ଲାଞ୍ଜିଗଡ଼,୧ା୮(ରମେଶ ଚନ୍ଦ୍ର ନାୟକ): ଏକ ରକ୍ତମୁଖା ଦନ୍ତା ଜଣେ ବୃଦ୍ଧାଙ୍କୁ କଲବଲ କରି ମାରିଛି। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏତେତେଣେ ପଡ଼ିଛି। ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ କୁମଖାଲ ପଞ୍ଚାୟତର ପୀଡେଲବାଜୁ ଗ୍ରାମରେ। ହାତୀ ଆକ୍ରମଣରେ ପୀଡେଲବାଜୁ ଗ୍ରାମର ତିଲାଏ ହରିଜନ (୬୧)ଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହିତ ତାଙ୍କର ପୁଅ ଓ ବୋହୁ ସମେତ ପାଞ୍ଚଜଣ ଘରେ ଥିବା ବେଳେ ଜୀବନ ବିକଳରେ ୪ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ।
କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷ ସାରା ଜଙ୍ଗଲି ହାତୀଙ୍କ ଉପଦ୍ରବ ହେଉଥିବା ବେଳେ ଲୋକଙ୍କ ଧନଜୀବନ ସମେତ ଚାଷବାସ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି। ଏହି ଘଟଣାଟି ଘଟିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଓ ସେକ୍ସନ ପୀଡେଲବାଜୁ ଗ୍ରାମରେ।
ସୂଚନାନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ହାତୀପଲ ପୀଡେଲବାଜୁ ଗାଁକୁ ଆସି ଭୀଷଣ ଗର୍ଜନ କରିଥିଲେ। ଗର୍ଜନ କରିବାପରେ ଘର ଭାଙ୍ଗି ଘରେ ଥିବା ଧାନ, ଚାଉଳ, ମାଣ୍ଡିଆ ଓ ଅନ୍ୟ ଶସ୍ୟ ଖାଇବା ଆରମ୍ଭ କରିଥିବାବେଳେ ଘରେ ଥିବା ଚାରିଜଣ ପାଖ ପଡ଼ୋଶୀ ଘରକୁ ପଳାଇଯାଇଥିବା ବେଳେ ମୃତ ତିଲାଏ ଘରୁ ବାହାରି ଯାଇପାରିନଥିଲା। ଫଳରେ ଦଳି ଚକଟି ମାରିଦେଇଥିବାବେଳେ ରକ୍ତମୁଖା ଗଜରାଜ ତିଲାଏଙ୍କ ଶରୀରକୁ ଘୋଷାଡ଼ି ଘୋଷାଡ଼ି ନେଇ ଦଳି ଚକଟି ଶରୀରର ବିଭିନ୍ନ ଅଂଶ ଛିନ୍ନ ବିଚ୍ଛିନ୍ନ କରି ବିଭିନ୍ନ ଜାଗାରେ ପକାଇଥିବା ଦେଖିବାକୁ ମିଳିଥିଲା।
ଶନିବାର ସକାଳୁ ଖବର ପାଇ ଘଟଣାସ୍ଥଳକୁ ବିଶ୍ୱନାଥପୁର ଫରେଷ୍ଟର ସୁରେଶ ଚନ୍ଦ୍ର ରାଉତ ଓ ବନବିଭାଗ କର୍ମଚାରୀ ସମେତ ଯାଇ ତଦନ୍ତ କରିଥିବା ବେଳେ କ୍ଷୟକ୍ଷତିର ଆକଳନ କରିଥିଲେ। ଅପରପକ୍ଷରେ, ଘଟଣା ଘଟିବାର ଦୀର୍ଘ ସମୟ ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ନ ଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ଗ୍ରାମବାସୀ ବିଶ୍ୱନାଥପୁରରୁ ବିଜେପୁରକୁ ସଂଯୋଗ କରୁଥିବା ମୁଖ୍ୟ ସଡ଼କକୁ ଅବରୋଧ କରି ଧାରଣାରେ ବସି ରହିଥିଲେ। ଖବର ପାଇ ଅତିରିକ୍ତ ତହସିଲଦାର ସତ୍ୟବ୍ରତ ନାୟକ, ବିଶ୍ୱନାଥପୁର ଏସିଏଫ୍ ନରୋତ୍ତମ ମାଝୀ, ବିଶ୍ୱନାଥପୁର ଥାନାଧିକାରୀ କଳ୍ପନା ବେହେରା ପ୍ରମୁଖ ଘଟଣାସ୍ଥଳକୁ ଯାଇ ରାସ୍ତାରୋକୋ କରିଥିବା ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିବା ବେଳେ ୩ ଘଣ୍ଟା ପରେ ରାସ୍ତାରୋକୋ ହଟିଥିଲା। ଏହାକୁ ନେଇ ଥାନାଧିକାରୀ କଳ୍ପନା ବେହେରାଙ୍କୁ ପଚାରିବାରୁ ମୁଁ ଘଟଣାସ୍ଥଳକୁ ଯାଇଥିଲି ଏବଂ ଏସିଏଫ୍ ଏବଂ ଅତିରିକ୍ତ ତହସିଲଦାର ଓ ଡାକ୍ତର ମଧ୍ୟ ଆସିଥିଲେ ତଦନ୍ତ କଲାପରେ ସରକାରଙ୍କ ପ୍ରକ୍ରିୟା ଅନୁଯାୟୀ କ୍ଷତିପୂରଣ ମିଳିବ ବୋଲି କହିଥିବା ପ୍ରକାଶ କରିଥିଲେ। ଏନେଇ ବିଶ୍ୱନାଥପୁର ଥାନା କେସ୍ ନଂ ୪/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ଘଟଣାସ୍ଥଳରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ପ୍ରକାଶ କରିଥିଲେ।

