ବାହ୍ୟଚାପ

ପାକିସ୍ତାନ ତା’ ଜାତୀୟ ସୁରକ୍ଷା ନୀତି ୨୦୨୨-୨୬ ପ୍ରକାଶ କରିଛି। ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ୍‌ ଓ ଅନ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଡକ୍ୟୁମେଣ୍ଟର ଅଧା ସାଧାରଣରେ ପ୍ରକାଶ କରାଯାଇଥିବାବେଳେ ଆଉ ଅଧା ଗୁପ୍ତ ରଖାଯାଇଛି। ଉକ୍ତ ଡକ୍ୟୁମେଣ୍ଟ ଆର୍ଥିକ ସୁରକ୍ଷାକୁ ଗୁରୁତ୍ୱ ଦେଇ କହିଛି ଯେ, ପାରମ୍ପରିକ ସୁରକ୍ଷା ହିଁ ଆର୍ଥିକ ସମୃଦ୍ଧିର ଏକମାତ୍ର ବାଟ। ଏହା ମଧ୍ୟ ସ୍ବାସ୍ଥ୍ୟ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଓ ଜଳାଭାବ, ଖାଦ୍ୟ ସୁରକ୍ଷା ଏବଂ ଲିଙ୍ଗଗତ ସୁରକ୍ଷା ସମ୍ପର୍କରେ କହିଛି। ଗୋଟିଏ ସମାଜର ସ୍ଥିରତା ଏବଂ ଜାତୀୟ ସଦ୍‌ଭାବନାକୁ ଦୁର୍ବଳ କରିବାର ତୀବ୍ର ପ୍ରୟାସ ହିଁ ସନ୍ତ୍ରାସବାଦ ବୋଲି ସୂଚାଇ ଦେଇଛି। ଏହା ମଧ୍ୟ ଦର୍ଶାଇଛି ଯେ, ଆଭ୍ୟନ୍ତରୀଣ ସୁରକ୍ଷା ନୀତିର ଲକ୍ଷ୍ୟଗୁଡ଼ିକ ହେଉଛି ନାଗରିକମାନଙ୍କ ଜୀବନ ଓ ସମ୍ପତ୍ତି ସୁରକ୍ଷାର ଗ୍ୟାରେଣ୍ଟି ପାଇଁ ଦେଶର ପ୍ରଶାସନିକ ଓ ନ୍ୟାୟିକ ନିର୍ଦ୍ଦେଶକୁ ସୁନିଶ୍ଚିତ କରିବା। ସନ୍ତ୍ରାସବାଦ, ଉଗ୍ର ଗୋଷ୍ଠୀଗତ ଜାତୀୟତାବାଦ, ସାମ୍ପ୍ରଦାୟିକତା ଏବଂ ଯୋଜନାବଦ୍ଧ ଅପରାଧ ବିରୋଧୀ ଲଢେଇକୁ ଏହା ପ୍ରାଥମିକତା ଦେଇଛି। ପାକିସ୍ତାନ କିପରି ପର୍ଯ୍ୟଟକ, ନିବେଶକ, ବ୍ୟବସାୟ ଓ ବୌଦ୍ଧିକ କାର୍ଯ୍ୟକଳାପର ଏକ ସୁରକ୍ଷିତ ସ୍ଥଳୀ ପାଲଟିବ ତାହା ନିଶ୍ଚିତ କରିବା ସହ ବହିର୍ବ୍ୟାପାର କ୍ଷେତ୍ରରେ ପାରସ୍ପରିକ ବୁଝାମଣା ଏବଂ ସାର୍ବଭୌମତ୍ୱ ସମାନତାର ଆଧାରରେ ପଡୋଶୀ ଦେଶଗୁଡ଼ିକ ସହିତ ସମ୍ପର୍କକୁ ସ୍ବାଭାବିକ କରି ଆଞ୍ଚଳିକ ଶାନ୍ତି ଆଶା କରିବା ଉପରେ ଜୋର୍‌ ଦେଇଛି। ଚାଇନା କରିଡର ଦ୍ୱାରା ପାକିସ୍ତାନ ଏବେ ପରିବର୍ତ୍ତନର ଦ୍ୱାରଦେଶରେ। କରିଡର ପାକିସ୍ତାନ ଅଧିକୃତ କଶ୍ମୀର ଦେଇ ଆରବିୟାନ ସି’ ସହ ଚାଇନାକୁ ସଂଯୋଗ କରିବ। ଯଦି ଆଫଗାନିସ୍ତାନରେ ସ୍ଥିରତା ଆସେ ତେବେ ଏହା ପାକିସ୍ତାନକୁ କେନ୍ଦ୍ର ଏସିଆ ସହ ସଂଯୋଗ କରିବାରେ ସାହାଯ୍ୟ କରିବ। ଏହାଦ୍ୱାରା ଆମ ଜାତୀୟ ସୁରକ୍ଷା ନୀତି ପ୍ରଭାବିତ ହେଉଛି କି ନାହିଁ ସେଥିପାଇଁ ଭାରତ ସରକାରଙ୍କୁ ଦେଖିବାକୁ ପଡ଼ିବ। ଏହା କରିବା ଲାଗି ଆମ ପାଖରେ ଏକ ଜାତୀୟ ସୁରକ୍ଷା ନୀତି ରହିବା ଆବଶ୍ୟକ, ଯାହା ଆମ ପାଖରେ ନାହିଁ। ପୂର୍ବତନ ସେନାଧ୍ୟକ୍ଷ ପ୍ରକାଶ ମେନନ୍‌ କହିଛନ୍ତି ଯେ, ପାକିସ୍ତାନ ପ୍ରତି ଭୟ ସୃଷ୍ଟି କରିବା ପାଇଁ ବହୁ ଦଶନ୍ଧି ଧରି ଆମ ସେନାକୁ ଭାରତୀୟ ରାଜନୀତି ମାର୍ଗଦର୍ଶନ କରିଆସିଛି। କିନ୍ତୁ ଏବେ ଚାଇନା ଆଡୁ ବିପଦ ଥିବାରୁ ଏଥିରେ ପରିବର୍ତ୍ତନ ହୋଇଛି। ମିଲିଟାରି ଅଧିକାର ଦ୍ୱାରା ରାଜନୈତିକ ଉଦ୍ଦେଶ୍ୟଗୁଡ଼ିକ ହାସଲ କରିବାର ସମ୍ଭାବନା ରହିଛି ବୋଲି ୨୦୦୯ରେ ‘ରକ୍ଷା ମନ୍ତ୍ରୀଙ୍କ ଡାଇରେକ୍ଟିଭ୍‌’ ଡକ୍ୟୁମେଣ୍ଟରେ କୁହାଯାଇଥିଲା। ସେହି ଡାଇରେକ୍ଟିଭ୍‌ରେ ମେନନ୍‌ ଉଲ୍ଲେଖ କରିଥିଲେ ଯେ, ଏକ ସ୍ପଷ୍ଟ ଜାତୀୟ ସୁରକ୍ଷା ରଣନୀତିର ଅଭାବ ରହିଛି ଓ ବହୁଦିନ ହେବ ଆରମ୍ଭ କରାଯାଇପାରୁ ନାହିଁ। ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଗଠିତ ଡିଫେନ୍ସ ପ୍ଲାନିଂ କମିଟିକୁ ଦୁଇବର୍ଷ ପୂର୍ବେ ଉକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ହେଲେ ଏବେ ସୁଦ୍ଧା କିଛି ସୁଫଳ ମିଳିନାହିଁ।
୨୦୧୮ରେ ଭାରତ ସରକାର ଡୋଭାଲଙ୍କ ଅଧ୍ୟକ୍ଷତାରେ ଡିଫେନ୍ସ ପ୍ଲାନିଂ କମିଟି ଗଠନ କରିଥିଲେ। ଏଥିରେ ବୈଦେଶିକ ସଚିବ, ପ୍ରତିରକ୍ଷା ସଚିବ, ଚିଫ୍‌ ଡିଫେନ୍ସ ଷ୍ଟାଫ୍‌, ତିନି ସେନାର ମୁଖ୍ୟ ଏବଂ ଅର୍ଥ ମନ୍ତ୍ରଣାଳୟର ସଚିବମାନେ ଥିଲେ। ଜାତୀୟ ପ୍ରତିରକ୍ଷା ଏବଂ ସୁରକ୍ଷାକୁ ପ୍ରାଥମିକତା ଦେବା, ଅତ୍ୟାବଶ୍ୟକ ବୈଦେଶିକ ନୀତି, ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରିତା, ଉପଯୋଗୀ ରଣନୀତି ଓ ସୁରକ୍ଷା ସମ୍ପର୍କିତ ସିଦ୍ଧାନ୍ତ, ପ୍ରତିରକ୍ଷା କ୍ଷମତା ଏବଂ ଭିତ୍ତିଭୂମି ବିକାଶ ଯୋଜନା, ଜାତୀୟ ସୁରକ୍ଷା ରଣନୀତି, ଯୋଜନାବଦ୍ଧ ପ୍ରତିରକ୍ଷା ସମୀକ୍ଷା ଓ ସିଦ୍ଧାନ୍ତ, ଅନ୍ତର୍ଜାତୀୟ ପ୍ରତିରକ୍ଷା ବ୍ୟବସାୟିକ ରଣନୀତି ଏବଂ ଆହୁରି ଅନେକ ବିଷୟରେ ଧ୍ୟାନ ଦେବାର ବ୍ୟାପକ ଦାୟିତ୍ୱ ରହିଥିଲା କମିଟିର। ୩ ମେ ୨୦୧୮ରେ ଏହି କମିଟିର ବୈଠକ ଥରେ ଅନୁଷ୍ଠିତ ହୋଇଥିଲା ଓ ଏହାପରେ ଆଉ ହୋଇନାହିଁ। ଜାନୁୟାରୀ ୨୦୨୧ରେ ଥିଙ୍କ ଟ୍ୟାଙ୍କ୍‌ କୁହାଯାଉଥିବା ନୀତି ଆୟୋଗ ଜଣେ ଅବସରପ୍ରାପ୍ତ ସେନାଧ୍ୟକ୍ଷଙ୍କ ଦ୍ୱାରା ଏକ ରିପୋର୍ଟ ପ୍ରସ୍ତୁତ ମଧ୍ୟ କରିଥିଲେ। ସେନାରେ ଆରମ୍ଭ କରାଯାଇଥିବା ପରିବର୍ତ୍ତନ ସରକାରଙ୍କୁ ତାଙ୍କ ରଣନୀତି ଓ ସେନା ବିଚକ୍ଷଣତା ପ୍ରଦର୍ଶନ କରିବା ଲାଗି ସୁଯୋଗ ଦେଇଛି ବୋଲି ଏଥିରେ ସେ ଉଲ୍ଲେଖ କରିଥିଲେ। ଚିଫ୍‌ ଡିଫେନ୍ସ ଷ୍ଟାଫ୍‌ଙ୍କୁ ଏକ ପ୍ରତିରକ୍ଷା ରଣନୀତି ସ୍ପଷ୍ଟ କରିବାକୁ ପଡ଼ିବ ବୋଲି ଉକ୍ତ ରିପୋର୍ଟର ସିଦ୍ଧାନ୍ତ ଥିଲା।
୨୦୨୦ରେ ଚାଇନା ଚାପରେ ଭାରତ ତା’ ଜାତୀୟ ସୁରକ୍ଷା ରଣନୀତି ପରିବର୍ତ୍ତନ କରିବାକୁ ବାଧ୍ୟ ହେଲା। ଆର୍ମିର ଧ୍ୟାନ ଅନୁପ୍ରବେଶ ମୁକାବିଲାରୁ ହଟିଯାଇ ପାରମ୍ପରିକ ଯୁଦ୍ଧ ଆଡ଼କୁ ଚାଲିଗଲା। ଚାଇନା ଭାରତର ମୁଖ୍ୟ ଶତ୍ରୁ ବୋଲି ଜୁନ ୨୦୨୧ରେ ପୂର୍ବତନ ଚିଫ୍‌ ଡିଫେନ୍ସ ଷ୍ଟାଫ୍‌ ବିପିନ ରାଓ୍ବତ ସ୍ବୀକାର କରିଥିଲେ। ସେ କହିଥିଲେ, ଏକ ଉନ୍ନତ ସୁରକ୍ଷା ବଳ, ବିକଶିତ ପ୍ରଯୁକ୍ତି ଥିବା ଦେଶ ଯଦି ତୁମର ପଡୋଶୀ ହୋଇଥିବ ତେବେ ତାହାକୁ ଲକ୍ଷ୍ୟ କରି ତୁମେ ନିଜକୁ ପ୍ରସ୍ତୁତ କରିବା ସ୍ବାଭାବିକ। ଏହା ଡୋଭାଲଙ୍କ ସିଦ୍ଧାନ୍ତର ବିପରୀତ। ତାଙ୍କ ମତରେ, ସନ୍ତ୍ରାସବାଦ ଭାରତର ଜାତୀୟ ସୁରକ୍ଷା ପ୍ରତି ବଡ଼ ବିପଦ ଏବଂ ପାକିସ୍ତାନ ହିଁ ବଡ଼ ଶତ୍ରୁ। ହେଲେ ଚାଇନା ଚାପରେ ଗତବର୍ଷ ଫେବୃୟାରୀରେ, ଆଶ୍ଚର୍ଯ୍ୟଜନକ ଭାବେ, ଭାରତ ଓ ପାକିସ୍ତାନ ମିଳିତ ଭାବେ ଘୋଷଣା କରିଥିଲେ ଯେ, ସେମାନେ ନିୟନ୍ତ୍ରଣ ରେଖାରେ ଅସ୍ତ୍ର ବିରତି ପାଳନ କରିବେ। ଲଦାଖର ଘଟଣାଗୁଡ଼ିକ ଦୁଇଟି ବିଷୟକୁ ଏହା ସ୍ପଷ୍ଟ କରିଥିଲା। ପ୍ରଥମରେ ଭାରତ ନିୟନ୍ତ୍ରଣ ରେଖାରୁ ତା’ଧ୍ୟାନ ହଟାଇ ଲାଇନ ଅଫ୍‌ ଆକ୍‌ଚୁଆଲ କଣ୍ଟ୍ରୋଲ ପ୍ରତି ଗୁରୁତ୍ୱ ଦେଇଛି। ଏବେ ମୋଟରେ ୨ ଲକ୍ଷ ଭାରତୀୟ ସୈନ୍ୟ ଚାଇନା ସୀମାରେ ରହିଛନ୍ତି। ଦ୍ୱିତୀୟରେ ନାଭିରୁ ସଂସାଧନ ସ୍ଥଳ ସୀମାକୁ ସ୍ଥାନାନ୍ତର କରିବାକୁ ଭାରତ ବାଧ୍ୟ ହୋଇଛି। ଏହା ଚାଇନା ବିରୋଧୀ କ୍ୱାଡ୍‌ ଓ ଅକୁସ ସାମରିକ ମେଣ୍ଟରେ ଭାରତର ପଦାବନତରୁ ସ୍ପଷ୍ଟ ହୋଇଛି। ଏହି ସବୁ ପରିବର୍ତ୍ତନ ଜାତୀୟ ସୁରକ୍ଷା ନୀତି ନୁହେଁ, ବରଂ ବାହ୍ୟ ଚାପ ଯୋଗୁ ହୋଇଛି। ଏଥିତ୍ରୁ ବୁଝାପଡ଼ୁଛି ଯେ, ବାହ୍ୟଚାପ ତଥା ତଜ୍ଜନିତ ଘଟଣାଗୁଡ଼ିକୁ ନିୟନ୍ତ୍ରଣ କରିବା ଏବଂ ସେଗୁଡ଼ିକର ପୂର୍ବାନୁମାନ କରିବା ପରିବର୍ତ୍ତେ ଆମକୁ ଏକ ନିର୍ଦ୍ଦିଷ୍ଟ ଦିଗରେ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଉଛି। ପାକିସ୍ତାନ ଓ ତା’ଜାତୀୟ ସୁରକ୍ଷା ନୀତି ୨୦୨୨-୨୬କୁ ଦୃଷ୍ଟିରେ ରଖି ଏହି ସବୁ ବିଷୟଗୁଡ଼ିକ ଉପରେ ଚିନ୍ତା କରିବାକୁ ପଡ଼ିବ।

  • ଆକାର ପଟେଲ

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?