ଅନୁସରଣ କରି ବିଫଳ

ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟରୁ ମିଜୋରାମ ବ୍ୟତୀତ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ତେଲଙ୍ଗାନାର ଫଳାଫଳ ୩ ଡିସେମ୍ବରରେ ପ୍ରକାଶ ପାଇଛି। ହିନ୍ଦୀଭାଷୀ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଜୟ ହାସଲ କରିଥିବା ବେଳେ ତେଲଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)କୁ ହଟାଇ କଂଗ୍ରେସ ଏକାକୀ ସଂଖ୍ୟାଗରିଷ୍ଠ ଦଳ ହୋଇପାରିଛି। ଏହି ନିର୍ବାଚନୀ ଫଳାଫଳ ଭାରତକୁ ଏକପ୍ରକାର ଦୁଇ ଭାଗରେ ବିଭକ୍ତ କରିଛି। ଦକ୍ଷିଣରେ ଭାଜପା ବିରୋଧରେ ସ୍ପଷ୍ଟ ମତ ରହିଥିବା ବେଳେ ହିନ୍ଦୀଭାଷୀ ରାଜ୍ୟରେ କଂଗ୍ରେସ ବିପକ୍ଷରେ ଓ ହିନ୍ଦୁତ୍ୱ ସପକ୍ଷରେ ବାରମ୍ବାର ମତ ପ୍ରକାଶ ପାଉଛି। କେତେକ ରାଜନୈତିକ ପର୍ଯ୍ୟବେକ୍ଷକ ଉପରଲିଖିତ ରାଜ୍ୟର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି କହୁଥିଲା ବେଳେ ଆଉ କେତେକେ କହୁଛନ୍ତି, ଏହା ସେମିଫାଇନାଲ ନୁହେଁ ବରଂ ଲୋକ ସଭା ନିର୍ବାଚନ ବେଳକୁ ସ୍ଥିତି ବଦଳିଯାଇପାରେ। ଏହି ପରିପ୍ରେକ୍ଷୀରେ ଯଦି ଏକ୍‌ଜିଟ୍‌ ପୋଲକୁ ଦେଖାଯାଏ ତେବେ ଛତିଶଗଡ଼ କ୍ଷେତ୍ରରେ ଅନୁମାନ ସମ୍ପୂର୍ଣ୍ଣ ଭୁଲ୍‌ ପ୍ରମାଣିତ ହୋଇଛି। ସେଠାରେ କଂଗ୍ରେସ ଆସିପାରେ ବୋଲି କୁହାଯାଉଥିଲା। ତେଲଙ୍ଗାନାରେ କଂଗ୍ରେସ ଆସିବା ନେଇ ଅନୁମାନ ଲଗାଯାଇଥିବା ବେଳେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଭାଜପା-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଇଥିଲା।
ମଧ୍ୟପ୍ରଦେଶରେ ୨୦୦୩ରୁ ଅଦ୍ୟାବଧି ଭାଜପା କ୍ରମାଗତ କ୍ଷମତା ବଜାୟ ରଖିଆସିଛି ବୋଲି କୁହାଯାଇପାରେ। ୨୦୧୮ ବିଧାନସଭାରେ କମଲନାଥଙ୍କ ନେତୃତ୍ୱରେ କଂଗ୍ରେସ କେବଳ ୧୫ ମାସ ପାଇଁ ଶାସନ କରିଥିଲା। ଜ୍ୟୋତିରାଦିତ୍ୟ ସିନ୍ଧିଆ ଅସନ୍ତୁଷ୍ଟ ୨୨ ବିଧାୟକଙ୍କୁ ନେଇ କଂଗ୍ରେସ ଶିବିରରୁ ଭାଜପା ଜାହାଜକୁ ଲମ୍ଫ ପ୍ରଦାନ କରିବା ପରେ ସେଠାରେ ରାଜନୈତିକ ସମୀକରଣ ବଦଳିଯାଇଥିଲା। ଭାଜପା ପୁନଶ୍ଚ କ୍ଷମତାସୀନ ହୋଇଥିଲା। ୨୦୨୩ ବିଧାନସଭା ଭୋଟ ବେଳେ କୁହାଯାଉଥିଲା ଯେ, ଭାଜପାର ଦୀର୍ଘବର୍ଷ ଶାସନ ସରକାର ବିରୋଧୀ ହାଓ୍ବାରେ ଉଡ଼ିଯିବ। କିନ୍ତୁ ତାହା ହେଲା ନାହିଁ। ବରଂ ନରମ ହିନ୍ଦୁତ୍ୱବାଦକୁ ଅନୁସରଣ କଂଗ୍ରେସ ପାଇଁ କାଳ ହେଲା। ପୂର୍ବରୁ ଭାଜପା ସହିତ ରହିଆସିଥିବା ଦକ୍ଷିଣପନ୍ଥୀ ଗୋଷ୍ଠୀ ବଜରଙ୍ଗ ସେନା ସହ କଂଗ୍ରେସ ମିଶିଥିଲା। ଏଥିସହିତ କେତେକ ପୂଜାରୀଙ୍କୁ ଜମି ଅଧିକାର ଦେବା ସହ ଅନେକ ତୁଷ୍ଟୀକରଣ ଯୋଜନା ବିଷୟରେ ଘୋଷଣା କରିଥିଲା। ଛତିଶଗଡ଼ରେ କଂଗ୍ରେସ କ୍ଷମତାସୀନ ଥିଲେ ମଧ୍ୟ ସରକାରୀ ସ୍ତରରେ ଘଟିଥିବା ଦୁର୍ନୀତିକୁ ଭାଜପା ଲୋକଙ୍କ ପାଖରେ ପହଞ୍ଚାଇଥିଲା। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଦଳର ଅନ୍ୟତମ ତୁଙ୍ଗ ନେତା ସଚିନ ପାଇଲଟଙ୍କ ମଧ୍ୟରେ କ୍ରମାଗତ କଳି ଦଳକୁ ପରାଜୟ ଆଡ଼କୁ ଠେଲି ଦେଇଥିଲା। ଏମିତି ଦେଖିଲେ ଦୀର୍ଘ ୩ ଦଶନ୍ଧି ଧରି ରାଜସ୍ଥାନରେ ବିକଳ୍ପ ଦଳକୁ ଭୋଟର ବାଛିବାର ନଜିର ରହିଥିବାରୁ ଚଳିତ ଥର ଏହା ଭାଜପା ଭାଗରେ ପଡ଼ିଲା ବୋଲି କୁହାଯାଉଛି। ଅନ୍ୟପକ୍ଷରେ ତେଲଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତା ତଥା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଟକ୍କର ଦେବା ଲାଗି ଯୁବନେତା ତଥା ପ୍ରଦେଶ କଂଗ୍ରେସ ମୁଖ୍ୟ ରେଭନ୍ତ ରେଡ୍ଡୀଙ୍କୁ ପ୍ରଦର୍ଶନ କରିବାରୁ କଂଗ୍ରେସ ସୁଫଳ ପାଇପାରିଛି। ଏଥିସହିତ ଆଞ୍ଚଳିକ ଦଳ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌)କୁ ଏକ ସର୍ବଭାରତୀୟ ଦଳରେ ପରିଣତ କରିବାର କେସିଆର୍‌ଙ୍କ ଉଦ୍ୟମ ତାଙ୍କ ପାଇଁ ବିପର୍ଯ୍ୟୟର କାରଣ ହୋଇଥାଇପାରେ ବୋଲି ଆଲୋଚନା ହେଉଛି। ଦେଖିବାକୁ ଗଲେ ତେଲଙ୍ଗାନାରେ ନୂଆ ମୁହଁ ଦେଇ କଂଗ୍ରେସ ବିଜୟ ହୋଇଛି। କିନ୍ତୁ ହିନ୍ଦୀଭାଷୀ ରାଜ୍ୟରେ ବରିଷ୍ଠ ନେତା, ଯେଉଁମାନଙ୍କୁ ଜନସାଧାରଣ ଚାହୁଁ ନ ଥିଲେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ପ୍ରୋଜେକ୍ଟ କରିବାରୁ ଫଳାଫଳ ଅସ୍ବାଭାବିକ ହେଲା। ଏଥିସହିତ କଂଗ୍ରେସ ଆଶା କରିଥିଲା ଯେ ନରମ ହିନ୍ଦୁତ୍ୱ ଓ ତୁଷ୍ଟୀକରଣ ଉପାୟ ଅବଲମ୍ବନ କଲେ ଭୋଟରଙ୍କ ହୃଦୟ ଜିଣିପାରିବ। ସାଧାରଣ ଲୋକଙ୍କ ସହ ନ ମିଶି ଦୀର୍ଘବର୍ଷ ଧରି ଧର୍ମକୁ ନେଇ ଭାଜପା ଯେଉଁ ଆସନ ସଂରକ୍ଷଣ କରିଆସିଛି, ତାହାକୁ କଂଗ୍ରେସ ଅନୁଧାବନ କରିବାରୁ ଗାତରେ ପଡ଼ିଗଲା। ସ୍ବକୀୟ ଚିନ୍ତା ଓ ଦେଶ ପାଇଁ ଦରକାର ହେଉଥିବା ଦୃଢ଼ ଅର୍ଥନୈତିକ ନୀତି ବିଷୟରେ ଭୋଟରଙ୍କୁୁ ଅବଗତ କରିଥିଲେ ହୁଏତ ଫଳ ଭିନ୍ନ ହୋଇଥାଆନ୍ତା।
ଏପଟେ ଭାଜପା ବିଜୟ ହେବାର ଅନେକ କାରଣ ରହିଛି। ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହ୍ବାନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସେଭଳି ପ୍ରୋଜେକ୍ଟ କରାଯାଇ ନ ଥିଲା। ଛତିଶଗଡ଼ରେ ଡାକ୍ତର ରମଣ ସିଂଙ୍କ ଅପେକ୍ଷା ବରିଷ୍ଠ ଆର୍‌ଏସ୍‌ଏସ୍‌ ନେତା ଅଭୟରାମ ସାଓଙ୍କ ପୁଅ ତଥା ଯୁବନେତା ଅରୁଣ ସାଓକୁ ଗୁରୁତ୍ୱ ଦିଆଯାଇଥିଲା। ଅନୁରୂପ ଭାବେ ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ପରିବର୍ତ୍ତେ ଗୈରିକ ବସ୍ତ୍ରଧାରୀ ସାଧୁ ତଥା ରାଜସ୍ଥାନର ଯୋଗୀ ଭାବେ ପରିଚିତ ବାଳକନାଥ ଏବଂ କେନ୍ଦ୍ରରେ ମନ୍ତ୍ରୀ ଥିବା ଗଜେନ୍ଦ୍ର ସିଂ ଶେଖାଓ୍ବତଙ୍କୁ ଅଧିକ ଗୁରୁତ୍ୱ ଦିଆଯିବାରୁ ଭାଜପା ସଫଳତା ପାଇଥିବା କୁହାଯାଉଛି। ଏଥିସହିତ ହିନ୍ଦୀଭାଷୀ ଅଞ୍ଚଳରେ ସ୍ଥାନୀୟ ନେତାଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କାମ ଦେଇଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମହିଳା ଭୋଟରଙ୍କ ପାଇଁ ଭାଜପା ବିଭିନ୍ନ ହିତକାରୀ ଯୋଜନା ଘୋଷଣା କରିଥିଲା। ମଧ୍ୟପ୍ରଦେଶରେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ କ୍ଷମତାରେ ରହିବା ଓ ଛତିଶଗଡ଼ରେ ଦଳର ସ୍ଥିତି ଦୁର୍ବଳ ଥିଲେ ମଧ୍ୟ ଉଚିତ ସମୟରେ ଦଳୀୟ ସଙ୍ଗଠନକୁ ମଜଭୁତ କରିବାରେ ଭାଜପା ସକ୍ଷମ ହୋଇଥିଲା। କଂଗ୍ରେସର ନିର୍ଦ୍ଦିଷ୍ଟ ବର୍ଗଙ୍କୁ ତୁଷ୍ଟ କରିବା ଲାଗି ନେଇଥିବା ପଦକ୍ଷେପକୁ ପ୍ରତିହତ କରିବା ସକାଶେ ଭାଜପାର ହିନ୍ଦୁତ୍ୱ, ବିକାଶ ଓ ଜନମଙ୍ଗଳ ଯୋଜନାର ମିଶ୍ରିତ କୌଶଳ ଆଗରେ ରହିଲା ବୋଲି କୁହାଯାଉଛି। କଂଗ୍ରେସ ‘ଇଣ୍ଡିଆ’ ମେଣ୍ଟରେ ନେତୃତ୍ୱ ନେବ ବୋଲି ଯାହା ଭାବିଥିଲା, ତାହା ବର୍ତ୍ତମାନ ଫସର ଫାଟିଲା। ଆଞ୍ଚଳିକ ଦଳଗୁଡ଼ିକୁ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରିଥିଲେ କଂଗ୍ରେସର ସ୍ଥିତି ଭିନ୍ନ ହୋଇଥାଆନ୍ତା। ଅବଶ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଅନ୍ୟ କୌଣସି ଆଞ୍ଚଳିକ ଦଳ ନ ଥିବାରୁ ସେସବୁ ରାଜ୍ୟରେ କଂଗ୍ରେସ ମୁଖ୍ୟ ବିରୋଧୀ ଭୂମିକା ଗ୍ରହଣ କରିଛି। ଏହି ନିର୍ବାଚନୀ ଫଳାଫଳ ପ୍ରମାଣ କରିଦେଉଛି ଯେ, କଂଗ୍ରେସର ଆୟୁଷ ପୂରିବା ସତ୍ତ୍ୱେ ସେହି ଦଳ ତା’ର ତ୍ରୁଟି ସୁଧାରିପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri