Posted inଫୁରସତ

ଜୀବନର ପ୍ରତି ଘଟଣା ମୋ ପାଇଁ ନାଟକ : ଦିଲୀପ ବଳବନ୍ତରାୟ

ଏକାଧାରାରେ ସେ ଜଣେ କବି,  କଥାକାର, ନାଟ୍ୟକାର ଓ ନିର୍ଦ୍ଦେଶକ। ଏକାଧିକ ମଞ୍ଚନାଟକ ଓ ଦୂରଦର୍ଶନ ଧାରାବାହିକ କାହାଣୀରେ ସେ ନିର୍ଦ୍ଦେଶନା ଦେଇସାରିଛନ୍ତି। ଏପରି କି ଅଭିନୟ କ୍ଷେତ୍ରରେ ବି ତାଙ୍କର ରହିଛି ଭିନ୍ନ ପରିଚୟ। ଏଥିଯୋଗୁ ବିଭିନ୍ନ ଅନୁଷ୍ଠାନରୁ ମିଳିଛି ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ଦିଲୀପ ବଳବନ୍ତରାୟ। ଜନ୍ମ- ୧.୧.୧୯୬୩ ମସିହାରେ। ପିତା ହରମୋହନ ବଳବନ୍ତରାୟ, ମାତା ଆଦରମଣି ବଳବନ୍ତରାୟ। ଘର ଖୋର୍ଦ୍ଧା ଜିଲା କାଇପଦର ଅନ୍ତର୍ଗତ ଛଣିଆ ଗାଁରେ। ସେ କୁହନ୍ତି, ପିଲାଦିନେ ଗାଁରେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ବହୁତ ଖୁସି ହୋଇଯାଉଥିଲି ଏବଂ କୌଣସି ପ୍ରକାରେ ଏଥିରେ ଭାଗ ବି ନେଉଥିଲି। ଏହାଛଡା ସ୍କୁଲ ବୟସରୁ ଲେଖାଲେଖିରେ ରୁଚି ବି ଥିଲା। ଗାଁର ପ୍ରାକୃତିକ ପରିବେଶ, ଘରର ଚଳଣିକୁ ନେଇ ବିଭିନ୍ନ ସମୟରେ କେତେକ କବିତା ଗଳ୍ପ ଲେଖିଥିଲି। ସମୟକ୍ରମେ ବାପା ପାରାଦୀପ ବନ୍ଦର ଅଞ୍ଚଳରେ ରହିଲେ। ସେଠାକାର ହାଇସ୍କୁଲରେ ମୋର ପାଠପଢ଼ା ହୋଇଥିଲା। ପାରାଦୀପ ହାଇସ୍କୁଲରେ ପଢୁଥିବା ବେଳେ ସାଙ୍ଗମାନଙ୍କ ସହ ମିଶି ‘ସାଗର ରାଜା’ ନାମକ ପତ୍ରିକାର ସଂପାଦନା କରୁଥିଲୁ।  ମୁଁ ପଞ୍ଚମ ଷଷ୍ଠ ଶ୍ରେଣୀରେ ପଢ଼ିଲାବେଳେ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲି।  ପରେ କେନ୍ଦ୍ରାପଡ଼ା କଲେଜରେ ଗ୍ରାଜୁଏଶନ ସାରିଲି  ।
କିନ୍ତୁ ପାରାଦୀପରେ ରହିଲାବେଳେ ସେତେବେଳର ସାମ୍ପ୍ରତିକ ଘଟଣା ମୋ ମନରେ ଅନେକ ପ୍ରଭାବ ପକାଇଥିଲା। ସେତେବେଳେ କ୍ୟାସେଟ୍‌ର ଜମାନା ଥିଲା । ଏମିତିରେ  ପୁରୁଷୋତ୍ତମ, ପ୍ରଭୁଦୟା, ପ୍ରୀତି ଆଦି କେତେକ ଭଜନ ଓ ଆଧୁନିକ ଗୀତ ଲେଖିଲି। ପରେ ବୀରଶିଶୁ ବେଲାଳସେନ, ମହାସତୀ ସାବିତ୍ରୀ, ଶିଶୁ ଗୀତିନାଟ୍ୟ ରଚନା କରିଥିଲି। କିନ୍ତୁ ନାଟକ କରିବା ପାଇଁ ସେତେବେଳେ ନୂଆ ନାଟକବହି ମିଳୁ ନ ଥିଲା। ବଡ଼ ବଡ଼ ନାଟ୍ୟକାରଙ୍କ ପାଖରେ ଆମେ ପହଞ୍ଚିପାରୁ ନ ଥିଲୁ। ଏହି ସମୟରେ କେତେକ ସୌଖୀନ ନାଟ୍ୟସଂସ୍ଥା ମତେ ନାଟକ ଲେଖିବା ପାଇଁ  ପ୍ରେରଣା ଦେଲେ। ଆଉ ମୋର ନାଟକ ଲେଖାଲେଖି ଜାରି ରହିଲା। ଅନ୍ୟପକ୍ଷେ ମାଡ୍ରାସସ୍ଥିତ ଏ.ଏମ.ଜେ.ଏନ୍‌ କଲେଜ ଅଫ୍‌ ମ୍ୟାନେଜ୍‌ମେଣ୍ଟରୁ ପୋଷ୍ଟ ଗ୍ରାଜୁଏଶନ,  ପୁଣି ପରସୋନେଲ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିଲେଶନରେ ଡିପ୍ଲୋମା କଲି। ଏହାପରେ ଚାକିରି ପାଇଁ ଚିନ୍ତା କଲି। ମାତ୍ର ମୋର କଳା ପ୍ରତି ଆଗ୍ରହ ଥିବାରୁ  କିଛିବର୍ଷ ପାଇଁ ଇଟିଭିରେ କାର୍ଯ୍ୟ କରିଥିଲି। କିନ୍ତୁ ମୋର ଲେଖାଲେଖି ଜାରି ରହିଥାଏ। ପ୍ରଥମ ନାଟକ ଥିଲା ‘ଝଡ଼ ଅବଶେଷର ମଣିଷ’। ତା’ ପରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ମଞ୍ଚନାଟକ ରଚନା କରିସାରିଲିଣି। ୧୯୮୯ ମସିହାରେ ବାଲେଶ୍ୱର ବିନ୍ଦୁବଳୟ ଦ୍ୱାରା ଆୟୋଜିତ ନାଟକ ପ୍ରତିଯୋଗିତାରେ ‘ନିଃସଙ୍ଗ ନଚିକେତା’ ଲାଗି ଶ୍ରେଷ୍ଠ ନାଟ୍ୟକାର ଭାବେ ପୁରସ୍କୃତ ହୋଇଥିଲି। ଏହାପରେ ସୁନାଭଉଣୀ, ଏଇ ବୋଧେ ପ୍ରେମ, ଖଳନାୟିକା, ଅଳିଆ ଭିତରେ କାଳିଆ, ଆଉ ଜଣେ ବାପା, ଜଣେ ସାମ୍ବାଦିକ, କାହାର ସେ ଜହ୍ନ, ଧନହାନି ପ୍ରାଣପୀଡ଼ା, ଆମେ ସବୁ ମରିସାରିଛୁ ଆଦି ନାଟକ ପୁସ୍ତକ ପ୍ରକାଶ ପାଇଛି। ପୁଣି ପ୍ରକାଶିତ ପୁସ୍ତକ ମଧ୍ୟରେ ବାପା, ବୋଉ ଆଦି ରଚନା କରିଛି। ଗୀତିକବିତା ଭାବେ ମରୁନୁ ମାଙ୍କଡ଼। ଏବେ ଅଧିକାଂଶ ସମୟ ଗୀତ, ନାଟକ, ସିରିଏଲରେ ସମୟ ବିତାଉଛି। ଏଥିରେ ଆନନ୍ଦ ମିଳୁଛି ଆଉ ଜୀବନର ମୂଲ୍ୟବୋଧକୁ ବୁଝିପାରିଛି। ଏଯାଏ ପ୍ରାୟ ଶତାଧିକ ନାଟକରେ ଅଭିନୟ କରିବା ସହ  ନିର୍ଦ୍ଦେଶନା ଦେଇସାରିଲିଣି। କେତୋଟି ଚଳଚ୍ଚିତ୍ର ଓ ଟିଭି ସିରିଏଲରେ ମଧ୍ୟ ଅଭିନୟ କରିବା ସହିତ କିଛି କାହାଣୀ ପାଇଁ ସଂଳାପ ଲେଖିଛି। ମୋ ଚାରିପାଖର ଘଟଣାଗୁଡିକୁ ନେଇ ମୁଁ ଲେଖିଥାଏ। ସତେଯେମିତି ସେମାନେ ମୋ ପଡ଼ିଶା ପରି ଲାଗନ୍ତି। ଆଧୁନିକ ସଂଗୀତ ଦୁନିଆର ବାଦ୍‌ଶାହ ତଥା ସୁପରିଚିତ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ସହିତ କେତୋଟି ଗୀତ ରେକର୍ଡିଙ୍ଗ୍‌ କରିବାର ସୁଯୋଗ ପାଇଥିଲି। ତାଛଡା ମନମୋହନ ମହାପାତ୍ରଙ୍କ ୟୁନିଟ୍‌ରେ ଦୀର୍ଘ ୮ ବର୍ଷ ଧରି  କାମ କରିବାର ଅଭିଜ୍ଞତା ରହିଛି। ଏମିତିରେ ନାଟ୍ୟକଳାକୁ ନେଇ ରହିଛି ଅନେକ ସ୍ବପ୍ନ।
ନିଜ କଳାକାର ଜୀବନକୁ ନେଇ ବେଶ୍‌ ସନ୍ତୁଷ୍ଟ ଦିଲୀପ କୁହନ୍ତି, ‘ବାପା ଦିନେ କହୁଥିଲେ ତମେମାନେ ଯେବେ ଏ ଦୁନିଆ ଛାଡ଼ି ଚାଲିଯିବ, ତମକୁ କେବଳ ପରିବାରରେ କେତେଜଣ ମନରଖିବେ। ମାତ୍ର ଏମିତି କିଛି ଭଲକାମ କର, ଯେମିତି କି ତୁମର ଅନୁପସ୍ଥିତିରେ ସମସ୍ତେ ତୁମକୁ ମନେପକାଇବେ ଓ ତୁମର ଉପସ୍ଥିତିକୁ ଖୋଜିବେ। ଯାହା ମତେ ଲେଖାଲେଖି କରିବାରେ ଖୁବ୍‌ ପ୍ରେରଣା ଦେଇଛି। କାରଣ ସେଇ ଲେଖାଲେଖି ମାଧ୍ୟମରେ ମୁଁ  ପାଠକଙ୍କ ହୃଦୟରେ ଜିଇବାକୁ ଚାହେଁ।
ତେବେ ମୋ ମତରେ ନାଟକ ଯେ କେବଳ ଦର୍ଶକଙ୍କୁ ମନୋରଞ୍ଜନ ଦିଏ ତା’ ନୁହେଁ ବରଂ ସମାଜର ନିଚ୍ଛକ ଛବି ନାଟକରେ ହିଁ ପ୍ରତିଫଳିତ ହୋଇଥାଏ; ଯାହା ଜନଜାଗରଣର ଏକ ବଳିଷ୍ଠ ମାଧ୍ୟମ। ତେବେ ଜୀବନର ପ୍ରତି ଘଟଣା ମୋ ପାଇଁ ହେଉଛି ଗୋଟିଏ ଗୋଟିଏ
ନାଟକ।
                                                  -ବନବିହାରୀ

Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?