ସାତ ଦଶନ୍ଧି ପରେ ବି ଅପରିପକ୍ୱ

ରବିନାରାୟଣ ସାମଲ

ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ ଓ ପଣ୍ଡିଚେରୀର ବିଧାନସଭା ନିର୍ବାଚନ ଫଳାଫଳ ଦେଶର ରାଜନୀତିକୁ ବେଶ୍‌ ପ୍ରଭାବିତ କରିଛି। କାରଣ ନିର୍ବାଚନ ମଇଦାନରେ ବିଭିନ୍ନ ରାଜନୈତିକ ଦଳ ପୂରାମାତ୍ରାରେ ସେମାନଙ୍କ ଦମ୍‌ ଖଟାଇ ଦେଇଥିଲେ। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଯେ, ସମୁଦାୟ କେନ୍ଦ୍ର କ୍ୟାବିନେଟ୍‌ ଆଉ ଦିଲ୍ଲୀରେ ନ ରହି ପାଞ୍ଚଟି ରାଜ୍ୟରେ ନିର୍ବାଚନ ଶେଷ ଯାଏ ଡେରା ପକାଇ ରହିଥିଲେ। ଶେଷରେ ତାଙ୍କୁ ନିରାଶ ହେବାକୁ ପଡ଼ିଲା। ପଶ୍ଚିମବଙ୍ଗରେ ମୋଦି ହାରିଲେ, ଦିଦି ଜିତିଲେ ବୋଲି କୁହାଗଲା। ଦିଦି ନିଜେ ନନ୍ଦିଗ୍ରାମରୁ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ହାରିଗଲେ। ଫଳ ଯାହା ହେଉନା କାହିଁକି ନିର୍ବାଚନ ଭିତରେ ଫ୍ଲାଇଂ ସ୍କ୍ବାଡ୍‌ ଦ୍ୱାରା ବିପୁଳ ପରିମାଣର ଅର୍ଥ ଜବତ କରାଯାଇଥିବା ଘଟଣା ଆମ ଗଣତାନ୍ତ୍ରିକ ପଦ୍ଧତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏଠି ‘ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ’ ପ୍ରହସନ ପାଲଟିଥିଲା ବେଳେ ପ୍ରଲୋଭନ, ପ୍ରରୋଚନା ଓ ପ୍ରବଞ୍ଚନା ସମୁଦାୟ ନିର୍ବାଚନକୁ କବଳିତ କରିଛି। ନିଜର ବୁଦ୍ଧି, ବିବେକ ଓ ବିଚାରକୁ ଖଟାଇ ମତଦାନ କରିବାର ସୁଯୋଗ ମତଦାତାମାନଙ୍କ ପାଖରେ ନାହିଁ। ମଦ, ମାଂସ ଓ ଅର୍ଥ ପାଖରେ ସେସବୁ ଏକରକମ ବନ୍ଧା ପଡ଼ିଯାଇଛି। ନ ହେଲେ କୋଟି କୋଟି ଟଙ୍କାର ମଦ, କୋଟି କୋଟି ଟଙ୍କାର ସୁନାରୁପା ଓ ଶହ ଶହ କୋଟି ନଗଦ ଅର୍ଥ ଫ୍ଲାଇଂ ସ୍କ୍ବାଡ୍‌ ଦ୍ୱାରା ଜବତ ହୁଅନ୍ତା କିପରି ? ଗୋଟିଏ ବିଶାଳକାୟ ଆଇସ୍‌ବର୍ଗର କ୍ଷୁଦ୍ର ଉପରିଭାଗ ବୋଲି ଏହାକୁ ଧରିନେଲେ କ’ଣ ଭୁଲ୍‌ ହେବ ?
ସାଧାରଣ ନିର୍ବାଚନରେ ଜଣେ ଜଣେ ପ୍ରାର୍ଥୀ ଖର୍ଚ୍ଚ କରନ୍ତି ୨୦-୪୦ କୋଟି ଟଙ୍କା। ସେସବୁ ଆସେ କେଉଁଠୁ ଓ ଯାଏ କୁଆଡ଼େ? ‘ନିର୍ବାଚନୀ ବଣ୍ଡ୍‌’ର ପ୍ରଚଳନ ଏହି କଳା ଟଙ୍କାକୁ ଧଳା କରିବାରେ ବେଶ୍‌ ସହାୟକ ହୋଇଛି।
ଜାତିକୁ ନେଇ ଭୋଟ୍‌ ଭିକ୍ଷା, ଧର୍ମକୁ ନେଇ ଭୋଟ୍‌ ଭିକ୍ଷା, ସମ୍ପ୍ରଦାୟକୁ ନେଇ ଭୋଟ୍‌ ଭିକ୍ଷା ଆମ ଦେଶରେ ପୁରୁଣା ପ୍ରଥା। ବେଶ୍‌ କିଛି ଲୋକ ଏହି ଆଧାରରେ ମତଦାନ କରିଥାନ୍ତି। ଅପରାଧ ପୃଷ୍ଠଭୂମି ଥିବା ପ୍ରତିନିଧିଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ପ୍ରକୃତ ସାଧୁ, ସଚ୍ଚୋଟ ଓ ଯୋଗ୍ୟ ପ୍ରାର୍ଥୀ ଜିତିକରି ଆସିବା କଷ୍ଟସାଧ୍ୟ ହୋଇପଡ଼ୁଛି।
ଆସାମର ଦିମାହସାଓ ଜିଲାରେ ଗୋଟିଏ ବୁଥ୍‌ରେ ୯୦ ଜଣ ଭୋଟର ଥିଲା ବେଳେ ସେଠାରେ ୧୭୧ ପୋଲିଂ ହେବା ଆମ ନିର୍ବାଚନ ପ୍ରକ୍ରିୟାର ଗର୍ହିତ ରୂପକୁ ପଦାରେ ପକାଇଦେଇଛି। ସେହିପରି ଆସାମର ଜଣେ ଭାଜପା ନେତାଙ୍କ କାର୍‌ରୁ ଇଭିଏମ୍‌ ଜବତ ହେବା ଘଟଣା ନିର୍ବାଚନ କମିଶନଙ୍କ ଭୋଟ୍‌ ପରିଚାଳନାକୁ ଫୁତ୍‌କାର କରିଛି। ଶାସକ ଦଳ ସପକ୍ଷରେ ଶାସନକଳର ଅପବ୍ୟବହାର ବିଭିନ୍ନ ସମୟରେ ଲୋକଲୋଚନକୁ ଆସିଥାଏ। ମତଦାନର ପୂର୍ବ ରାତିରେ ଭୋଜିଭାତ ହେବା, ସାହିବସ୍ତିରେ ଲକ୍ଷ ଲକ୍ଷ ଟଙ୍କା ବଣ୍ଟାଯିବା ଏବଂ ସର୍ବଶେଷରେ ବୁଥ୍‌ ଜବରଦଖଲ ହେବା ଭଳି ଦୃଷ୍ଟାନ୍ତ ସହିତ ଆମେ ଅଳ୍ପ ବହୁତେ ଅବଗତ ଅଛୁ। ଏସବୁ ସତ୍ତ୍ୱେ ‘ମୁକ୍ତ-ଅବାଧ-ନିରପେକ୍ଷ ନିର୍ବାଚନ’ ଦେଶରେ ଚାଲିଛି ବୋଲି ଡିଣ୍ଡିମ ପିଟା ହେଉଛି।
ଭାରତ ଗୋଟିଏ ଗଣତାନ୍ତ୍ରିକ ଦେଶ। ନିର୍ବାଚନ ପ୍ରକ୍ରିୟା ହେଉଛି ଏହି ଗଣତନ୍ତ୍ରର ମୁଖ୍ୟ ଅଙ୍ଗ। ମାତ୍ର ଯେଉଁ ଧାରାରେ ନିର୍ବାଚନ ହେଉଛି ତାହା ଦେଖିଲେ ଯେ କେହି ନିଶ୍ଚୟ ଉଦ୍‌ବିଗ୍ନ ହେବେ। ଟଙ୍କା ନ ଦେଲେ ଭୋଟ୍‌ ମିଳିବ ନାହିଁ। ଟିଭି, ମୋବାଇଲ୍‌, ଲାପ୍‌ଟପ୍‌ , ମଙ୍ଗଳସୂତ୍ର ଆଦି ନ ବାଣ୍ଟିଲେ ଭୋଟ ମିଳିବ ନାହିଁ। ମଦମାଂସର ଆସର ନ ହେଲେ ଭୋଟ ମିଳିବ ନାହିଁ। ମିଥ୍ୟା ପ୍ରତିଶ୍ରୁତି ନ ଦେଲେ ଭୋଟରଙ୍କ ମନକୁ କିଣାଯାଇ ପାରିବ ନାହିଁ। ସେଇଥିପାଇଁ ହୁଏତ ତାମିଲନାଡ଼ୁର ଜନୈକ ପ୍ରାର୍ଥୀ ଚନ୍ଦ୍ରପୃଷ୍ଠକୁ ନେଇଯିବା ଭଳି ଅସମ୍ଭବ ପ୍ରତିଶ୍ରୁତିଟିଏ ଦେବାକୁ କୁଣ୍ଠାବୋଧ କରିନାହାନ୍ତି। ନିର୍ବାଚନ ପ୍ରକ୍ରିୟାକୁ ତାଚ୍ଛଲ୍ୟ କଲାଭଳି ଏହା ଏକ ପ୍ରତିଶ୍ରୁତି ନୁହେଁ କି?
କୁହାଯାଉଥିବା ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ବର୍ତ୍ତମାନ ପକ୍ଷଭୁକ୍ତ ଓ ଦୁର୍ବଳପ୍ରାୟ। କେଉଁ ମୁହୂର୍ତ୍ତରେ ସେଗୁଡ଼ିକ ଭୁଶୁଡ଼ି ପଡ଼ିବ ତାହାର କିଛି ଠିକଣା ନାହିଁ। ସ୍ତମ୍ଭ ଭୁଶୁଡ଼ିଲେ ଏତେ ବଡ଼ ଦେଶର ଗଣତନ୍ତ୍ର କ’ଣ ତିଷ୍ଠି ରହିପାରିବ? କେବଳ ନିର୍ବାଚନ ନୁହେଁ ଆମ ଦେଶରେ ଘଟୁଥିବା ଯାବତୀୟ ଘଟଣାବଳୀକୁ ତର୍ଜମା କଲେ ଏପରି ଏକ ଅଘଟଣ ନିଶ୍ଚୟ ଆଶଙ୍କାକୁ ଆସିବ। ବାକି ରହିଲା ଜନସାଧାରଣଙ୍କ ଗଣତାନ୍ତ୍ରିକ ଅଧିକାର। ଏହା କ’ଣ ଦେଶରେ ସୁନିଶ୍ଚିତ ଅଛି?
ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଆମ ଦେଶର ଶତକଡ଼ା ୫ ଭାଗ ଲୋକ ରାଜନୈତିକ ଭାବେ ସଚେତନ। ଅବଶିଷ୍ଟ ୯୫ ଭାଗ ଲୋକ ଦେଶଦୁନିଆ ସମ୍ପର୍କରେ ଧାର ଧରନ୍ତି ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ରାଜନୈତିକ ଭାବେ ଅସଚେତନ ଏହି ୯୫ ଭାଗ ଲୋକଙ୍କୁ ମଦ, ମାଂସ, ମଙ୍ଗଳସୂତ୍ର, ନଗଦ ଅର୍ଥ ଓ ମିଥ୍ୟା ପ୍ରତିଶ୍ରୁତି ଦେଇ କେତେକ ରାଜନୈତିକ ଦଳ ଭୋଟ ହାତେଇଥାନ୍ତି। ଗଣତନ୍ତ୍ରର ଖୋଳପା ଭିତରେ ଏ ଯେଉଁ ଅଗଣତାନ୍ତ୍ରିକ ପନ୍ଥା ଅବଲମ୍ବନ କରାଯାଏ ତାହା ଗଣତନ୍ତ୍ରକୁ ନଷ୍ଟଭ୍ରଷ୍ଟ କରିପକାଏ। ସେଥିଯୋଗୁ ସ୍ବାଧୀନତାର ସାତ ଦଶନ୍ଧି ପରେ ବି ଆମ ଦେଶରେ ଗଣତନ୍ତ୍ର ଅପରିପକ୍ୱ ବୋଲି କହିବାକୁ ହେବ।
ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ବାଦ୍‌ ଆଉ ଯେଉଁ ସ୍ତମ୍ଭଟି ଲୁକ୍କାୟିତ ହୋଇ ରହିଯାଉଛି, ତାହା ହେଉଛି ଦେଶର ଜନଗଣ। ଏମାନଙ୍କ ଶକ୍ତି ଅମାପ। ଏମାନେ ଚାହିଁଲେ ସବୁକିଛି ଓଲଟପାଲଟ କରିଦେଇପାରିବେ, ଦେଶର ଗଣତନ୍ତ୍ରକୁ ସୁରକ୍ଷା ପ୍ରଦାନ କରିପାରିବେ। ଆସନ୍ତୁ ଆଜିର ଦିନରେ ଆମେ ଏମିତି କିଛି ଉଦ୍ୟମ କରିବା । ନୀରବ ଦର୍ଶକ ନ ସାଜି ଦେଶର ଗଣତନ୍ତ୍ରକୁ ସୁରକ୍ଷା ଦେବା।
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri