ଶିକ୍ଷାରେ ଗୁଣାତ୍ମକତା ଲୋଡ଼ା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ସମ୍ପ୍ରତି ଓଡ଼ିଶା ସରକାର ସରକାରୀ ସ୍କୁଲଗୁଡ଼ିକର ରୂପାନ୍ତରୀକରଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ନିର୍ମିତ ହେଉଛି ସ୍ମାର୍ଟ କ୍ଲାସ, ଅତ୍ୟାଧୁନିକ ବିଜ୍ଞାନାଗାର, ଶୌଚାଳୟ, ଇ-ପାଠାଗାର, ସୁଦୃଶ୍ୟ ଫାଟକ ଓ ଚିତ୍ରକଳା ଅଙ୍କିତ ପାଚେରି। ନୂତନ କୋଠାଘର ତିଆରି ନ ହେଲେ ମଧ୍ୟ ପୁରୁଣା କୋଠାର ନବୀକରଣ ହେଉଛି। ସ୍କୁଲଗୁଡ଼ିକ ଏବେ ଚମତ୍କାର ଦେଖାଯାଉଛି। ଏହା ନିଶ୍ଚୟ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ଅପରପକ୍ଷରେ ଅଧିକାଂଶ ସ୍କୁଲରେ ଆବଶ୍ୟକ ବିଷୟ ଶିକ୍ଷକ ନାହାନ୍ତି। କେଉଁଠି ଓଡ଼ିଆ ଶିକ୍ଷକ ଇଂଲିଶ ପଢ଼ାଉଛନ୍ତି ତ ଆଉ କେଉଁଠି ସଂସ୍କୃତ ଶିକ୍ଷକ ଇତିହାସ ପଢ଼ାଉଛନ୍ତି। ପୁନଶ୍ଚ ଅଧିକାଂଶ ଶିକ୍ଷକ ରୁଚି ନ ଥାଇ ଶିକ୍ଷକତାକୁ ଏକ ବୃତ୍ତି ଭାବରେ ଗ୍ରହଣ କରିଛନ୍ତି। ଫଳତଃ ସେମାନେ ନିଜ ବୃତ୍ତି ପ୍ରତି ଉତ୍ସର୍ଗୀକୃତ ହୋଇପାରୁ ନାହାନ୍ତି। ଶିକ୍ଷକମାନେ ହେଉଛନ୍ତି ବିଦ୍ୟାଳୟର ଆତ୍ମା। ଏହି ମଣିଷ ତିଆରି କାରଖାନାର ସେମାନେ ହେଉଛନ୍ତି ବିନ୍ଧାଣି। ଏଣୁ କେବଳ ବାହ୍ୟ ରୂପକୁ ନବୀକରଣ ଓ ଆକର୍ଷଣୀୟ କଲେ ଶିକ୍ଷାର ଗୁଣବତ୍ତା ବଢ଼ିବ ନାହିଁ। ଶିକ୍ଷାର ଗୁଣବତ୍ତା ବଢ଼େ ଯେତେବେଳେ ଶିକ୍ଷକମାନେ ସମର୍ପିତ, ସଚରିତ୍ରସମ୍ପନ୍ନ, ସେବା ମନୋଭାବାପନ୍ନ ଓ ତ୍ୟାଗୀ ହୋଇ ଶିକ୍ଷକତାକୁ ବ୍ରତ ଭାବରେ ଗ୍ରହଣ କରନ୍ତି। ଏହିଭଳି ଆଦର୍ଶ ଓ ଯୋଗ୍ୟ ଶିକ୍ଷକ ବିନା ସ୍କୁଲର ବାହ୍ୟ ରୂପାନ୍ତରୀକରଣ ଶିକ୍ଷାର ପ୍ରକୃତ ଲକ୍ଷ୍ୟ ସାଧନ କରିପାରିବ ନାହିଁ। କଥାରେ ଅଛି ”ଦେଉଳକୁ ଶୋଭା ଦିଶେ ଧ୍ୱଜା ବାନ୍ଧିଲେ/ଧ୍ୱଜା ବାନ୍ଧିଲେ କି ହେବ ଦେଉଳେ ଦିଅଁ ନ ଥିଲେ/ କି ହେବ ଶୁଆ ପୋଷିଲେ।“ ସତ୍ୟବାଦୀ ବନ ବିଦ୍ୟାଳୟର ଆକର୍ଷଣୀୟ କୋଠା ନ ଥିଲା ଓ ଆଜିର ସୁବିଧା ସୁଯୋଗ ନ ଥିଲା। ମାତ୍ର ସେଠି ଥିଲେ ଉଚ୍ଚଶିକ୍ଷିତ, ଚରିତ୍ରବାନ୍‌, ଉତ୍ସର୍ଗୀକୃତ ଛାତ୍ରବତ୍ସଳ ଶିକ୍ଷକ। ଏଣୁ ଏହି ବନ ବିଦ୍ୟାଳୟ ତା’ର ସୀମିତ ଆୟୁଷ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଯେଉଁ ବିପ୍ଳବ ସୃଷ୍ଟି କରିଥିଲା ଆଜି ତା’ର ପଟାନ୍ତର ନାହିଁ। ଗୋପବନ୍ଧୁ କହିଥିଲେ, ”ପ୍ରକୃତରେ ଟଙ୍କା ଦରକାର ନାହିଁ, ଟଙ୍କା ମନୁଷ୍ୟ ତିଆରି କରୁଛି, ମନୁଷ୍ୟ ଲୋଡ଼ିଲେ ପାଇବ। ପ୍ରଧାନ ଆବଶ୍ୟକତା ଶିକ୍ଷକ, ଯେଉଁମାନେ ନିଜ ସ୍ବାର୍ଥକୁ ବଳି ଦେଇ ସତ୍ୟର ପ୍ରଚାର ନିମନ୍ତେ ଦେଶୋଧାରକୁ ନିଜର ବ୍ରତ କରି, ଦେଶର ଲକ୍ଷ ଲକ୍ଷ କୋଟି କୋଟି ମାନବ ପଢ଼ିଯିବେ। କୁମ୍ଭାର ମାଟିପିଣ୍ଡୁଳା ଧରି ଦେବପ୍ରତିମା ଗଢ଼ୁଛି। ମନୁଷ୍ୟ ପିଣ୍ଡରୁ ଶିକ୍ଷକମାନଙ୍କୁ ପ୍ରକୃତ ମନୁଷ୍ୟ ଗଢ଼ିବାକୁ ହେବ। ଏ କାର୍ଯ୍ୟ ଅତି କଠିନ।“
୧୯୧୫ ମସିହା କଥା। ସତ୍ୟବାଦୀ ବନ ବିଦ୍ୟାଳୟକୁ ପରିଦର୍ଶନ କରିବାକୁ ଆସିଥାଆନ୍ତି ଜଣେ ଇଂରେଜ ପରିଦର୍ଶକ। ସେ ବିଦ୍ୟାଳୟର ଏକ ମାଟିକୁଡ଼ିଆରେ ଚାଲୁଥିବା ଛାତ୍ରାବାସ ଦେଖି ଅସନ୍ତୁଷ୍ଟ ହେଲେ ଓ ଗୋପବନ୍ଧୁଙ୍କୁ କହିଲେ, ”ଏଭଳି ଦରିଦ୍ର ପରିବେଶରେ ଛାତ୍ରମାନଙ୍କୁ ରଖିଲେ ସେମାନଙ୍କ ମନ ସଙ୍କୁଚିତ ହୋଇଯିବ। ଏଣୁ ଏହି ମାଟିକୁଡ଼ିଆଗୁଡ଼ିକୁ ଭାଙ୍ଗି ଦିଆଯାଉ।“ ଗୋପବନ୍ଧୁଙ୍କ ଉତ୍ତର ଥିଲା, ”ସାହେବ! ଏହି ଚାଳଘର ମୁଁ କାହିଁକି କରିଛି ଜାଣନ୍ତି? ଏହି ସ୍କୁଲରୁ ଯେଉଁମାନେ ମାଟ୍ରିକ୍‌ ପାସ୍‌ କରିବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ। ଉଚ୍ଚଶିକ୍ଷା ପାଇବା ନିମନ୍ତେ ସେମାନଙ୍କ ସମ୍ବଳ ନାହିଁ। ଯଦି ଏଠାରେ ସେମାନେ ବିଳାସବ୍ୟସନ ଓ ଆଡ଼ମ୍ବର ମଧ୍ୟରେ କୋଠାଘରେ ରହନ୍ତି, ସେମାନଙ୍କ ଭବିଷ୍ୟତ ଜୀବନ ଦୁଃଖମୟ ହେବ। ଭୋଗବିଳାସରେ ଅଭ୍ୟସ୍ତ ହୋଇ ସେମାନଙ୍କୁ ପିତୃପିତାମହଙ୍କ ଚାଳଘର ଭଲ ଲାଗିବ ନାହିଁ ଓ ଆଉ ଗଁାକୁ ଫେରିଯିବାକୁ ସେମାନଙ୍କ ମନ ହେବ ନାହିଁ। ସେମାନେ ଅତୃପ୍ତ ହୋଇ ହୁଏତ ଅସାଧୁ ଉପାୟରେ ଅର୍ଥ ରୋଜଗାର କରିବାକୁ ଚେଷ୍ଟା କରିବେ। ଏଣୁ ଛାତ୍ରାବାସ ପାଇଁ ବଡ଼ ବଡ଼ କୋଠାଘରର ଆବଶ୍ୟକତା ନାହିଁ।“ ଆଜି ଗୋପବନ୍ଧୁଙ୍କ ଆଶଙ୍କା ସତ୍ୟରେ ପରିଣତ ହୋଇଛି। ବହୁ ଛାତ୍ରୀଛାତ୍ର ଭୋଗବିଳାସ ମଧ୍ୟରେ ଏସି କୋଠରିରେ ପାଠ ପଢ଼ି ବଡ଼ଲୋକ ହେଲା ପରେ ଆଉ ଗ୍ରାମ୍ୟ ପରିବେଶକୁ ଫେରିବାକୁ ଚାହୁଁନାହାନ୍ତି। କେହି କେହି ଏକ ଭୋଗମୟ ଜୀବନଯାପନ କରିବା ଲକ୍ଷ୍ୟ ନେଇ ଅସାଧୁ ଉପାୟରେ ଅର୍ଥ ରୋଜଗାର କରୁଛନ୍ତି। ଶିକ୍ଷାର ଲକ୍ଷ୍ୟ ଭ୍ରଷ୍ଟ ହୋଇଛି।
ଗୋପବନ୍ଧୁ ସାହେବଙ୍କୁ ନେଇଗଲେ ଛାତ୍ରାବାସର ପଶ୍ଚିମ ପାର୍ଶ୍ୱକୁ। ସମୟ ଥାଏ ଦିନ ୧୨ଟା। ଖୋଲା ଆକାଶ ତଳେ ବକୁଳ ଛୁରିଆନା କୁଞ୍ଜରେ ଚାଲିଥାଏ ପାଠପଢ଼ା। ଶିକ୍ଷକଙ୍କ ପାଇଁ ଥାଏ ସିମେଣ୍ଟ ନିର୍ମିତ ଚୌକି ଓ ଟେବୁଲ। ଚଟାଣ ଥାଏ ସୁନ୍ଦର ଓ ସ୍ବଚ୍ଛ। ବେଳେବେଳେ ପିଲାମାନଙ୍କ ମୁଣ୍ଡରେ ଝରିପଡ଼ୁଥାଏ ଫୁଲ। ସେମାନେ ପ୍ରସନ୍ନ ଚିତ୍ତରେ ଶିକ୍ଷକମାନଙ୍କ କଥା ଶୁଣୁଥା’ନ୍ତି। ଗଛ ଦେହରେ କଣ୍ଟା ପିଟା ହୋଇ କଳାପଟା ଝୁଲୁଥାଏ। ସାହେବ ଏପରି ବିଦ୍ୟାଳୟ କେବେ ଦେଖି ନ ଥା’ନ୍ତି। ଏସବୁ ଦେଖି ସେ ସ୍ତମ୍ଭୀଭୂତ ହେଲେ। ପରିଦର୍ଶନ ସରିଲା ଓ ସେ ସ୍କୁଲରୁ ବିଦାୟ ନେଲେ। ବିଦ୍ୟାଳୟ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରଶଂସାସୂଚକ ମନ୍ତବ୍ୟ ଦେଇଥିଲେ। ପରବର୍ତ୍ତୀ ସମୟରେ ସେହି ମନ୍ତବ୍ୟକୁ ଭିତ୍ତି କରି ସବୁ ବିଦ୍ୟାଳୟକୁ ନିର୍ଦ୍ଦେଶ ଆସିଲା- ”ସ୍କୁଲ ପାଇଁ ବ୍ୟୟସାପେକ୍ଷ ବିରାଟ କୋଠାଘର ଆବଶ୍ୟକ ନାହିଁ। ବର୍ଷାଦିନ ପାଇଁ ସାଧାରଣ ଘର ତିଆରି କରି ସତ୍ୟବାଦୀ ବନ ବିଦ୍ୟାଳୟ ଆଦର୍ଶରେ ଛୋଟ ଛୋଟ ଗଛ ଲଗାଇ ଉପବନ ତିଆରି କରନ୍ତୁ। ସେଥିରେ ପାଠପଢ଼ା ଅତି ଚମତ୍କାର ଭାବରେ ହେବ। ପିଲାମାନଙ୍କ ମନ ଓ ପ୍ରାଣ ଉଦାର ଓ ବିଶାଳ ହୋଇଉଠିବ।“ ଏହା ଅବଶ୍ୟ ସ୍ବୀକାର୍ଯ୍ୟ ଯେ, ପରିବର୍ତ୍ତିତ ସମୟରେ ଶିକ୍ଷାଦାନ ପାଇଁ ଏକ ସୁଦୃଢ଼ ଭିତ୍ତିଭୂମିର ଆବଶ୍ୟକତା ରହିଛି। ସ୍ବଚ୍ଛ ପରିବେଶ ଓ ଆବଶ୍ୟକ ଉପକରଣ ବିନା ଶିକ୍ଷାଦାନ ସଫଳ ହେବ ନାହିଁ। ଉଚ୍ଚ ବେତନଭୋଗୀ ଚାକିରିଆ ସୃଷ୍ଟି କରିବା ଶିକ୍ଷାର ଲକ୍ଷ୍ୟ ନୁହେଁ। ଚରିତ୍ରବାନ୍‌, ନୀତିନିଷ୍ଠ ଦେଶଭକ୍ତ ମଣିଷ ସୃଷ୍ଟି କରିବା ହେଉଛି ଶିକ୍ଷାର ଲକ୍ଷ୍ୟ। ଏହା ସମ୍ଭବ କେବଳ ନୈତିକତା ଆଧାରିତ ଶିକ୍ଷା ମାଧ୍ୟମରେ। ଏଥିପାଇଁ ଆବଶ୍ୟକ ନୈତିକ ମୂଲ୍ୟବୋଧ ଭିତ୍ତିକ ପାଠ୍ୟକ୍ରମ ଓ ଆଦର୍ଶ ନୀତିନିଷ୍ଠ ଶିକ୍ଷକ। ତେଣୁ ଗୋପବନ୍ଧୁ ଶିକ୍ଷକଙ୍କ ଆତ୍ମଶୁଦ୍ଧି ଉପରେ ଗୁରୁତ୍ୱ ଦେଉଥିଲେ। ଯେଉଁମାନେ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକ ଥିଲେ, ସମସ୍ତେ ଥିଲେ ସଂସ୍କୃତିବନ୍ତ ଶୁଦ୍ଧ ଉଚ୍ଚାରଣ ଓ ଆଚରଣର ପ୍ରତୀକ। ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ ଓ ପଣ୍ଡିତ କୃପାସିନ୍ଧୁ ଥିଲେ ଏମ୍‌.ଏ. ଡିଗ୍ରୀଧାରୀ ବିଦ୍ୱାନ୍‌। ଆଚାର୍ଯ୍ୟ ହରିହର ଥିଲେ ଏଫ୍‌.ଏ. ଡିଗ୍ରୀଧାରୀ। ଏମାନେ ସମସ୍ତେ ଲୋଭନୀୟ ଉଚ୍ଚ ଦରମାପ୍ରାପ୍ତ ସରକାରୀ ଚାକିରି ଛାଡ଼ି କେବଳ ସଂସାର ଚଳାଇବା ପାଇଁ ଆବଶ୍ୟକ ସ୍ବଳ୍ପ ଦରମାରେ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ଶିକ୍ଷକତା ସେମାନଙ୍କ ପାଇଁ ବୃତ୍ତି ନ ଥିଲା, ଏହା ଥିଲା ଏକ ସେବା ବ୍ରତ। ଯେଉଁଦିନ ଗୋଦାବରୀଶ ସେଠାରେ ଶିକ୍ଷକ ଭାବରେ ଯୋଗଦେଲେ, ସେଦିନ ତାଙ୍କ ପାଇଁ ଏକ ସ୍ବାଗତ ସଭା ଆୟୋଜିତ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ସେଦିନର ଅନୁଭୂତି ବର୍ଣ୍ଣନା କରି କହିଛନ୍ତି, ”ମୋତେ ସେଦିନ ଆଉ ଥରେ ବ୍ରତ ହେଲା ପରି ଲାଗିଲା। ମୋ ଆଖିରୁ ଅବିରଳ ଲୁହ ବହି ଯାଉଥାଏ। ମାତ୍ର ମୁଁ ପାଟି ଫିଟାଇ କିଛି କହିପାରିଲି ନାହିଁ। କେବଳ ଯେଉଁ ଗୁରୁଦାୟିତ୍ୱ ମୁଣ୍ଡାଇବାକୁ ଯାଉଥିଲି ତା’ରି ଭାରରେ ମୋ ମୁଣ୍ଡ ଭାଜି ହୋଇ ଯାଉଥାଏ।“ ଆଚାର୍ଯ୍ୟ ହରିହର ଓ ପଣ୍ଡିତ କୃପାସିନ୍ଧୁ ଥିଲେ ଆଦର୍ଶ ଓ ଛାତ୍ରବତ୍ସଳ ଶିକ୍ଷକ। ଆଚାର୍ଯ୍ୟ ହରିହର ଥିଲେ ଛାତ୍ରାବାସର ତତ୍ତ୍ୱାବଧାରକ। ଛାତ୍ରାବାସରେ ରହୁଥିବା ଛାତ୍ରମାନଙ୍କୁ ସେ ଏତେ ଆତ୍ମୀୟତା ଭିତରେ ବାନ୍ଧି ରଖିଥିଲେ ଯେ, ସେମାନେ ଛୁଟିଦିନରେ ମଧ୍ୟ ଘରକୁ ଯିବାକୁ ଆଗ୍ରହ ପ୍ରକାଶ କରୁ ନ ଥିଲେ। ଏହିଭଳି ପରିବେଶ ଓ ଶିକ୍ଷକଙ୍କୁ ଦେଖି ମଧୁସୂଦନ ଦାସ ଗୋପବନ୍ଧୁଙ୍କୁ କହିଥିଲେ ”ତୁମେ ସବୁ ମିଶି ସତ୍ୟବାଦୀରେ ଗୋଟିଏ ନାଳନ୍ଦା ଗଢ଼ିଦେଲ। ଏ ବିଦ୍ୟାଳୟ ଧନରେ ଗଢ଼ା ହୋଇ ନାହିଁ। ରକ୍ତ, ମାଂସ ଓ ମସ୍ତିଷ୍କରେ ଗଢ଼ା ହୋଇଛି।“
ଏବେ ସରକାର ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାର ପ୍ରଚଳନ ପାଇଁ ନୂତନ ଯୋଜନାମାନ ପ୍ରସ୍ତୁତ କରୁଛନ୍ତି ଓ ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଚେଷ୍ଟା କରୁଛନ୍ତି। ଜଗତୀକରଣ ପରେ ନୂତନ ଶିକ୍ଷା ବ୍ୟବସ୍ଥାକୁ ସ୍ବାଗତ କରି କୋଟି କୋଟି ଟଙ୍କା ବିନିଯୋଗ କରାଯାଉଛି। ତା’ ସତ୍ତ୍ୱେ ଶିକ୍ଷା ବ୍ୟବସ୍ଥା ଶୃଙ୍ଖଳିତ ହୋଇପାରୁ ନାହିଁ। ଛାତ୍ର, ଶିକ୍ଷକ ଓ ଶିକ୍ଷା ଏ ତିନୋଟି ହେଉଛି ଏକ ସ୍ବର୍ଣ୍ଣ ତ୍ରିଭୁଜ। ମାତ୍ର ଏମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇପାରୁ ନାହିଁ। ବାହ୍ୟ ରୂପାନ୍ତରୀକରଣ ସିନା ହେଉଛି, ଅନ୍ତଃରୂପାନ୍ତରୀକରଣ ହୋଇପାରୁ ନାହିଁ। ପ୍ରାକୃତିକ ପରିବେଶରେ ଶିକ୍ଷାଦାନ, ଚରିତ୍ର ଗଠନ, ଶ୍ରମ ପ୍ରତି ମର୍ଯ୍ୟାଦା ଜ୍ଞାପନ, ଶୃଙ୍ଖଳିତ ଜୀବନଯାପନ, ଦେଶପ୍ରେମ ଜାଗରଣ, ସମାଜସେବା ଓ ନୈତିକ ଆଦର୍ଶବାଦର ବିକାଶ ନ ହେଲେ ବାହ୍ୟରୂପାନ୍ତରୀକରଣ ଦ୍ୱାରା ଶିକ୍ଷାର ପ୍ରକୃତ ଲକ୍ଷ୍ୟ ସାଧିତ ହୋଇପାରିବ ନାହିଁ। ଏହି ଦୃଷ୍ଟିରୁ ଓଡ଼ିଶାରେ ଶିକ୍ଷା ସଂସ୍କାର କ୍ଷେତ୍ରରେ ଗୋପବନ୍ଧୁ ଦାସ ହିଁ ଆଦ୍ୟ ସଂସ୍କାରକ। ତାଙ୍କରି ଭାଷାରେ, ”ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ଜୀବନର ସୁଗଠନ ଓ ବିକାଶ। ତାହା କେବଳ ତର୍କ, ଯୁକ୍ତିଶକ୍ତି ବଢ଼ିଲେ ହେଲା ନାହିଁ କିମ୍ବା ଫୁଟବଲ କ୍ରିକେଟରେ ପଟୁତା ଦେଖାଇ ପୁରସ୍କାର ପାଇବାରେ ନାହିଁ। ଏସବୁର ଆବଶ୍ୟକତା ଅବଶ୍ୟ ଅସ୍ବୀକାର କରାଯାଇ ନ ପାରେ। କିନ୍ତୁ ନୈତିକ ଜୀବନର ବିକାଶରେ ହିଁ ମାନବର ପ୍ରକୃତ ମାନବତ୍ୱ। ଏ ପ୍ରକାର ଶିକ୍ଷା ଅଭାବରୁ ଆଧୁନିକ ଶିକ୍ଷା ବିଧାନ ବହୁଦିନ ଏ ଦେଶରେ ପ୍ରବର୍ତ୍ତିତ ହେଲେ ସୁଦ୍ଧା ଆଜିଯାଏ ବିଶେଷ କିଛି ଫଳ ଦେଖାଇ ନାହିଁ।“ ପୁନଶ୍ଚ ବଡ଼ ବିଡ଼ମ୍ବନା ହେଲା ସରକାର ଯେଉଁ ଶିକ୍ଷକମାନଙ୍କୁ ମଣିଷ ନିର୍ମାଣ କହି ଉଚ୍ଛ୍ବସିତ ପ୍ରଶଂସା କରନ୍ତି, ସେମାନଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇ ସର୍ବନିମ୍ନ ଦରମା ଦିଅନ୍ତି। ଏହିପରି ନିଯୁକ୍ତି ପାଇ ସେମାନେ କିପରି ସମର୍ପିତ ହୋଇପାରିବେ ତାହା ଏକ ବଡ଼ ପ୍ରଶ୍ନ।
ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼, ମୋ:୭୦୦୮୩୬୯୯୨୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri