ବିଷମରେ ବିଶି

ମାଆଙ୍କ ଦେହାନ୍ତ ପରେ ଯେତେସବୁ ପୂଜାପାର୍ବଣର ଦାୟିତ୍ୱ ଗାଁରେ ଥିବା ବଡ଼ ଭାଇନା ଓ ଭାଉଜଙ୍କ ଉପରେ ନ୍ୟସ୍ତ। ସେମାନେ ଆମର ମୁରବି। ଆମେ ଜାଣିଥିଲେ ବି ମୁରବି ହିସାବରେ ଶ୍ରାଦ୍ଧ ଓ ପର୍ବପର୍ବାଣି ବିଷୟରେ ସେମାନେ ଜଣାଇ ଦିଅନ୍ତିି ଆଗୁଆ। ପୂଜାପାର୍ବଣରେ ଆମିଷ ନ ଖାଇବାକୁ ତାଗିଦ। ତା’ ସହ ଗାଁକୁ ଆସିବାକୁ ଆମନ୍ତ୍ରଣ। ଅନ୍ତରଙ୍ଗ ଡାକରାରେ ଗାଁ ମାଟି ପ୍ରତି ମମତା ଆହୁରି ବଢ଼ିଯାଏ। ଯିବାକୁ ମନ ବାଧ୍ୟକରାଏ। ଗାଁକୁ ଗଲେ ପିଲାଦିନ କଥା ବହୁତ ମନେପଡ଼େ। ଗାଁ ବିଲ, ସାଙ୍ଗସାଥୀ, ତୋଟା, ନଦୀ ଓ ଗାଁ ପରମ୍ପରା ମନକୁ ଛୁଇଁଯାଏଁ। ମନ ଭାବୁକ ହୋଇଯାଏ। ସବୁ କଥା ଭୁଲି ପଛ କଥା ଭାବିବାକୁ ମନବଳାଏ। ଏମିତିରେ ନିକଟରେ ଗାଁକୁ ଯାଇଥିଲି। ଗାଁରେ ଆଧୁନିକତା ଲେସି ହୋଇସାରିଥିଲା। ସହର ଭଳି ଚକମକ ଗାଁ। ଗାଡ଼ିର ଭିଡ଼। ଟ୍ରାଫିକ ଜାମ୍‌। ଗାଁ ପାଖ ଜମି ସବୁରେ ଘର। ଅଣ୍ଟା ଯାଏ ଖାଲୁଆ ଜମିରେ ବଡ଼ ବଡ଼ ପକ୍କାଘର। ବର୍ଷାଦିନେ ସେଠି ପାଣି ଲହଡ଼ି ମାରୁଥିଲା। ପିଲାଦିନେ ଲୁଗା କି ଚିରା ମଶାରି ଖଣ୍ଡ ଧରି ବିଲରେ ପଶି ନୂଆ ପାଣିରେ ମାଛଧରା ସହ ପାଣିରେ ପହଁରାର ମଜା। ବୁଡ଼ିବାର କି ଭାସିବାର ଭୟ ନ ଥିଲା। ବିଶି ଚଷାଘର ପିଲା। ଚାଷବାସ କାମରେ ସେ ଧୁରନ୍ଧର। ବର୍ଷା ମାସରେ ସେ ବିଦ୍ୟାଳୟ ଅପେକ୍ଷା ବିଲବାଡ଼ି କାମରେ ଲାଗେ। ତା’ ବାପାକୁ ସାହାଯ୍ୟକରେ। ହାଇସ୍କୁଲ ପଢ଼ିଲା ବେଳକୁ ବିଲର ସବୁ କାମ ଶିଖିଯାଇଥିଲା। ହଳ କାମ, କତିହଣା କାମ, କାଦୁଅ କରିବା ଭଳି କଷ୍ଟ କାମରେ ବି ପାରଙ୍ଗମତା ହାସଲ କରିଥିଲା। ପାଠ ପଢ଼ାରେ ଆଗୁଆ ନ ଥିଲେ ବି ମନ୍ଦ ନ ଥିଲା।

ଆମ ସାଙ୍ଗ ଭିତରେ ଗୋଟେ ଧାରଣା ହୋଇଯାଇଥିଲା ବିଶି ପାଠ ପଢ଼ି ଚାକିରିବାକିରି କଲେ ବି ଚାଷକାମ ଛାଡ଼ିବନାହିଁ। ଚାଷ ପ୍ରତି ତା’ର ଆତ୍ମିକ ଭାବ ଥିଲା। ବିଶେଷକରି ଧାନ ଚାଷ ଉପରେ ସେ ଆମ ସାଙ୍ଗମାନଙ୍କୁ ସବୁ କଥା ଗୋଟି ଗୋଟି କହୁଥିଲା। ଆମେ ସବୁ ତାକୁ କହୁଥିଲୁ – ‘ଚାଷ କାମ ଯାହାର, କି ଆନନ୍ଦ ତାହାର।’ ସେଥିରେ ସେ ଖୁସିହୋଇ ଯାଉଥିଲା। ସତକୁ ସତ ବିଶି କଲେଜ ପଢ଼ିଲା ପରେ ଆଉ ଚାକିରି ପଛରେ ନ ଗୋଡ଼େଇ ଚାଷର ଧାର ଧରିଲା। ଚାଷରେ ନୂଆ ନୂଆ ପ୍ରୟୋଗ କଲା। ଭଲ ଉପତ୍ାଦନ ବି କରିବା ଶିଖିଲା। ମଝିରେ ମଝିରେ ଦେଖା ହେଲେ ତା’ କାହାଣୀ ଗପେ। ଗାଁରେ ରହି ସୁଖକୁ ହାତମୁଠାରେ ଧରି ରଖିପାରିଥିବାରୁ ତାକୁ ସବୁବେଳେ କହେ, ”ତୁ ଭାଗ୍ୟବାନ୍‌ରେ ବିଶି! ଗାଁ ମାଟିରେ ବଢ଼ିଲୁ, ଗାଁ ମାଟିରେ ରହିଲୁ। ଏଠି ସବୁ ଭୋଗିପାରୁଛୁ। ଆମେ ପର ରାଇଜର ଲୋକ। ଗାଁ ପାଇଁ କୁଣିଆ। ଚାକିରିର ମୋହରେ ଏ ମାଟି ବି ପର କରିଦେଉଛି।“ ସେ କହେ , ”ଭାଇ ! ଆମେ ଖଟିଖିଆ ମଣିଷ। ଖଟିଲେ ଖାଇବୁ। ନ ହେଲେ ଉପାସ। ତୁମର ଖଞ୍ଜା ପଇସା। ମାସ ପୂରିଲେ ପଇସା ମିଳିବ। ଚିନ୍ତା ନାହିଁ।“ କିନ୍ତୁ ବିଶି ଜାଣିପାରେନି ଚାକିରିଆଙ୍କୁ ଜବାବ ଦେବାକୁ ପଡ଼ିବ। ଏକଥା ତାକୁ କହିବାକୁ ଇଚ୍ଛା କରେନି। ବରଂ ଚାଷବାସ ପାଇଁ ତାକୁ ପ୍ରଶଂସା କରେ ସବୁଥର। ଏଥର ଗାଁରେ କିନ୍ତୁ ବିଶି ସହ ଦେଖାହେଲା ପରେ ତା’ର କଥାରେ ଖୁସି କରାଇବାର ଶବ୍ଦ ମୋ ପାଖେ ନ ଥିଲା। ବରଂ ତା’ ସହ ଦୁଃଖୀ ହେବାକୁ ପଡ଼ିଲା। ବିଶି ଦେଖି ସାଇକେଲଟିକୁ ହ କରି ଆମ ଘର ଦାଣ୍ଡପିଣ୍ଡାରେ ବସିଗଲା। ଦୁଃଖସୁଖ ହେଲା। ଶ୍ରାବଣ ସରି ଆସୁଥିଲେ ବି ରୁଆରୋଇ ସରି ନ ଥିବାରୁ ସେ ବେଶି ଚିନ୍ତିତ ଥିଲା। ଅନିୟମିତ ବର୍ଷା, ମଜୁରିଆଙ୍କ ଅଭାବ ଓ ଆକାଶଛୁଆଁ ଦର ଭିତରେ ଚାଷବାସରେ ମଜା ନାହିଁ ବୋଲି ଜଣାଇଲା। କଷ୍ଟମଷ୍ଟେ ଯାହା କରିବୁ ଦଇବ ସହିବ ନାହିଁ। ଅଦିନିଆ ବର୍ଷାରେ ନାଶ କରିଦେବ। ବର୍ଷାଦିନେ ବର୍ଷା ହେବନି। କଟାକଟି ବେଳକୁ ଏମିତି ବର୍ଷା ହେବ ଯେ ବିଲରେ କଟା ଧାନ ଭାସିବ। ଭିଜିଯାଇଥିବା ଧାନକୁ ଏଫ୍‌ଏକ୍ୟୁ ନାମରେ ବିକିଲା ବେଳକୁ ତୁଚ୍ଛା ଧନ୍ଦାରେ ଧନ୍ଦି ହେବାକୁ ପଡ଼େ। ଟଙ୍କା ପାଇଁ ତେଣିକି ବୁଲିବାକୁ ପଡ଼ିବ। ସେଥିପାଇଁ ଗଲା ୫ ବର୍ଷ ହେଲା ଢିପଜମିରେ ଧାନ ବଦଳରେ କପା କରୁଥିବା ସେ ସୂଚନା ଦେଲା। ବାକି କିଛି ଜମି ଭାଗକୁ ଦେଇଦେଇଛି। ନିଜେ ଖାଇବା ଲାଗି କିଛି ଜମିରେ ଧାନଚାଷ କରୁଛି। ଗାଁଟା ସାରା ଲୋକଙ୍କ ସେଇ ଅବସ୍ଥା। ଧାନ କମ୍‌, କପା ଅଧିକ। ଆଉ ଗାଁ ପାଖ ଜମିଗୁଡ଼ିକ ପ୍ଲଟିଂକରି ବିକି ଅନେକ ଲୋକ ଭଲ ଅର୍ଥ କମେଇଛନ୍ତିି।

ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ବିଶି ଏବେ ବିଷମରେ। ଗାଁଠାରୁ ବଣ ଘୁଞ୍ଚତ୍ୟାଇଛି। ନିର୍ମାଣରେ ଅନେକ ଗଛ ବଳି ପଡୁଛି। ନୂଆ ଗଛ ଯାହା ଲଗାଯାଉଛି ତା’ ବଡ଼ ହେଲାବେଳକୁ ପୁଣି ଟାଙ୍ଗିଆ ଚୋଟରେ ହେଉ କିମ୍ବା ଯନ୍ତ୍ରର ସ୍ପର୍ଶରେ ଅକାରଣରେ ବଳିପଡୁଛି। ଚାଷ ଜମିରେ ବ୍ୟାପକ ରାସାୟନିକ ସାର ପ୍ରୟୋଗରେ ମାଟିର ଉର୍ବରତା ହ୍ରାସ ହେବାରେ ଲାଗିଛି। ଆଧୁନିକ ଚାଲିଚଳଣ, ଗାଡ଼ିମୋଟର ବ୍ୟାପକ ବୃଦ୍ଧି, ଜଳାଶୟ ପୋତି ହୋଇଯିବା ଓ ନଦୀରେ ଜଳସ୍ତର କମିଯିବା ସମସ୍ୟାକୁ ବହୁଗୁଣିତ କରିଦେଇଛି। ସବୁଠି କଂକ୍ରିଟ ରାସ୍ତା। ମାଟି ଭିତରକୁ ପାଣି ପଶିବାକୁ ବାଟ ବନ୍ଦ। ଗାଁରେ ପିଇବା ପାଣିର ସଙ୍କଟ ଘାରିଲାଣି। ଅସମ୍ଭବ ଗରମ ହେଉଛି। ଏଣେ ରାଜ୍ୟରେ ଆଳୁ, ପିଆଜ ମିଳୁନାହିଁ। ମାଛ, ଅଣ୍ଡା ଓ ପରିବା ପାଇଁ ବି ବାହାର ରାଜ୍ୟ ଉପରେ ନିର୍ଭର। ଏ ଦିଗରେ ଚାଷୀଙ୍କ ଆଗ୍ରହ ବି ନାହିଁ। ସେଇ ପାରମ୍ପରିକ ଚାଷ ଭିତରେ ଆମର ଅଧିକାଂଶ ଚାଷୀ ସୀମିତ। ନୂଆ ପରୀକ୍ଷଣ କରିବାକୁ ସାହସ ଜୁଟାଉନାହାନ୍ତି। ଯିଏ ବି କରୁଛି ବିଭିନ୍ନ କାରଣରୁ ବିଶେଷ ସଫଳ ହେଉନାହାନ୍ତି। ଯିଏ ହେଉଛି ସେ ଖୁସି। ବାକି ଚାଷୀ ହତାଶ। ଆଗକୁ ପରିସ୍ଥିତି ଜଟିଳ ହେବ। ବାଦଲଫଟା ବର୍ଷାର ସ୍ଥିତି ବଢ଼ି ବଢ଼ି ଚାଲିଛି। ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି। ଢେର ସମୟ ନିଜ ଦୁଃଖ ବଖାଣିବା ପରେ କାନ୍ଧରେ ଗାମୁଛା ପକେଇ ସାଇକେଲ ଚଢ଼ି ଆଗକୁ ଗଡ଼େଇଲା ଓ ତା’ ସହ କହିଲା, ”ଦେଖାଯାଉ ଆଗକୁ ଏ ମାଟି ମାଆ କି ରାସ୍ତା ଦେଖାଉଛି। ଆମକୁ ମାଟି କରିବ କି ସୁନା କରିବ ତା’ ହାତରେ ଅଛି।“ ମୁଁ କହିବାକୁ ଇଚ୍ଛା ଥିଲେ ବି ତାକୁ କହିଲିନି , ”ମାଟି ମାଆ ହାତରେ କିଛି ନାହିଁ। ବିନାଶକୁ ମଣିଷ ଡାକୁଛି। ଯେମିତି ସେ କରୁଛି, ସେମିତି ତ ଭୋଗିବାର ଅଛି।“
ଇନ୍ଦିରାନଗର ,ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?