ଶିଶୁ ସୁରକ୍ଷାରେ ଅନ୍ତରାୟ ବାଲ୍ୟ ବିବାହ

ରାଜୀବ କୁମାର ନାୟକ

 

ୟୁନିସେଫ୍‌ ଦ୍ୱାରା ପ୍ରକାଶିତ ୨୦୧୯ ମସିହାର ଏକ ରିପୋର୍ଟ କହେ ଯେ ଭାରତ ହେଉଛି
୨୨୩ ମିଲିୟନ ବାଲ୍ୟବଧୂଙ୍କର ଘର। ଏହି କ୍ରମରେ ଓଡ଼ିଶାରେ ହେଉଥିବା ବାଲ୍ୟ ବିବାହର ମାତ୍ର ୨୧ରୁ ୩୦ ଶତକଡା। ଭାରତବର୍ଷର ଏହି ବାଲ୍ୟବଧୂ ବିଶେଷ ଭାବରେ ଗରିବ ପରିବାରର, ଅଳ୍ପ ଶିକ୍ଷିତ ଏବଂ ଗ୍ରାମାଞ୍ଚଳର ଅଧିବାସୀ।
ବାଲ୍ୟ ବିବାହ କରୁଥିବା ଏହି ଅଳ୍ପ ବୟସର ଝିଅମାନଙ୍କ ମଧ୍ୟରୁ ଅଧିକାଂଶ ତାଙ୍କର କୈଶୋର ସରିବା ପୂର୍ବରୁ (ଅର୍ଥାତ ୧୯ ବର୍ଷ ପୂର୍ବରୁ) ମାଆ ହୋଇ ସାରିଥାନ୍ତି। ୧୫ ବର୍ଷ ପୂରିବା ପୂର୍ବରୁ ବାହା ହେଉଥିବା ପାଖାପାଖି ୬୦ ଶତକଡା ଝିଅ ୧୮ ବର୍ଷ ଆଗରୁ ମାଆ ହୋଇସାରିଥାଆନ୍ତି। କମ୍‌ ବୟସରେ ବାହା ହେଉଥିବା କାରଣରୁ ତାଙ୍କ ପରିବାରର ଆକାର ତୁଳନାତ୍ମକ ଭାବରେ ଡେରିରେ ବାହା ହେଉଥିବା ଝିଅଙ୍କ ପରିବାରଠାରୁ ବଡ ହୋଇଥାଏ।
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୩ (୨୦୦୫-୦୬) ଏବଂ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୪ (୨୦୧୫-୧୬)ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଏହି ଦଶ ବର୍ଷ ମଧ୍ୟରେ ବାଲ୍ୟ ବିବାହର ମାତ୍ରା ୨୦ ଶତକଡାରୁ ହ୍ରାସ ପାଇ ୧୦ ଶତକଡାରେ ପହଞ୍ଚିଛି। ଠିକ୍‌ ସେହିପରି ୧୫ରୁ ୧୯ ବର୍ଷ ମଧ୍ୟରେ ବାଲ୍ୟ ବିବାହର ଶିକାର ହେଉଥିବା ଝିଅଙ୍କ ମାତ୍ରା ଗ୍ରାମାଞ୍ଚଳରେ ୮୬ ଶତକଡା ଥିବାବେଳେ ସହରାଞ୍ଚଳରେ ଏହା ୧୩ ଶତକଡା। ତା’ ଛଡା ଗରିବ ପରିବାରର ୬୧ ଶତକଡା ଝିଅ ବାଲ୍ୟବିବାହର ଶିକାର ହେଉଥିବା ଦୃଷ୍ଟି ଗୋଚର ହୁଏ। ଅର୍ଥନୀତି ଦୃଷ୍ଟିରୁ ସମାଜର ତଳ ସ୍ତରରେ ଥିବା ଗରିବ ପରିବାରର ୧୫ରୁ ୧୯ ବର୍ଷ ଏବଂ ୨୦ରୁ ୨୪ ବର୍ଷ ମଧ୍ୟରେ ବାଲ୍ୟ ବିବାହ କରିଥିବା ମହିଳାଙ୍କ ମାତ୍ରା ଯଥାକ୍ରମେ ୧୬.୬ ଶତକଡା ଏବଂ ୪୧.୫ ଶତକଡା। ଏହି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ -୪(୨୦୧୫-୧୬)କୁ ଆଧାର କରି ଜାତୀୟ ଶିଶୁ ସୁରକ୍ଷା ଆୟୋଗର ଏକ ତଥ୍ୟ କହେ ଯେ ଆଦୌ ପାଠ ପଢି ନ ଥିବା ୧୫ରୁ ୧୯ ବର୍ଷ ଏବଂ ୨୦ ରୁ ୨୪ ବର୍ଷ ମଧ୍ୟରେ ବାଲ୍ୟ ବିବାହ କରିଥିବା ମହିଳାଙ୍କ ମାତ୍ରା ଯଥାକ୍ରମେ ୩୦.୮ ଶତକଡା ଏବଂ ୪୯.୩ ଶତକଡା ଯାହାକି ସେହି ବର୍ଗର ଉଚ୍ଚ ଶିକ୍ଷିତ ଝିଅଙ୍କ ମଧ୍ୟରେ ଯଥାକ୍ରମେ ୨.୪ ଶତକଡା ଏବଂ ୩.୯ ଶତକଡା।
ବାଲ୍ୟ ବିବାହର ପ୍ରତିରୋଧ ନିମନ୍ତେ ଓଡ଼ିଶା ସରକାର ବାଲ୍ୟ ବିବାହ ନିରୋଧ ଆଇନ ୨୦୦୬କୁ କାର୍ଯ୍ୟକାରୀ କରିବା ସମେତ ବାଲ୍ୟ ବିବାହ ନିରୋଧ ଅଧିକାରିଣୀ ମନୋନୟନ ଏବଂ ବିଦ୍ୟାଳୟ ପରିଚାଳନା କମିଟି, ସ୍ବୟଂ ସହାୟକ ଗୋଷ୍ଠୀ ତଥା ପଞ୍ଚାୟତ ପ୍ରତିନିଧିଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିବା ଜଣାଯାଏ।
୨୦୨୦ ମସିହାରେ ସମ୍ବଲପୁର ଜିଲା ଜୁଜୁମୁରା ବ୍ଲକରେ କରାଯାଇଥିବା ଏକ ଅଧ୍ୟୟନ କହେ ଯେ ୩୧.୬୫ ଶତକଡା ଶିଶୁ ତାଙ୍କ ଅଞ୍ଚଳରେ ବାଲ୍ୟ ବିବାହ ହେଉଥିବା ସ୍ବୀକାର କରନ୍ତି। ବର୍ତ୍ତମାନ ସମୟରେ ଟେଲିଭିଜନ ତଥା ଇଣ୍ଟରନେଟ ପ୍ରଭାବରେ କମ୍‌ ବୟସରୁ ଭଲ ପାଇବା, ଯୌନ ସମ୍ପର୍କ ସ୍ଥାପନ ଭଳି ଅନେକ ଘଟଣା ବୃଦ୍ଧିପାଉଛି ।ଫଳତଃ କମ୍‌ ବୟସରେ ଗର୍ଭଧାରଣ, ଗର୍ଭପାତ, କୁମାରୀ ମାତୃତ୍ୱ, ପୁଅଝିଅଙ୍କ ପଳାୟନ, ପରିତ୍ୟକ୍ତ ଶିଶୁର ମାତ୍ରା ଇତ୍ୟାଦିର ଆଶଙ୍କାକୁ ଏଡାଇବା ତଥା ସାମାଜିକ ସମ୍ମାନକୁ ଅକ୍ଷୁଣ୍ଣ ରଖିବା ନିମିତ୍ତ ଅନେକ ପରିବାର ଝିଅକୁ କମ୍‌ ବୟସରୁ ବାହା ଦେବାକୁ ଉଚିତ ମଣନ୍ତି। ଅଧିକାଂଶ ମାତାପିତା ଝିଅମାନଙ୍କ ଶିକ୍ଷାରେ ହେଉଥିବା ଖର୍ଚ୍ଚରୁ ବହୁତ କମ୍‌ ବା ଆଦୌ କିଛି ଫେରସ୍ତ ମିଳିବ ନାହିଁ ବୋଲି ଭାବୁଥିବା ବେଳେ ଶୀଘ୍ର ବିବାହ କରାଇଦେଲେ ପରିବାରର ଖର୍ଚ୍ଚ କମିଯିବ ଭାବିଥାନ୍ତି। ଅଙ୍କିତା(ଛଦ୍ମନାମ) ନାମ୍ନୀ ଜଣେ ଝିଅ ଅନୁଧ୍ୟାନ ସମୟରେ ପ୍ରକାଶ କରେ ଯେ ତା’ର ବଡ ଭଉଣୀକୁ ମାଆ ବାପା ୧୭ବର୍ଷ ବୟସରୁ ବାହା କରିଦେଲେ, ଯାହାଫଳରେ ସେ ଦୁର୍ବଳ ଥିବାରୁ ତା’ର ତିନିଥର ଗର୍ଭପାତ ହେବା ସହିତ ଶେଷ ସନ୍ତାନଟା ସମୟ ପୂର୍ବରୁ (ଅର୍ଥାତ୍‌ ମାତ୍ର ଛଅ ମାସରେ) ଜନ୍ମ ହେଲା।
ବାଲ୍ୟ ବିବାହ ଝିଅ ପିଲାଙ୍କୁ କୁପୋଷଣ ଚକ୍ର ମଧ୍ୟକୁ ଠେଲି ଦେଉଥିବାବେଳେ ପୁଅ ପିଲାଙ୍କୁ ଦାରିଦ୍ର୍ୟ ଚକ୍ର ମଧ୍ୟକୁ ଠେଲି ଦେଇଥାଏ। ବାଲ୍ୟ ବିବାହ ଫଳରେ କମ୍‌ ବୟସରେ ବିଧବା ହେବା, ଦ୍ୱିତୀୟ ବିବାହ ସକାଶେ ସମାଜରେ ଥିବା କଟକଣାର ଶିକାର ହେବା ଇତ୍ୟାଦି ସମସ୍ୟା ମଧ୍ୟ ଦେଖାଯିବା ସ୍ବାଭାବିକ। ସନ୍ତାନସନ୍ତତି ଥିଲେ ପୁନର୍ବାର ବିବାହ ଆହୁରି ଏକ ଜଟିଳ ପ୍ରସଙ୍ଗ। ବାଲ୍ୟ ବିବାହ ଫଳରେ ପାଠପଢାରେ ଡୋରି ପଡିଥାଏ। ଫଳରେ ଝିଅଟିର ସ୍ବପ୍ନ ସବୁ ଚୂରମାର ହୋଇଯିବା ସହ ଆତ୍ମନିର୍ଭରଶୀଳ ହେବାର ସମ୍ଭାବନା ମଧ୍ୟ କମିଯାଉଛି। ଆହୁରି ମଧ୍ୟ କମ୍‌ ବୟସରେ ବାହା ହେଉଥିବା ଝିଅ ଶାରୀରିକ ତଥା ମାନସିକ ସ୍ତରରେ ଘରର ଯାବତୀୟ ଜଞ୍ଜାଳ ବୁଝିବା ସକାଶେ ପ୍ରସ୍ତୁତ ହୋଇ ନ ଥାଏ। କମ୍‌ ବୟସରେ ବିବାହ ଫଳରେ ଶୀଘ୍ର ମାଆ ହେବା, କମ ଓଜନର ଶିଶୁ ଜନ୍ମ ଦେବା, ସମୟ ପୂର୍ବରୁ ଶିଶୁ ଜନ୍ମ, ମାତୃ ମୃତ୍ୟୁ, ଶିଶୁ ମୃତ୍ୟୁ ଭଳି ଅନେକ ସମସ୍ୟା ଦେଖାଯିବାର ସମ୍ଭାବନା ଥାଏ।
ତେବେ ବାଲ୍ୟବିବାହ ଭଳି ଏକ ସ୍ପର୍ଶକାତର ବିଷୟକୁ ରୋକିବାକୁ ହେଲେ ଜନସାଧାରଣଙ୍କ ମଧ୍ୟରେ ଯଥେଷ୍ଟ ମାତ୍ରାରେ ସଚେତନତା ଲୋଡା। ରାଜସ୍ଥାନରେ ବାଲ୍ୟ ବିବାହକୁ ନେଇ ସଚେତନତା ସକାଶେ ଅଣ୍ଟାଭିଡିଥିବା ଭଉଁରୀ ଦେବୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବା କଥା। ଶିଶୁ ସୁରକ୍ଷା ୟୁନିଟ ମାଧ୍ୟମରେ ଗଠିତ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଏବଂ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ପୂର୍ଣ୍ଣ ସହଯୋଗ ବାଲ୍ୟ ବିବାହକୁ ରୋକିବାରେ ଅନେକ ମାତ୍ରାରେ ସାହାଯ୍ୟ କରିପାରିବ। ତା’ ସାଙ୍ଗକୁ ଜିଲାରେ କାର୍ଯ୍ୟରତ ବାଲ୍ୟବିବାହ ନିରୋଧ ଅଧିକାରିଣୀ,ଚାଇଲଡ୍‌ ଲାଇନ, ଶିଶୁ ସୁରକ୍ଷା ୟୁନିଟ,ଶିଶୁ ମଙ୍ଗଳ ସମିତି, ଥାନାରେ କାର୍ଯ୍ୟରତ ମହିଳା ଓ ଶିଶୁ ଡେସ୍କ,ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି,ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି,ସ୍ବେଚ୍ଛାସେବୀ ଅନୁଷ୍ଠାନ ଇତ୍ୟାଦି ମଧ୍ୟରେ ସମନ୍ବୟ ତଥା ଆନ୍ତରିକତା ଯଥେଷ୍ଟ ପ୍ରୟୋଜନ। ଆମେ ସବୁବେଳେ କହିଥାଉ କି ପ୍ରତିକାରଠାରୁ ପ୍ରତିରୋଧ ଭଲ। ତେଣୁ ସେହି ନ୍ୟାୟରେ ବାଲ୍ୟ ବିବାହ ହେବା ପୂର୍ବରୁ ତାକୁ ବନ୍ଦ କରିବା ପାଇଁ ଆବଶ୍ୟକ ପଦକ୍ଷେପ ସ୍ବରୂପ ପରାମର୍ଶ ତଥା ଆଇନ ଅନୁଯାୟୀ ହସ୍ତକ୍ଷେପ କରାଯିବା ଉଚିତ । ଅନ୍ୟଥା ବାଲ୍ୟ ବିବାହ ହୋଇଗଲା ପରେ ଝିଅପୁଅଙ୍କୁ ପରାମର୍ଶ ସେବା ମାଧ୍ୟମରେ ବୟସ ହେବା ପର୍ଯ୍ୟନ୍ତ ଅଲଗା ଅଲଗା ରଖାଯିବା କି ଆଇନ ଅନୁଯାୟୀ କୋର୍ଟ କଚେରି ହେଲେ ଦଣ୍ଡ ମିଳିଯାଇପାରେ, କିନ୍ତୁ ସମସ୍ୟାର ଉଚିତ ସମାଧାନ ହୋଇ ନ ପାରେ। ଠିକ୍‌ ସେହିପରି ଝିଅପୁଅଙ୍କୁ ଅଲଗା ରଖାଗଲେ ଆତ୍ମହତ୍ୟା ଭଳି ଭୟାବହତାର ଆଶଙ୍କାକୁ ଏଡାଯାଇ ନ ପାରେ।
ମୋ:୯୪୩୭୫୭୧୮୩୧


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

ତାଳଗଛ ଓ ବଜ୍ରପାତ

ଇଂ. ମାୟାଧର ସ୍ବାଇଁ ଓଡ଼ିଶା ସରକାର ଏହି ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ତାଳଗଛ କାଟିବାରେ କଟକଣା ଲଗାଇଛନ୍ତି। ବନ ବିଭାଗର ବିନା ଅନୁମତିରେ...

ଗୀତାରେ ପରିବାର

ଦେବଦତ୍ତ ପଟ୍ଟନାୟକ ଭଗବଦ୍‌ ଗୀତାରେ ସମସ୍ୟା କଥାକୁ ଅତି ସ୍ପଷ୍ଟ ଭାବେ ଦର୍ଶାଯାଇଛି ଓ ଏହାର ବର୍ଣ୍ଣନା ପ୍ରଥମ ଅଧ୍ୟାୟରେ ଦେଖିବାକୁ ମିଳେ। ପରିବାରର କିଏ...

ବର୍ଷାଋତୁରେ ଶିଶୁରୋଗ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ବର୍ଷାଋତୁ ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ହୋଇ ନ ଥାଏ। ଏହି ସମୟରେ ସ୍ବାସ୍ଥ୍ୟ ବିଭାଗ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସମସ୍ତେ ଯେକୌଣସି ଆକସ୍ମିକ...

ଏଇ ଭାରତରେ

ଏମିତି ଘର, ଯେଉଁଠି ମଣିଷ ଓ ପକ୍ଷୀ ଉଭୟ ରହୁଛନ୍ତି। ଏମିତିକା ଘରଟିଏ ଦେଖିବାକୁ ମିଳେ ନୋଏଡାରେ। ଉକ୍ତ ଘର ଏକ ଅଶ୍ୱତ୍ଥ ଗଛ ନିକଟରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri