ଥୁଆମୂଳ ରାମପୁର,୨ା୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହ ପରିସରରେ ୭୭ତମ କଳାହାଣ୍ଡି ଜିଲା ଗଠନ ଦିବସ ସମାରୋହ-୨୦୨୬ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ଡବ୍ଲ୍ୟୁଇଓ ସୁଭଜୀତ ରଞ୍ଜନ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିପିସି ଆର୍ଏଚ ରାଜେନ୍ଦ୍ର ନାରାୟଣ ସିଂହଦେଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଏମ୍ପି ପ୍ରତିନିଧି ପବିତ୍ର ନାଏକ ଯୋଗଦେଇ କଳାହାଣ୍ଡି ଜିଲାର ଐତିହ୍ୟ, ସଂସ୍କୃତି ଓ ଗଠନ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ବଜରା ଭୋଇ, ବିପିନ ନାଏକ, ଭରତ ଦଣ୍ଡସେନା ଏବଂ ବିଏସ୍ଏସ୍ ଓ ସୁନାରାମ ସୋରେନ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଗ୍ରାମ ବିକାଶ ଶିକ୍ଷାନିକେତନ କୁମୁଡ଼ାବାହାଲ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା। ଏହା ସହିତ ଗଠନ ଦିବସ ନିମନ୍ତେ ପୂର୍ବରୁ ଆୟୋଜିତ ବ୍ଲକ ସ୍ତରୀୟ ବିତର୍କ, କୁଇଜ ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ର (ତେଜସ୍ବିନୀ ନାଏକ, ଆରତି ନାଏକ, ବବ୍ଲି ସୁନାନୀ ପ୍ରମୁଖ)ଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ତେବେ ଏହା ସତ୍ତ୍ୱେ ଏହି ସରକାରୀ ଉତ୍ସବକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ ଦିବସରେ ବ୍ଲକର ମୁଖ୍ୟ ନିର୍ବାହୀ ଅଧିକାରୀ କିମ୍ବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି ଅନୁପସ୍ଥିତ ରହିବା ପ୍ରଶାସନିକ ସିଂସ୍କୃତି ଓ ଦାୟିତ୍ୱହୀନତାକୁ ପଦାରେ ପକାଇଛି। ଏହି ଉତ୍ସବ ସମ୍ପର୍କରେ ସ୍ଥାନୀୟ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚିତ କରାଯାଇ ନଥିବାରୁ ସାମ୍ବାଦିକମାନେ ସମ୍ପୂର୍ଣ୍ଣ ଅନ୍ଧାରରେ ରହିଥିଲେ। ସାଧାରଣ ଜନସାଧାରଣଙ୍କୁ କୌଣସି ସୂଚନା ନ ଦେଇ କେବଳ କିଛି ମିଶନ ଶକ୍ତି/ସୁଭଦ୍ରା ଶକ୍ତିର ମହିଳା, ସ୍ଥାନୀୟ ଭାଜପା ନେତୃବୃନ୍ଦ, ବ୍ଲକ କର୍ମଚାରୀ ଓ କିଛି ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ କାର୍ଯ୍ୟକ୍ରମଟିକୁ ଲୁଚାଛୁପାରେ ସାରି ଦିଆଯାଇଥିବା ଅଭିଯୋଗ ହୋଇଛି।

