ନିର୍ବାଚନୀ ‘ଭେଟି’ର ବୋଝ

୨୦୨୩ ମସିହାରେ ପାଞ୍ଚ ଗ୍ୟାରେଣ୍ଟି ବା ପ୍ରତିଶ୍ରୁତି ଦେଇ କର୍ନାଟକରେ କଂଗ୍ରେସ କ୍ଷମତାସୀନ ହେଲା। ଏହା ଥିଲା ଦଳର ନିର୍ବାଚନୀ ଇସ୍ତାହାରର ଅଂଶବିଶେଷ। ରାଜ୍ୟବାସୀ ଏହି ପ୍ରତିଶ୍ରୁତିକୁ ବିଶ୍ୱାସ କରି ଭୋଟ ଦେଇଥିଲେ ଏବଂ କଂଗ୍ରେସ କ୍ଷମତାକୁ ଆସିପାରିଲା। ଏହି ୫ ପ୍ରତିଶ୍ରୁତି ଥିଲା ଅନ୍ନଭାଗ୍ୟ ଯୋଜନା, ଗୃହଲକ୍ଷ୍ମୀ ଯୋଜନା, ଗୃହ ଜ୍ୟୋତି, ଯୁବନିଧି ଓ ଶକ୍ତି ଯୋଜନା। ଅନ୍ନଭାଗ୍ୟ ଯୋଜନାରେ ଜନସାଧାରଣଙ୍କୁ ୧୦ କିଗ୍ରା ଚାଉଳ ଯୋଗାଣର ବ୍ୟବସ୍ଥା ରହିଥିବାବେଳେ ଗୃହଲକ୍ଷ୍ମୀ ଯୋଜନାରେ ଘରର ମହିଳା ମୁଖ୍ୟଙ୍କୁ ୨୦୦୦ ଟଙ୍କା ନଗଦ ଅର୍ଥ ପ୍ରଦାନର ବ୍ୟବସ୍ଥା ରହିଥିଲା। ଯୁବନିଧି ଯୋଜନାରେ ବେରୋଜଗାର ସ୍ନାତକ ଓ ଡିପ୍ଲୋମାଧାରୀଙ୍କ ପାଇଁ ନଗଦ ଅର୍ଥ, ଗୃହଜ୍ୟୋତି ଯୋଜନାରେ ୨୦୦ ୟୁନିଟ ମାଗଣା ବିଦ୍ୟୁତ୍‌ ଓ ଶକ୍ତି ଯୋଜନାରେ ମହିଳାଙ୍କ ନିମନ୍ତେ ମାଗଣା ବସ୍‌ ଯାତ୍ରାର ସୁଯୋଗ ରଖାଯାଇଥିଲା। ଏବେ ଶକ୍ତି ଯୋଜନାକୁ କର୍ନାଟକ ସରକାର ସ୍ଥଗିତ ରଖିବା ନିମନ୍ତେ ଚିନ୍ତା କରୁଛନ୍ତି। ଏହାର କାରଣ ହେଲା ଅର୍ଥାଭାବ। ତେବେ ଏଥିନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍‌ଗେ ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍‌ଧ ହୋଇଛନ୍ତି। ଯେଉଁ ପ୍ରତିଶ୍ରୁତି ପାଳନ ହେବା କଷ୍ଟକର ବା ଆର୍ଥିକ ଅବସ୍ଥା ମଧ୍ୟରେ ନାହିଁ ସେଭଳି ପ୍ରତିଶ୍ରୁତି ଦିଆଯିବା ଉଚିତ ନୁହେଁ ବୋଲି ନିଜ ଦଳର ରାଜ୍ୟ ସରକାରଙ୍କୁ ଚେତାଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକ୍ସ’ରେ କଂଗ୍ରେସ ପ୍ରତିଶ୍ରୁତିକୁ ମିଥ୍ୟା ପ୍ରତିଶ୍ରୁତି ବୋଲି ଅଭିହିତ କରିଛନ୍ତି। ତେବେ ଏହାର ଦିନକ ପରେ ଝାଡ଼ଖଣ୍ଡର ରାଞ୍ଚିଠାରେ ଦଳର ନିର୍ବାଚନ ଇସ୍ତାହାର ବା ସଂକଳ୍ପପତ୍ରକୁ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ଉନ୍ମୋଚନ କରି ଦଳ କ୍ଷମତାକୁ ଆସିଲେ ନଗଦ ଅର୍ଥ ସହାୟତାଠାରୁ ଆରମ୍ଭ କରି ଗ୍ୟାସ ସିଲିଣ୍ଡର ଆଦି ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ତେଣେ ନିର୍ବାଚନରେ ଘିଅ-ମହୁର ପ୍ରତିଶ୍ରୁତିକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାଏର ହୋଇଛି ଏବଂ ଏହା ଉପରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ଅଦାଲତ ନୋଟିସ୍‌ ଜାରି କରିଛନ୍ତି।
ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦିଆଯାଉଛି ତାହା କେବଳ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଉଦ୍ଦିଷ୍ଟ। ଏଣୁ ଏହାକୁ ନିର୍ବାଚନ ଭେଟି ବୋଲି କୁହାଯାଇପାରେ। ଏତେ ପ୍ରତିଶ୍ରୁତି ପୂରଣ ପାଇଁ ଦେଶର ବା ରାଜ୍ୟର ଆର୍ଥିକ ସ୍ଥିତି କ’ଣ ରହିଛି ଅଥବା କେଉଁ ସୂତ୍ରରୁ ସମ୍ବଳ ସଂଗ୍ରହ କରାଯାଇ ପ୍ରତିଶ୍ରୁତି ପୂରଣ କରାଯାଇପାରିବ ତାହା ରାଜନୈତିକ ଦଳଗୁଡ଼ିକ ଦର୍ଶାଉନାହାନ୍ତି। ଏ ଦିଗ ପ୍ରତି ଦୃଷ୍ଟି ନ ଦେଇ ଶସ୍ତା, ଲୋକପ୍ରିୟ ପ୍ରତିଶ୍ରୁତି ଯୋଗୁ ଅର୍ଥନୈତିକ ବ୍ୟବସ୍ଥା ବିଗିଡ଼ିବାର ସମ୍ଭାବନା ରହିଛି, ଯାହା କର୍ନାଟକ କ୍ଷେତ୍ରରେ ଦେଖାଦେଇଛି। କର୍ନାଟକରେ ଯେଉଁ ପ୍ରତିଶ୍ରୁତି ଦେଇ କଂଗ୍ରେସ କ୍ଷମତାକୁ ଆସିଲା ସେଥିପାଇଁ ବାର୍ଷିକ ଅତିରିକ୍ତ ୫୬,୦୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି। ଏତେ ପରିମାଣର ସମ୍ବଳ ରାଜ୍ୟ ସରକାର ଯୋଗାଡ଼ କରିବାରେ ସମର୍ଥ ହୋଇ ନ ପାରି ଚଳିତ ବର୍ଷ ପାଇଁ ଶକ୍ତି ଯୋଜନା ସ୍ଥଗିତ ରଖିବାକୁ ମନସ୍ଥ କରିଛନ୍ତି।
ଯାହା ଜଣାଯାଏ ସ୍ବାଧୀନତା ପରବର୍ତ୍ତୀ ଭାରତରେ ନିର୍ବାଚନୀ ପ୍ରତିଶ୍ରୁତି ତତ୍କାଳୀନ ମାନ୍ଦ୍ରାଜ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କେ.କାମରାଜ ପ୍ରଥମେ ପ୍ରଚଳନ କରିଥିଲେ। ଏହା ୧୯୫୪ର କଥା। ବିଦ୍ୟାଳୟ ପିଲାଙ୍କୁ ମାଗଣା ଶିକ୍ଷା ଓ ଖାଦ୍ୟ ପାଇଁ କାମରାଜ ନିଜ ନିର୍ବାଚନୀ ଘୋଷଣାପତ୍ରରେ କହିଥିଲେ। ଏହାକୁ ଏକ କଲ୍ୟାଣକାରୀ ପ୍ରତିଶ୍ରୁତି ବୋଲି କୁହାଯାଇପାରେ। ପରବର୍ତ୍ତୀ ସମୟରେ ୧୯୬୭ରେ ଡିଏମ୍‌କେ ପ୍ରତିଷ୍ଠାତା ସି.ଏନ୍‌. ଆନ୍ନାଦୁରାଇ ଗରିବ ଲୋକଙ୍କୁ ୧ ଟଙ୍କାରେ ସାଢ଼େ ୪ କେଜି ଚାଉଳ ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ମଧ୍ୟ ଏକ ଗରିବ କଲ୍ୟାଣକାରୀ ପ୍ରତିଶ୍ରୁତି। ଉପରୋକ୍ତ ପ୍ରତିଶ୍ରୁତି ଦେଇ ଉଭୟ ନେତା ନିର୍ବାଚନରେ କ୍ଷମତାସୀନ ହୋଇପାରିଥିଲେ। ତେବେ ପରବର୍ତ୍ତୀ ସମୟରେ ନିର୍ବାଚନ ଇସ୍ତାହାର ଆଉ ଗରିବ, ଅବହେଳିତ, ନିରନ୍ନ କୈନ୍ଦ୍ରିକ ହୋଇ ରହିଲା ନାହିଁ। ୨୦୦୬ ମସିହା ତାମିଲନାଡୁ ନିର୍ବାଚନରେ ଜନସାଧାରଣଙ୍କୁ ରଙ୍ଗିନ ଟିଭି ପ୍ରଦାନ ପାଇଁ ଡିଏମ୍‌କେ ପ୍ରତିଶ୍ରୁତି ଦେଲା। ପରବର୍ତ୍ତୀ ସମୟରେ ଏଆଇଏଡିଏମ୍‌କେ ଦଳର ନେତ୍ରୀ ସୁଶ୍ରୀ ଜୟଲଳିଥା ଗ୍ରାଇଣ୍ଡର, ମିକ୍ସର, ସୁନା ଥାଳି ଓ ଶାଢ଼ୀର ପ୍ରତିଶ୍ରୁତି ଦେଲେ ।
ଜୟଲଳିଥା ଦ୍ୱିତୀୟ ସର୍ବାଧିକ ସମୟ ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ରହିଥିଲେ। ଗତବର୍ଷ ଛତିଶଗଡ଼ ନିର୍ବାଚନରେ କଂଗ୍ରେସ ସରକାର ଋଣ ଛାଡ଼ ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଦଳ ପରାଜୟ ସ୍ବୀକାର କଲା। ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ସରକାର ଲାଡ୍‌ଲି ବହେନ ଯୋଜନା କାର୍ଯ୍ୟକାରୀ କଲେ। ମହିଳା ଭୋଟ ବ୍ୟାଙ୍କ ପାଇଁ ଏହି ଯୋଜନା ହାତକୁ ନିଆଗଲା। ଏହାଦ୍ୱାରା ରାଜକୋଷ ଉପରେ ୨୫ହଜାର କୋଟି ଟଙ୍କାର ବାର୍ଷିକ ଚାପ ସୃଷ୍ଟି ହୋଇଛି। ତେଣେ ମଧ୍ୟପ୍ରଦେଶ ସରକାରଙ୍କ ଋଣ ବୋଝ ୩ ଲକ୍ଷ ୩୧ ହଜାର କୋଟି ଟଙ୍କା ରହିଛି। ତେଲଙ୍ଗାନାରେ କଂଗ୍ରେସ ଦଳ ଗତ ବିଧାନସଭା ନିର୍ବାଚନରେ ଦୁଧିଆଳି ଗାଈ, ଲାପ୍‌ଟପ୍‌, ଗ୍ୟାସ ସିଲିଣ୍ଡର ପାଇଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଲା। ଓଡ଼ିଶାରେ ବିଧାନସଭା ନିର୍ବାଚନ ପୂର୍ବରୁ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ନିମନ୍ତେ ଭାଜପା ପ୍ରତିଶ୍ରୁତି ଦେଲା। ଏହାଦ୍ୱାରା ଭାଜପା ଦଳ ରାଜ୍ୟରେ କ୍ଷମତାସୀନ ହେଲା। ଏବେ ଏହି ପ୍ରତିଶ୍ରୁତିକୁ ସରକାର ସୁରୁଖୁରୁରେ ଆଗେଇ ନେଇପାରୁ ନାହାନ୍ତି। ବାରମ୍ବାର ମାର୍ଗଦର୍ଶିକା ପରିବର୍ତ୍ତନ କରୁଛନ୍ତି। ଏହାର କାରଣ ହେଲା ଅର୍ଥାଭାବ। ସୁଭଦ୍ରା ଯୋଜନା ନିମନ୍ତେ ଅର୍ଥ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଅନ୍ୟାନ୍ୟ ବିକାଶମୂଳକ ଓ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଠପ୍‌ କରାଯାଇଛି। ଠିକାଦାର ବକେୟା ଅର୍ଥ ପାଇପାରୁ ନାହାନ୍ତି।
ନିର୍ବାଚନ ଘୋଷଣାପତ୍ରରେ କଲ୍ୟାଣକାରୀ ଯୋଜନା ପାଇଁ ପ୍ରତିଶ୍ରୁତି ଦିଆଯାଇପାରେ। ଏକ ଜନମଙ୍ଗଳ ରାଷ୍ଟ୍ରରେ ଅବହେଳିତ ଓ ଗରିବଙ୍କ ପାଇଁ ଦଳର ଦୃଷ୍ଟିଭଙ୍ଗୀ ଏଥିରୁ ଜାଣି ହୋଇଥାଏ। ଏହା ବାଦ୍‌ ସାମୂହିକ ଭାବେ ରାଷ୍ଟ୍ର କଲ୍ୟାଣ ପାଇଁ କ’ଣ ଆବଶ୍ୟକ ତାହା କୁହାଯାଇପାରେ। ଏଥିରେ ମୁଖ୍ୟତଃ ସ୍ବାସ୍ଥ୍ୟ, ଶିକ୍ଷା, ଖାଦ୍ୟ ସୁରକ୍ଷା ଆସିଥାଏ। ଏଗୁଡ଼ିକ ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରିଲେ ସମାଜ ବ୍ୟବସ୍ଥା ଆପେ ସଶକ୍ତୀକରଣ ହୋଇପାରିବ। କିନ୍ତୁ ନଗଦ ଟଙ୍କା, ସ୍କୁଟି, ଗ୍ୟାସ ସିଲିଣ୍ଡର ଆଦି ବଣ୍ଟନ କରାଯିବା ଦ୍ୱାରା ଏକ ପ୍ରଲୋଭିତ ନିର୍ବାଚନ ବ୍ୟବସ୍ଥା ସୃଷ୍ଟି ହେଉଛି। ଏଣୁ ଭାରତୀୟ ନିର୍ବାଚନ ବ୍ୟବସ୍ଥାକୁ ସ୍ବଚ୍ଛ ବୋଲି କୁହାଯାଇପାରିବ ନାହିଁ। ଚଳିତ ମାସରେ ମହାରାଷ୍ଟ୍ରରେ ମଧ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଏହା ପୂର୍ବରୁ ମଧ୍ୟପ୍ରଦେଶ ଢାଞ୍ଚାରେ ମହାରାଷ୍ଟ୍ର ସରକାର ଲଡ୍‌କି ବହେନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ୨୧ରୁ ୬୫ ବର୍ଷ ବୟସ ମଧ୍ୟରେ ଥିବା ମହିଳାଙ୍କୁ ରାଜ୍ୟ ସରକାର ମାସିକ ୧୫୦୦ ଟଙ୍କା ସହାୟତା ପ୍ରଦାନ କରିବେ। ଏହା ଦ୍ୱାରା ରାଜକୋଷ ଉପରେ ୪୬୦୦୦ କୋଟି ଟଙ୍କାର ଚାପ ସୃଷ୍ଟି ହେବ। ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ଏହି ଯୋଜନା ସମ୍ପର୍କରେ ନକାରାତ୍ମକ ମନ୍ତବ୍ୟ ରଖିଛନ୍ତି। ନାଗପୁରଠାରେ ଏକ ସମାବେଶରେ ଉଦ୍‌ବୋଧନ ଦେଇ ରାଜ୍ୟ ସରକାରଙ୍କୁ ବିଷକନ୍ୟା ସହ ତୁଳନା କରିଛନ୍ତି। ବିଷକନ୍ୟା ସହ ଯିଏ ରହିବ ତାର ମୃତ୍ୟୁ ଘଟିବ। ଆଗାମୀ ଦିନରେ ଉଦ୍ୟୋଗୀମାନେ ସରକାରଙ୍କ ନିକଟରୁ ସେମାନଙ୍କ ରିହାତି ଅର୍ଥ ପାଇପାରିବେ ନାହିଁ ବୋଲି ସେ ଚେତାଇ ଦେଇଥିଲେ। ଏଣୁ ସରକାରଙ୍କ ଉପରେ ନିର୍ଭର ନ କରିବାକୁ ସେ ଉଦ୍ୟୋଗୀଙ୍କୁ କହିଥିଲେ। ମହାରାଷ୍ଟ୍ର ସରକାରରେ ଭାଜପା ଏବେ ଭାଗୀଦାରି ରହିଛି। ଦଳର ନେତା ଦେବେନ୍ଦ୍ର ଫଡ଼ନାଭିସ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି।
ଭୋଟରଙ୍କୁ ପ୍ରଭାବିତ କରିବା ନିମନ୍ତେ ରାଜନୈତିକ ଦଳଗୁଡ଼ିକ ଅଧୁନା ଯେଉଁ ମାର୍ଗ ଆପଣେଇଛନ୍ତି ତାହା ଗଣତନ୍ତ୍ର ପ୍ରତି ବିପଦ ଆଣିଦେବ ବୋଲି କୁହାଯାଇପାରେ। ଏଭଳି ସ୍ଥିତିକୁ ଏକ ଅସୁସ୍ଥ ରାଜନୈତିକ ବିଚାରଧାରା ବୋଲି ବିବେଚନା କରାଯାଇପାରେ। ଏ ଦିଗରେ ରାଜନୈତିକ ଦଳ ସଚେତନ ହେବା ଆବଶ୍ୟକ ହେଲାଣି।
ମୋ: ୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri