ବିଜ୍ଞାନ ଶିକ୍ଷାଦାନରେ ପରୀକ୍ଷଣ

ଡ. ମନୋରଞ୍ଜନ ପ୍ରଧାନ

 

ଏ ବର୍ଷ ଶିକ୍ଷା ସ୍ନାତକ (ବିଏଡ୍‌) ପ୍ରଥମ ବର୍ଷ ଛାତ୍ରୀଛାତ୍ରମାନେ ଅଭ୍ୟାସ ଶିକ୍ଷାଦାନ(ଇଣ୍ଟର୍ନଶିପ) ନିମନ୍ତେ ଚାରୋଟି ବିଦ୍ୟାଳୟରେ ନିୟୋଜିତ ହୋଇଥିଲେ। ତନ୍ମଧ୍ୟରୁ ଦୁଇଟି ଇଂରାଜୀ ଓ ଦୁଇଟି ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଥିଲା। ସେହିପରି ଦୁଇଟି ଥିଲା ସରକାରୀ ଓ ଦୁଇଟି ବେସରକାରୀ ବିଦ୍ୟାଳୟ। ଉଦ୍ଦେଶ୍ୟ ଥିଲା ସେମାନେ ବିଭିନ୍ନ ବିଦ୍ୟାଳୟର ବାସ୍ତବ ସ୍ଥିତି, ଶିକ୍ଷଣ ପରିସ୍ଥିତି ଓ ପରିବେଶ, ଛାତ୍ରୀଛାତ୍ରମାନଙ୍କ ଦକ୍ଷତା, ଶିକ୍ଷା ଓ ଶିକ୍ଷଣ ପ୍ରତି ଅଭିରୁଚି ଓ ଶିକ୍ଷୟିତ୍ରୀଶିକ୍ଷକମାନଙ୍କ ଶିକ୍ଷାଦାନ କୌଶଳ ସମ୍ବନ୍ଧରେ ପ୍ରତ୍ୟକ୍ଷ ଅନୁଭୂତି ପାଇବା ସହ ସେମାନଙ୍କ ମାର୍ଗଦର୍ଶନ ପାଇବେ। ଫଳରେ ଭବିଷ୍ୟତରେ ଯେକୌଣସି ବିଦ୍ୟାଳୟରେ ସଫଳତାର ସହ ଶିକ୍ଷାଦାନ କରିପାରିବେ। ବିଏଡ୍‌ ଛାତ୍ରୀଛାତ୍ରମାନେ ପୂର୍ବ ପ୍ରଶିକ୍ଷଣ ଓ ପ୍ରସ୍ତୁତି ପୂର୍ବକ ଅତି ଚମତ୍କାର ଭାବରେ ଶିକ୍ଷାଦାନ କାର୍ଯ୍ୟ ସମ୍ପନ୍ନ କଲେ। ଅଭ୍ୟାସ ଶିକ୍ଷାଦାନ ପରେ ବିଦ୍ୟାଳୟଗୁଡିକର ଶିକ୍ଷୟିତ୍ରୀଶିକ୍ଷକ ଓ ଛାତ୍ରୀଛାତ୍ରମାନଙ୍କ ସହ ସମୀକ୍ଷା ବୈଠକରେ ଯାହା ଆଲୋଚନା ହେଲା ତାହା ଆମ ପାଇଁ ବଡ଼ ଉପଲବ୍ଧି ଥିଲା। ମାର୍ଗଦର୍ଶକ ଭାବେ ନିୟୋଜିତ ବିଦ୍ୟାଳୟ ଶିକ୍ଷୟିତ୍ରୀଶିକ୍ଷକମାନେ ମଧ୍ୟ ନିଜର ଖୁସିବ୍ୟକ୍ତ କରିଥିଲେ। ଏଠାରେ ବିଶେଷକରି ବିଜ୍ଞାନ ଶିକ୍ଷାଦାନ ସମ୍ପର୍କରେ ଆଲୋଚନା କରୁଛି।
ବିଏଡ୍‌ ଛାତ୍ରୀଛାତ୍ରଙ୍କ ବିଜ୍ଞାନ ଶିକ୍ଷାଦାନରେ ସମସ୍ତେ ଖୁସିବ୍ୟକ୍ତ କରିବାର କାରଣ ସେମାନଙ୍କ ଶିକ୍ଷାଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସକ୍ରିୟ, ବୋଧଗମ୍ୟ ଓ ସମାବେଶୀ ବା ଅନ୍ତର୍ନିବେଶୀ ଥିଲା। ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଭରପୂର ମଜା ନେଉଥିଲେ। ମୋ ମତରେ ଶ୍ରେଣୀର ସବୁ ଛାତ୍ରୀଛାତ୍ର ଶିକ୍ଷଣ କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଏହାର କାରଣ ହେଲା ପ୍ରତ୍ୟେକ ବିଏଡ୍‌ ଛାତ୍ରୀଛାତ୍ର ଭରପୂର ପାଠ୍ୟୋପକରଣ ଉପଯୋଗ କରୁଥିଲେ। ଏହା ସହ ପ୍ରସଙ୍ଗ ଅନୁସାରେ ବିଭିନ୍ନ ପରୀକ୍ଷଣ ମଧ୍ୟ କରୁଥିଲେ। ତେଣୁ ପିଲାମାନଙ୍କ ଭିତରେ ଉତ୍ସାହ ଓ ଆଗ୍ରହ ସୃଷ୍ଟି ହେଉଥିଲା। ଶେଷଦିନ ବିଭାଗୀୟ ମୁଖ୍ୟ ଭାବରେ ଅନେକ ଛାତ୍ରୀଛାତ୍ର ମୋତେ ଅନୁରୋଧ କରିଥିଲେ କି ବିଏଡ୍‌ ଛାତ୍ରୀଛାତ୍ରମାନେ ଆଉ କିଛି ଦିନ ପଢାନ୍ତୁ। ଏପରିକି ଆସନ୍ତା ବର୍ଷକୁ ସେମାନଙ୍କ ବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ କରିବାକୁ ଅନୁରୋଧ କରିଥିଲେ। କହିବାର ତାତ୍ପର୍ଯ୍ୟ ବିଏଡ୍‌ ଛାତ୍ରୀଛାତ୍ରମାନଙ୍କର ଶିକ୍ଷାଦାନ ସମ୍ପୂର୍ଣ୍ଣ ସଫଳ ଥିଲା। ବିଜ୍ଞାନ ଭଳି ବିଷୟ ପିଲାଙ୍କୁ ଅତି ସହଜ ଓ ସୁବୋଧ୍ୟ ହୋଇପାରିବାର କାରଣ ଥିଲା ଶିକ୍ଷାଦାନ ପ୍ରଣାଳୀ,ପାଠ୍ୟ ଉପକରଣର ଉପଯୋଗ ଓ ଆବଶ୍ୟକତା ଭିତ୍ତିରେ ବିଜ୍ଞାନ ପରୀକ୍ଷା।
ସତ କହିବାକୁ ଗଲେ ବିଏଡ୍‌ ଛାତ୍ରୀଛାତ୍ରମାନଙ୍କ ଶିକ୍ଷାଦାନ କାର୍ଯ୍ୟ ପର୍ଯ୍ୟବେକ୍ଷଣ କଲାବେଳେ ମୋ ବିଦ୍ୟାଳୟ ଦିନକଥା ମନେପଡିଯାଇଥିଲା। ମୋର ମନେ ଅଛି ମୁଁ ବିଦ୍ୟାଳୟରେ ପଢିଲା ବେଳେ ସାମାଜିକ ବିଜ୍ଞାନ ଓ ଭୌତିକ ବିଜ୍ଞାନ/ଜୀବବିଜ୍ଞାନ ଶିକ୍ଷାଦାନ ଭିତରେ କୌଣସି ଫରକ ଅନୁଭବ କରୁ ନ ଥିଲି। ସାମାଜିକ ବିଜ୍ଞାନ (ଇତିହାସ, ଭୂଗୋଳ ଇତ୍ୟାଦି) ଶିକ୍ଷକମାନେ ଯେମିତି ପଢ଼ାଉଥିଲେ ବିଜ୍ଞାନ ଶିକ୍ଷକମାନେ ମଧ୍ୟ ଠିକ୍‌ ସେହି ତରିକାରେ ପଢ଼ାଉଥିଲେ। ମାନେ ଉଭୟେ ବହି ପଢ଼ି ଅବିକଳ ଅର୍ଥକୁ ସରଳ ଭାଷାରେ ବୁଝାଉ ଥିଲେ। ପରବର୍ତ୍ତୀ ସମୟରେ ଆମେ ବିଷୟବସ୍ତୁଗୁଡିକ ଘୋଷି ପରୀକ୍ଷାରେ ଲେଖୁଥିଲୁ। ଅବଶ୍ୟ ଭୂଗୋଳ ଶିକ୍ଷକ ପ୍ରତିଦିନ ମାନଚିତ୍ର ଓ ଭୂଗୋଲକ ନେଇ ଆସୁଥିଲେ ଏବଂ ସ୍ଥାନଗୁଡ଼ିକ ଦର୍ଶାଉଥିଲେ । କିନ୍ତୁ ବିଜ୍ଞାନ ଶିକ୍ଷକ କୌଣସି ପାଠ୍ୟ ଉପକରଣ ଆଣି ପ୍ରଦର୍ଶନ କରିବା ମୋର ମନେ ନାହିଁ କି କୌଣସି ପରୀକ୍ଷଣ କରି ଆମ୍ଭମାନଙ୍କୁ ବାସ୍ତବ ବୈଜ୍ଞାନିକ ସିଦ୍ଧାନ୍ତର ଅନୁଭବ କରିବାରେ ସହାୟତା କରିବା ମୋର ମନେ ପଡୁ ନାହିଁ। ଅବଶ୍ୟ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷାଦାନ ପାଇଁ ଆବଶ୍ୟକ ଉପକରଣ ଓ ବୈଜ୍ଞାନିକ ଯନ୍ତ୍ରପାତି ଥିଲା କି ନାହିଁ କହିପାରିବି ନାହିଁ। କିନ୍ତୁ ଗୋଟିଏ ମଣିଷ ଶରୀରର ହାଡ଼ ଆକୃତିର ପୂର୍ଣ୍ଣାଙ୍ଗ ଚିତ୍ର (କଙ୍କାଳ)ଏକ କାଚ ଆଲମିରା ଭିତରେ ଥିଲା। ତାହା ନିଶ୍ଚୟ ବିଜ୍ଞାନ ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ଶରୀର ବିଜ୍ଞାନ ପଢ଼େଇଲା ବେଳେ ଥରେ ମଧ୍ୟ ତାହା ଉପଯୋଗ ହୋଇଥିବାର ଆମର ମନେ ନାହିଁ। କିନ୍ତୁ ସତ କଥା ହେଉଛି ସେ କଙ୍କାଳ ପ୍ରତିକୃତିଟିକୁ ଦେଖିଲେ ଆମ ମନରେ ଭୟ ଆସୁଥିଲା। ଆମେ ଭାବୁଥିଲୁ ଯଦି କିଏ ଦୁଷ୍ଟାମି କରେ ଏହି ମଲା ମଣିଷର ହାଡ଼ ପ୍ରତିକୃତି ନିକଟରେ ଛାଡି ଦିଆଯିବ। ଅର୍ଥାତ୍‌ ବିଜ୍ଞାନ ଶିକ୍ଷାଦାନ ମୋ ବିଦ୍ୟାଳୟରେ ପରୀକ୍ଷଣଭିତ୍ତିକ ବା ପାଠ୍ୟ ଉପକରଣ ଆଧାରିତ ନ ଥିଲା। କେବଳ ପୁସ୍ତକ ଓ ଶିକ୍ଷକଙ୍କ ବାଚନିକ ଶିକ୍ଷାଦାନ ଭିତରେ ସୀମିତ ଥିଲା, ଯାହାକି ଆଜି ମଧ୍ୟ ମୋ ଭଳି ଅନେକ ସହପାଠୀଙ୍କ ପାଇଁ ବିଜ୍ଞାନ ଏକ ଜଟିଳ, ଅବୋଧ ଓ କେବଳ ସର୍ବୋଚ୍ଚ ଅଙ୍କ ରଖିପାରୁଥିବା ପିଲାଙ୍କ ପାଠ ବୋଲି ମନରେ ବିଚାର ରହିଛି।
ଅବଶ୍ୟ ଆଜି ମଧ୍ୟ ଅନେକ ବିଦ୍ୟାଳୟରେ ବିଜ୍ଞାନାଗାର ନ ଥାଇ ପାରେ। ଶିକ୍ଷୟିତ୍ରୀଶିକ୍ଷକମାନେ ବିଜ୍ଞାନ ଉପକରଣ ଓ ବିନା ପରୀକ୍ଷଣରେ ବିଜ୍ଞାନ ବିଷୟବସ୍ତୁକୁ ପଢାଉଥାଇ ପାରନ୍ତି। ଯଦି ଏଭଳି ଚାଲିଥିବ ତା’ହେଲେ ବିଜ୍ଞାନ ଶିକ୍ଷା ମୋ ଭଳି ଅନେକଙ୍କ ପାଇଁ ପୋଥି ବାଇଗଣ, କେବେ ମଧ୍ୟ ବାଡି ବାଇଗଣ ହୋଇପାରିବ ନାହିଁ।
ଅବଶ୍ୟ ସରକାରୀ ସ୍ତରରେ ବିଦ୍ୟାଳୟ ରୂପାନ୍ତରଣ ମାଧ୍ୟମରେ ସବୁ ବିଦ୍ୟାଳୟରେ ବିଜ୍ଞାନାଗାର ଓ ଉପକରଣ ସୁନିଶ୍ଚିତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ସରକାରୀ ସହାୟତାରେ ରାଜ୍ୟର ବିଦ୍ୟାଳୟଗୁଡିକରେ ବିଜ୍ଞାନାଗାର ସ୍ଥାପନ ସହ ବିଭିନ୍ନ ଉପକରଣ କିଣି ବିଜ୍ଞାନ ଶିକ୍ଷାଦାନକୁ ପ୍ରାମାଣିକ ଓ ଅନୁଭୂତିଭିତ୍ତିକ କରିବା ପାଇଁ ପଦକ୍ଷେପ ନିଆଯାଉଛି । ବିଜ୍ଞାନ ଶିକ୍ଷାର ପ୍ରମୁଖ ଉଦ୍ଦେଶ୍ୟ ସବୁ ପିଲାଙ୍କୁ ବୈଜ୍ଞାନିକ କରିଦେବା ନୁହେଁ ବରଂ ପିଲାମାନଙ୍କ ଭିତରେ ବୈଜ୍ଞାନିକ ସିଦ୍ଧାନ୍ତ ପ୍ରତି ଜିଜ୍ଞାସା ବଢିବା, ବୈଜ୍ଞାନିକ ଦୃଷ୍ଟିକୋଣ ଓ ଦୃଷ୍ଟିଭଙ୍ଗୀର ଉଦ୍ରେକ କରେଇବା, ବିଜ୍ଞାନ ପୁସ୍ତକ ଆଧାରିତ ନିୟମ, ସିଦ୍ଧାନ୍ତ ଓ ସେଗୁଡିକର ଉପଯୋଗିତାଗୁଡିକ ନିଜ ଜୀବନରେ ଉପଯୋଗ କରିବା। ଏହା ଦ୍ବାରା ପିଲାଙ୍କ ଭିତରେ ନୂତନ ଜ୍ଞାନ ଓ ଗବେଷଣା ପ୍ରତି ଜିଜ୍ଞାସା ବଢିବା ସହ ସମାଜରେ ଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସର ମୂଳୋତ୍ପାଟନ ହୋଇପାରିବ। କିନ୍ତୁ ଏଥିପାଇଁ ଶ୍ରେଣୀ ଶିକ୍ଷାଦାନ କାର୍ଯ୍ୟଭିତ୍ତିକ, ପରୀକ୍ଷଣ ଆଧାରିତ ଏବଂ ପିଲାଙ୍କୁ ବିଜ୍ଞାନ ଶିକ୍ଷାଦାନ ପ୍ରତି ଆକୃଷ୍ଟ କରିବା ପାଇଁ ଆବଶ୍ୟକ ଉପକରଣ, କ୍ଷେତ୍ର ଭ୍ରମଣ ଭଳି ଶିକ୍ଷାଦାନ ପ୍ରଣାଳୀ ଅବଲମ୍ବନ କରିବାକୁ ପଡ଼ିବ। କେବଳ ପିଲାଙ୍କ ସାମ୍ନାରେ ଠିଆ ହୋଇ ପୁସ୍ତକର ଅବିକଳ ଆଲୋଚନା ଓ ପ୍ରଶ୍ନୋତ୍ତର ମୁଖସ୍ଥ ଉପରେ ଗୁରୁତ୍ୱ ଦେଲେ ପିଲାମାନେ ପରୀକ୍ଷାରେ ଭଲ ନମ୍ବର ରଖି ଭଲ ଚାକିରି କରିପାରିବେ ମାତ୍ର ବିଜ୍ଞାନକୁ ଜୀବନରେ ଉପଯୋଗ କରି ସଫଳ ଜୀବନ ନିର୍ବାହ କରିବା ସମ୍ଭାବନା କମ୍‌। ତେଣୁ ବିଜ୍ଞାନ ଶିକ୍ଷୟିତ୍ରୀଶିକ୍ଷକମାନେ ବିନା ଉପକରଣରେ ଶିକ୍ଷାଦାନ ପାଇଁ ଯିବା ଅନୁଚିତ। ଏଥିପାଇଁ ପାଠ୍ୟ ବିଷୟବସ୍ତୁକୁ ବିଶ୍ଳେଷଣ କରି ଆବଶ୍ୟକତା ଭିତ୍ତିରେ ଆକର୍ଷଣୀୟ, ପ୍ରାସଙ୍ଗିକ ତଥା ବ୍ୟବହାରଯୋଗ୍ୟ ଉପକରଣ ସହ ଶ୍ରେଣୀ ଭିତରେ ବା ପରୀକ୍ଷାଗାରରେ ବିଜ୍ଞାନ ପରୀକ୍ଷା ମାଧ୍ୟମରେ ଶିକ୍ଷାଦାନ କରିପାରିଲେ ସାଧାରଣ ମେଧାସମ୍ପନ୍ନ ଛାତ୍ରୀଛାତ୍ରମାନେ ବିଜ୍ଞାନ ଶିକ୍ଷାଦାନ ପ୍ରତି ଆକୃଷ୍ଟ ହେବେ।
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ
ମୋ: ୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?