ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଚାଲିଛି। ତେବେ ଚାଷ କାର୍ଯ୍ୟ ଆରମ୍ଭରୁ ସାର, ବିହନ ବିକ୍ରିରେ କଳାବଜାର ସମେତ ବିଭିନ୍ନ ଅନିୟମିତତା ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ଅଭିଯୋଗ ପାଇବା ପରେ କୃଷି ବିଭାଗ ମଧ୍ୟ ତପତ୍ର ହୋଇପଡ଼ିଛି। ସୋମବାର କୃଷି ବିଭାଗ ପକ୍ଷରୁ ଚଢାଉ କରାଯାଇ ଅନିୟମିତତା କରିଥିବା ୯ ଡିଲରଙ୍କ ଲାଇସେନ୍ସ ରବ୍ଦ କରାଯାଇଛି। ଏହାର ୪ଦିନ ପୂର୍ବରୁ ସାର ବିକ୍ରିରେ ବିଭିନ୍ନ ଅନିୟମିତତା ଧରାପଡ଼ିବା ପରେ କୃଷି ବିଭାଗ ପକ୍ଷରୁ ଜିଲାର ୬ଲାଇସେନ୍ସପ୍ରାପ୍ତ ଡିଲରଙ୍କ ଲାଇସେନ୍ସ ରବ୍ଦ ଏବଂ ଅନ୍ୟ ୧୫ଡିଲରଙ୍କ ଲାଇସେନ୍ସ ନିଲମ୍ବନ କରାଯାଇଥିଲା।
ସୋମବାର କୃଷିବିଭାଗ ପକ୍ଷରୁ ସାର ଓ ବିହନ ଦୋକାନଗୁଡ଼ିକରେ ଅତର୍କିତ ଚଢ଼ାଉ କରାଯାଇଥିଲା ଏବଂ ଚଢ଼ାଉରେ ବିଭିନ୍ନ ଅନିୟମିତତା ଧରାପଡ଼ିଥିଲା। ଅନିୟମିତତା ଧରାପଡ଼ିବା ପରେ ବରଗଡ଼ ବ୍ଲକର ୩ ଲାଇସେନ୍ସପ୍ରାପ୍ତ ସାର ବିକ୍ରେତା ଡିଲର ଅର୍ଥାତ୍ ରାଜୀବ ଲୋଚନ ଫର୍ଟିଲାଇଜର୍ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍, ନବ୍ୟା ଫର୍ଟିଲାଇଜର ଏବଂ ଦୁର୍ଗା ମାହେଶ୍ୱରୀ ଡିଲରଙ୍କ ଲାଇସେନ୍ସକୁ ରବ୍ଦ କରିଦିଆଯାଇଛି। ସେହିପରି ବିହନ ବିକ୍ରିରେ ଅନିୟମିତତା ଜଣାପଡ଼ିବା ପରେ ଅନ୍ୟ ୬ଡିଲର ଅର୍ଥାତ୍ ବରଗଡ଼ ବ୍ଲକର ସମଲେଶ୍ୱରୀ ବିହନ ଭଣ୍ଡାର, ଆଚାର୍ଯ୍ୟ ଟ୍ରେଡର୍ସ, ଗୋବିନ୍ଦା ଟ୍ରେଡର୍ସ, ବିଦ୍ୟାଧର ପ୍ରଧାନ, ଗାୟତ୍ରୀ ଟ୍ରେଡ଼ର୍ସ ଏବଂ ସୁରେନ୍ଦ୍ର କୁମାର ମହାପାତ୍ରଙ୍କ ଲାଇସେନ୍ସ ମଧ୍ୟ ରବ୍ଦ ହୋଇଛି। ସୋମବାର ମୋଟ ୯ଡିଲରଙ୍କ ଲାଇସେନ୍ସ ରବ୍ଦ କରାଯାଇଛି ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ ଜିଲା କୃଷି ଅଧିକାରୀ (ସିଡିଏଓ)ମମତାରାଣୀ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ବରଗଡ଼ ବ୍ଲକ କୃଷି ଅଧିକାରୀ(ବିଏଓ) ଇତିସ୍ମିତା ଦେବତା, ସହକାରୀ କୃଷି ଅଧିକରୀ(ଏଏଓ) ସ୍ନେହଲ ମଣ୍ଡିପ୍ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।
Dharitri – Odisha’s No.1 Odia Daily

