫର୍ମରେ ଥିବା ଶୁବମନ ଗିଲ୍‌ ଏବଂ ରିଦ୍ଧିମାନ ଶାହା ଦ୍ରୁତ ହାରରେ ରନ୍‌ ସଂଗ୍ରହ କରି ଗୁଜରାଟର ବଡ଼ ସ୍କୋର ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ଓପନିଂ ଯୋଡ଼ିରେ ଦୁହେଁ ୪୨ ବଲ୍‌ରୁ ୬୭ ରନ ସଂଗ୍ରହ କରିଥିଲେ। ୭ମ ଓଭରର ଶେଷ ବଲ୍‌ରେ ରବୀନ୍ଦ୍ର ଜାଡେଜାଙ୍କ ବଲ୍‌ରେ ଗିଲ୍‌ଙ୍କୁ ଧୋନୀ ଷ୍ଟମ୍ପିଂ କରି ଦେଇଥିଲେ। ଫଳରେ ଚେନ୍ନାଇକୁ ପ୍ରଥମ ବ୍ରେକ୍‌ ଥ୍ରୁ ମିଳିଥିଲା। ଗିଲ୍‌ ୨୦ ବଲ୍‌ରୁ ୩୯ (୭ ଚୌକା) ରନ କରିଥିଲେ। ତାଙ୍କ ସ୍ଥାନରେ ସାଇ ସୁଦର୍ଶନ କ୍ରିଜରେ ଯୋଗଦେଇ ଶାହାଙ୍କ ସହ ଇନିଂସ ଆଗେଇ ନେଇଥିଲେ। ଇତିମଧ୍ୟରେ ଶାହା ଉପଯୋଗୀ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁହେଁ ଦ୍ୱିତୀୟ ଉଇକେଟରେ ୪୨ ବଲ୍‌ରୁ ୬୪ ରନର ଭାଗୀଦାରି ଗଢ଼ିବାପରେ ଶାହା ବ୍ୟକ୍ତିଗତ ୫୪ (୩୯ ବଲ୍‌, ୫ ଚୌକା, ୧ ଛକା) ରନକରି ପ୍ୟାଭିଲିୟନ ଫେରିଥିଲେ। ସୁଦର୍ଶନ ଖେଳିଥିଲେ କ୍ୟାରିୟରର ଶ୍ରେଷ୍ଠ ଇନିଂସ। ସେ ଯଦିଓ ମାତ୍ର ୪ ରନ ପାଇଁ ଶତକରୁ ବଞ୍ଚତ୍ତ ହୋଇଥିଲେ ତେବେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ତୃତୀୟ ଉଇକେଟରେ ମାତ୍ର ୩୩ ବଲ୍‌ରୁ ୮୧ ରନ ଯୋଗକରି ଗୁଜରାଟ ଇନିଂସକୁ ୨୦୦ ଅତିକ୍ରମ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ମଥିସା ପଥିରାନାଙ୍କ ଶେଷ ଓଭରର ପ୍ରଥମ ଦୁଇଟି ବଲ୍‌କୁ ଛକାରେ ପରିଣତ କରିବାପରେ ସେ ୟର୍କର ଲେନ୍ଥ ତୃତୀୟ ବଲ୍‌କୁ ଖେଳିବା ଅବସରରେ ଏଲବିଡବ୍ଲ୍ୟୁ ଆଉଟ ହୋଇ ଯାଇଥିଲେ। ଡିଆରଏସ୍‌ର ସହାୟତା ନିଆ ଯାଇଥିଲେ ହେଁ ନିଷ୍ପତ୍ତି ବୋଲରଙ୍କ ସପକ୍ଷରେ ଯାଇଥିଲା। ୪୭ଟି ବଲ୍‌ର ସମ୍ମୁଖୀନ ହୋଇଥିବା ସୁଦର୍ଶନ ୮ ଚୌକା ଓ ୬ ଛକା ସହାୟତାରେ ୯୬ ରନ ସ୍କୋର କରିଥିଲେ। ହାର୍ଦ୍ଦିକ ୧୨ ବଲ୍‌ରୁ ୨ ଛକା ସହାୟତାରେ ୨୧ ରନକରି ଅପରାଜିତ ରହିଥିଲେ। ଚେନ୍ନାଇ ବୋଲରଙ୍କ ମଧ୍ୟରେ ମଥିସା ପଥିରାନା ୨ଟି ଏବଂ ଦୀପକ ଚହର ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଦ୍ୱିତୀୟ ଇନିଂସ ଆରମ୍ଭରେ ମାତ୍ର ୩ଟି ବଲ୍‌ ପଡ଼ିଥିବାବେଳେ ବର୍ଷା ହୋଇଥିଲା। ସେତେବେଳକୁ ଚେନ୍ନାଇ ୪ ରନ କରିଥିଲା। ବର୍ଷା ଛାଡ଼ିବାପରେ ୧୨ଟା ୧୦ରେ ଖେଳ ଆରମ୍ଭ ହୋଇଥିଲା। ଡକ୍‌ଓ୍ବର୍ଥ ଲୁଇସ ନିୟମ ଅନୁସାରେ ଚେନ୍ନାଇ ଆଗରେ ୧୫ ଓଭରରେ ୧୭୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଋତୁରାଜ ଗାଏକ୍ୱାଡ୍‌ ଓ ଡେଭନ କନଓ୍ବେ ଚେନ୍ନାଇପାଇଁ ଭଲ ଆରମ୍ଭ କରିଥିଲେ। ୬ ଓଭରରେ ଦୁହେଁ ଦଳର ରନ୍‌କୁ ବିନା କ୍ଷତିରେ ୭୨ରେ ପହଞ୍ଚାଇ ଦେଇଥିଲେ। ୭ମ ଓଭରର ତୃତୀୟ ବଲ୍‌ରେ ଋତୁରାଜଙ୍କୁ ଆଉଟ କରି ଗୁଜରାଟକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ନୁର ଅହମଦ। ଋତୁରାଜ ୧୬ ବଲ୍‌ରୁ ୨୬ (୩ ଚୌକା, ୧ ଛକା) ରନ କରିଥିଲେ। ସେହି ଓଭରର ୬ଷ୍ଠ ବଲ୍‌ରେ ସେଟ୍‌ ବ୍ୟାଟର କନ୍‌ଓ୍ବେଙ୍କୁ ଆଉଟ କରି ନୁର୍‌ ଚେନ୍ନାଇକୁ ଡବଲ୍‌ ଝଟ୍‌କା ଦେଇଥିଲେ। କନଓ୍ବେ ୨୫ ବଲ୍‌ରୁ ୪୭ (୪ ଚୌକା, ୨ ଛକା) ରନ କରିଥିଲେ। କ୍ୟାରିୟରର ଶେଷ ମ୍ୟାଚ ଖେଳିଥିବା ଅମ୍ବାତି ରାୟୁଡ଼ୁ ଛୋଟ ଇନିଂସ ଖେଳିଥିଲେ ହେଁ ଏହାକୁ ସ୍ମରଣୀୟ କରିଥିଲେ। ସେ ୮ ବଲ୍‌ରୁ ୧୯ ରନ ମଧ୍ୟରେ ଗୋଟିଏ ଚୌକା ଓ ୨ଟି ଛକା ମାରିଥିଲେ। ସେହିପରି ଅଜିଙ୍କ୍ୟ ରାହାନେ ୧୩ ବଲ୍‌ରୁ ୨୭ (୨ ଚୌକା, ୨ ଛକା) ରନର ଉପଯୋଗୀ ଇନିଂସ ଖେଳିଥିଲେ। ୧୪ ବଲରୁ ୨୨ ରନ ଆବଶ୍ୟକ ଥିବାବେଳେ କ୍ରିଜ୍‌କୁ ଆସିଥିଲେ ଧୋନୀ। ମାତ୍ର ସେ ଖାତା ଖୋଲିବା ପୂର୍ବରୁ ଗୋଲ୍ଡେନ୍‌ ଡକ୍‌(୦)ରେ ଆଉଟ ହୋଇଥିଲେ। ମୋହିତ କ୍ରମାଗତ ବଲ୍‌ରେ ଉଇକେଟ ନେଇ ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର ତାହା ସମ୍ଭବ ହୋଇ ନ ଥିଲା। ମୋହିତଙ୍କ ଶେଷ ଓଭରରୁ ଚେନ୍ନାଇକୁ ବିଜୟ ପାଇଁ ୧୩ ରନ ଆବଶ୍ୟକ ହେଉଥିଲା। ପ୍ରଥମ ୪ଟି ବଲ୍‌ରୁ ମାତ୍ର ୩ ରନ ଆସିଥିଲା। ମାତ୍ର ୫ମ ବଲ୍‌କୁ ଛକା ଏବଂ ୬ଷ୍ଠ ବଲ୍‌କୁ ଚୌକାରେ ପରିଣତ କରି ରବୀନ୍ଦ୍ର ଜାଡେଜା ମ୍ୟାଚର ରୋମାଞ୍ଚକ ପରିସମାପ୍ତି ଘଟାଇଥିଲେ। ଏହାପରେ ଚେନ୍ନାଇର ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri