ନିର୍ଭୀକ ରାଷ୍ଟ୍ରପତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ବିଶ୍ୱ ଭୂରାଜନୈତିକ ସ୍ଥିତିରେ ଏବେ ଭୂକମ୍ପନ ସୃଷ୍ଟି କରିଛି। ୟୁକ୍ରେନ୍‌ ପଛରେ ଆମେରିକା ଓ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ର ସମର୍ଥନ ରହିଥିବା ବିଷୟ ଦୀର୍ଘ ଦିନ ହେବ ଆଲୋଚନା ହୋଇଆସୁଥିଲା। ସେଥିପାଇଁ ବିଶ୍ୱବାସୀ ଆଶ୍ୱସ୍ତ ଥିଲେ ଯେ ରୁଷିଆ ଓ ୟୁକ୍ରେନ୍‌ ଯୁଦ୍ଧ କେବଳ ରଣହୁଙ୍କାର ଦେଇ ଚାଲୁଥିବ। କାରଣ ରୁଷିଆ ତା’ ବିପକ୍ଷରେ ଦୃଶ୍ୟମାନ ହେଉଥିବା ଶକ୍ତିସମୂହ ସହିତ ଲଢ଼ିବାକୁ ଚାହିଁବ ନାହିଁ। କିନ୍ତୁ ସମୟ ବିଗିଡ଼ିଗଲା। ଯୁକ୍ରେନ୍‌ ଓ ରୁଷିଆ ମଧ୍ୟରେ ତିକ୍ତତା ବଢ଼ିଗଲା ପରେ କିଏ ପ୍ରକୃତରେ ତା’ ଶତ୍ରୁ ରାଷ୍ଟ୍ରକୁ ସାହାଯ୍ୟ କରୁଛି ତାହା ଜାଣିବା ପାଇଁ ମସ୍କୋ ଆକଳନ କରିବାକୁ ଲାଗିଲା। ତା’ ଗୋଇନ୍ଦା ସୂଚନାକୁ ଭିତ୍ତିକରି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସମ୍ଭବତଃ ଜାଣିଗଲେ ଯେ, ୟୁକ୍ରେନ୍‌କୁ ସହଯୋଗ କରିବାକୁ ଆମେରିକା ଓ ନାଟେ ଆଗେଇ ଆସିବେ ନାହିଁ। ଫଳସ୍ବରୂପ ୨୪ ଫେବୃୟାରୀ ୨୦୨୨ରେ ରୁଷିଆର ୟୁକ୍ରେନ ଆକ୍ରମଣ ଆରମ୍ଭ ହୋଇଗଲା। ଦୁଇ ଦିନ ଘମାଘୋଟ ଲଢ଼େଇ ପରେ ୟୁକ୍ରେନ୍‌ ସେନା ରୁଷିଆ ନିକଟରେ ଆତ୍ମସମର୍ପଣ କଲେ ଆଲୋଚନା ହୋଇପାରେ ବୋଲି ପୁଟିନ୍‌ କହିଥିଲେ। ହେଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନୁଣ୍ଡ ନୁଆଁଇବାକୁ ମନା କରିଦେବା ପରେ ଏବେ ତାଙ୍କ ବ୍ୟକ୍ତିତ୍ୱ ଓ ସାହସିକ ପଦକ୍ଷେପ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି।
ଜେଲେନ୍‌ସ୍କି ୨୫ ଜାନୁୟାରୀ ୧୯୭୮ରେ ୟୁକ୍ରେନ୍‌ର କ୍ରିଭି ରିହଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାପିତା ଥିଲେ ଇହୁଦୀ। ୟୁକ୍ରେନ୍‌ ଓ ଇଂଲିଶ ଭାଷାରେ ଦକ୍ଷ ଥିବା ଜେଲେନ୍‌ସ୍କି ୧୯୯୫ରେ କ୍ରିଭି ରିହ ଇକୋନୋମିକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଆଇନରେ ଡିଗ୍ରୀ ଅର୍ଜନ କରିଥିଲେ। ଆଇନ ବ୍ୟବସାୟ କରିବା ଲାଗି ସେ ଲାଇସେନ୍ସ ବାହାର କରିଦେଇଥିଲେ ମଧ୍ୟ ଭାଗ୍ୟ ତାଙ୍କ ପାଇଁ ନୂଆ ଉପହାର ସାଇତି ରଖିଥିଲା। ଜେଲେନସ୍କି ପିଲାବେଳୁ ଅଭିନୟ ପ୍ରତି ଆକର୍ଷିତ ଥିବାରୁ ସେ ସେହି ଦିଗରେ ଉତ୍କର୍ଷ କରିବେ ବୋଲି ପରିବାରବର୍ଗ ଭାବିଥିଲେ। ଛାତ୍ରାବସ୍ଥାରେ ସେ ଥିଏଟରରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ୧୯୯୭ରେ ସେ ‘କେଭାର୍ଟାଲ ୯୫’ ନାମରେ ଏକ ପର୍ଫମାନ୍ସ ଗ୍ରୁପ୍‌ ଗଢ଼ିଥିଲେ। ତାଙ୍କ ଅଭିନୀତ କମେଡି ଶୋ’ ‘କେଭିଏନ୍‌’ ରୁଷୀୟ ଟେଲିଭିଜନରେ ଲୋକପ୍ରିୟତା ଅର୍ଜନ କରିବା ପରେ ସେ ଅଧିକ ଉତ୍ସାହିତ ହୋଇଯାଇଥିଲେ। ୨୦୦୩ ଯାଏ ସେହି ଶୋ’ ଚାଲିଲା। ସେହିବର୍ଷ ଜେଲେନ୍‌ସ୍କି ‘ଷ୍ଟୁଡିଓ କେଭାର୍ଟାଲ ୯୫’ ନାମରେ ମନୋରଞ୍ଜନ କମ୍ପାନୀ ଗଢ଼ି ତା’ର ସହ-ପ୍ରତିଷ୍ଠାତା ହୋଇଥିଲେ। ପରେ ତା’ର ଆର୍ଟିଷ୍ଟିକ୍‌ ଡାଇରେକ୍ଟର ହୋଇ ସେ ଯେଉଁ ନୂଆ ଧରଣର ମନୋରଞ୍ଜନ ଦର୍ଶକଙ୍କୁ ଦେଇଚାଲିଲେ, ତାହା ଦ୍ୱାରା ଉକ୍ତ କମ୍ପାନୀ ବେଶ୍‌ ସଫଳତା ଅର୍ଜନ କଲା। ପରବର୍ତ୍ତୀ ସମୟରେ ସେ ୟୁକ୍ରେନୀୟ ଟେଲିଭିଜନ ଚ୍ୟାନେଲ ‘ଇଣ୍ଟର ଟିଭି’ର ଜେନେରାଲ ପ୍ରଡୁସର ଭଳି ଶୀର୍ଷ ପଦବୀରେ ବସିପାରିଥିଲେ। ୨୦୧୨ରେ ଜେଲେନ୍‌ସ୍କି ଇଣ୍ଟର ଟିଭି ଛାଡ଼ିଦେଇଥିଲେ। ତେବେ ଏହି ସମୟ ମଧ୍ୟରେ ସେ କେତେକ ଫିଚର ଫିଲ୍ମରେ ଅଭିନୟ କରି ପ୍ରଶଂସା ସାଉଁଟି ଥିଲେ। ୨୦୧୩ରେ ତାଙ୍କ କ୍ୟାରିୟର ନୂଆ ମୋଡ଼ ନେଇଥିଲା। ସେ କେଭାର୍ଟାଲ ୯୫ର ଆର୍ଟିଷ୍ଟିକ୍‌ ଡାଇରେକ୍ଟର ହେବା ସହ ୟୁକ୍ରେନ୍‌ ରାଜନୀତିରେ ପାଦ ଦେଇଥିଲେ। ୨୦୧୪ରେ ୟୁକ୍ରେନ୍‌ ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଥିଲା। ତତ୍‌କାଳୀନ ରାଷ୍ଟ୍ରପତି ଭିକ୍ଟୋର ୟାନୁକୋଭିଚିଙ୍କ ବିରୋଧରେ ଦେଶବ୍ୟାପୀ ପ୍ରତିବାଦ ହେବାରୁ ତାଙ୍କୁ ପଦବୀ ହରାଇବାକୁ ପଡ଼ିଥିଲା। ସେହି ବର୍ଷ ମେ’ରେ ବିଲିୟନେୟାର ପେଟ୍ରୋ ପୋରେଶେଙ୍କୋ ୟୁକ୍ରେନ୍‌ର ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ହେଲେ ରୁଷିଆ ସମର୍ଥିତ ବିଦ୍ରୋହୀମାନେ ପୂର୍ବ ୟୁକ୍ରେନ୍‌ରେ ସକ୍ରିୟ ହେବା ଓ ଦେଶର ଅର୍ଥନୀତି ଦୁର୍ବଳ ହେବାରୁ ତାହାକୁ ସେ ସମ୍ଭାଳିବାରେ ସକ୍ଷମ ହେଲେ ନାହିଁ। ଦେଶର ରାଜନୈତିକ ସ୍ଥିତିକୁ ନେଇ କେଭାର୍ଟାଲ ୯୫ ଦ୍ୱାରା ୨୦୧୫ ଅକ୍ଟୋବରରେ ଜେଲେନ୍‌ସ୍କିଙ୍କ ପରିକଳ୍ପିତ ୟୁକ୍ରେନୀୟ ରାଜନୈତିକ ବିଦ୍ରୂପକାରୀ କମେଡି ଟେଲିଭିଜନ୍‌ ସିରିଜ୍‌ ‘ସର୍ଭେଣ୍ଟ ଅଫ୍‌ ପିପୁଲ’ ଯେତେବେଳେ ପ୍ରସାରିତ ହେଲା ସେତେବେଳେ ତାଙ୍କ ଲୋକପ୍ରିୟତା ଆହୁରି ବଢ଼ିଗଲା। ଏହି ସୁଯୋଗ ତାଙ୍କୁ ସମ୍ପୂର୍ଣ୍ଣ ରାଜନୀତିରେ ସାମିଲ ହେବାକୁ ମଧ୍ୟ ବାଟ ଦେଖାଇଦେଲା। ସେ ସର୍ଭେଣ୍ଟ ଅଫ୍‌ ପିପୁଲକୁ ରାଜନୈତିକ ପାର୍ଟି ଭାବେ ଦେଶରେ ପଞ୍ଜୀକୃତ କରିଦେଲେ। ଭାଗ୍ୟଦେବୀ ଜେଲେନ୍‌ସ୍କିଙ୍କୁ ସହାୟକ ହେଲେ। ୨୦୧୯ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ପ୍ରଚାର ଶୈଳୀ ଅନ୍ୟମାନଙ୍କଠାରୁ ମଧ୍ୟ ନିଆରା ହେଲା। ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ଲାଗି ତାଙ୍କ କ୍ଷୁଦ୍ର ଭାଷଣ ଓ କମେଡି ଭିଡିଓ ୟୁଟ୍ୟୁବ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରେ ଛାଇଗଲା। ଶେଷରେ ସେ ୨୧ ଏପ୍ରିଲ ୨୦୧୯ରେ ୟୁକ୍ରେନ୍‌ର ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ୨୦ ମେ’ରେ ସେ ଦାୟିତ୍ୱ ଗ୍ରହଣ କଲେ।
ଅଭିନେତାରୁ ରାଜନେତା ପାଲଟିଥିବା ଜେଲେନ୍‌ସ୍କିଙ୍କ ଅନେକ ପଦକ୍ଷେପ ଦେଶବାସୀଙ୍କୁ ସୁହାଇଥିଲା। ଅପରପକ୍ଷରେ ତାଙ୍କ ଗତିବିଧିକୁ ରୁଷିଆ ରାଷ୍ଟ୍ରପତି ପୁଟିନ୍‌ ସହ୍ୟ କରିପାରି ନ ଥିଲେ। କ୍ୱିଭ୍‌ ଉପରେ ରୁଷିଆ ବିଭିନ୍ନ ଦିଗରୁ କର୍ତ୍ତୃତ୍ୱ ଜାହିର କରିବାରୁ ଜେଲେନସ୍କି ତାହାକୁ ବିରୋଧ କରିଥିଲେ। ଏବେ ଯୁଦ୍ଧ ଶୀର୍ଷରେ ପହଞ୍ଚତ୍ଥିବା ବେଳେ ନା ନାଟୋ ନା ଆମେରିକା ଜେଲେନ୍‌ସ୍କିଙ୍କ ୟୁକ୍ରେନ୍‌କୁ ସୁରକ୍ଷା ଦେବାକୁ ସମର୍ଥ ହେଲେ! ତଥାପି ଦମ୍ଭ ଧରି ବିଶ୍ୱର ଅନ୍ୟତମ କ୍ଷମତାଶାଳୀ ତଥା ସମ୍ବଳ ଓ ସାମର୍ଥ୍ୟ ଦୃଷ୍ଟିରୁ ଭାରି ବୋଲି ଜଗତ ଜାଣିଥିବା ରୁଷିଆ ଆଗରେ ଏ ଯାଏ ଜେଲେନ୍‌ସ୍କି ମୁଣ୍ଡ ନୁଆଁଇ ନ ଥିବାରୁ ତାଙ୍କ ବ୍ୟକ୍ତିତ୍ୱ ପୁଟିନ୍‌ଙ୍କ ବିଶାଳ ପଦକ୍ଷେପକୁ ନୂ୍ୟନ କରିଦେଇଛି ବୋଲି କୁହାଯାଇପାରେ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri