ନକଲି ଜବ୍‌କାର୍ଡଧାରୀ ଚିନ୍ତାର କାରଣ

ନୟାଗଡ଼ ଅଫିସ,୫।୫: ନୟାଗଡ଼ ଜିଲାରେ ଜବ୍‌କାର୍ଡ ପାଇଥିବା ବ୍ୟକ୍ତି ଶ୍ରମିକ ନାଁ ଅଣଶ୍ରମିକ ଯାଞ୍ଚ ହେଉ ନ ଥିବାରୁ ଅସଲି ଶ୍ରମିକ ଉପେକ୍ଷିତ, ଅସୁରକ୍ଷିତ ଓ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ଅନ୍ୟପକ୍ଷେ ଅଣଶ୍ରମିକମାନେ ଧରାଧରି କରି ଜବ୍‌କାର୍ଡକୁ ହାତେଇ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ କାମ ନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ମଷ୍ଟର ରୋଲ ଦର୍ଶାଉଛି ଜବ୍‌କାର୍ଡଧାରୀଙ୍କୁ କାମର ଅଭାବ ନାହିଁ। ହେଲେ ମଷ୍ଟର ରୋଲରେ ଥିବା ଶ୍ରମିକ ଅସଲି ନାଁ ନକଲି ତା’ର ଚିହ୍ନଟ ହେଉନି। ଏଣୁ ବଣପାହାଡ଼ ଘେରା ନୟାଗଡ଼ ଜିଲାର ଅସଲି ଶ୍ରମିକମାନେ କାମ ପାଇଁ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ଜିଲାରେ ୧ଲକ୍ଷ ୬୩ ହଜାର ୬୨୬ ଜବ୍‌କାର୍ଡଧାରୀ ଅଛନ୍ତି। ଏଥିରୁ ଭାପୁର ବ୍ଲକରେ ୨୧,୭୯୫, ଦଶପଲ୍ଲାରେ ୧୭,୪୪୧, ଗଣିଆରେ ୭,୩୫୦, ଖଣ୍ଡପଡ଼ାରେ ୨୧,୦୪୬, ନୟାଗଡ଼ରେ ୨୨,୪୨୪, ନୂଆଗାଁରେ ୨୦,୧୭୧, ଓଡ଼ଗାଁରେ ୨୫,୨୪୪ ଓ ରଣପୁର ବ୍ଲକରେ ୨୮,୭୨୬ ଜବ୍‌କାର୍ଡଧାରୀ ଅଛନ୍ତି।
ଜଣେ ପଞ୍ଚାୟତ ସ୍ତରୀୟ ଲୋକ ପ୍ରତିନିଧିଙ୍କ ସୂଚନା ଅନୁସାରେ, ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଆସୁଥିବା ଅର୍ଥକୁ ଲୁଟିଲେ କେହି ପ୍ରତିବାଦ କରନ୍ତି ନାହିଁ। କାରଣ ସମସ୍ତଙ୍କୁ ଉଣା ଅଧିକେ ଭାଗ ମିଳିଥାଏ। ପ୍ରଥମତଃ ସରକାରୀ ବାବୁ ଓ ଲୋକ ପ୍ରତିନିଧିମାନେ ମୋଟା ଅଙ୍କର ଭାଗ ନେଉଛନ୍ତି। ୨ୟରେ କିଛି ଟଙ୍କା ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ଦିଆଯାଉଛି। ଯେଉଁମାନେ କାମ ଚାଲୁଥିବା ସମୟରେ ସୁରକ୍ଷା ଦିଅନ୍ତି। କିଛି ଅର୍ଥ ଗାଁକୁ ଯାଏ। କିଛି ବିରୋଧୀ ବି ପାଇଥାନ୍ତି। ଆଉ କିଛି ଅର୍ଥ ଜବ୍‌କାର୍ଡଧାରୀ ପାଆନ୍ତି। ଜବ୍‌କାର୍ଡଧାରୀ ପ୍ରକୃତ ଶ୍ରମିକ ହୋଇ ନ ଥିବାରୁ ଘରେ ବସି ରୋଜଗାର କରୁଥିବାରୁ ସେମାନଙ୍କର ଅଭିଯୋଗ ନ ଥାଏ। ଅନ୍ୟପକ୍ଷେ ଜବ୍‌କାର୍ଡଧାରୀଙ୍କ ଆକାଉଣ୍ଟକୁ ସବୁ ଟଙ୍କା ଯାଉଛି। ଏଥିଲାଗି ବିଶ୍ୱସନୀୟ ଜବ୍‌କାର୍ଡଧାରୀଙ୍କୁ ସବୁ ଗାଁରେ ଖୋଜା ପଡେ। ଟଙ୍କା ଆସିଲା ପରେ କିଛି ଅର୍ଥ ଜବ୍‌କାର୍ଡଧାରୀଙ୍କୁ ଧରାଇ ଦେଇ ବଳକା ଅର୍ଥ ଭାଗ ବାଣ୍ଟି ଦିଆଯାଏ। ଯଦି କେହି ଜବ୍‌କାର୍ଡଧାରୀ ପ୍ରତିବାଦ କରନ୍ତି ସେମାନଙ୍କୁ ଜେନତେନ ପ୍ରକାରେଣ ବୁଝାଇ ଦିଆଯାଏ। ନ ବୁଝିଲେ ଧମକଚମକ ଓ ମାରପିଟ୍‌ କରି ମୁହଁ ବି ବନ୍ଦ କରାଯାଏ। ପ୍ରତି ସ୍ତରରେ ଦୁର୍ନୀତିକୁ ପ୍ରୋତ୍ସାହନ ମିଳୁଥିବାରୁ ବିଲ୍‌ ମଞ୍ଜୁରରେ ଅସୁବିଧା ହୋଇ ନ ଥାଏ। ଅଭିଯୋଗ ହେଲେ ସମୟ ଗଡ଼ାଇ ସବୁ କିଛି ଠିକ୍‌ଠାକ ଚାଲିଛି କୁହାଯାଏ। ପ୍ରମାଣ ନ ମିଳିବାରୁ କାର୍ଯ୍ୟାନୁଷ୍ଠାନ ହେଲାନି ବୋଲି ସଫେଇ ଦିଆଯାଏ।
ଏ ନେଇ ଗଣିଆର ରାମଚନ୍ଦ୍ର ପ୍ରଧାନ, ଭାପୁରର ସୁଦାମ ନାୟକ, ନୟାଗଡ଼ର ରଣଜିତ୍‌ ପଟ୍ଟନାୟକ କୁହନ୍ତି, ଅନେକ ନକଲି ଶ୍ରମିକ ଜବ୍‌କାର୍ଡ ହାତେଇଛନ୍ତି। ଏହାର ତଦନ୍ତ ହେବା ଦରକାର। ଯେଉଁ ଶ୍ରମିକମାନେ ଜବ୍‌କାର୍ଡ ପାଇଛନ୍ତି ସେମାନଙ୍କୁ ଯେକୌଣସି କାମ କରିବାକୁ କୁହାଯାଉ। ଶ୍ରମିକ କାମ ନ କଲେ ସେମାନଙ୍କର ଜବ୍‌କାର୍ଡ ରଦ୍ଦ କରାଯାଉ। ଗାଁରେ ଅଣଶ୍ରମିକଙ୍କ ଦୌରାତ୍ମ୍ୟ ଅଧିକ। ଶ୍ରମିକ ନ ହୋଇ ବି ଜବ୍‌କାର୍ଡ ହାତେଇଥାନ୍ତି। ଗାଁରେ ରାଜନୀତି ଅଧିକ। ପଞ୍ଚାୟତରେ କାମ ମାଗିଲେ ମିଳେନା। କାରଣ ବିନା କାମରେ ପାରିଶ୍ରମିକ ମିଳେ। ଏଥିପାଇଁ ଶାସକ ଦଳର ସମର୍ଥକ ହେବା ଦରକାର। ସେମାନଙ୍କର କାମ କରିବା ଦରକାର। ସେମାନଙ୍କ ପଛରେ ଗୋଡ଼ାଇ କାମ କରୁ କରୁ ପରିବାର ଲୋକମାନେ ଭୋକରେ ରହିବାକୁ ପଡ଼ିଥାଏ। ଏଣୁ ଗାଁ ରାଜନୀତିରେ ସାମିଲ ନ ହୋଇ ପେଟ ପାଇଁ ଅସଲି ଶ୍ରମିକକୁ ବାହାରକୁ ଯିବାକୁ ପଡ଼େ। ଅଣଶ୍ରମିକମାନେ ଗାଁ ରାଜନୀତିରେ ନିଜକୁ ସାମିଲ କରି ପାରି ଥିବାରୁ ଶାସକ ଦଳର ବୋଲକରା ହୋଇ ରହିଥାନ୍ତି। ଏଣୁ ଟେନସେନ ନ ନେଇ ବାହାରକୁ ଚାଲିଯାଉ। ସେଠାରେ କାମ କରି ଘରକୁ ଟଙ୍କା ପଠାଉ। ସରକାରଙ୍କ ସୁଫଳ ଆମେ ପାଇପାରୁନି। ଶ୍ରମିକ ବଦଳରେ ଯନ୍ତ୍ର ଦ୍ୱାରା କାମ କରିବାକୁ ଆଇନ କରି ଦେଲେ ଭଲ ହୁଅନ୍ତା। ଯାହାଦ୍ୱାରା ସରକାର ସ୍ବଳ୍ପ ସମୟରେ ଅଧିକ କାମ ପାଇ ପାରନ୍ତେ। ପୁଣି କମ୍‌ ଟଙ୍କା ଖର୍ଚ୍ଚ ହୁଅନ୍ତା। ଏ ସମ୍ପକରେ ଜିଲା ପରିଷଦର ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କୁ ପଚାରିବାରେ କିଏ ଅସଲି ଓ କିଏ ନକଲି ଜାଣିବା କାଠିକର ପାଠ। ତେବେ ନକଲି ଶ୍ରମିକ ଅଭିଯୋଗ ମିଳିଲେ ଧରପଗଡ଼ କରାଯାଇ କଟା ଯାଇପାରିବ। କେତେଜଣ ଜବ୍‌କାର୍ଡଧାରୀଙ୍କୁ କଟାଯାଇଛି। ତେବେ ବର୍ଷେ ହେଲା ସେପରି କିଛି ଅଭିଯୋଗ ହୋଇନାହିଁ ବୋଲି ସେ କହିଛନ୍ତି। ଏ ନେଇ ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କୁ ପଚାରିବାରେ ଜିଲାରେ ଅନେକ ଅଣଶ୍ରମିକ ଜାଲିଆତି କରି ଜବ୍‌କାର୍ଡଧାରୀ ହାତେଇ ନେଇଥିବା ଅଭିଯୋଗ ମିଳିଛି। ବିଭିନ୍ନସ୍ଥାନରେ ମଧ୍ୟ ନକଲି ଜବ୍‌କାର୍ଡଧାରୀ ଥିବାର ଅନୁଭବ କରାଯାଉଛି। ଖୁବ୍‌ଶୀଘ୍ର ନକଲି ଜବ୍‌କାର୍ଡଧାରୀଙ୍କୁ ଚିହ୍ନଟ କରି ବିଦା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri