ନକଲି ସାର୍ଟିଫିକେଟ ଓ ବ୍ୟବସ୍ଥାଗତ ତ୍ରୁଟି

ଅଧ୍ୟାପକ ଗୋପବନ୍ଧୁ

ସୁଶାସନ ପାଇଁ ଶାସନଗତ ଦୃଢ଼ତା ଅତ୍ୟନ୍ତ ଜରୁରୀ। ଶାସନ ବ୍ୟବସ୍ଥା ହୁଗୁଳି ଗଲେ ଅରାଜକତା ଦେଖାଦିଏ। ଚାରିଆଡ଼େ ମାଫିଆମାନଙ୍କ ପ୍ରାଦୁର୍ଭାବ ବଢ଼ିଯାଏ। ବ୍ୟବସ୍ଥା ବିରୋଧୀ ଅରାଜକ ତତ୍ତ୍ବ ଆତ୍ମପ୍ରକାଶ କରନ୍ତି। ନିଜ ସ୍ବାର୍ଥପାଇଁ ଏମାନେ ସମାନ୍ତରାଳ ବ୍ୟବସ୍ଥା ଚାଲୁ କରିବାକୁ ଚେଷ୍ଟା କରନ୍ତି। ଏହା ରାଷ୍ଟ୍ର ସତ୍ତାକୁ ଆଞ୍ଚ ପହଞ୍ଚାଏ। ରାଷ୍ଟ୍ର ସ୍ବଚ୍ଛ ଓ ନିର୍ମଳ ଶାସନ ଦେଇପାରେ ନାହିଁ। ନାଗରିକମାନେ ନ୍ୟାୟ ପାଇ ପାରନ୍ତି ନାହିଁ। ସରଳ ଓ ଶୃଙ୍ଖଳିତ ଲୋକଙ୍କ ଉପରେ ଅତ୍ୟାଚାର ବଢ଼େ। ସମସ୍ତ କ୍ଷେତ୍ରରେ ସେମାନେ ବଞ୍ଚତ୍ତ ହୁଅନ୍ତି। ରାଷ୍ଟ୍ରର ଗୋଟିଏ ବ୍ୟବସ୍ଥା ଦୁର୍ବଳ ହେଲେ ଅନ୍ୟ ବ୍ୟବସ୍ଥାକୁ ଏହା ପ୍ରଭାବିତ କରେ। ଏହା ଅଧିକ ପରିବ୍ୟାପ୍ତ ହେଲେ ରାଷ୍ଟ୍ରସତ୍ତା ଅରାଜକ ତତ୍ତ୍ୱ ହାତକୁ ଚାଲିଯାଏ। ଏମାନେ ନିଜ ସ୍ବାର୍ଥପାଇଁ ରାଷ୍ଟ୍ରକୁ ବିପଦରେ ପକାଇବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଅଣାୟତ୍ତ ପରିସ୍ଥିତିକୁ ସୁଧାରିବାକୁ ପୁଣି ଅନେକ ସମୟ ଲଗିଯାଏ। କାରଣ ଏଥିପାଇଁ ପ୍ରବଳ ଜନମତର ଆବଶ୍ୟକତା ପଡ଼େ। ରାଷ୍ଟ୍ରବାଦୀମାନଙ୍କୁ ଆଗକୁ ଆସିବାକୁ ପଡ଼େ।
ଗୋଟିଏ ରାଷ୍ଟ୍ରର ବିକାଶ ପାଇଁ ଏକ ଦୃଢ଼ ଶିକ୍ଷାବ୍ୟବସ୍ଥା ଅପରିହାର୍ଯ୍ୟ। ଦେଶରେ ଶିକ୍ଷାବ୍ୟବସ୍ଥାର ଦାୟିତ୍ୱ ହେଉଛି ଏକ ସୁସ୍ଥ ଓ ପାରଦର୍ଶୀ ଶୈକ୍ଷିକ ବାତାବରଣ ବଜାୟ ରଖିବା ଓ ସ୍ବଚ୍ଛ ମୂଲ୍ୟାୟନ ଜରିଆରେ ଛାତ୍ରୀଛାତ୍ରମାନଙ୍କ ପ୍ରତିଭାକୁ ପ୍ରମାଣପତ୍ର ବା ସାର୍ଟିଫିକେଟ ମାଧ୍ୟମରେ ସ୍ବୀକୃତି ଦେବା। ଏହି ପ୍ରମାଣପତ୍ର ପାଇବା ପାଇଁ ଛାତ୍ରୀଛାତ୍ରମାନଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼େ। ମାଟ୍ରିକୁଲେଶନ ସାର୍ଟିଫିକେଟ ପାଇଁ ଜଣକୁ ଅନୂ୍ୟନ ଦଶବର୍ଷ ପଢିବାକୁ ହୁଏ। ପରୀକ୍ଷାରେ କୃତକାର୍ଯ୍ୟ ହେଲେ ତାକୁ ପାସ୍‌ ପ୍ରମାଣପତ୍ର ମିଳେ। ଫେଲ୍‌ ହେଲେ ପୁଣି ଅଧିକ ବର୍ଷ ପଢ଼ିବାକୁ ହୁଏ। ସେହିପରି ଯୁକ୍ତ୨ ପାଇଁ ଅନୂ୍ୟନ ଦୁଇ ବର୍ଷ, ଯୁକ୍ତ୩ ପାଇଁ ଅନୂ୍ୟନ ତିନି ବର୍ଷ, ପୋଷ୍ଟ ଗ୍ରାଜୁଏଶନ ପାଇଁ ଅନୂ୍ୟନ ଦୁଇବର୍ଷ, ଏହିପରି ପ୍ରତି ସ୍ତରର ପର୍ଯ୍ୟାୟକ୍ରମ ପାଇଁ ସମୟସୀମା ନିର୍ଦ୍ଧାରଣ କରାଯାଇଛି। ହିସାବ କଲେ ହାଇସ୍କୁଲ ସାର୍ଟିଫିକେଟ ପାଇଁ ଅନୂ୍ୟନ ଦଶ ବର୍ଷ, ଯୁକ୍ତ୨ ପାଇଁ ଅନୂ୍ୟନ ବାର ବର୍ଷ, ଯୁକ୍ତ ୩ ସାର୍ଟିଫିକେଟ ପାଇଁ ଅନୂ୍ୟନ ପନ୍ଦର ବର୍ଷ ଓ ଆହୁରି ଉଚ୍ଚତର ଡିଗ୍ରୀ ପାଇଁ ଆହୁରି ଅଧିକ ବର୍ଷ ପଢିବାକୁ ହୁଏ।
ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଛାତ୍ରମାନେ ପୂର୍ଣ୍ଣ ସମୟ ଭଲ ପରୀକ୍ଷା ଫଳ ପାଇବା ପାଇଁ ଲଗାଇ ଦିଅନ୍ତି। ଏକ ମାତ୍ର ଲକ୍ଷ୍ୟ ଭଲ ନମ୍ବର ରଖି ଭଲ ଡିଭିଜନରେ ପାସ୍‌ କରିବା। ଏହି ରେଜଲ୍ଟ ତା’ର ସ୍ବପ୍ନକୁ ସାକାର କରିବ। ଭଲ ଚାକିରିଟିଏ କରିବାରେ ସହାୟକ ହେବ। ବହୁ କଷ୍ଟ ସ୍ବୀକାର କରି ପରିବାର ଯେଉଁ ପାଠ ପଢ଼ାଇଛନ୍ତି, ସେ ରୋଜଗାର କଲେ ପରିବାର ପ୍ରତି ସହାୟକ ହେବ। ଏ ସମସ୍ତ ବିଷୟ ଆମ ଅନୁଭୂତିର। ଆମେ ସମସ୍ତେ ଏହି ସୋପାନ ଦେଇ ଆସିଛୁ। ପଢି ସାରିଲା ପରେ ଜଣେ ଯେଉଁ ଶିକ୍ଷା ପ୍ରମାଣପତ୍ର ପାଏ, ତାହା ତା’ର ତପସ୍ୟାର ଫଳ। ଏହି ପ୍ରମାଣପତ୍ର ସାରା ଜୀବନ ତା’ର ବ୍ୟକ୍ତିତ୍ୱର ପ୍ରମାଣ ଦିଏ। ମଲା ପରେ ବି ପରବର୍ତ୍ତୀ ବଂଶଧରମାନେ ଏହାକୁ ନେଇ ଗର୍ବ କରନ୍ତି। ଆଲୋଚନା ବି କରନ୍ତି। ତେଣୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ପରୀକ୍ଷାର ଯେଉଁପରି ସ୍ବତନ୍ତ୍ର ମହତ୍ତ୍ୱ ଥାଏ, ସେଠାରୁ ଯେଉଁ ଶିକ୍ଷା ପ୍ରମାଣପତ୍ର ମିଳେ ତାହାର ମହତ୍ତ୍ୱ ଆହୁରି ଅଧିକ ଥାଏ।
ଏହିପ୍ରକାର ଶୃଙ୍ଖଳିତ ବ୍ୟବସ୍ଥା ଭୂଲୁଣ୍ଠିତ ହୁଏ, ଯେତେବେଳେ ଏହାର ଏକ ଭ୍ରଷ୍ଟ ଓ ବିରୋଧୀ ବ୍ୟବସ୍ଥା କାୟାବିସ୍ତାର କରେ। ଶ୍ରେଣୀଶିକ୍ଷା ଉପରୁ ଗୁରୁତ୍ୱ ହ୍ରାସ କରାଯାଏ। ପରୀକ୍ଷା ପଦ୍ଧତିରେ ଅସ୍ବଚ୍ଛତା ଆସେ। ସାର୍ଟିଫିକେଟ ହାସଲ କରିବା କେବଳ ମାତ୍ର ଲକ୍ଷ୍ୟ ହୋଇଯାଏ। ଛାତ୍ରୀଛାତ୍ରୀମାନେ ନକଲ ଉପରେ ଗୁରୁତ୍ୱ ଦିଅନ୍ତି। କାର୍ଯ୍ୟରତ କର୍ମଚାରୀମାନେ ପରୀକ୍ଷାରେ ଅସାଧୁ ଉପାୟର ଅବଲମ୍ବନକୁ ପ୍ରୋତ୍ସାହିତ କରନ୍ତି। କପି ମାଫିଆମାନେ ସକ୍ରିୟ ହୋଇଯାଆନ୍ତି ଓ ବ୍ୟବସ୍ଥା ସହିତ ବୁଝାମଣା କରି ପ୍ରଶ୍ନପତ୍ର ଲିକ୍‌ ସହିତ, କପି ଯୋଗାଣ, ମୂଲ୍ୟାୟନରେ ହେରଫେର, ଟାବୁଲେଶନ ବେଳେ ନମ୍ବର ହେରଫେର ପରି ଅସାଧୁ କାର୍ଯ୍ୟ ବିନା ପ୍ରତିବନ୍ଧକରେ କରିଚାଲନ୍ତି। ଏପରି ସ୍ଥଳେ ପରୀକ୍ଷା ନିୟାମକର ବିରୋଧରେ ଏକ ଭ୍ରଷ୍ଟ ସମାନ୍ତରାଳ ବ୍ୟବସ୍ଥା କାର୍ଯ୍ୟକରେ। ଗୋଟିଏ ରାଷ୍ଟ୍ରର ଶିକ୍ଷାବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳିତ କରିବା ପାଇଁ ଯେଉଁସବୁ ନିୟମର ପ୍ରବର୍ତ୍ତନ ହୋଇଥାଏ, ତାହା କ୍ରମେ ମୂଲ୍ୟହୀନ ହୋଇଯାଏ ଏବଂ ମାଫିଆ ଓ ଭ୍ରଷ୍ଟାଚାରୀଙ୍କ ଇଙ୍ଗିତରେ ଦେଶର ବ୍ୟବସ୍ଥା ପରିଚାଳିତ ହୁଏ।
ବ୍ୟବସ୍ଥାରେ ଚରମ ବିଶୃଙ୍ଖଳା ଦେଖାଦିଏ, ଯେତେବେଳେ ସାର୍ଟିଫିକେଟ ବା ପାସ୍‌ ପ୍ରମାଣପତ୍ର ବଜାରରେ କିଣିବାକୁ ମିଳେ। ଶିକ୍ଷା ମାଫିଆ ଓ କଳାବଜାରକାରୀମାନେ ଏହାକୁ ସବୁଠାରୁ ସହଜ ମାଧ୍ୟମ ଭାବେ ଗ୍ରହଣକରି ନେଇଛନ୍ତି। ଏଥିରେ ଶ୍ରେଣୀ ଶିକ୍ଷା ଲାଭକରିବାର ଆବଶ୍ୟକତା ନ ଥାଏ। ଦଶପନ୍ଦର ବର୍ଷ ପର୍ଯ୍ୟନ୍ତ ପାଠ ପଢିବାର ଝମେଲା ଏବଂ ଅର୍ଥ ଓ ସମୟ ବ୍ୟୟର ଆବଶ୍ୟକତା ପଡେନାହିଁ। କେଉଁ ସ୍କୁଲ ବା କଲେଜରେ ନାମ ଲେଖାଇବାକୁ ପଡ଼େ ନାହିଁ। କେହି ଯଦି ନାମ ଲେଖାଇ ଥାଏ, ତେବେ ସେ ଫେଲ୍‌ ହୋଇଥିଲେ ବି ତାକୁ ଅଧିକ ନମ୍ବର ରଖିଥିବା ପାସ୍‌ ସାର୍ଟିଫିକେଟ ଓ ନମ୍ବର ଫର୍ଦ୍ଦ ବା ମାର୍କଶିଟ ମିଳିଯାଏ। ଏହାକୁ ନେଇ ସେ ଭଲ ଚାକିରି ପାଇଯାଏ। ଯିଏ ଜାଲ୍‌ ସାର୍ଟିଫିକେଟ ଯୋଗାଡ଼ କରିପାରେ ତାକୁ ଚାକିରି ଯୋଗାଡ଼ କରିବା କେଉଁ କଷ୍ଟକର କାମ? କେତେଜଣ ରାଜନେତାଙ୍କ ପାଇଁ ନିଜର ରାଜନୈତିକ ପ୍ରଭାବ ବିସ୍ତାର ଉଦ୍ଦେଶ୍ୟରେ ସାଧାରଣ ଜନତାଙ୍କୁ ନିଜର ଉଚ୍ଚଶିକ୍ଷା ଯୋଗ୍ୟତାର ପ୍ରଦର୍ଶନ କରିବା ଦିଗରେ ଏହା ଏକ ସହଜ ମାଧ୍ୟମ। ଏପରିକି ନିର୍ବାଚନ ଅଧିକାରୀଙ୍କ ନିକଟରେ ଏବାବଦକୁ ଆଫିଡାଭିଟ୍‌ ଦେବାକୁ ସେମାନେ କୁଣ୍ଠାବୋଧ କରନ୍ତି ନାହିଁ। ଯଦି ଏପରି ବ୍ୟକ୍ତି ଉଚ୍ଚପଦ ପଦବୀରେ ଅଧିଷ୍ଠିତ ହୋଇଯାଆନ୍ତି ଓ ତାଙ୍କ ବିରୋଧରେ ଅଭିଯୋଗ ଆସେ, ତେବେ ସେ ନିଜର କ୍ଷମତା ବଳରେ ଏପ୍ରକାର ଅଭିଯୋଗକୁ ଚାପିଦେବା ପାଇଁ ଭରପୂର ଚେଷ୍ଟା କରନ୍ତି।
ନିକଟରେ ଓଡ଼ିଶାରେ ହଜାର ହଜାର ସଂଖ୍ୟାରେ ଜାଲ୍‌ ସାର୍ଟିଫିକେଟ ଓ ମାର୍କଶିଟ ବିକ୍ରି ହେବାର ତଥ୍ୟ ପ୍ରଘଟ ହୋଇଛି। ଏପ୍ରକାର ଚେରର ଗଭୀରତା ବହୁତ ବେଶିବୋଲି ପ୍ରମାଣ ମିଳିଛି। ଅନେକେ ଏହିପ୍ରକାର ପ୍ରମାଣପତ୍ର ଜରିଆରେ ଚାକିରି କରୁଥିବାର ଜଣାପଡିଛି। କେତେଜଣ ଧରାପଡିଲେଣି। ଏହା ଉପରେ ଖୋଳତାଡ଼ ଚାଲିଛି। ଅନେକଙ୍କ ଧାରଣା ଯେ ଏହା ପଛରେ ରାଜନୈତିକ ନେତାଙ୍କ ପୃଷ୍ଠପୋଷକତା ଥାଇପାରେ। ଏପ୍ରକାର ବ୍ୟବସ୍ଥା ଦୀର୍ଘବର୍ଷ ଧରି ଚାଲିଛି। ଏ ସବୁ ସମୁଦ୍ରକୁ ଶଙ୍ଖେ। ଠିକ୍‌ଭାବେ ଇନକ୍ୱାରି କଲେ ଅନେକ କଥା ସାମ୍ନାକୁ ଆସିବ ଓ ଅନେକଙ୍କ ମୁଖା ଖୋଲିବ। ତେବେ ସାଧାରଣରେ ଏହାବି ସନ୍ଦେହରେ ରହିଛି ଯେ ଯେଉଁମାନେ ଏତେ କରିତ୍‌କର୍ମା, ଯେଉଁମାନେ ପାଠ ନ ପଢି ଜାଲ୍‌ ସାର୍ଟିଫିକେଟ ସଂଗ୍ରହ କରି ଚାକିରି କରିପାରୁଛନ୍ତି, ସେମାନେ ଇନକ୍ବାରିକୁ ବି କିଣି ନେବେନିତ? କାରଣ ଦେଶର ଗୋଟିଏ ବ୍ୟବସ୍ଥାରେ ଘୁଣ ଲାଗିଲେ ତାହା ଅନ୍ୟ ବ୍ୟବସ୍ଥାକୁ ମଧ୍ୟ ସଂକ୍ରମିତ ହୁଏ।
ରାଜନେତାମାନେ ଦେଶର ଦିଗ୍‌ଦର୍ଶକ। କେତେଜଣ ରାଜନେତାଙ୍କ ବିରୋଧରେ ଜାଲ୍‌ ଶିକ୍ଷାଗତ ଯୋଗ୍ୟତା ରହିଛି ବୋଲି ଗମ୍ଭୀର ଅଭିଯୋଗ ଆସିଛି। ଅତୀତରେ ଦିଲ୍ଲୀର ଆଇନ ମନ୍ତ୍ରୀଙ୍କ ବିରୋଧରେ ଏପରି ଅଭିଯୋଗ ଆସିଥିଲା ଓ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ଆହୁରି ଅନେକ ନେତାଙ୍କ ବିରୋଧରେ ଏପରି ଅଭିଯୋଗ ଆସୁଛି। କେବଳ ଏତିକି ନୁହେଁ ଜାଲ୍‌ ଜାତି ସାର୍ଟିଫିକେଟ, ଜାଲ୍‌ ଜନ୍ମ ସାର୍ଟିଫିକେଟ, ଜାଲ୍‌ ସମ୍ପତ୍ତି ପ୍ରମାଣ ପରି ଅଭିଯୋଗ ମଧ୍ୟ ଆସୁଛି। ରାଜନୈତିକ ନେତାମାନେ ଏ ସମସ୍ତ ଅଭିଯୋଗରୁ ମୁକ୍ତ ହେବା ଉଚିତ। ଅନ୍ୟଥା ଏମାନଙ୍କ ହାତରେ ଦେଶ ସୁରକ୍ଷିତ ରହିବ କିପରି?
ଏହିପ୍ରକାର କାରବାରରେ ଲିପ୍ତଥିବା କଳାବଜାରକାରୀ ଓ ମାଫିଆମାନଙ୍କୁ କଠୋର ହସ୍ତରେ ଦମନ କରାଯିବା ଉଚିତ। ଆଉ ସମ୍ପୃକ୍ତ ରାଜନୈତିକ ନେତାମାନେ ତ ଆଦୌ କ୍ଷମାର ପାତ୍ର ନୁହନ୍ତି। ତାଙ୍କୁ ଯେତେ ଭର୍ତ୍ସନା କଲେ ବି କମ୍‌ ହେବ।
(ଅବସରପ୍ରାପ୍ତ), ଦର୍ଶନ ବିଭାଗ
ବାରିପଦା, ମୟୂରଭଞ୍ଜ
ମୋ- ୭୦୦୮୯୭୬୧୮୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?