
ଓ୍ବିଲିଂଟନ୍,୭।୧୧: ନ୍ୟୁଜିଲାଣ୍ଡରେ ରବିବାରଠାରୁ ଇଛାମୃତ୍ୟୁ (ୟୁଥାନ୍ସିିଆ) ଆଇନ କାର୍ଯ୍ୟକାରୀ ହୋଇଛି। ଏହି ଆଇନ ପ୍ରଣୟନ ହେବା ସହିତ ନ୍ୟୁଜିଲାଣ୍ଡ ୟୁଥାନ୍ସିିଆକୁ ଏକ ଆଇନଗତ ମାନ୍ୟତା ପ୍ରଦାନ କରିଥିବା ଦେଶଙ୍କ ସହିତ ସାମିଲ ହୋଇଛି। ପୂର୍ବରୁ କେବଳ ସ୍ବିଜରଲାଣ୍ଡ, ନେଦରଲାଣ୍ଡ, ସ୍ପେନ, ବେଲଜିୟମ, ଲକ୍ସେମବର୍ଗ, କାନାଡା, ଅଷ୍ଟ୍ରେଲିଆ, କଲମ୍ବିଆରେ ଇଛାମୃତ୍ୟୁକୁ ଆଇନଗତ ମାନ୍ୟତା ଦିଆଯାଇଛି। ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କ ସାହାଯ୍ୟରେ ଗୁରୁତର ତଥା ଆରୋଗ୍ୟ ହେଉନଥିବା ରୋଗରେ ପୀଡିତ ବ୍ୟକ୍ତିଙ୍କ ଜୀବନକୁ ଇଛାମୃତ୍ୟୁ ଦ୍ୱାରା ଡାକ୍ତରଙ୍କ ସହାୟତାରେ ଶେଷ କରିବା ହେଉଛି ୟୁଥାନ୍ସିିଆର ଅର୍ଥ।
ୟୁଥାନ୍ସିିଆ ମୂଳତଃ ଏକ ଗ୍ରୀକ ଶବ୍ଦ। ଯେଉଁଥିରେ ଇୟୁ ଅର୍ଥ ଭଲ ଏବଂ ଥାନାଟୋସ୍ ଅର୍ଥ ମୃତ୍ୟୁ। ଏହାକୁ ଦୟା ହତ୍ୟା (ମର୍ସି କିଲିଂ) ମଧ୍ୟ କୁହାଯାଏ। ସମଗ୍ର ବିଶ୍ୱରେ ୟୁଥାନ୍ସିିଆକୁ ଅନୁମତି ଦେବାର ଚାହିଦା ଏବେ ଚିକିତ୍ସା ବିଜ୍ଞାନରେ ବୃଦ୍ଧି ପାଇବାରେ ଲାଗିଛି।
ନ୍ୟୁଜିଲାଣ୍ଡକୁ ମିଶାଇ ଏବେ ପୃଥିବୀର ୯ ଦେଶରେ ଇଛାମୃତ୍ୟୁ ଆଇନ ମାନ୍ୟତା ଲାଭ କରିଛି। ନ୍ୟୁଜିଲାଣ୍ଡର ଇଛାମୃତ୍ୟୁ ଆଇନ ଅନୁସାରେ ୬ ମାସ ଜୀବନ ଥିବା ବ୍ୟକ୍ତି ଶାରୀରିକ ସମସ୍ୟା ଯୋଗୁ ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ ସେମାନଙ୍କୁ ଇଛାମୃତ୍ୟୁ ଦିଆଯାଇପାରିବ। କୌଣସି ବ୍ୟକ୍ତି ସ୍ବେଚ୍ଛାକୃତ ଭାବେ ମରିବା ପାଇଁ ଚାହୁଁଥିଲେ ଅତିକମରେ ଦୁଇ ଜଣ ଡାକ୍ତରଙ୍କ ସମ୍ମତି ଆବଶ୍ୟକ।
ଇଛାମୃତ୍ୟୁ ଆଇନ କାର୍ଯ୍ୟକାରୀ କରିବା ପାଇଁ ନ୍ୟୁଜିଲାଣ୍ଡରେ ଏକ ଜନମତ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଜନମତରେ ୬୫ ପ୍ରତିଶତ ଲୋକ ଏହି ଆଇନ ସପକ୍ଷରେ ଭୋଟ ଦେଇଥିଲେ।
ଭାରତରେ ଉଭୟ ଇଛାମୃତ୍ୟୁ ଏବଂ ଦୟା ମୃତ୍ୟୁ ବେଆଇନ। ଏହା ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୩୦୯ ଅନୁଯାୟୀ ଆତ୍ମହତ୍ୟା କରିବା ଅପରାଧ। କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟ ନିଷ୍କ୍ରିୟ ଇଛାମୃତ୍ୟୁକୁ ଅନୁମତି ଦେଇଛନ୍ତି।
ଆମେରିକାରେ ସକ୍ରିୟ ଇଛାମୃତ୍ୟୁ ବେଆଇନ। କିନ୍ତୁ ଡାକ୍ତରଙ୍କ ପରାମର୍ଶ ଏବଂ ସାହାଯ୍ୟରେ ଓରେଗନ, ୱାଶିଂଟନ ଏବଂ ମୋଣ୍ଟାନା ରାଜ୍ୟରେ ଉଛାମୃତ୍ୟୁ ଅନୁମତି ପାଇଛି।
ସ୍ବିଜରଲ୍ୟାଣ୍ଡରେ ବିଷାକ୍ତ ଇଞ୍ଜେକଶନରେ ଆତ୍ମହତ୍ୟା କରିବାକୁ ଅନୁମତି ଦିଆଯାଇଛି। ଯଦିଓ ଏଠାରେ ଉଛାମୃତ୍ୟୁ ବେଆଇନ।
ନେଦରଲାଣ୍ଡରେ ଡାକ୍ତରଙ୍କ ହାତରେ ସକ୍ରିୟ ଇଛାମୃତ୍ୟୁକୁ ମାନ୍ୟତା ମିଳିଛି। ଏଠାରେ ଯନ୍ତ୍ରଣା ଭୋଗୁଥିତ୍ବା ରୋଗୀଙ୍କ ସ୍ବେଚ୍ଛାକୃତ ମୃତ୍ୟୁ ଏକ ଦଣ୍ଡନୀୟ ଅପରାଧ ନୁହେଁ।
ବେଲଜିୟମରେ ସେପ୍ଟେମ୍ବର ୨୦୦୨ ଠାରୁ, ଇଛାମୃତ୍ୟୁକୁ ଆଇନଗତ ମାନ୍ୟତା ମିଳିଛି।