Posted inଫୁରସତ

ବାପା ମୋର ପ୍ରଥମ ଗୁରୁ: ଜିତେନ୍ଦ୍ର ପଟ୍ଟନାୟକ

ଦୀର୍ଘ ୪ ଦଶନ୍ଧିରୁ ଅଧିକ ହେବ ସେ ଏକାଧିକ ମଞ୍ଚନାଟକ, ଟିଭି ଧାରାବାହିକ ଓ ସିନେମାରେ ନିର୍ଦ୍ଦେଶନା ଦେବା ସହିତ ବହୁ ନାଟକରେ ଅଭିନୟ କରିସାରିଛନ୍ତି। ଯେଉଁଥିପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର। ସେ ହେଲେ ଜିତେନ୍ଦ୍ର ପଟ୍ଟନାୟକ। ଜନ୍ମ ୨୮. ୫.୧୯୬୩ ମସିହାରେ। ପିତା ରବୀନ୍ଦ୍ର ପଟ୍ଟନାୟକ, ମା’ ବିଷ୍ଣୁପ୍ରିୟା ପଟ୍ଟନାୟକ। ରହୁଛନ୍ତି ଖୋର୍ଦ୍ଧା ଜିଲାର ପଲା ବରୁଣେଇ ସାହିରେ। ଜିତେନ୍ଦ୍ର କୁହନ୍ତି, ‘ମୋ ବାପା ଜଣେ ପୋଲିସ ଅଫିସର ହୋଇଥିଲେ ମଧ୍ୟ ଅବସର ସମୟରେ ବିଭିନ୍ନ ମଞ୍ଚନାଟକରେ ଅଭିନୟ ଏବଂ ନିର୍ଦ୍ଦେଶନା ଦେବା ତାଙ୍କର ସଉକ ଥିଲା। ବାପାଙ୍କ ପାଇଁ ମୋ ଭିତରେ ନାଟକ ପ୍ରତି ଆଗ୍ରହ ସୃଷ୍ଟି ହେଲା। ସେତେବେଳେ ଆମ ଗାଁ ଦଧିମାଛଗାଡ଼ିଆରେ କେତେଜଣ ସାଙ୍ଗ ଏକାଠି ହୋଇ ଏକ ଗୀତିନାଟ୍ୟରେ ଅଭିନୟ କରୁଥିଲୁ। ପ୍ରାଣନାଥ ମହାବିଦ୍ୟାଳୟ, ଖୋର୍ଦ୍ଧାରେ ବିଏ ପଢିବା ସମୟରେ ଯାଆଁଳାରେ ଗଢ଼ିଉଠିଥିବା ବ୍ରଜସୁନ୍ଦର କଳାସଂସଦ ନାଟ୍ୟ ଅନୁଷ୍ଠାନରେ ଯୋଗଦେଇ ଅଭିନୟ କରିଥିଲି। ସେତେବେଳେ ଜାଣିଲି ଯେ ନାଟକ ବିଷୟରେ ବି ପଢ଼ା ହୁଏ । ସେଥିପାଇଁ ୧୯୮୫ ମସିହାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ନାଟକ ବିଭାଗରେ ନାମ ଲେଖିଲି। ଏଠାରେ ନାଟକ ନିର୍ଦ୍ଦେଶନା ଦେବା ପାଇଁ ପିଜି ସାରିଲି। ସେବେଠାରୁ ଆଉ ପଛକୁ ଫେରିନାହିଁ। ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିଲାବେଳେ ଗୁରୁ ଭାବେ ଅଜିତ୍‌ ଦାସ, ବିଜୟ ମହାନ୍ତି, ନବୀନ ପରିଡ଼ା ପ୍ରମୁଖଙ୍କଠାରୁ ଅଭିନୟ ଶିକ୍ଷା ପାଇଛି।

ସେତେବେଳେ ଅନ୍ୟମାନଙ୍କ ମଧ୍ୟରେ ମୋ ସାଥିରେ ପଢୁଥିଲେ ସିନେକଳାକାର ରାଇମୋହନ ପରିଡ଼ା, ଅମିୟ ମହାରଣା, ଚୌଧୁରୀ ଜୟପ୍ରକାଶ ଦାସ, ଶ୍ରୀମନ୍ତ ମହାନ୍ତି, ଶତ୍ରୁଘନ ସାମଲ । ନାଟକ ଶିକ୍ଷା ପରେ ପ୍ରଥମେ ୧୯୯୨ରେ ‘ମୋ କାହ୍ନୁରେ’ ଓଡ଼ିଆ ଚଳଚ୍ଚିତ୍ରରେ ସିନେ ତାରକା ବିଜୟ ମହାନ୍ତି ଅଭିନେତା ଥିବା ବେଳେ ଏଥିରେ ସହ -ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲି। ସମୟକ୍ରମେ ଯୁଗନାୟକ ଏକ ହିନ୍ଦୀ ସିରିଏଲ, ଗଙ୍ଗଶିଉଳି ଫିଚର ସିନେମା, ବୋଉ, ଗାରେ ସିନ୍ଦୂର ଧାରେ ଲୁହ, ପୁଅ ମୋର ଜଗତଜିତା, ତୁମରି ପାଇଁ, ପ୍ରାୟଶ୍ଚିତ୍ତ ଆଦିରେ ନିର୍ଦ୍ଦେଶକ, ଆଖି ପଲକରେ ତୁ , ଭୁଲ୍‌ ବୁଝିବନି ମୋତେ, ପହିଲି ରଜ ଏବଂ ସମ୍ଭାବନା, ସ୍ବୀକୃତି’ ଆଦି ଡକ୍ୟୁମେଣ୍ଟାରି ଫିଲ୍ମରେ ସ୍କ୍ରିପ୍ଟ ଏବଂ ନିର୍ଦ୍ଦେଶନା ଦେଇଛି। ସେପରି ଏକ ତ୍ରିଭାଷୀ ଫିଲ୍ମ ‘ରାଜାରାଣୀ’ରେ କାଯର୍‌ୟ କରିଛି। ବନ୍ଦେ ମାତରଂ, ଅଶାନ୍ତ, ଔରଙ୍ଗଜେବ, ଶୂନ୍ୟପଞ୍ଜୁରୀ ଆଦି କେତେ ମଞ୍ଚ ନାଟକରେ ନିର୍ଦ୍ଦେଶନା ଦେଇଛି। ଭାତ, ମୁଠାଏ ମାଟି, ଅନ୍ଧଯୁଗ, କୁନ୍ତଳା ନୁହେଁ ଶକୁନ୍ତଳା, ସୂର୍ଯ୍ୟୋଦୟ ପଥେ ନାଟକରେ ଅଭିନୟ କରିଥିଲି। ଏମିତିରେ ପ୍ରାୟ ୧୨ଟି ସିନେମା, ୪ଟି ସିରିଏଲ, ଏକାଧିକ ମଞ୍ଚ ଓ ମୁକ୍ତ ମଞ୍ଚ ନାଟକରେ ନିର୍ଦ୍ଦେଶନା ଦେଇସାରିଛି। ସଂଗୀତ ନାଟକ ଏକାଡେମୀ ଦ୍ୱାରା କର୍ମଶାଳାଭିତ୍ତିକ ନାଟକ ଶହୀଦ ଭଗତ୍‌ ସିଂ, ଶହୀଦ ରଘୁ ଦିବାକର, ଶେଷରେ ଧରମା କହିଲା, ଶାଗୁଣା ଆଦି ଶିଶୁ ନାଟକରେ ନିର୍ଦ୍ଦେଶନା ଦେଇଛି। ଏହାବାଦ୍‌ ଶିଶୁ ଶ୍ରମିକ ଉଚ୍ଛେଦ ଓ ଶିଶୁ ସୁରକ୍ଷା ଅଧିକାର, ରେଡ୍‌ ରିବନ, ସ୍କୁଲ ଶିକ୍ଷା ଅଧିକାର ଏବଂ ଗ୍ରାମୀଣଭାରତ ବିକାଶ ନିମନ୍ତେ ପଞ୍ଚାୟତ ବିଭାଗ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ସମ୍ପର୍କିତ କେତେକ ଫିଚର ସିନେମାରେ ବି ନିର୍ଦ୍ଦେଶନା ଦେଇଛି। ନାଟ୍ୟ ନିର୍ଦ୍ଦେଶକ ଭାବେ ମୁଁ ବିଭିନ୍ନ ସ୍ଥାନରୁ ସ୍ବୀକୃତି ପାଇବା ସହ ସମ୍ମାନିତ ହୋଇଛି। ଯାହାମଧ୍ୟରେ ଇଣ୍ଟରନ୍ୟାଶନାଲ ଥିଏଟର, ଜାତୀୟ ସେବା ଯୋଜନା ଉତ୍କଳ ବିଶ୍ୱବିଦ୍ୟାଳୟ, ଗାଁ ଲୋକକଳା ଉତ୍ସବ ଏବଂ ମାନବଜୀବନ ବିକାଶ ସମିତି ମଧ୍ୟପ୍ରଦେଶ, ସେଣ୍ଟର ଫର ଏକ୍ସପେରିଏନ୍ସ ଅନ୍‌ ସୋସିଓ କଲ୍‌ଚରାଲ ଇଣ୍ଟର ଆକ୍ସନ- ମଦୁରାଇ ଆଦି ଅନ୍ତର୍ଭୁକ୍ତ। ଅନେକ ଫିଚର ଫିଲ୍ମ ଓ ଡକ୍ୟୁମେଣ୍ଟାରି ସିନେମା କରିବାର ମଧ୍ୟ ଅନୁଭୂତି ରହିଛି।

ସେମିତି ଏକ ଅନୁଭୂତି ସମ୍ପର୍କରେ ଜିତେନ୍ଦ୍ର କୁହନ୍ତି,‘ଝୁମୁକାଠାରେ ଆଳୟ ମହାନ୍ତିଙ୍କ ‘ଭୁଲ ବୁଝିବନି ମୋତେ’ ଓଡ଼ିଆ ଚଳଚ୍ଚିତ୍ରର ମୁଖ୍ୟ ସହ ନିର୍ଦ୍ଦେଶକ ଭାବେ କାଯର୍‌ୟ କରୁଥିବା ବେଳେ କିଛି ପୋଷାକ ପିନ୍ଧାକୁ ନେଇ ଜଣେ ଅଭିନେତାଙ୍କ ସହିତ ମତାନ୍ତର ହୋଇଥିଲା। ସେ ମୋତେ ଆକ୍ରମଣ କରିବାକୁ ଆସିଥିବାରୁ ସେଠାରେ ଶୁଟିଂ ୟୁନିଟ୍‌ର ସମସ୍ତ ସଦସ୍ୟ ସେଦିନ ଶୁଟିଂକୁ ବନ୍ଦ କରିବା ପାଇଁ ଯୋଜନା କରିଥିଲେ ମାତ୍ର ଆଳୟ ମହାନ୍ତିଙ୍କ ହସ୍ତକ୍ଷେପ ଯୋଗୁ ଘଟଣାର ଉତ୍ତମ ବୁଝାମଣା ହୋଇଥିଲା। ଆଉ ଗୋଟିଏ କଥା ମନେପଡ଼ୁଛି ଥରେ ‘ଜଙ୍ଗଲ ଓ ଜୀବନ’ ଏକ ପଥପ୍ରାନ୍ତ ନାଟକ ପରିବେଷଣ ପାଇଁ ଏକ ଆଦିବାସୀ ଅଞ୍ଚଳକୁ ଯାଉଥିବା ମୋଟର ଭ୍ୟାନ୍‌ଟି କଳିଙ୍ଗା ଘାଟିଠାରେ କୌଣସି କାରଣରୁ ଅଚଳ ହୋଇପଡ଼ିଥିତ୍ଲା। ସେତେବେଳକୁ ବେଳ ବୁଡ଼ି ରାତି ହୋଇଆସୁଥାଏ। ୧୫ ଜଣ କଳାକାର ସେହି ରାତି ଭୋକଉପାସରେ ରହିଥିଲୁ । କିନ୍ତୁ ସେହି ଅନ୍ଧାର ରାତିରେ ଦୂର ଦିଗନ୍ତରେ ଏକ ଆଲୁଅ ଜଳୁଥିବାର ଦେଖି ଦୁଇଜଣ କଳାକାର ବନ୍ଧୁ କିଛିଦୂର ଯାଇ ଏକ ଆଦିବାସୀ ପଡ଼ାରେ ପହଞ୍ଚି ସେଠାରୁ କିଛି ମୁଢି ଆଣିଥିଲେ। ସମସ୍ତେ ସେହି ମୁଢିକୁ ବାଣ୍ଟି ଖାଇଥିଲୁ । ସକାଳ ହେବାରୁ ଗୋଟିଏ ଅନୁଷ୍ଠାନର କେତେଜଣ ସଦସ୍ୟ ଓ ତାଙ୍କ ସାଥିରେ ଗାଡ଼ି ମେକାନିକ୍‌ ଆସି ଗାଡ଼ି ମରାମତି କରିବାରେ ପରେ ସେଦିନ ସେଠାରୁ ଫେରିଥିଲୁ। ପରବର୍ତ୍ତୀ ସମୟରେ ଏହି ଘଟଣାକୁ ନେଇ ଏକ ନାଟକରେ ନିର୍ଦ୍ଦେଶନା ଦେଇଥିଲି। ପ୍ରକୃତରେ ବିଭିନ୍ନ ପରିସ୍ଥିତି ହିଁ ନାଟ୍ୟ ନିର୍ଦ୍ଦେଶନା ପାଇଁ ଏକ ଶିକ୍ଷା ହୋଇଥାଏ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?