ଉତ୍କର୍ଷ ଓଡ଼ିଶା ୨୦୨୫: ସ୍ବପ୍ନ ସାକାର ପାଇଁ ପ୍ରବେଶପଥ

କୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାର ସାମଗ୍ରିକ ବିକାଶରେ ଆରମ୍ଭ ହେବାକୁଯାଉଛି ଏକ ସମ୍ପୂର୍ଣ୍ଣ ନୂଆ ଯୁଗ। ବିକଶିତ ଓଡ଼ିଶାର ସ୍ବପ୍ନ ସାକାର ପାଇଁ ରାଜ୍ୟ ସରକାର ବଦ୍ଧପରିକର। ଓଡ଼ିଶାକୁ ଏକ ସମୃଦ୍ଧ ଓ ଶିଳ୍ପୋନ୍ନତ ରାଜ୍ୟ ଭାବେ ଗଢ଼ିତୋଳିବାକୁ ଡବଲ ଇଞ୍ଜିନ ସରକାରଙ୍କ ଉଦ୍ୟମରେ ଆୟୋଜିତ ହେବାକୁଯାଉଛି ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫। ଭୁବନେଶ୍ୱରର ଜନତା ମଇଦାନରେ ତିନିଦିନ ଧରି ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା ପୁଞ୍ଜିନିବେଶ ଶିଖର ସମ୍ମିଳନୀ। ୨୦୨୫ ଜାନୁଆରୀ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଏକ ମାଇଲଖୁଣ୍ଟ ତଥା ଐତିହାସିକ କାର୍ଯ୍ୟକ୍ରମ ହେବାକୁ ଯାଉଛି। ଏହା ଓଡ଼ିଶା ଶିଳ୍ପକ୍ଷେତ୍ରର ଭବିଷ୍ୟତକୁ ନୂତନ ଓ ବ୍ୟାପକ କରିବାରେ ସହାୟକ ହେବ। ଓଡ଼ିଶାକୁ ଏକ ବୈଶ୍ୱିକ ଶିଳ୍ପକେନ୍ଦ୍ରରେ ପରିଣତ କରିବା ସହ ଭାରତର ଏକ ଅଗ୍ରଣୀ ଅର୍ଥନୈତିକ ଶକ୍ତିଶାଳୀ ରାଜ୍ୟର ଆକାଂକ୍ଷାକୁ ସାକାର କରିବା ଦିଗରେ ଏହା ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ।
ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ପୂର୍ବୋଦୟ ମିଶନ୍‌ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରେରଣାଦାୟୀ ମାର୍ଗଦର୍ଶନରେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ ଓଡ଼ିଶାର ସାମଗ୍ରିକ ଓ ଦୀର୍ଘସ୍ଥାୟୀ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିପାରିବ। ଆମ ସରକାର ରାଜ୍ୟରେ ପୁଞ୍ଜିନିବେଶ, ଶିଳ୍ପ ଅଭିବୃଦ୍ଧି ତଥା ନୂତନ ନିଯୁକ୍ତି ସୃଷ୍ଟି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ।
ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ର ପ୍ରାଥମିକ ଲକ୍ଷ୍ୟ ହେଉଛି ଉଭୟ ପାରମ୍ପରିକ ଏବଂ ଯୁଗୋପଯୋଗୀ ବିଭିନ୍ନ ଶିଳ୍ପକ୍ଷେତ୍ରରେ ଓଡ଼ିଶାର ଅଗ୍ରଣୀ ଭୂମିକାକୁ ଏହି ସମ୍ମିଳନୀ ମାଧ୍ୟମରେ ଗୁରୁତ୍ୱ ଦେବା। ଭିନ୍ନ ଭିନ୍ନ କ୍ଷେତ୍ରଗତ ଶିଳ୍ପରେ ଦୃଷ୍ଟିନିବଦ୍ଧ କରିବା ହିଁ ଶିଳ୍ପ ଅଭିବୃଦ୍ଧିର ଇଞ୍ଜିନ ହୋଇପାରିବ ବୋଲି ଆମ ସରକାର ବିଶ୍ୱାସ କରନ୍ତି। ତେଣୁ ଏହି ଶିଖର ସମ୍ମିଳନୀ ଅବସରରେ ବିଭିନ୍ନ ପ୍ରମୁଖ ଶିଳ୍ପକ୍ଷେତ୍ରରେ ପୁଞ୍ଜିନିବେଶ ଉପରେ ବିଶେଷ ଧ୍ୟାନ ଦିଆଯିବ। ଖଣି, ରସାୟନ ଶିଳ୍ପ, ଧାତୁ ଶିଳ୍ପ, ବୟନ ଶିଳ୍ପ, ଅକ୍ଷୟ ଶକ୍ତି, ସବୁଜ ଶକ୍ତି ଏବଂ ଆଇଟି ଭଳି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବିଶେଷ ଧ୍ୟାନ ଦିଆଯିବ। ଏହି ସମ୍ମିଳନୀ ମାଧ୍ୟମରେ ଏସବୁ କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜି ବିନିଯୋଗ ଓ ସହଭାଗିତା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ।
ଏଥିପାଇଁ ଓଡ଼ିଶା ସରକାର ରୋଡ୍‌ ଶୋ’, କ୍ଷେତ୍ରୀୟ ରାଉଣ୍ଡଟେବୁଲ୍‌ ତଥା ବୃହତ୍‌ ଶିଳ୍ପ ପ୍ରତିନିଧିମାନଙ୍କ ସହ ସିଧାସଳଖ ଆଲୋଚନା ସମେତ ଏକ ଦୃଢ଼ ରଣନୀତି କାର୍ଯ୍ୟକାରୀ କରିଛନ୍ତି। ଆମ ରାଜ୍ୟର ନିବେଶ ଅନୁକୂଳ ନୀତି, ଅତ୍ୟାଧୁନିକ ଶିଳ୍ପ ଭିତ୍ତିଭୂମି ଓ ଅର୍ଥନୀତି, ଜନସଂଖ୍ୟା ଏବଂ ଭୌଗୋଳିକ ଅବସ୍ଥିତି ବିଷୟରେ ମଧ୍ୟ ନିବେଶକମାନଙ୍କୁ ଅବଗତ କରୁଛୁ। ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକଙ୍କ ପାଇଁ ରାଜ୍ୟ ନିଜକୁ ଏକ ପ୍ରମୁଖ ପୁଞ୍ଜି ବିନିଯୋଗ ସ୍ଥଳ ଭାବେ ସ୍ଥାନିତ କରିବା ସହ ଏହି ପ୍ରୟାସରେ ଆଶାଜନକ ଫଳାଫଳ ହାସଲ କରିବାକୁ ଲକ୍ଷ୍ୟ ରଖିଛି।
ଆମ ସରକାରଙ୍କ ଲକ୍ଷ୍ୟ ସ୍ପଷ୍ଟ। ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଶିଳ୍ପୋନ୍ନତ ତଥା ଅନ୍ତର୍ଭୁକ୍ତୀକରଣ ରାଜ୍ୟରେ ପରିଣତ କରିବା। ଦୀର୍ଘସ୍ଥାୟୀ ଅଭିବୃଦ୍ଧି, ନୂତନ ନିଯୁକ୍ତି ସୃଷ୍ଟି ଏବଂ ଆର୍ଥିକ ଲାଭ ଯେପରି ରାଜ୍ୟର କୋଣ ଅନୁକୋଣରେ ପହଞ୍ଚତ୍ପାରିବ ତାହା ସୁନିଶ୍ଚିତ କରିବା ଉପରେ ଆମେ ଗୁରୁତ୍ୱ ଦେଉଛୁ। ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା, ନିବେଶକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜନେସ୍‌ (ବ୍ୟବସାୟ କରିବାରେ ସହଜତା ଆଣିବା) ଭଳି ଦୃଷ୍ଟିକୋଣ ସହ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ ଯୋଡ଼ିହୋଇଛି। ଡବଲ ଇଞ୍ଜିନ ସରକାରଙ୍କ ଆଭିମୁଖ୍ୟ ଦ୍ରୁତ ଅନୁମୋଦନ, ପ୍ରଶାସନିକ ସ୍ବଚ୍ଛତା ଏବଂ ବ୍ୟବସାୟ ଅନୁକୂଳ ପରିବେଶର ପ୍ରତିଶ୍ରୁତି ମାଧ୍ୟମରେ ଓଡ଼ିଶାକୁ ବୈଶ୍ୱିକ ପୁଞ୍ଜିନିବେଶ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ କରିବା।
ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ଆମେ ଯେଉଁ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେଉଛୁ ତାହା ଦୀର୍ଘକାଳୀନ ଶିଳ୍ପ ଅଭିବୃଦ୍ଧି ଏବଂ ନୂତନ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବ। ବୟନ ଶିଳ୍ପ, ପୋଷାକ ନିର୍ମାଣ, ଆଇଟି/ଆଇଟିଇଏସ୍‌, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ ସହ ଖାଦ୍ୟ ପ୍ରକ୍ରିୟାକରଣ ଭଳି ନିଯୁକ୍ତିଭିତ୍ତିକ କ୍ଷେତ୍ର ଉପରେ ଆମେ ବିଶେଷ ଗୁରୁତ୍ୱ ଦେଉଛୁ। ଓଡ଼ିଶାର ଶିଳ୍ପ ଭିତ୍ତିଭୂମି ନିର୍ମାଣ ଏବଂ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାରେ ଏହି ଶିଳ୍ପକ୍ଷେତ୍ରଗୁଡ଼ିକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବେ।
ଏଥିସହିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦ, ଅକ୍ଷୟ ଶକ୍ତି, ବାୟୋଟେକ୍ନୋଲୋଜି ଏବଂ ସବୁଜ ଇନ୍ଧନ ଭଳି ଉଦୀୟମାନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ମଧ୍ୟ ଆମେ ଜୋର୍‌ ଦେଉଛୁ। ଓଡ଼ିଶାର ଭବିଷ୍ୟତ ହେଉଛି ଏହାର ଶିଳ୍ପ ଭିତ୍ତିଭୂମିରେ ବିବିଧତା ଆଣିବା। କେବଳ ଉଚ୍ଚ ଅଭିବୃଦ୍ଧି ନୁହେଁ ବରଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଥିବା ଶିଳ୍ପର ଉପଯୋଗ କରିବା। ଗ୍ରୀନ୍‌ ହାଇଡ୍ରୋଜେନ୍‌, ଗ୍ରୀନ୍‌ ଆମୋନିଆ ଏବଂ ବର୍ଜ୍ୟବସ୍ତୁରୁ ଶକ୍ତି ପ୍ରକଳ୍ପ କ୍ଷେତ୍ରରେ ଆଗୁଆ ପଦକ୍ଷେପ ନେଇ ରାଜ୍ୟ ସବୁଜ ଶକ୍ତି ଏବଂ ସ୍ଥାୟୀ ଜ୍ଞାନକୌଶଳ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି।
ଶିଳ୍ପ ଅଭିବୃଦ୍ଧିର ଏକ ପ୍ରମୁଖ କାରଣ ହେଉଛି ଭିତ୍ତିଭୂମି। ଆମ ସରକାର ଏହି ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତିି। ପୁଞ୍ଜି ନିବେଶକୁ ସମର୍ଥନ କରିବା ପାଇଁ ଆମେ ଉଭୟ ବିଦ୍ୟମାନ ଭିତ୍ତିଭୂମିର ଉନ୍ନତୀକରଣ ସହ ନୂତନ ଭିତ୍ତିଭୂମି ନିର୍ମାଣ ଉପରେ ଧ୍ୟାନ ଦେଉଛୁ। ଓଡ଼ିଶାର ତିନୋଟି ପ୍ରମୁଖ ବନ୍ଦର ପାରାଦୀପ, ଧାମରା ଓ ଗୋପାଳପୁରକୁ ବିଶ୍ୱସ୍ତରୀୟ ବନ୍ଦରରେ ପରିଣତ କରାଯିବା ସହ ଇଞ୍ଚୁଡ଼ି, ବାହୁଦା ଏବଂ ସୁବର୍ଣ୍ଣରେଖା ଭଳି ସ୍ଥାନରେ ନୂତନ ବନ୍ଦରର ବିକାଶ କରାଯାଉଛି। ଏହି ବନ୍ଦରଗୁଡ଼ିକର ବିକାଶ ମାଧ୍ୟମରେ ବୈଶ୍ୱିକ ଯୋଗାଣ ଶୃଙ୍ଖଳାରେ ଓଡ଼ିଶାକୁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ପରିଣତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।
ଏହାବ୍ୟତୀତ ଆମେ ଇଲେକ୍ଟ୍ରୋନିକ୍ସ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ବୟନଶିଳ୍ପ ଭଳି କ୍ଷେତ୍ର ପାଇଁ ଶିଳ୍ପ କରିଡର, ଉତ୍ସର୍ଗୀକୃତ ଶିଳ୍ପ ପାର୍କ ଏବଂ କ୍ଷେତ୍ର ନିର୍ଦ୍ଦିଷ୍ଟ କ୍ଲଷ୍ଟର ବିକଶିତ କରୁଛୁ । ବନ୍ଦର ସଂଯୋଗ ଏବଂ ଆଭ୍ୟନ୍ତରୀଣ ଜଳପଥ ସମେତ ଲଜିଷ୍ଟିକ୍‌ ଭିତ୍ତିିଭୂମିର ସମ୍ପ୍ରସାରଣ ମଧ୍ୟ ଆମ ସରକାରଙ୍କ ସବୁଠାରୁ ବଡ଼ ପ୍ରାଥମିକତା। ଶିଳ୍ପଗୁଡ଼ିକ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟକୁ ସମର୍ଥନ କରିବା ଲାଗି ରାଜ୍ୟରେ ଏକ ଡୁଆଲ୍‌ ଫିଡ୍‌ ନାଫ୍‌ଥା କ୍ରାକର ପ୍ରକଳ୍ପ ମଧ୍ୟ ଆରମ୍ଭ କରାଯାଉଛି।
ଭାରତ ସରକାରଙ୍କ ଡିପିଆଇଆଇଟି ଦ୍ୱାରା ବ୍ୟବସାୟ ସଂସ୍କାର ଆକ୍ସନ୍‌ ପ୍ଲାନ୍‌ ର଼୍ୟାଙ୍କିଙ୍ଗ୍‌ରେ ଓଡ଼ିଶା ଅନ୍ୟତମ ଶ୍ରେଷ୍ଠ ଆଚିଭର୍ସ ମାନ୍ୟତା ପାଇଛି। ଦ୍ରୁତ ଅନୁମୋଦନ ସୁନିଶ୍ଚିତ କରିବା ପାଇଁ ଆମର ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ ବ୍ୟବସ୍ଥା ଗୋ-ସ୍ବିଫ୍ଟକୁ ଆହୁରି ସୁବ୍ୟବସ୍ଥିତ କରାଯାଇଛି। ସରକାର ଜମି ଆବଣ୍ଟନ ପ୍ରକ୍ରିୟାକୁ ଡିଜିଟାଇଜ୍‌ କରିବା ସହ ଶିଳ୍ପଗୁଡ଼ିକ ପାଇଁ ପ୍ରାକ୍‌ ଅନୁମୋଦିତ ସ୍ଥାନ ପ୍ରଦାନ କରୁଛନ୍ତି। ରାଜ୍ୟ ନିୟାମକ ପ୍ରତିବନ୍ଧକକୁ ହ୍ରାସ କରିବା ସହ ସରକାରୀ ଲାଲ୍‌ ଫିତା ପ୍ରତିବନ୍ଧକ ଦୂର କରି ଆମେ ରାଜ୍ୟରେ ନିବେଶକଙ୍କ ପାଇଁ ପ୍ରକଳ୍ପ ଆରମ୍ଭ ପ୍ରକ୍ରିୟାକୁ ସହଜ କରୁଛୁ।
ଏହି କ୍ରମରେ ସ୍ବଚ୍ଛତା ବୃଦ୍ଧି, ବିଳମ୍ବ ହ୍ରାସ ଏବଂ ଅଧିକ ବ୍ୟବସାୟ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ଆମେ ନୂତନ ନୀତି ପ୍ରଣୟନ କରୁଛୁ। ଅଧିକରୁ ଅଧିକ ନିବେଶକଙ୍କୁ ଆକୃଷ୍ଟ କରିବା ଏବଂ ସେମାନେ ଯେପରି ଓଡ଼ିଶାରେ ଦକ୍ଷତାର ସହ କାର୍ଯ୍ୟ କରିପାରିବେ ସେଥିପାଇଁ ଇଜ୍‌ ଅଫ୍‌ ଡୁଇଂ ବିଜନେସ୍‌ ଉପରେ ଗୁରୁତ୍ୱ ଦିଆଯାଉଛି।
ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ରଣନୀତିର କେନ୍ଦ୍ରବିନ୍ଦୁ ହେଉଛି ସ୍ଥାୟିତ୍ୱ। ଆମେ ସକ୍ରିୟ ଭାବେ ସବୁଜ ଶକ୍ତି, ଅକ୍ଷୟ ଶକ୍ତି ଏବଂ ପରିବେଶ ଅନୁକୂଳ ଜ୍ଞାନକୌଶଳକୁ ପ୍ରୋତ୍ସାହିତ କରୁଛୁ । ଆମର ଶିଳ୍ପନୀତି ଓ ସଂକଳ୍ପ ସ୍ଥାୟୀ ଅଭ୍ୟାସ ଗ୍ରହଣ କରୁଥିବା ଏବଂ ଅକ୍ଷୟ ଶକ୍ତିକୁ ପ୍ରାଥମିକତା ଦେଉଥିବା ଶିଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରୁଛି। ବର୍ଜ୍ୟବସ୍ତୁରୁ ଶକ୍ତି ପ୍ରକଳ୍ପ, ସର୍କୁଲାର ଇକୋନୋମି ଭଳି ପଦକ୍ଷେପ ସହ ସବୁଜ ଇନ୍ଧନ ଉତ୍ପାଦନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ନିରନ୍ତର ବିକାଶ ଲକ୍ଷ୍ୟ ସହ ଶିଳ୍ପ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏହି ଆଭିମୁଖ୍ୟ ଆମର ନୀତି, ଯୋଜନା ଓ ବିଭିନ୍ନ ପଦକ୍ଷେପରେ ପ୍ରତିଫଳିତ ହେଉଛି।
ଉତ୍କର୍ଷ ଓଡ଼ିଶା- ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ ବିଶେଷକରି ଉତ୍ପାଦନ, ଆଇଟି ଓ ଲଜିଷ୍ଟିକ୍‌ କ୍ଷେତ୍ରରେ ନୂତନ ନିଯୁକ୍ତି ସୃଷ୍ଟି ଉପରେ ବିଶେଷ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ଶିଳ୍ପ ସହଯୋଗ ମାଧ୍ୟମରେ ବୃହତ୍‌ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଓଡ଼ିଶା ସରକାର ଚାହୁଁଛନ୍ତି। ଏହାବ୍ୟତୀତ ରାଜ୍ୟର ଯୁବପିଢ଼ି ଯେପରି ନୂତନ ଯୁଗୋପଯୋଗୀ ଶିଳ୍ପର ଆବଶ୍ୟକତା ପାଇଁ ପ୍ରସ୍ତୁତ ରହିବେ, ସେଥିଲାଗି ତାଲିମ ଓ ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ‘ସ୍କିଲ୍ଡ ଇନ୍‌ ଓଡ଼ିଶା’ ଭଳି ପଦକ୍ଷେପ ମାଧ୍ୟମରେ ସରକାର ଆଇଟି, ଉନ୍ନତ ଉତ୍ପାଦନ, ସେମିକଣ୍ଡକ୍ଟର୍‌ ଏବଂ ଅକ୍ଷୟ ଶକ୍ତି ଭଳି କ୍ଷେତ୍ରରେ ଅଭିବୃଦ୍ଧି ଆଣିବାରେ ସକ୍ଷମ ହେବା ସହ ରାଜ୍ୟରେ ଏକ ଦକ୍ଷ ଶ୍ରମଶକ୍ତି ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛନ୍ତି।
ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ସିଙ୍ଗାପୁର, ମାଲେସିଆ ଓ ଅଷ୍ଟ୍ରେଲିଆ ଓଡ଼ିଶାର ସହଭାଗୀ ଦେଶ ଭାବେ ଅଂଶଗ୍ରହଣ କରିବେ। ତା’ସହିତ ବ୍ରିଟେନ୍‌ ଓ ଆମେରିକା ଭଳି ପାଖାପାଖି ୨୦ଟି ଦେଶ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ବିକଶିତ ରାଷ୍ଟ୍ରମାନଙ୍କ ଅଂଶଗ୍ରହଣ ଓଡ଼ିଶାକୁ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର, ମିଳିତ ଉଦ୍ୟୋଗ ଏବଂ ଜ୍ଞାନ ବିନିମୟ ପାଇଁ ସୁଯୋଗ ପ୍ରଦାନ କରିବ। ଅନ୍ତର୍ଜାତୀୟ ନିବେଶକଙ୍କ ସହ ଉଚ୍ଚମାନର ସହଯୋଗିତା ବୈଶି୍ବକ ଶିଳ୍ପକ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ। ଓଡ଼ିଶାର ବଢ଼ୁଥିବା ବୈଶ୍ୱିକ ସହଯୋଗିତାର ଉଦାହରଣ ନିକଟରେ ସିଙ୍ଗାପୁର ସହ ଅନୁଷ୍ଠିତ ଓଡ଼ିଶା ବିଜନେସ୍‌ ମିଟ୍‌ରୁ ମିଳିସାରିଛି, ଯେଉଁଥିରେ ସବୁଜ ଶକ୍ତି, ଶିଳ୍ପ ଭିତ୍ତିିଭୂମି ଏବଂ ଦକ୍ଷତା କ୍ଷେତ୍ରରେ ୮ଟି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଆମ ରାଜ୍ୟକୁ ଏକ ବିଶ୍ୱ ବ୍ୟାବସାୟିକ କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେବା ସହ ଭାରତର ପୂର୍ବୋଦୟ ନୀତିରେ ଆମ ରାଜ୍ୟର ଭୂମିକାକୁ ସୁଦୃଢ଼ କରିପାରିବ।
ଅଟୋମେଶନ୍‌, ଆଇଓଟି ଓ ଏଆଇ ସମେତ ଶିଳ୍ପ ୪.୦ ପ୍ରଯୁକ୍ତିକୁ ଶିଳ୍ପଭିତ୍ତିରେ ପ୍ରୋତ୍ସାହିତ କରିବାକୁ ଆମ ସରକାର ଆଗଭର ଅଛନ୍ତି। ବୈଷୟିକ ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟରେ ଆଇଟି ଏବଂ ଷ୍ଟାର୍ଟଅପ୍‌ ହବ୍‌ ପ୍ରତିଷ୍ଠା ହୋଇଛି ଏବଂ ଗବେଷଣା ଓ ବିକାଶରେ ନିବେଶ କରୁଥିବା କମ୍ପାନିଗୁଡ଼ିକୁ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯାଉଛି। ଗୋ-ସ୍ବିଫ୍ଟ ପୋର୍ଟାଲ ଭଳି ପ୍ରଯୁକ୍ତି ସମର୍ଥତ୍ତ ପ୍ଲାଟ୍‌ଫର୍ମ ନିବେଶ ଆକୃଷ୍ଟ କରିବା ସହ ଶିଳ୍ପ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
ଆମ ସରକାରଙ୍କ ଦୀର୍ଘମିଆଦୀ ଲକ୍ଷ୍ୟ ହେଉଛି ରାଜ୍ୟର ଶତବାର୍ଷିକୀ ବର୍ଷ ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ, ଶିଳ୍ପୋନ୍ନତ, ଉଦ୍ଭାବନ ଓ ସାମଗ୍ରିକ ବିକାଶର ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା। ଏହି ସ୍ବପ୍ନକୁ ସାକାର କରିବା ଦିଗରେ ଚଳିତବର୍ଷର ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ ସଂସ୍କରଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନିରନ୍ତର ଶିଳ୍ପାୟନ, ସୁଦୃଢ଼ ଭିତ୍ତିଭୂମି ଏବଂ ଦକ୍ଷ ଶ୍ରମଶକ୍ତି ଉପରେ ଗୁରୁତ୍ୱ ଦେଇ ଓଡ଼ିଶା ଶିଳ୍ପ ଅଭିବୃଦ୍ଧିରେ ବିଶ୍ୱସ୍ତରରେ ଅଗ୍ରଣୀ ହେବାକୁ ଯାଉଛି।
ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ କେବଳ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ନୁହେଁ ବରଂ ଏହା ଓଡ଼ିଶାକୁ ବିଶ୍ୱବ୍ୟାପୀ ବ୍ୟବସାୟ ପାଇଁ ଏକ ଆକାଂକ୍ଷୀ ଗନ୍ତବ୍ୟସ୍ଥଳରେ ପରିଣତ କରିବା ସହ ବ୍ୟବସାୟ କରିବାରେ ସହଜତାର ଉଦାହରଣ ଓ ଦୀର୍ଘସ୍ଥାୟୀ ତଥା ସାମଗ୍ରିକ ଅଭିବୃଦ୍ଧିରେ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ଉଦ୍ଦିଷ୍ଟ। ବିଶ୍ୱର ନିବେଶକ, ଶିଳ୍ପପତି ଓ ଉଦ୍ଭାବକଙ୍କ ସହଯୋଗରେ ଓଡ଼ିଶା ଅର୍ଥନୈତିକ ସମୃଦ୍ଧି ଓ ନିଯୁକ୍ତି ସୃଷ୍ଟି ଦିଗରେ ଏକ ନୂଆ ମାର୍ଗ ସୃଷ୍ଟି କରିବ।
ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ କେବଳ ଏକ ଶିଖର ସମ୍ମିଳନୀ ନୁହେଁ, ଏହା ଓଡ଼ିଶାର ସ୍ବପ୍ନକୁ ସାକାର କରିବା ଦିଗରେ ଏକ ଅଭିଯାନ। ରାଜ୍ୟର ଭବିଷ୍ୟତକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଏବଂ ସମୃଦ୍ଧ ଓଡ଼ିଶା ୨୦୩୬ ଦିଗରେ ଏହି ପରିବର୍ତ୍ତନକାରୀ ଯାତ୍ରାରେ ସାମିଲ ହେବା ପାଇଁ ଆମେ ସମଗ୍ର ବିଶ୍ୱର ନିବେଶକଙ୍କୁ ଆମନ୍ତ୍ରଣ କରୁଛୁ।
– ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ, ଓଡ଼ିଶା ସରକାର


Enter your email to get our daily news in your inbox.

All Right Reserved By Dharitri.Com

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri