ଉତ୍କୃଷ୍ଟ କାହାଣୀକାର

ଭାରତୀୟ ଭାଷା ସାହିତ୍ୟକୁ କନ୍ନଡର ପ୍ରସିଦ୍ଧ କବି କୁଭେମ୍ପୁଙ୍କ ଅବଦାନ ଅତୁଳନୀୟ। ସ୍ବର୍ଗତ କବିଙ୍କ ପ୍ରତି ସମ୍ମାନ ସ୍ବରୂପ ପ୍ରତିବର୍ଷ କୁଭେମ୍ପୁ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ କରାଯାଉଛି। ବିଭିନ୍ନ ଭାରତୀୟ ଭାଷାରେ ସାହିତ୍ୟ ରଚନା କରି ଉତ୍କର୍ଷ ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ଏଥିଲାଗି ଚୟନ କରାଯାଇଥାଏ। ବିଶିଷ୍ଟ ବଙ୍ଗଳା ଲେଖକ ଶୀର୍ଷେନ୍ଦୁ ମୁଖୋପାଧ୍ୟାୟ ୨୦୨୩ ମସିହା ଲାଗି ଏହି ପୁରସ୍କାର ପାଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୨ ପାଇଁ ତାମିଲ ଲେଖକ ଇମାୟମଙ୍କୁ ପୁରସ୍କୃତ କରାଯାଇଥିଲା। ବିଜେତାଙ୍କୁ ସମ୍ମାନ ସ୍ବରୂପ ୫ ଲକ୍ଷ ଟଙ୍କାର ଅର୍ଥରାଶି, ଏକ ରୌପ୍ୟ ପଦକ ଓ ଫଳକ ପ୍ରଦାନ କରାଯାଇଥାଏ। ତେବେ ଶିଶୁଠାରୁ ବୟସ୍କ ବର୍ଗଙ୍କ ପାଇଁ ଦୀର୍ଘବର୍ଷ ଧରି ଲେଖି ଭାରତୀୟ ସାହିତ୍ୟରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବା ଶୀର୍ଷେନ୍ଦୁଙ୍କୁ କୁଭେମ୍ପୁ ରାଷ୍ଟ୍ରୀୟ ପୁରସ୍କାର ତାଙ୍କ ସାହିତ୍ୟ ଯାତ୍ରାକୁ ଆହୁରି ଋଦ୍ଧିମନ୍ତ କରିବ ବୋଲି କୁହାଯାଇପାରିବ।
ଶୀର୍ଷେନ୍ଦୁ ୨ ନଭେମ୍ବର ୧୯୩୫ରେ ବ୍ରିଟିଶ୍‌ ଇଣ୍ଡିଆର ବେଙ୍ଗଲ ପ୍ରେସିଡେନ୍ସି ଅଧୀନ ମୈମେନ୍‌ସିଂ (ଏବେ ବାଂଲାଦେଶ)ଠାରେ ଜନ୍ମଗ୍ରହଣ କରିଥିଲେ। ବିଭାଜନ ପରେ ତାଙ୍କ ପରିବାର କଲିକତା ଚାଲିଆସିଥିଲେ। ପିତା ରେଲଓ୍ବେରେ ଚାକିରି କରୁଥିବାରୁ ତାଙ୍କ ପିଲାଦିନ ବିହାର, ବେଙ୍ଗଲ ଓ ଆସାମର ବିଭିନ୍ନ ସ୍ଥାନରେ କଟିଥିଲା। କୋଚ ବିହାର ଭିକ୍ଟୋରିଆ କଲେଜରୁ ଇଣ୍ଟରମିଡିଏଟ୍‌ ପାସ୍‌ କରିବା ପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ବଙ୍ଗଳା ସାହିତ୍ୟରେ ସ୍ନାତକୋତ୍ତର କରିଥିଲେ। ଉଚ୍ଚଶିକ୍ଷା ପରେ ସେ ଶିକ୍ଷକତା କରିଥିଲେ। ଏବେ କୋଲକାତାଠାରେ ‘ଆନନ୍ଦବଜାର ପତ୍ରିକା’ରେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ବଙ୍ଗଳା ପତ୍ରିକା ‘ଦେଶ୍‌’ ସହ ଜଡ଼ିତ ଅଛନ୍ତି।
ଲେଖାଲେଖି ପ୍ରତି ପିଲାଟି ବେଳୁ ଶୀର୍ଷେନ୍ଦୁଙ୍କ ଦୁର୍ବଳତା ଥିଲା। ସେ ସର୍ବଦା ସମାଜରେ ଘଟୁଥିବା ଘଟଣା ଓ ଚରିତ୍ରଗୁଡ଼ିକୁ ତାଙ୍କ ଲେଖାରେ ପ୍ରତିଫଳିତ କରିଥାଆନ୍ତି। ସେଥିପାଇଁ ତାଙ୍କ ଗଳ୍ପ ଓ ଉପନ୍ୟାସ ନାଟ୍ୟ ରୂପାନ୍ତର ହେବା ସହ ଚଳଚ୍ଚିତ୍ରରେ ପରିଣତ ହୋଇପାରିଛି। ତାଙ୍କ ହାସ୍ୟରସାତ୍ମକ ପୁସ୍ତକ ‘ବିପିନ୍‌ବାବୁର ବିପଦ’ ବେଶ୍‌ ପାଠକୀୟ ଆଦୃତି ପାଇଛି। ସ୍ବପନ ଦେବନାଥଙ୍କ ଚିତ୍ର ସହ ତାହା ‘ଆନନ୍ଦମେଳା’ରେ ସେପ୍ଟେମ୍ବର ୨୦୦୬ରୁ ଡିସେମ୍ବର ୨୦୦୬ ଯାଏ କ୍ରମାଗତ ପ୍ରକାଶ ପାଇ ବଙ୍ଗଳା ସାହିତ୍ୟରେ ଚହଳ ପକାଇଥିଲା। ସେହିପରି ତାଙ୍କ ଗଳ୍ପ ‘ନବାବଗଞ୍ଜେର ଆଗନ୍ତୁକ’କୁ ଭିଜୁଆଲ ଲିଟରେଚର ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ଆକ୍ସନ କମିକ୍ସି ଲାଗି ପ୍ରସ୍ତୁତ କରାଯାଉଛି। ତାଙ୍କ ଲୋକପ୍ରିୟ ଶିଶୁ ଉପନ୍ୟାସ ‘ଗୋସାଇନ୍‌ବାଗାନେର ଭୁତ୍‌’କୁ ‘ଘୋଷ୍ଟ ଅଫ୍‌ ଗୋସାଇନ୍‌ବାଗାନେର’ ଗ୍ରାଫିକ୍‌ ନଭେଲ୍‌ କରାଯାଇଛି। ଅନୁରୂପ ଭାବେ ଶୀର୍ଷେନ୍ଦୁଙ୍କ ଉପନ୍ୟାସ ‘ହିରେର୍‌ ଅଙ୍ଗତି’କୁ ଋତୁପୋର୍ଣ୍ଣ ଘୋଷ ୧୯୯୨ରେ ଚଳଚ୍ଚିତ୍ର କରିଥିଲେ। ୧୯୯୮ରେ ତାଙ୍କ ‘ନବିଗଞ୍ଜର ଦାୟିତ୍ୱ’କୁ ତପନ ସିହ୍ନା ‘ଅଜବ ଗାୟେର ଅଜବ କଥା’ ନାମରେ ସିନେମା କରିଥିଲେ। ତାଙ୍କ କ୍ଷୁଦ୍ରଗଳ୍ପ ‘ଦୋସାର’ କାହାଣୀକୁ ନେଇ ୨୦୦୬ରେ ଋତୁପୋର୍ଣ୍ଣ ଘୋଷ ମଧ୍ୟ ଫିଲ୍ମ କରିଥିଲେ। ୨୦୧୦ରେ ତାଙ୍କ ଉପନ୍ୟାସ ‘ବଂଶୀଓ୍ବଲା’ ମଧ୍ୟ ବଡ଼ ପରଦାରେ ପ୍ରଦର୍ଶିତ ହୋଇ ଦର୍ଶକୀୟ ସଫଳତା ହାସଲ କରିଛି। ଦେଖିବାକୁ ଗଲେ ଶୀର୍ଷେନ୍ଦୁଙ୍କ ଗଳ୍ପ ଓ ଉପନ୍ୟାସକୁ ନେଇ ୨୦୧୦ ପରଠାରୁ ପ୍ରାୟ ପ୍ରତିବର୍ଷ ଫିଲ୍ମ କରାଯାଇଛି। ୨୦୨୧ରେ ତାଙ୍କ ଉପନ୍ୟାସ ‘ବୋନି’ ସେହି ନାମରେ ଓ ୨୦୨୨ରେ ‘ତୀରନ୍ଦାଜ’ ନଭେଲ ‘ତୀରନ୍ଦାଜ ଶାବୋର’ ନାମରେ ଚଳଚ୍ଚିତ୍ର ହୋଇପାରିଛି।
ଜଣେ ଲେଖକଙ୍କ ଅଧିକାଂଶ କାହାଣୀ ଯେତେବେଳେ ପାଠକୀୟ ସହ ଦଶର୍କୀୟ ଆଦୃତି ପାଇଥାଏ, ସେତେବେଳେ ତାଙ୍କ ଲେଖା ଈର୍ଷଣୀୟ ସ୍ତର ଛୁଇଁଥାଏ। ଶୀର୍ଷେନ୍ଦୁ ସେହି ଶ୍ରେଣୀର ହୋଇପାରିଥିବାରୁ ୮୮ ବର୍ଷ ବୟସରେ ମଧ୍ୟ ନୂଆନୂଆ କାହାଣୀ ଭେଟି ଦେବାକୁ ତାଙ୍କ ମସ୍ତିଷ୍କ ଚଳଚଞ୍ଚଳ ରହିଛି। ପୁରସ୍କାର ପାଇବା ପରେ ସେ ତାଙ୍କ ପୁରୁଣା ଦିନକୁ ମନେପକାଇଛନ୍ତି। ସେ କହିଛନ୍ତି, ତାଙ୍କ ପ୍ରଥମ ଗଳ୍ପ ‘ଜଲ୍‌ ତରଙ୍ଗ’ ୧୯୫୯ରେ ‘ଦେଶ୍‌’ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା। ୭/୮ ବର୍ଷ ଗପ ଲେଖିବା ପରେ ସେହି ‘ଦେଶ୍‌’ରେ ‘ଘୁଣପୋକ’ ଉପନ୍ୟାସ ପୂଜାସଂଖ୍ୟାରେ ପ୍ରକାଶ ପାଇ ତାଙ୍କୁ ପାଠକୀୟ ସ୍ବୀକୃତି ଦେଇଥିଲା। ତାଙ୍କ ପ୍ରଥମ ଶିଶୁ ଉପନ୍ୟାସ ‘ମନୋଜ୍‌ଦେର ଅଦ୍ଭୁତ ବାରି’ ପ୍ରକାଶ ପାଇବା ପରେ ପିଲାମାନେ ତାହାକୁ ଖୁବ୍‌ ପସନ୍ଦ କରିଥିଲେ ବୋଲି ଶୀର୍ଷେନ୍ଦୁ କହିଛନ୍ତି। ତାଙ୍କର ୯୦ରୁ ଊର୍ଦ୍ଧ୍ୱ ପୁସ୍ତକ ପ୍ରକାଶ ପାଇଛି। ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି। ଶିଶୁ ସାହିତ୍ୟ କ୍ଷେତ୍ରରେ ୧୯୮୫ରେ ସେ ବିଦ୍ୟାସାଗର ପୁରସ୍କାର ପାଇଥିଲେ। ୧୯୭୩ ଓ ୧୯୯୦ରେ ଦୁଇଥର ଆନନ୍ଦ ପୁରସ୍କାର, ୧୯୮୯ରେ ଉପନ୍ୟାସ ‘ମାନବଜମିନ୍‌’ ସକାଶେ ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଥିଲେ। ତାଙ୍କୁ ୨୦୧୨ରେ ‘ବଙ୍ଗ ବିଭୂଷଣ’, ୨୦୨୧ରେ ‘ସାହିତ୍ୟ ଏକାଡେମୀ ଫେଲୋଶିପ୍‌’ ଏବଂ ଏବିପି ଆନନ୍ଦ ସେରା ବେଙ୍ଗଲୀ ସମ୍ମାନରେ ମଧ୍ୟ ବିଭୂଷିତ କରାଯାଇଥିଲା।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri