ଅତିମାନସ: ପ୍ରତିଶ୍ରୁତି ନୁହେଁ ସତ୍ୟ

ଇଂ. ସୁବାସ ଚନ୍ଦ୍ର କର

 

‘ମାନସ ହିଁ ମାନବ’ ପରି ‘ଅତିମାନସ ହିଁ ଅତିମାନବ’- ଶ୍ରୀଅରବିନ୍ଦଙ୍କର ଏହି ଶାଶ୍ୱତ ଉକ୍ତି ମାଧ୍ୟମରେ ଆମେ ଅନୁସନ୍ଧାନ କରିବା ଅତିମାନସ ଜଗତକୁ ଆମ ପ୍ରବେଶର ମାର୍ଗ। ଯାବତୀୟ ମାନସିକ ଯୋଜନା ଓ ତା’ର ସକଳ ସମ୍ଭାବନାର ସେପାରିରେ ବିଦ୍ୟମାନ ଅତିମାନସ।
ମନୋଗତ ଦର୍ଶନ ବା ବର୍ଣ୍ଣନାର ଅପହଞ୍ଚ ମନୁଷ୍ୟ ମନର ଶିଖରସ୍ତରଗୁଡିକ ଯେପରି ପଶୁ ଅବଧାରଣାର ସୀମାତୀତ, ଠିକ୍‌ ସେହିପରି ଅତି ମାନସର ଗତି ସ୍ପନ୍ଦନଗୁଡିକ ମନୁଷ୍ୟର ସାଧାରଣ ମନୋଗତ ଅବଧାରଣାର ଅତୀତ। ସାଧାରଣ ମାନସଠାରୁ ଆରମ୍ଭ କରି ଅତିମାନସ ମଧ୍ୟରେ ଅନେକ ସ୍ତର ବା ସୋପାନ ବିରାଜମାନ। ଯଥା ଉଚ୍ଚତର ମନ, ଆଲୋକିତ ମନ, ବୋଧିମାନସ ଓ ଅତିମାନସ। ପ୍ରଭୁଙ୍କ ବିଚାରରେ ଅତିମାନସର ଅବତରଣ ପୂର୍ବରୁ ଅଧିମାନସର ଅବତରଣ ଅନିବାର୍ଯ୍ୟ, କାରଣ ଅଧିମାନସ ହିଁ ପ୍ରବେଶ ପଥ।
ଦଳବାନ୍ଧି ରହୁଥିବା ଗୋଟିଏ ମାଙ୍କଡ଼ର ଚେତନାର ପରିବର୍ତ୍ତନ ହୁଅନ୍ତେ ସେ ଦଳଛାଡ଼ି ରାତ୍ରିର ଅନ୍ଧକାରଭେଦୀ ସକଳ ବନ୍ଧନ ତେଜି ନୂତନ ଆସ୍ପୃହାର ଜଗତ ମଧ୍ୟକୁ ଯାଇ ମାନବ ଚେତନା ପ୍ରାପ୍ତ ହେଲା। ହେଲେ ଏବେ ବି ଦୁନିଆରେ ମାଙ୍କଡ଼ ଜାତି ସେଇମିତି ଗଛରେ ରହୁଛନ୍ତି, ଆଉ ମଣିଷ ଚନ୍ଦ୍ରରେ ଘର କଲାଣି। ଠିକ୍‌ ସେହିପରି ଏଯାବତ୍‌ ସୃଷ୍ଟିରେ ଶ୍ରେଷ୍ଠଜୀବ ବୋଲାଉଥିବା ମଣିଷ ସାମ୍ନାରେ ଅଧ୍ୟାତ୍ମ-ରୂପାନ୍ତରିତ ଅତିମାନବର ଆବିର୍ଭାବ କପୋଳକଳ୍ପିତ କାହାଣୀ ହେବନାହିଁ। ବରଂ ଏକ ବାସ୍ତବ ସତ୍ୟରେ ପରିଣତ ହେବ। ଏହା ଶ୍ରୀଅରବିନ୍ଦଙ୍କର ସ୍ପଷ୍ଟୋକ୍ତି।
ବିବର୍ତ୍ତନକ୍ରମରେ ମନ, ପ୍ରାଣ ଓ ଜଡ଼ ସ୍ବୀୟ ପରମ ଉତ୍ସରୁ ବିଚ୍ୟୁତି ଓ ବିଚ୍ଛିନ୍ନ ହୋଇପଡ଼ିବାରୁ ପରମ ନିଶ୍ଚେତନାର ଆବିର୍ଭାବ ଘଟିଛି। ଆମର ମନ ହେଉଛି ଅତିମାନସର ଗୌଣରୂପ। ଜଡ଼ ବିବର୍ତ୍ତନର ଶ୍ରେଷ୍ଠରୂପ, ଜଡ଼ର ଆଧାର ପ୍ରସ୍ତୁତ ହୋଇଗଲେ ପ୍ରାଣ ଓ ମନର ଆବିର୍ଭାବ ଘଟେ। ଚେତନାର ଅଧିକ ବିକଶିତ ଏକ ସ୍ପନ୍ଦନକୁ ସ୍ବୀକାର କରିବା ପାଇଁ ପ୍ରାଣର ଆଧାର ଉପଯୁକ୍ତ ହୋଇଗଲେ ମନର ଆବିର୍ଭାବ ହୁଏ। ଦେହଧାରୀ ମନୋମୟ ସତ୍ତା ପ୍ରସ୍ତୁତ ହେବା ସଙ୍ଗେ ସଙ୍ଗେ ଏସବୁ ସୋପାନରେ ବିଜ୍ଞାନମୟ ଭୂମିଯାଏ ମାନବ ଆରୋହଣ କରିପାରିବ ଏବଂ ଏକ ମୂର୍ତ୍ତିମନ୍ତ ଅତିମାନସ ଓ ଅଧ୍ୟାତ୍ମ ସତ୍ତାରେ ପରିଣତ ହୋଇପାରିବ। ପାର୍ଥିବ ବିବର୍ତ୍ତନ କ୍ଷେତ୍ରକୁ ଅଧିମାନସର ଅବତରଣ ଦ୍ୱାରା ନିଶ୍ଚେତନାର ସମ୍ପୂର୍ଣ୍ଣ ରୂପାନ୍ତର ସମ୍ଭବ ହେବ ନାହିଁ। ହୁଏତ ଏହାର ପ୍ରଭାବ ଦ୍ୱାରା ନିଶ୍ଚେତନ ବିଶ୍ୱ ସତ୍ୟ ଓ ବିଶ୍ୱ ଜ୍ଞାନରୂପେ ଆଲୋକିତ ହୋଇପାରେ। ତଥାପି ଆଧାରରେ ନିଶ୍ଚେତନା ରହିଥିବ। ଅତିମାନସ ଏହି ପାର୍ଥିବତା ମଧ୍ୟକୁ ଚିଦ୍‌ ବ୍ରହ୍ମର ସେହି ପରମ ଆଲୋକ ଓ ପରମ ବିଧାନ ବହନ କରିନେଇ ଆସିଲେ ହିଁ ସେହି ବିଧାନ ଓ ଆଲୋକସହ ଜଡ଼ଭୂମିସ୍ଥ ଏହି ନିଶ୍ଚେତନାକୁ ଭେଦକରି ତାକୁ ରୂପାନ୍ତରିତ କରିପାରିବ।
ବିବର୍ତ୍ତନର ଧୀର, ମନ୍ଥର ଓ ଅନିଶ୍ଚିତ ଗତିପଥ ଅନୁସରଣ କଲେ ସିଦ୍ଧି ପାଇଁ ବହୁ ଶତାବ୍ଦୀ ଓ ବହୁଯୁଗ ଲାଗିଯିବ, କିନ୍ତୁ ଅନ୍ତରର ଆଧ୍ୟାତ୍ମ ପୁରୁଷଙ୍କୁ ଉଦ୍‌ବୋଧିତ କରାଇ ସାଧକ ଆପଣାର ବିଜୟ ଯାତ୍ରାରେ ମାତ୍ର ଗୋଟିଏ ଜନ୍ମ ବା କେତୋଟି ମାତ୍ର ଜନ୍ମରେ ସିଦ୍ଧିଲାଭ କରିପାରେ। ଏହା ରୂପାନ୍ତରର ପଥ। ଶ୍ରୀଅରବିନ୍ଦଙ୍କ ଉକ୍ତିରେ- ‘ ଏହି ରୂପାନ୍ତର ମାନବ ଶକ୍ତିର ଅସୀମଗୁଣ ଶକ୍ତି ସହାୟତାରେ ସମ୍ଭବ।’ ସଫଳତା ନିର୍ଭର କରେ ସମ୍ପୂର୍ଣ୍ଣ ସମର୍ପଣ ଉପରେ। କେବଳ ଚୈତ୍ୟ-ପରିବର୍ତ୍ତନଟି ପୂର୍ଣ୍ଣତା ଲାଭ କରିଥିଲେ ଓ ଚିନ୍ମୟ ରୂପାନ୍ତର ସିଦ୍ଧିର ଏକ ଅତ୍ୟୁଚ୍ଚ ସୋପାନକୁ ଉତ୍ତୀର୍ଣ୍ଣ ହୋଇସାରିଥିଲେ ହିଁ ପୂର୍ଣ୍ଣାଙ୍ଗ ସମର୍ପଣ ସମ୍ଭବ ହୋଇପାରିବ।
ପାହାଚ ପରେ ପାହାଚ ଚଢ଼ି ଉପରକୁ ଉଠିବାର ଓ ଅଧ୍ୟାତ୍ମ ଭାବାପନ୍ନ ମନସ୍ତରରୁ ଅତିମାନସ ସ୍ତରଯାଏ ବାଟ ଦେଖାଇବା କ୍ରମୋଚ୍ଚ ପର୍ଯ୍ୟାୟର ଉନ୍ମୋଚନର ଆବଶ୍ୟକତା ରହିଛି। ଶେଷ ପର୍ବର ପଥଟି ଏପରି ତୀଖ ହୋଇ ଉଠିଛି ଯେ, ପାବଚ୍ଛ ପରେ ପାବଚ୍ଛ ନ ଥିଲେ ଏଠାକୁ ଉଠିପାରିବା ସମ୍ଭବ ହୋଇ ନ ଥାନ୍ତା। ପ୍ରଥମ ସୋପାନରେ ଆମେ ଦେଖୁ ଉଚ୍ଚତ୍ତର ମନକୁ । ଏହାର ଯାବତୀୟ ସାମର୍ଥ୍ୟ ଆସିଥାଏ ଅଧିମାନସରୁ କିନ୍ତୁ ବାସ୍ତବରେ ଅତିମାନସ ହିଁ ଏହାର ମୂଳଉତ୍ସ। ଆଲୋକ ଓ ଜ୍ଞାନର ସାମର୍ଥ୍ୟ ଦ୍ୱାରା ଅନ୍ଧକାର ବା ଅଜ୍ଞାନର ସାମର୍ଥ୍ୟଗୁଡିକୁ ପରାଭୂତ କରିବାକୁ ପଡ଼ିବ। ପ୍ରକୃତି ମଧ୍ୟସ୍ଥ ପ୍ରତିରୋଧୀ ଶକ୍ତିଗୁଡିକ ପ୍ରତିବନ୍ଧକ ସାଜନ୍ତି। ଏଇଠାରେ ପ୍ରଥମ ଆଧ୍ୟାତ୍ମିକ ରୂପାନ୍ତର ପାଇଁ ଏକ ଉଚ୍ଚତର ଆରୋହଣ, ଉଚ୍ଚତର ଶକ୍ତିର ଏକ ଶକ୍ତିଶାଳୀ ଅବତରଣ ପାଇଁ ଅଧିକ ସାମର୍ଥ୍ୟ ସଞ୍ଚାର କରାଏ। ଚେତନା ଓ ବିଜ୍ଞାନମୟତାର ଏକ ଉଚ୍ଚତର ଶକ୍ତିରେ ଶକ୍ତିର ପୂର୍ଣ୍ଣୋପଲବ୍ଧି ଲାଗି ଆବଶ୍ୟକୀୟ କ୍ଷେତ୍ର ପ୍ରସ୍ତୁତ କରିଥାଏ। ‘ଏହି କ୍ଷେତ୍ର ଅଧ୍ୟାତ୍ମଯୋଗୀ ଓ ମନସ୍ବୀ ବିଚାରାନ୍ବେଷୀଙ୍କ ନିମିତ୍ତ ସହାୟକ କ୍ଷେତ୍ର।
ପରବର୍ତ୍ତୀ ସ୍ତର ହେଉଛି ଆଧ୍ୟାତ୍ମିକ ଆଲୋକର ମନ। ଏହି ମନର ଅବତରଣ ଦ୍ୱାରା ଅନ୍ତର୍ଗୂଢ଼ ସେହି ପରମ ଶକ୍ତି ବା ପରମ ସାମର୍ଥ୍ୟର ଅଧିକ ପରିସ୍ପୁରଣ ଘଟିଥାଏ। ବୁଦ୍ଧଦେବ ଥିଲେ ଏହି ମାନସର ଅଧିକାରୀ। ଏହାର ପର ସ୍ତର ବୋଧିମାନସ। ରାମକୃଷ୍ଣ ପରିମହଂସ ଥିଲେ ଏହି ବୋଧିମାନସର ଅଧିକାରୀ। ତା’ପରେ ‘ଅଧିମାନସ’। ଏହା ଉଚ୍ଚତର ଅଧ୍ୟାତ୍ମ ଉନ୍ମୋଚନର ପ୍ରବେଶଦ୍ୱାର। ଅତିମାନସ ବିଜ୍ଞାନମୟତାର ପ୍ରତିନିଧି ତଥା ଅତିମାନସର ଆଲୋକ ବହନ କରିଥାଏ। ଅଧିମାନସର ଅବତରଣ ଫଳରେ ଅହଂକାରର ପ୍ରାଧାନ୍ୟ ତଥା ପ୍ରାଦୁର୍ଭାବ କ୍ରମେ ହ୍ରାସପାଏ ଓ ଶେଷରେ ଲୀନ ହୋଇଯାଏ। ଅଧିମାନସର କ୍ରିୟାତ୍ମକତା ପ୍ରଭାବରେ ଏକ ଅନୁଭୂତି ଆସେ ଯେ ବିଶ୍ୱଗତ ପରମାତ୍ମାସତ୍ତା ବା ଈଶ୍ୱର ସବୁ କିଛିର ଶାସନ ବା ବିଧାନ କରୁଛନ୍ତି। ସେ ହିଁ ସବୁକିଛିର ପୂର୍ଣ୍ଣ ଆଶ୍ରୟ ଓ ସର୍ବନିୟନ୍ତା। ଅଧିମାନସ ରୂପାନ୍ତର ହେଉଛି ଗତିଶୀଳ ଅଧ୍ୟାତ୍ମ ରୂପାନ୍ତର କ୍ରମର ଚରମ ଓ ପରିପୂର୍ଣ୍ଣକାରୀ। ଅବତାରୀ ଶ୍ରୀକୃଷ୍ଣ ଏହି ସ୍ତରର ଦେବତା। ୧୯୨୬ ମସିହା ନଭେମ୍ବର ୨୪ ତାରିଖରେ ଶ୍ରୀଅରବିନ୍ଦ ଅଧିମାନସଚେତନା ପ୍ରାପ୍ତ ହୋଇଥିଲେ।
ସର୍ବୋଚ୍ଚ ସ୍ତର ଅତିମାନସ। ଏ ସ୍ତରରୁ ଅବତରିତ ବିଧାନ ଓ ଆଲୋକ ନିଶ୍ଚେତନାକୁ ଭେଦ କରିପାରିବ ଓ ତାହାକୁ ରୂପାନ୍ତରିତ କରିପାରିବ। ପ୍ରକୃତିର ବିବର୍ତ୍ତନ ପାଇଁ ଏହି ସୋପାନରେ ଅଧିମାନସକୁ ଅତିମାନସ ଲାଗି ବାଟ ଛାଡ଼ିବାକୁ ପଡ଼ିବ ଓ ଅତି ମାନସକୁ ଅବତୀର୍ଣ୍ଣ ହେବାକୁ ପଡ଼ିବ। ‘ଅତିମାନସର ଅର୍ଥ ପରମଙ୍କର ସମ୍ପୂର୍ଣ୍ଣ ସତ୍ୟ ଚେତନା’। ଏହି ଅତିମାନସ ଭୂମି ମଧ୍ୟବର୍ତ୍ତୀସ୍ତର ଓ ସଚ୍ଚିଦାନନ୍ଦଙ୍କ ମଧ୍ୟବର୍ତ୍ତୀ ଚେତନା। ଏହା ବାସ୍ତବିକ ବିଜ୍ଞାନମୟ ଚେତନା, ଅତିମାନସ ଜୀବନକୁ ପରିପୂର୍ଣ୍ଣ ଜ୍ଞାନ, ପରିପୂର୍ଣ୍ଣ ସାମର୍ଥ୍ୟ ଓ ପରିପୂର୍ଣ୍ଣ ତାତ୍ପର୍ଯ୍ୟ ଆଣିଦିଏ। ଶ୍ରୀଅରବିନ୍ଦଙ୍କ ଭାଷାରେ -”There is a consciousness mind can not touch“।
ଆଲୋକିତ ମନ, ଉଚ୍ଚତର ମନ ତଥା ବୋଧିମାନସ ଯେଉଁ ଅନ୍ଧକାର ତଥା ଅବିଦ୍ୟା ମାଧ୍ୟମରେ କାର୍ଯ୍ୟ କରୁଥାନ୍ତି , ତାହା ସହ ଯୁଦ୍ଧ କରିବା ପାଇଁ ଏବଂ ସେହି କାର୍ଯ୍ୟରେ ଆପଣାକୁ ପୂର୍ଣ୍ଣ ନିୟୋଜିତ କରିବା ଲାଗି ଜ୍ୟୋତିର୍ମାନସ ଓ ଉଚ୍ଚତର ମନ ବୋଧି ଚେତନାର ସାହାଯ୍ୟ ଲୋଡ଼ନ୍ତି ଓ ବୋଧି ଚେତନା ଅଧିମାନସର ସାହାଯ୍ୟ ଲୋଡ଼େ। ଗୋଟିଏ ଚେତନା ସ୍ତରରୁ ଆଉ ଗୋଟିଏ ଚେତନା ସ୍ତରକୁ ଉଠିବା ପୂର୍ବରୁ ପୂର୍ବ ସୋପାନରେ ପୂର୍ଣ୍ଣତା ଅନିବାର୍ଯ୍ୟ। ନଚେତ୍‌ ସ୍ଖଳନର ସମ୍ଭାବନା ଅଧିକ । ଆବଶ୍ୟକୀୟ ସର୍ତ୍ତ ହେଲା- ଊର୍ଦ୍ଧ୍ୱର ଅବତରଣକୁ ନିମ୍ନସ୍ଥ ଚେତନାର ପୂର୍ଣ୍ଣ ସ୍ବୀକୃତି ପ୍ରଦାନ, ପରିପୂର୍ଣ୍ଣ ଆତ୍ମସମର୍ପଣ, ସ୍ବୀୟ ଦାବିର ପୂର୍ଣ୍ଣ ପ୍ରତ୍ୟାହାର, ସତ୍ତା ଉପରେ ସମ୍ପୂର୍ଣ୍ଣ ଅଧିକାର ପରିତ୍ୟାଗ ଓ ରୂପାନ୍ତରୀକରଣ। ଅତିମାନସ ରୂପାନ୍ତର ଆଉ ପ୍ରତିଶ୍ରୁତି ହୋଇ ରହିନାହିଁ; ଏହା ବାସ୍ତବ ସତ୍ୟ। ଏ ଯାତ୍ରା ଚାଲିଛି, ଚାଲିବ, ଆହୁରି ଜ୍ୟୋତିର୍ମୟତା ଆଡ଼େ।
ମୋ-୯୮୬୧୩୯୬୪୪୧


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri