ବିବର୍ତ୍ତନର ପରିପୋଷକ ବର୍ଣ୍ଣାଶ୍ରମ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ

ଐଶୀ ବିଧାନରେ ପ୍ରକୃତି ବକ୍ଷରେ ଯେଉଁ ସୃଷ୍ଟି- ସ୍ଥିତି- ବିନାଶର ନିତ୍ୟ ଲୀଳା ସଂଘଟିତ ହୋଇ ଚାଲିଛି ତାହାର ଏକ ପ୍ରଧାନ ଉଦ୍ଦେଶ୍ୟ ହେଲା ଊର୍ଦ୍ଧ୍ୱମୁଖୀ ବିବର୍ତ୍ତନ ବା କ୍ରମାଗତ ଉତ୍କର୍ଷରେ ବିକାଶ ଲାଭ କରିବା। ସର୍ବବ୍ୟାପୀ ସତ୍ତା ସର୍ବଦା ନାନା ଗୁଣ- କର୍ମ-ଯୁକ୍ତ ହୋଇ ବିଭିନ୍ନ ବୈଶିଷ୍ଟ୍ୟରେ ବିବର୍ତ୍ତିତ ହୋଇ ଚାଲିଛନ୍ତି। ଏହିପରି ସୃଷ୍ଟି ହୋଇଛି କେତେ ପ୍ରକାର ଜୀବଜନ୍ତୁ, ପଶୁପକ୍ଷୀ, କୀଟପତଙ୍ଗ ଏବଂ ବୃକ୍ଷଲତା। ମଣିଷ ମଧ୍ୟ ପ୍ରକୃତିର ଏହି ନିୟମର ଅଧୀନ। ତେଣୁ ସହଜାତ ଗୁଣ-କର୍ମଯୁକ୍ତ ହୋଇ ମଣିଷ ମଧ୍ୟ ପରସ୍ପରଠାରୁ ଭିନ୍ନ ଭିନ୍ନ ହୋଇଥାଏ। ପ୍ରତ୍ୟେକଟି ମଣିଷର ଗୁଣ-କର୍ମ-ଯୁକ୍ତ ସହଜାତ ବୈଶିଷ୍ଟ୍ୟକୁ ଉପଯୁକ୍ତ ପୋଷଣ ଦେଇ ତାହାର ଉନ୍ନୟନକୁ ନିଶ୍ଚିତ ଏବଂ ପରସ୍ପରର ପରିପୂରକ ଭାବରେ ଗଢ଼ିତୋଳିବା ସହିତ ସାମାଜିକ ସଂହତିକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ବର୍ଣ୍ଣାଶ୍ରମ ବ୍ୟବସ୍ଥାର ପ୍ରବର୍ତ୍ତନ କରିଥିଲେ ଆର୍ଯ୍ୟ ଋଷିଗଣ। ଯେଉଁମାନଙ୍କ ମଧ୍ୟରେ ଈଶ୍ୱରୋପାସନା, ଅଧ୍ୟୟନ, ଅଧ୍ୟାପନା, ଗବେଷଣା, ଯଜନ- ଯାଜନ, ଦାନ- ପ୍ରତିଗ୍ରହ ଇତ୍ୟାଦି ଗୁଣର ବିଶେଷ ପ୍ରାଧାନ୍ୟ ଲକ୍ଷ୍ୟ କରାଯାଇଥିଲା ସେମାନଙ୍କୁ ନେଇ ହିଁ ବିପ୍ର ବର୍ଣ୍ଣ ସୃଷ୍ଟି ହୋଇଛି। ସେହିପରି ଯେଉଁମାନେ ଆଦର୍ଶପ୍ରାଣ ହୋଇ ସମାଜକୁ କ୍ଷୟକାରୀ ଶକ୍ତିଙ୍କ ଆକ୍ରମଣରୁ ତ୍ରାଣ କରିବା ପାଇଁ ବାସ୍ତବ ଭାବରେ ନିଜର ଜୀବନକୁ ଉତ୍ସର୍ଗ କରିଥାନ୍ତି ସେମାନଙ୍କୁ କ୍ଷତ୍ରିୟ କୁହାଗଲା। ଯେଉଁମାନେ ଧର୍ମପଥରେ ମଣିଷର ପ୍ରୟୋଜନ ପୂରଣ ଏବଂ ଅର୍ଥନୈତିକ ସେବା ଦ୍ୱାରା ଅର୍ଥ ଏବଂ ଐଶ୍ୱର୍ଯ୍ୟ ଆହରଣ କରି ସମାଜକୁ ସମୃଦ୍ଧ କରିବା ସହିତ ନିଜେ ସମ୍ବର୍ଦ୍ଧିତ ହୋଇପାରନ୍ତି ସେମାନଙ୍କୁ ନେଇ ହିଁ ବୈଶ୍ୟବର୍ଣ୍ଣର ସୃଷ୍ଟି ହୋଇଥିଲା । ଚତୁର୍ଥତଃ ଯେଉଁମାନେ ସୂଚୀକୃତ ବା ଶୁଦ୍ଧ ଏବଂ ଯେଉଁମାନେ ସେବାପ୍ରାଣ ଶ୍ରମ ଦ୍ୱାରା ସମାଜର ପରିଚର୍ଯ୍ୟା କରି ନିଜର ଉତ୍କର୍ଷ ସାଧନ କରୁଥିଲେ ସେମାନଙ୍କୁ ହିଁ ଶୂଦ୍ର କୁହାଯାଉଥିଲା। ଏହି ବ୍ୟବସ୍ଥା ଦ୍ୱାରା ପ୍ରତିଟି ବର୍ଣ୍ଣର ସଦସ୍ୟଗଣ ସ୍ବକୀୟ ବୈଶିଷ୍ଟ୍ୟ ପଥରେ ଉନ୍ନତ ଏବଂ ବିବର୍ତ୍ତିତ ହୋଇ ଚାଲିବା ସଙ୍ଗେ ସଙ୍ଗେ ପରସ୍ପରର ଅନୁପୂରକ ହୋଇ ସାମାଜିକ, ସଂହତି ଏବଂ ରାଷ୍ଟ୍ରୀୟ ସମ୍ବର୍ଦ୍ଧନାକୁ ନିଶ୍ଚିତ କରିପାରିଥିଲେ।
ବର୍ଣ୍ଣାଶ୍ରମର ସୁସଙ୍ଗତ ପାଳନ ଫଳରେ ପ୍ରାଚୀନ ଭାରତୀୟ ସମାଜ ଜ୍ଞାନ-ବିଜ୍ଞାନ, ଶୌର୍ଯ୍ୟ-ବୀର୍ଯ୍ୟ, ଅର୍ଥ-ଐଶ୍ୱର୍ଯ୍ୟ ଏବଂ ଐକ୍ୟ-ସଂହତିରେ ଜଗତରେ ଶ୍ରେଷ୍ଠ ଆସନ ଅଧିକାର କରିଥିଲା। ସେତେବେଳେ କୌଣସି ବିଦେଶୀ ଶକ୍ତି ଭାରତକୁ ଆକ୍ରମଣ କରିବା କଥା ସ୍ବପ୍ନରେ ମଧ୍ୟ ଚିନ୍ତା କରିପାରୁ ନ ଥିଲେ। ଏହାର ବହୁ କାଳ ପରେ ବିଶ୍ୱବିଜେତା ଆଲେକଜାଣ୍ଡର ଯେତେବେଳେ ଭାରତବର୍ଷକୁ ଆକ୍ରମଣ କଲେ ସେ ପରାଜିତ ରାଜା ପୁରୁଙ୍କର କ୍ଷତ୍ରିୟୋଚିତ ପରାକ୍ରମ, ସାହସ ଏବଂ ତେଜସ୍ବିତା ତଥା ତକ୍ଷଶୀଳାର ବ୍ରାହ୍ମଣ ପଣ୍ଡିତଙ୍କର ବ୍ରହ୍ମତେଜର ଦୀପ୍ତି ଦେଖି ସ୍ତମ୍ଭୀଭୂତ ହୋଇଯାଇଥିଲେ। ମଣିଷର ସହଜାତ ବୈଶିଷ୍ଟ୍ୟକୁ ପୋଷଣ ଦେଇ ପୁରୁଷାନୁକ୍ରମେ ତାହାକୁ ଉନ୍ନତ, ସୁଦକ୍ଷ ଏବଂ ସାର୍ଥକ କରିବାର ଏଭଳି ଅନନ୍ୟ ପନ୍ଥା ପୃଥିବୀର ଅନ୍ୟ କୌଣସି ଦେଶର ଲୋକଙ୍କୁ ଜଣା ନ ଥିଲା। ବର୍ଣ୍ଣାଶ୍ରମ ମାଧ୍ୟମରେ ଏହି ବୈଶିଷ୍ଟ୍ୟାନୁଗତଯୋଗ୍ୟତା ଏବଂ ଦକ୍ଷତା ବଂଶ ପରମ୍ପରାକ୍ରମେ କର୍ଷିତ ହୋଇ ଜନ୍ମଗତ ସଂସ୍କାରରେ ପରିଣତ ହୋଇଯାଏ ଏବଂ ଏହା ପ୍ରତିଟି ପ୍ରଜନ୍ମର ରେତଧାରା ମଧ୍ୟରେ ପ୍ରବେଶ କରି ହଜାର ବର୍ଷ ପର୍ଯ୍ୟନ୍ତ ସ୍ବାଭାବିକ ଦକ୍ଷତା ରୂପରେ ସଂରକ୍ଷିତ ହୋଇ ରହିପାରେ। ଉଦାହରଣ ସ୍ବରୂପ ଏବେ ବି ଜଣେ ବିପ୍ରର ସହଜାତ ପ୍ରଜ୍ଞା ଏବଂ ସାତ୍ତ୍ୱିକ ଗୁଣବତ୍ତା, ଜଣେ କ୍ଷତ୍ରିୟର ପରାକ୍ରମୀ ବୀର୍ଯ୍ୟବତ୍ତା ଏବଂ ଶାସନ ଦକ୍ଷତା, ଜଣେ ବୈଶ୍ୟର କୃଷି, ଗୋପାଳନ ଏବଂ ବ୍ୟବସାୟିକ ଦକ୍ଷତା ତଥା ଜଣେ ଶୂଦ୍ରର ସହଜ ସେବା ସୌକର୍ଯ୍ୟ ଶତଚେଷ୍ଟାରେ ମଧ୍ୟ ଅନ୍ୟ କାହା ମଧ୍ୟରେ ସୃଷ୍ଟି କରାଯାଇ ପାରିବ ନାହିଁ। ଦୁଃଖର କଥା ନାନା କାରଣରୁ ବୌଦ୍ଧଯୁଗର ଶେଷ ଭାଗରେ ଭାରତବର୍ଷର ଗୌରବ ମୁକୁଟ ଏହି ବର୍ଣ୍ଣାଶ୍ରମ ବ୍ୟବସ୍ଥା କ୍ରମେ ବିକୃତ ଏବଂ ବିପର୍ଯ୍ୟସ୍ତ ହୋଇପଡ଼ିଲା। ଭାରତୀୟମାନେ ହୋଇଉଠିଲେ କ୍ରମେ କ୍ରମେ ଶୌର୍ଯ୍ୟ-ବୀର୍ଯ୍ୟହରା, ସ୍ବାର୍ଥାନ୍ବେଷୀ, ଦୁର୍ବଳ, ଐକ୍ୟ-ସଂହତିହରା, ପରସ୍ପର ବିଚ୍ଛିନ୍ନ। ଏହାର ପରିଣାମସ୍ବରୂପ ମୋଗଲ ଏବଂ ବ୍ରିଟିଶମାନେ ଏ ଦେଶକୁ ଅଧିକାର କରି ସାମ୍ରାଜ୍ୟ ପ୍ରତିଷ୍ଠା କଲେ। ପ୍ରକୃତରେ ମୋଗଲ ଏବଂ ବ୍ରିଟିଶମାନଙ୍କ ଅଧୀନରେ ଭାରତୀୟମାନେ ପରାଧୀନତା ଶୃଙ୍ଖଳରେ ଆବଦ୍ଧ ହୋଇ ଏକପ୍ରକାର ଦାସତ୍ୱସୁଲଭ ମନୋଭାବାପନ୍ନ ହୋଇଯାଇଛନ୍ତି। ଏବେ ଦେଶ ସ୍ବାଧୀନ ହୋଇଛି କିନ୍ତୁ ବର୍ଣ୍ଣାଶ୍ରମ ହଜିଯାଇଛି ଜଟିଳ ଜାତିପ୍ରଥା, ଉଚ୍ଚନୀଚ ଭେଦଭାବ, ଅସ୍ପୃଶ୍ୟତା ପ୍ରଭୃତି ସାମାଜିକ ବ୍ୟଭିଚାର ମଧ୍ୟରେ।
ସ୍ବାଧୀନତାର ୭୦ ବର୍ଷ ପରେ ମଧ୍ୟ ଜଣେ ନିମ୍ନବର୍ଣ୍ଣର ବ୍ୟକ୍ତିଙ୍କୁ ସାଧାରଣ କୂଅରୁ ପାଣି ନେବାର ଅଧିକାର ନାହିଁ, ମନ୍ଦିର ପ୍ରବେଶର ଅଧିକାର ନାହିଁ, ସର୍ବସାଧାରଣ ଜାନିଯାତ୍ରାରେ ଅଂଶ ଗ୍ରହଣ କରିବାର ଅଧିକାର ନାହିଁ। ଏହାକୁ ବର୍ଣ୍ଣାଶ୍ରମ ନ କହି ବର୍ଣ୍ଣାଶ୍ରମର ବିକୃତ ଅବସ୍ଥା କୁହାଯାଇପାରେ, ଯାହା ମୂଳରେ ରହିଛି କେବଳ ଅହଂମତ୍ତ ହୀନମନ୍ୟତା ବୋଧ। ଯଥାର୍ଥ ବର୍ଣ୍ଣାଶ୍ରମ ବ୍ୟବସ୍ଥାରେ ସବୁ ବର୍ଣ୍ଣର ଲୋକଙ୍କୁ ସମାନ ଗୁରୁତ୍ୱ ପ୍ରଦାନ କରାଯାଉଥିଲା। ଚାରିବର୍ଣ୍ଣର ଲୋକମାନଙ୍କ ମଧ୍ୟରେ ପ୍ରୀତି-ସଂହତି ଏବଂ ସହଯୋଗ ମନୋଭାବ ଯୋଗୁଁ ଦେଶଟା, ଐକ୍ୟବଦ୍ଧ ହୋଇ ରହୁଥିଲା। ସମାଜରେ ଶାନ୍ତି ଶୃଙ୍ଖଳା ବଜାୟ ରହୁଥିଲା। କେହି କାହାରି ବୃତ୍ତି ହରଣ କରୁ ନ ଥିବାରୁ ଦେଶରେ ବେକାର ସମସ୍ୟା ନ ଥିଲା। ମେଘାସ୍ଥିନିସ୍‌, ହୁଏନ୍‌ସାଂ, ଫାହିଆନ୍‌ ଏବଂ ଆଲବେରୁଣୀ ପ୍ରମୁଖ ପର୍ଯ୍ୟଟକଙ୍କ ବିବରଣୀରେ ଏହାର ଭୁରି ଭୁରି ପ୍ରମାଣ ରହିଛି। ତେଣୁ ଶ୍ରୀ ଶ୍ରୀ ଠାକୁର କହିଛନ୍ତି ଭାରତବର୍ଷକୁ ପୁନର୍ବାର ବିଶ୍ୱ ଦରବାରରେ ସ୍ବମହିମାରେ ପ୍ରତିଷ୍ଠିତ ହେବାକୁ ହେଲେ ନିଜସ୍ବ କୃଷ୍ଟିରେ ଦୃଢ଼ ରହି ଏକାଦର୍ଶପରାୟଣ ହୋଇ ଚାତୁର୍ବର୍ଣ୍ଣାଶ୍ରମ ଏବଂ ‘ପଞ୍ଚବର୍ହିଃ’ର ବିହିତ ପାଳନରେ ନିଜକୁ ଉନ୍ନତ ଏବଂ ସମ୍ବର୍ଦ୍ଧିତ କରିତୋଳିବାକୁ ପଡ଼ିବ। (ଆର୍ଯ୍ୟକୃଷ୍ଟି-୧୪୫ ଭାବାର୍ଥ)। ବାସ୍ତବରେ ବର୍ଣ୍ଣାଶ୍ରମ ଏକ ପ୍ରାକୃତିକ ସତ୍ୟ ଏହାକୁ ଅସ୍ବିକାର କରାଯାଇପାରେ, କିନ୍ତୁ ଉଡ଼ାଇ ଦେଇ ହେବ ନାହିଁ।
ପ୍ଲଟ ନଂ. ୫୦୬, ନୟାପଲ୍ଲୀ, ଭୁବନେଶ୍ୱର
ମୋ: ୯୪୩୭୨୮୭୯୬୪


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri