ବିଦ୍ୟୁତ୍‌ ରାଜନୀତି

ଅଧ୍ୟାପକ ଗୋପବନ୍ଧୁ

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌), ଓଡ଼ିଶା ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଦେୟ ଛାଡ଼ ପାଇଁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରିଛି l ପ୍ରତି ଜିଲାରେ ଦସ୍ତଖତ ସଂଗ୍ରହ କାର୍ଯ୍ୟକ୍ରମ ଚାଲିଛି l ପାର୍ଟି ଲକ୍ଷ୍ୟ ରଖିଛି ଯେ, ଆଗାମୀ ଜୁନ୍‌ ୧୦ ସୁଦ୍ଧା ୨୫ ଲକ୍ଷ ଦସ୍ତଖତ ସଂଗ୍ରହ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ ଏବଂ ଦାବି ସପକ୍ଷରେ ଥିବା ଜନମତକୁ ଉପସ୍ଥାପନ କରିବ। ରାଜ୍ୟ ସରକାର ଏ ଦାବିକୁ ମାନିବେ କି ନାହିଁ ତାହା ସମୟ କହିବ। ତେବେ ଏହାକୁ ନେଇ ଉଭୟ ସପକ୍ଷ ଓ ବିପକ୍ଷ ଆଲୋଚନା ଏବଂ ସମାଲୋଚନା ଆରମ୍ଭ ହୋଇଯାଇଛି। କେତେକେ ଫ୍ରି ବା ଦେୟମୁକ୍ତ ରାଜନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହାର ଯୁକ୍ତିଯୁକ୍ତତାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଉତ୍ତରରେ ଆପ୍‌ କର୍ମୀମାନେ କହୁଛନ୍ତି, ଦେଶରେ ଫ୍ରି ରାଜନୀତି କେବଳ ଆପ୍‌ କରିଛି ଓ ଆଗରୁ ଏହା ନ ଥିଲା, ଏପରି କହିବା ଠିକ୍‌ ନୁହେଁ l ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଭୋଟରମାନକୁ ନିଜ ପକ୍ଷକୁ ଆଣିବା ରାଜନୈତିକ ଦଳମାନଙ୍କର ପୁରୁଣା ଚାଲ୍‌। ଟଙ୍କିକିଆ ଚାଉଳ, ରିହାତି ମୂଲ୍ୟରେ ସାମଗ୍ରୀ ଯୋଗାଣ, ଫ୍ରିରେ ଛତା-ଯୋତା, ଫ୍ରିରେ ସ୍କୁଟି-ଲାପ୍‌ଟପ୍‌, ଫ୍ରିରେ ମଙ୍ଗଳସୂତ୍ର, ଫ୍ରିରେ ବହି-ୟୁନିଫର୍ମ, ବିଭିନ୍ନ ଯୋଜନାରେ ଫ୍ରି ଟଙ୍କା, କୃଷକଙ୍କୁ ଋଣ ଛାଡ଼, ପୁଞ୍ଜିପତିଙ୍କୁ ଆହୁରି ଛାଡ଼ ଏପରି ଅନେକ ଛାଡ଼ ଓ ଫ୍ରି ଯୋଜନା ଆଗରୁ କାର୍ଯ୍ୟକାରୀ ହୋଇଆସୁଛି l
କାହିଁ ଏଗୁଡ଼ିକ ଉପରେ ତ ପ୍ରଶ୍ନ ଉତ୍ଥାପନ କରାଯାଉନାହିଁ। ପୂର୍ବରୁ ଏ ସମସ୍ତ ଯୋଜନା ଯଦି ଜନକଲ୍ୟାଣକାରୀ ତେବେ ବିଦ୍ୟୁତ୍‌ ଦେୟ ଛାଡ଼ କାହିଁକି ନୁହେଁ? ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଯେଉଁ ନୀତିରେ ଲୋକମାନଙ୍କୁ ଜନକଲ୍ୟାଣକାରୀ ଯୋଜନା ଦେଇଛନ୍ତି, ଯେଉଁ ନୂଆ ଦଳ ଆସିବ ସେମାନେ ମଧ୍ୟ ଏହିପ୍ରକାର ଯୋଜନା ଦେବାକୁ ବାଧ୍ୟ। ଅନ୍ୟଥା ପ୍ରତିଯୋଗିତାରେ ରହିପାରିବେ ନାହିଁ। ତେଣୁ ଫ୍ରି ଯୋଜନାରେ କାହାକୁ ଦୋଷ ଦିଆଯାଇପାରିବ ନାହିଁ।
ଅନ୍ୟ ଏକ ଅଭିଯୋଗ ଆସୁଛି ଯେ, ଏହି ଫ୍ରି ଯୋଜନା ଦେଶକୁ ଶ୍ରୀଲଙ୍କା ସ୍ତରକୁ ନେଇଯିବ। ଶ୍ରୀଲଙ୍କା ଆର୍ଥିକ ଭାବେ ଦେବାଳିଆ ହୋଇଯାଇଛି। ଆକାଶଛୁଆଁ ଦରଦାମ୍‌ ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଘୋର୍‌ ଅଭାବ ଦେଖାଦେଇଛି। ସେଠାରେ ଗୃହ ଯୁଦ୍ଧ ପରି ପରିସ୍ଥିତି ତିଆରି ହୋଇଛି। ପ୍ରକୃତପକ୍ଷେ ଶ୍ରୀଲଙ୍କାର ବର୍ତ୍ତମାନ ସ୍ଥିତି ଫ୍ରି ଯୋଜନା ସହିତ ଆଦୌ ସମ୍ପୃକ୍ତ ନୁହେଁ। ସେଠାକାର ଅବସ୍ଥା ପାଇଁ ସାମ୍ପ୍ରଦାୟିକ ରାଜନୀତି, ଅତ୍ୟଧିକ ଋଣଭାର, ଦୂରଦୃଷ୍ଟିର ଅଭାବ, ରାଜନେତାଙ୍କ ସ୍ବେଚ୍ଛାଚାରିତା ଓ ବିଳାସପୂର୍ଣ୍ଣ ଜୀବନ ଦାୟୀ। ଫ୍ରି ଯୋଜନା ଯୋଗୁ ଆର୍ଥିକ ସଙ୍କଟର ଆଭାସ ପାଇଥିଲେ ସେମାନେ ସଙ୍ଗେସଙ୍ଗେ ଏପରି ଯୋଜନାକୁ ପ୍ରତ୍ୟାହାର କରିନେଇଥାନ୍ତେ l
ଅସଲ କଥା ହେଉଛି, ଫ୍ରି ଯୋଜନା ବିରୋଧରେ ଅପପ୍ରଚାର କରାଯାଉଛି ବୋଲି କର୍ମକର୍ତ୍ତାଙ୍କ ମତ।
ଅଭିଯୋଗ ଆସୁଛି, ଏପରି ଫ୍ରି ଯୋଜନା ଦ୍ୱାରା ଗୋଟିଏ ରାଜ୍ୟର ଅର୍ଥନୀତି ଦେବାଳିଆ ହୋଇଯିବ। ଫଳରେ ଅନ୍ୟାନ୍ୟ ବିକାଶ କାର୍ଯ୍ୟ ହୋଇପାରିବ ନାହିଁ l ଏହା ମଧ୍ୟ ସତ୍ୟ ନୁହେଁ ବୋଲି କୁହାଯାଉଛି। ଦିଲ୍ଲୀ ସରକାରଙ୍କୁ ବିଚାରକୁ ନେଲେ ଏ କଥା ସ୍ପଷ୍ଟ ହୋଇଯିବ। ସେଠାରେ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ଦେୟ ମୁକ୍ତ, ମାସକୁ ୨୦ ହଜାର ଲିଟର ପାଣି ମୁକ୍ତ, ଶିକ୍ଷା ମୁକ୍ତ, ସ୍ବାସ୍ଥ୍ୟସେବା ମୁକ୍ତ, ବସ୍‌ରେ ମହିଳାଙ୍କ ଯାତ୍ରା ମୁକ୍ତ। ଏ ସମସ୍ତ ଫ୍ରି ସତ୍ତ୍ବେ ସରକାରଙ୍କ ଆର୍ଥିକ ସ୍ଥିତି ମଜଭୁତ ଅଛି।
ବିକାଶ କାର୍ଯ୍ୟ ଠିକ୍‌ ଚାଲିଛି l ବିଗତ ସାତବର୍ଷ ଧରି ଆପ୍‌ ସରକାର ଆସିବା ପରେ କୌଣସି ଟ୍ୟାକ୍ସ ବଢ଼ାଯାଇନାହିଁ। ନୂତନ ଋଣ ମଧ୍ୟ ନାହିଁ। ତଥାପି ଦିଲ୍ଲୀ ବଜେଟ ସନ୍ତୁଳିତ ବୋଲି କୁହାଯାଉଛି। ଏହା କେବଳ ସମ୍ଭବପର ହୋଇଛି ଭ୍ରଷ୍ଟାଚାର ଉପରେ ଲଗାମ ଲାଗିବା ଯୋଗୁ। ବାଟମାରଣା ଅର୍ଥକୁ ଏହି ସମସ୍ତ ଯୋଜନାରେ ଲଗାଯାଉଛି।
ଏହି ଦେୟମୁକ୍ତ ଯୋଜନା ରାଜ୍ୟ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଯୁକ୍ତି କରାଯାଉଛି। ପ୍ରଥମେ ରାଜ୍ୟରେ ବିଦ୍ୟୁତ୍‌ ଉପଯୋଗ କମିବ। ସମସ୍ତେ ଚାହିଁବେ ଏହାକୁ ୨୦୦ ୟୁନିଟ୍‌ ମଧ୍ୟରେ ସୀମିତ ରଖିବା ପାଇଁ। କାରଣ ଉପଯୋଗ ଏହାଠାରୁ ଅଧିକ ହେଲେ ପୂର୍ଣ୍ଣ ଦେୟ ଦେବାକୁ ହେବ। ବଳକା ବିଦ୍ୟୁତ୍‌ ଅନ୍ୟ ରାଜ୍ୟଗୁଡ଼ିକୁ ବିକି ଓଡ଼ିଶା ଲାଭବାନ୍‌ ହେବ। ଦ୍ୱିତୀୟରେ ଗରିବ ପରିବାର ଲୋକଙ୍କ ଆର୍ଥିକ ବିକାଶ ହେବ। ୨୦୦ ୟୁନିଟ୍‌ ମଧ୍ୟରେ ବିଦ୍ୟୁତ୍‌ ଉପଯୋଗକାରୀ ପରିବାର ନିଶ୍ଚିତ ରୂପେ ଦରିଦ୍ର ଓ ନିମ୍ନ ମଧ୍ୟବିତ୍ତ ବର୍ଗର। ଏମାନେ ମାସକୁ ୮୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ।
ତୃତୀୟରେ ବାଣିଜ୍ୟ ବ୍ୟବସାୟ ବଢ଼ିବ। ବିଦ୍ୟୁତ୍‌ ଦେୟ ବାବଦ ସଞ୍ଚିତ ଅର୍ଥକୁ ଲୋକମାନେ ବିଭିନ୍ନ ସାମଗ୍ରୀ କିଣିବାରେ ବ୍ୟୟ କରିବେ। ଫଳରେ ବିକ୍ରି ବଢ଼ିବ। ବିକ୍ରି ବଢ଼ିଲେ ବିଭିନ୍ନ ଦ୍ରବ୍ୟର ଉତ୍ପାଦନ ବଢ଼ିବ। ଉତ୍ପାଦନ ବୃଦ୍ଧି ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ। ରାଜ୍ୟର ଅର୍ଥନୀତି ଗତିଶୀଳ ହେବ।
ଦସ୍ତଖତ ସଂଗ୍ରହ ଅଭିଯାନ ଜରିଆରେ ଆପ୍‌ ଯେଉଁ ଦାବି କରୁଛି ତାକୁ ସରକାର କେତେ ଗୁରୁତ୍ୱ ଦେବେ ତାହା ଭିନ୍ନ କଥା। ତେବେ ଏହା ଦ୍ୱାରା ଆପ୍‌ ରାଜ୍ୟରେ ଏକ ବ୍ୟାପକ ଜନସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଥିବା ପ୍ରୟାସ ସ୍ପଷ୍ଟ। ଆପ୍‌ କର୍ମୀମାନେ ଗାଁରୁ ଗାଁ, ବସ୍ତିକୁ ବସ୍ତି, ଘରକୁ ଘର ବୁଲି ଦିଲ୍ଲୀ ମଡେଲ ସରକାରର ବ୍ୟାପକ ପ୍ରଚାର କରୁଛନ୍ତି l
ରାଜନୀତି ନୁହେଁ, କ୍ରାନ୍ତି ଆଣିବା ଏହାର ଲକ୍ଷ୍ୟ କହି ଲୋକଙ୍କୁ ଆକୃଷ୍ଟ କରୁଛି। ବିଶେଷଭାବେ ଛାତ୍ର ଓ ଯୁବ ସମାଜ ଉପରେ ଅଧିକ ଧ୍ୟାନ ଦେଉଛି l ଲକ୍ଷ୍ୟ ୨୦୨୪ ନିର୍ବାଚନ, ଯେଉଁଥିରେ ଆପ୍‌ ଏକ ଲମ୍ବାଡିଆଁ ମାରିବା ଚେଷ୍ଟାରେ ଅଛି। ତେବେ କେତେଦୂର ଡେଇଁବ ତାହା ସେତେବେଳେ ହିଁ ଜଣାପଡ଼ିବ।
ବାରିପଦା-୨, ମୟୂରଭଞ୍ଜ, ମୋ.୯୪୩୮୨୪୮୮୫୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri