ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ସର୍ବାଧିକ ଧାନ ଉପତ୍ାଦନ ଯୋଗୁ ରାଜ୍ୟରେ ଜିଲାର ଏଭଳି ପରିଚୟ ରହିଛି। କିନ୍ତୁ ଏଠାରେ ଚାଷ, ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉ ନାହିଁ। ବର୍ଷବର୍ଷ ଧରି ତାହା ଅସମାହିତ ହୋଇ ରହିଛି। ଅମଳ ପରେ ଧାନବିକ୍ରି ସମସ୍ୟା ସାଧାରଣରେ ପରିଣତ ହୋଇଥିବାବେଳେ ଚାଷକାର୍ଯ୍ୟ ଆରମ୍ଭରୁ ମଧ୍ୟ ଜିଲାର ଚାଷୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଜିଲାରେ ଏବେ ଖରିଫ୍ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। ତେବେ ଆରମ୍ଭରୁ ଜିଲାରେ ସାର କଳାବଜାର ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପଟେ ଏହା ରୋକିବାକୁ କୃଷି ବିଭାଗ ନୀରବଦ୍ରଷ୍ଟା ସାଜିବା ସମସ୍ତଙ୍କୁ ଚକିତ କରି ପକାଇଛି। ଜିଲାରେ ସାଧାରଣତଃ ଜୁନ ୧୫ତାରିଖରୁ ଖରିଫ୍ ଚାଷକାର୍ଯ୍ୟ ଆରମ୍ଭ ହୋଇଥାଏ। ତେବେ ଏପର୍ଯ୍ୟନ୍ତ କେନାଲ ପାଣି ଛଡ଼ାଯାଇ ନଥିଲେ ମଧ୍ୟ ଜିଲାର ଚାଷୀମାନେ ଜଳାଶୟ, ଗଭୀର ନଳକୂପ କିମ୍ବା ଅନ୍ୟ ବିକଳ୍ପ ବ୍ୟବସ୍ଥାରେ ସଂରକ୍ଷିତ ପାଣି ବ୍ୟବହାର କରି ଚାଷକାର୍ଯ୍ୟ ଆରମ୍ଭ କରିଛନ୍ତି। କେହି ଜମି ହଳ କରି ସାରି ଥିବାବେଳେ ଆଉ କିଏ ତଳିପକା ତଥା ଧାନପହ୍ଲା ପକାଇବା କାର୍ଯ୍ୟକୁ ଆରମ୍ଭ କରି ଦେଇଛନ୍ତି। କେନାଲ ପାଣି ବନ୍ଦ ଥିବା ସହିତ ଆଶାନୁରୂପ ବର୍ଷା ଏଥର ହୋଇ ନଥିବାରୁ ଚାଷକାର୍ଯ୍ୟ ଶୀଥିଳ ପଡ଼ିଛି। କିନ୍ତୁ କେନାଲ ପାଣି ଛଡ଼ାଯିବା ଏବଂ ବର୍ଷା ହେବା ପରେ ଚାଷକାର୍ଯ୍ୟ ଆହୁରି ଜୋର୍ ଧରିବ। କିନ୍ତୁ ଚାଷକାର୍ଯ୍ୟ ଆରମ୍ଭରୁ ସାର ସଂକଟ ଏବଂ ସାର କଳାବଜାର ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି।
ବରଗଡ଼ ଜିଲାରେ ସାଧାରଣତଃ ୨ଲକ୍ଷ ୫୦ହଜାର ହେକ୍ଟର ଜମିରେ ଖରିଫ ଚାଷକାର୍ଯ୍ୟ ହୋଇଥାଏ। ଏଭଳି ଚାଷକାର୍ଯ୍ୟକୁ ଅନୁଧ୍ୟାନ କରି କୃଷି ବିଭାଗ ମଧ୍ୟ ଜିଲାକୁ ସାର ଯୋଗାଇ ଆସୁଛି। ଜିଲାକୁ ଖରିଫ ପାଇଁ ୩୯ହଜାର ୧ଶହ ମେଟ୍ରିକ ଟନ ୟୁରିଆ, ୧୪ହଜାର ୮୭୫ ମେଟ୍ରିକ ଟନ୍ ଡିଏପି, ୯୭୦୦ ମେଟ୍ରିକ ଟନ୍ ଏମଓପି, ୨୪ହଜାର ୯୨୦ ମେଟ୍ରିକ ଟନ୍ ଏନ୍ପିକେଏସ୍(ଗ୍ରୋମୋର) ଏବଂ ୫୦୦ ମେଟ୍ରିକ ଟନ୍ ଏସ୍ଏସ୍ପି ସାର ଆବଶ୍ୟକତା ରହିଛି। ଏହି କ୍ରମରେ ଚଳିତ ମାସ ସୁଦ୍ଧା ୧୦ହଜାର a୫୦ ମେଟ୍ରିକ ଟନ ୟୁରିଆ, ୬୭୭୫ ମେଟ୍ରିକ ଟନ୍ ଡିଏପି, ୫ ହଜାର ମେଟ୍ରିକ ଟନ୍ ଏମଓପି, ୮୬୬୦ ମେଟ୍ରିକ ଟନ୍ ଏନପିକେଏସ୍ ଏବଂ ୧୭୦ ମେଟ୍ରିକ ଟନ୍ ଏସ୍ଏସ୍ପି ସାର ଦରକାର ରହିଛି। ଜିଲା କୃଷି ବିଭାଗ ପାଖରେ ପ୍ରାୟତଃ ଏହି ପରିମାଣର ଉପରୋକ୍ତ ସାର ପହଞ୍ଚି ସାରିଛି। ବିଭିନ୍ନ ଲାଇସେନ୍ସ ପ୍ରାପ୍ତ ସାର ବିକ୍ରେତା ଏବଂ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ତାହା ନେଇ ମଧ୍ୟ ସାରିଛନ୍ତି। ହେଲେ ଚାଷୀମାନେ ସାର ପାଇଁ ଆରମ୍ଭରୁ ବହୁ ହଇରାଣ ହରକତ ହେଉଥିବା ଅଭିଯୋଗ କରୁଛନ୍ତି। ଏପରିକି କେତେକ ଲାଇସେନ୍ସପ୍ରାପ୍ତ ବିକ୍ରେତା ସାର ମହଜୁଦ ଥିବା ସତ୍ତ୍ୱେ ଅଭାବ ରହିଥିବା ଦର୍ଶାଉ ଥିବାବେଳେ ଚଢ଼ାଦରରେ ତାକୁ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ୟୁରିଆ ସାର ୪୫କି.ଗ୍ରା ପ୍ୟାକେଟ୍ ପ୍ରତି ୨୬୬ ଟଙ୍କା ୫୦ପଇସା, ଡିଏପି ସାର ୫୦କି.ଗ୍ରା ପ୍ୟାକେଟ୍ ପ୍ରତି ୧୩୫୦ ଟଙ୍କା, ଏମ୍ଓପି ସାର ୫୦କି.ଗ୍ରା ପ୍ୟାକେଟ୍ ପ୍ରତି ୧୭୦୦ ଟଙ୍କା, ଏନପିକେଏସ୍ ସାର ୫୦କି.ଗ୍ରା ପ୍ୟାକେଟ୍ ପ୍ରତି ୧୪୭୦ ଟଙ୍କା, ଏଏସପି ସାର ୫୦କି.ଗ୍ରା ପ୍ୟାକେଟ୍ ପ୍ରତି ୪୨୫ ଟଙ୍କାରୁ ୫୦୦ ଟଙ୍କା ରହିଛି। ମାତ୍ର ଚାଷକାର୍ଯ୍ୟ ଆରମ୍ଭରୁ ୟୁରିଆ, ଡିଏପି, ଏନ୍ପିକେଏସ୍(ଗ୍ରୋମର) ସାର ଦରକାର ପଡୁଥିବା ବେଳେ ବିକ୍ରେତାମାନେ ଏହି ସାରବିକ୍ରିରେ କଳାବଜାର କରୁଥିବା ଅଭିଯୋଗ ହୋଇଛି। ଏହାକୁ ଏବେଠାରୁ ନିୟନ୍ତ୍ରଣ କରା ନଗଲେ ଆଗକୁ ଜିଲାରେ ସାର ସଂକଟ ଆହୁରି ସଙ୍ଗୀନ ରୂପ ନେବ ବୋଲି ଆଶଙ୍କା ପ୍ରକାଶ ପାଇଛି।
Dharitri – Odisha’s No.1 Odia Daily

