ଶିକ୍ଷା ଓ ବିଦ୍ୟା

ଇଂ. ମୁରଲୀଧର ହୋତା

ଆମର ପ୍ରଚଳିତ ଧାରଣାରେ ଶିକ୍ଷା, ସାକ୍ଷରତାରୁ ଆରମ୍ଭ କରି ବୈଷୟିକ ପାଠ୍ୟକ୍ରମରେ ସିଦ୍ଧି, କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସାଫଲ୍ୟ ଅଥବା ଜୀବିକା ନିର୍ବାହ ତଥା ସମୃଦ୍ଧି ପ୍ରାପ୍ତିପାଇଁ ଅନ୍ୟ କୌଣସି ବୃତ୍ତିରେ ତାଲିମ ପ୍ରାପ୍ତି। ଏହିଥିରୁ ଯେକୌଣସି ଗୋଟିଏ ବା ଏକାଧିକ ବିଭାଗରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିଟି ଶିକ୍ଷିତ ପଦବାଚ୍ୟ। ଶିକ୍ଷାର ଉପରୋକ୍ତ ଅର୍ଥରେ ଆମ ଦେଶରେ ଶିକ୍ଷିତ ସଂଖ୍ୟାରେ ଯଥେଷ୍ଟ ଅଭିବୃଦ୍ଧି ଘଟିଛି। ମାତ୍ର ଏହାଦ୍ୱାରା ଆମର ସାମାଜିକ ନିରାପତ୍ତା, ନୀତି-ନୈତିକତା, ପରାର୍ଥଭାବ, ଭ୍ରାତୃଭାବ, ଜାତୀୟ-ସଂହତି ସର୍ବୋପରି ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ ସେଭଳି କିଛି ଉନ୍ନତିର ଲକ୍ଷଣ ଦେଖିବାକୁ ମିଳୁନାହିଁ ବରଂ ଏହା ସମାଜରେ ଏକ ନୈରାଶ୍ୟଜନକ ସ୍ଥିତି ସୃଷ୍ଟି କରୁଛି। ଅଶାନ୍ତିର ବାତାବରଣ ଭିତରେ ପ୍ରାୟ ସମସ୍ତେ ଅଳ୍ପ ବହୁତେ ଅଣନିଃଶ୍ୱାସୀ ହେବାରେ ଲାଗିଛନ୍ତି।
ଆଜି ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନେ ଏକପ୍ରକାର ଶିଳ୍ପରେ ପରିଣତ ହୋଇଛନ୍ତି। ଏହି ଶିଳ୍ପ, ଶିକ୍ଷିତ ନାମରେ ଯାହା ଉପତ୍ାଦନ କରୁଛି, ତାହା ପ୍ରାୟତଃ ଏକ ବୈଚିତ୍ର୍ୟହୀନ ପ୍ରାଣୀ (ଷ୍ଟେରିଓଟାଇପ୍‌)। ସେ ପ୍ରାଣୀର ଆଭିମୁଖ୍ୟ ହେଲା ପ୍ରତିଯୋଗିତାରେ ସାମିଲ ହେବା ଏବଂ ସୁଖର ମରୀଚିକା ପଛରେ ଧାବମାନ ହେବା। ଏଠାରେ ମନେପଡ଼ିଯାଏ ବିଖ୍ୟାତ ଲେଖକ ଟଲଷ୍ଟୟଙ୍କର ଏକ କାହାଣୀ- ‘କେତେ ଜାଗା ଜଣକର ଲୋଡ଼ା’ ଅଥବା ତାଙ୍କ ଭାଷାରେ ‘ହାଓ ମଚ୍‌ ଲ୍ୟାଣ୍ଡ୍‌ ୱାନ୍‌ ଡଜ୍‌ ନିଡ୍‌’। ଏହି କାହାଣୀଟିର ଚରିତ୍ରଟିକୁ ପ୍ରତିଶ୍ରୁତି ଦିଆଯାଇଥିଲା, ସୂର୍ଯ୍ୟୋଦୟ ସମୟରୁ ଏକ ନିର୍ଦ୍ଦିଷ୍ଟ ଜାଗାରୁ ବାହାରି ଲୋକଟି ଯେତିକି ଦୂରତା ଅତିକ୍ରମ କରି ସୂର୍ଯ୍ୟାସ୍ତ ସୁଦ୍ଧା ସେହି ମୂଳ ଜାଗାରେ ପହଞ୍ଚତ୍ବ, ତଦନୁଯାୟୀ ଉକ୍ତ ଅଞ୍ଚଳର ସେ ହିଁ ମାଲିକ ହେବ। ମାତ୍ର ଲୋକଟି ମରୀଚିକାକୁ ଆଲିଙ୍ଗନ କରିବା ପାଇଁ ଆହୁରି ଟିକେ ଅଧିକ, ଆହୁରି ଟିକେ ମାତ୍ରାଧିକ- ଏମିତି ଭାବରେ ଦୌଡ଼ି ଦୌଡ଼ି ଶେଷରେ ଫେରି ନ ପାରି ସୂର୍ଯ୍ୟାସ୍ତ ସମୟରେ ଯେଉଁଠି ଥିଲା, ସେଇଠି ତଳେ ପଡ଼ିଯାଇ ସ୍ବୟଂ ଅସ୍ତମିତ ହୋଇଗଲା।
କିନ୍ତୁ ସଭିଁଏ ଏହି ଢାଞ୍ଚାର ଅନ୍ତର୍ଭୁକ୍ତ ନୁହନ୍ତି। ବାହାରକୁ ଏକାଭଳି ଯାନ୍ତ୍ରିକ ଦୌଡ଼ର ଅନ୍ତର୍ଭୁକ୍ତ ହେଲେ ମଧ୍ୟ ସେମାନଙ୍କର ଆନ୍ତର୍ଜୀବନ ରହିଛି। ଅନେକ ସେହି ଗଡ୍ଡାଳିକା ପ୍ରବାହର ଏକ ବିପରୀତ ଧାରା ନିଜ ନିଜ ଅନୁଭୂତିରେ ଏବଂ ଜୀବନ ଦର୍ଶନରେ ଅନୁସରଣ କରନ୍ତି। ସାମୂହିକ ସାମାଜିକ-ଜୀବନ ସହ ସାଲିସ୍‌ କରିବା ସତ୍ତ୍ୱେ ନିଜ ନିଜର ସ୍ବାତନ୍ତ୍ର୍ୟ, ବିନୟବୋଧ ଏବଂ ସୂକ୍ଷ୍ମ ଅର୍ଥରେ ସ୍ବାଭିମାନ ବଜାୟ ରଖନ୍ତି। କିନ୍ତୁ ସେମାନେ ଏହା କରନ୍ତି ସେମାନଙ୍କ ପ୍ରାପ୍ତଶିକ୍ଷାର ଆଶୀର୍ବାଦରୁ ନୁହେଁ; ଚେତନାର ସୂକ୍ଷ୍ମ ପର୍ଯ୍ୟାୟର ପ୍ରଭାବରେ।
ଆଜିର ଶିକ୍ଷାକୁ ବିଦ୍ୟାର ପ୍ରତିଶବ୍ଦ ଭାବେ ଗ୍ରହଣ କରାଯାଇ ନ ପାରେ। ବିଦ୍ୟାର ଏକମାତ୍ର ଏବଂ ଅନତିକ୍ରମ ସଂଜ୍ଞା ହେଲା- ଯାହା ଆମକୁ ମୁକ୍ତ କରେ (ସା ବିଦ୍ୟା ଯା ବିମୁକ୍ତୟେ); ମୁକ୍ତ କରେ ଅବିଦ୍ୟାରୁ, ଅଜ୍ଞାନରୁ। କିନ୍ତୁ ଜ୍ଞାନ ସମୃଦ୍ଧ ପ୍ରାଚୀନ ଭାରତବର୍ଷରେ ସାକ୍ଷରତା, ବିଦ୍ୟାଲାଭ ନିମନ୍ତେ ଅନିର୍ବାଯ୍ୟ ନ ଥିଲା। ବେଦ-ବେଦାନ୍ତ ଯୁଗରେ ବିଦ୍ୟାର୍ଥୀ ନିମନ୍ତେ ନିଜର ସ୍ମୃତିପଟଳ ହିଁ ଥିଲା ଏକମାତ୍ର ଆବଶ୍ୟକତା। ବିଦ୍ୟାର ଦୁଇଟି ଧାରା; ଅର୍ଜିତ ବା ଆହରିତ ବିଦ୍ୟା ଏବଂ ଉପଲବ୍ଧ ବିଦ୍ୟା। ଉପଲବ୍ଧ ବିଦ୍ୟା ନିମନ୍ତେ ଲେଖାଲେଖି ଏବଂ ଅଭିବ୍ୟକ୍ତିର ଆବଶ୍ୟକତା ପଡ଼େନାହିଁ। ତାହା ଚେତନାର ଜାଗରଣ। ସେଥିପ୍ରତି ଥିବା ବିଦ୍ୟାର୍ଥୀର ତୀବ୍ର ଅଭିଳାଷଜନିତ ଚେତନାର ସ୍ଫୁରଣ ଯୋଗୁ କେବଳ ମାତ୍ର ବିଦ୍ୟାର୍ଥୀକୁ ଜ୍ଞାତ ହେଉଥିଲା। ଉଦାହରଣ ସ୍ବରୂପ ବୃଦ୍ଧ କୌଶିକ ଋଷିଙ୍କୁ ଜଗତ କଲ୍ୟାଣ ପାଇଁ ”ରାମରକ୍ଷା ସ୍ତୋତ୍ର“ ଉପଲବ୍ଧ ହୋଇଥିଲା। ଆହରିତ ବିଦ୍ୟା ସ୍ମୃତିରେ ହିଁ ଲିପିବଦ୍ଧ ହୋଇ ରହୁଥିଲା। ଚାରିବେଦଠୁଁ ଆରମ୍ଭ କରି ଜ୍ୟୋତିର୍ବିଜ୍ଞାନ, ଗଣିତ, ଆୟୁର୍ବେଦ, ଯୋଗଶାସ୍ତ୍ର ପ୍ରଭୃତି ବିଦ୍ୟାର ଯାବତୀୟ ବିଭବ ସ୍ମୃତିଭୁକ୍ତ ତଥା ମୁଖସ୍ଥ ହୋଇ ରହୁଥିଲା। ପରିବାରଠାରୁ ଦୂରେଇଯାଇ, ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ ପୂର୍ବକ ଶାନ୍ତକାନ୍ତ, ଅରଣ୍ୟ ପରିବେଶରେ, କୋଳାହଳଶୂନ୍ୟ ଗୁରୁକୁଳ ଆଶ୍ରମରେ ନିବାସ କରି, ସଂଯମତା ଆଚରଣ ସହିତ ବାରମ୍ବାର ଅଭ୍ୟାସ, ମନନ, ନିଧିଧ୍ୟାସନ କରି ଉପଯୁକ୍ତ ଗୁରୁଙ୍କ ମାର୍ଗଦର୍ଶନ ଯୋଗୁଁ ଏହା ସମ୍ଭବ ହେଉଥିଲା। କେତେ ଶତାବ୍ଦୀ ପରେ ସେସବୁ ତାଳପତ୍ର ବା ଭୂର୍ଜପତ୍ରରେ ପାଠ୍ୟରୂପେ ଉପସ୍ଥାପିତ ହେଲା।
ଅବିଦ୍ୟାର ଅର୍ଥ ହେଲା ଅଜ୍ଞାନ। ଅବିଦ୍ୟା ବ୍ୟକ୍ତିବିଶେଷ ମଧ୍ୟରେ ଥିବା ଚିରନ୍ତନ ସତ୍ୟକୁ ଘୋଡ଼େଇ ଦେଇଥାଏ। ଏହା ଫଳରେ ସେ ତା’ର ଠିକଣା ପରିଚୟ ପାଇପାରେ ନାହିଁ। କସ୍ତୁରୀମୃଗ ଭଳି ଇତସ୍ତତଃ ଧାଉଁଥାଏ। ସେ ଅନ୍ଧକାରରେ ଜୀବନ ନିର୍ବାହ କରେ; ମୃତ୍ୟୁପରେ ଅନ୍ଧକାରରେ ଅବସ୍ଥାନ କରେ ଏବଂ ପୁନର୍ବାର ଅନ୍ଧକାରରେ ଘାଣ୍ଟି ହୋଇ ଜୀବନ-ମରଣ ଚକ୍ରରେ କଷ୍ଟ ପାଉଥାଏ। ସେ ନିଜ ମଧ୍ୟରେ ଓ ସାରା ବିଶ୍ୱବ୍ରହ୍ମାଣ୍ଡ ମଧ୍ୟରେ ଯେଉଁ ଏକ ଚରମ ସତ୍ୟ ଅଛି, ତାହାକୁ ଦେଖିପାରେ ନାହିଁ। ସ୍ବାମୀ ବିବେକାନନ୍ଦଙ୍କ ଭାଷାରେ, ଦର୍ପଣ ଉପରେ ମଳିର ଆବରଣ ବସିଥିଲେ- ନିଜ ଚେହେରା ଯେପରି ପ୍ରତିବିମ୍ବିତ ହୁଏନାହିଁ, ସେହିଭଳି ମାଳିନ୍ୟଭରା ହୃଦୟରେ ଆମେତ୍ାପଲବ୍ଧି କରିବା ସମ୍ଭବ ହୁଏନାହିଁ। ଅତଏବ ମୋକ୍ଷର ଦ୍ୱାର ତା’ ନିମନ୍ତେ ସବୁଦିନ ପାଇଁ ବନ୍ଦ ହୋଇଯାଏ। ସେଥିପାଇଁ ଅନ୍ତରର ଦିବ୍ୟତ୍ୱ ଉପରେ ଥିବା ଆବରଣକୁ ଅତିକ୍ରମ କରିବାକୁ ପଡ଼ିବ। ଏହି ସିଦ୍ଧି ପ୍ରାପ୍ତିପାଇଁ ଏକ ସଦାଚାରୀ, ତ୍ୟାଗୀ, ସତ୍ୟବାଦୀ ଏବଂ ନୈତିକ ଜୀବନଯାପନର ଆବଶ୍ୟକତା ରହିଛି। ସତ୍‌କର୍ମ ବ୍ୟକ୍ତିକୁ ଊର୍ଦ୍ଧ୍ୱଗାମୀ କଲାବେଳେ ଅସତ୍‌କର୍ମ ତାକୁ ନିମ୍ନଗାମୀ କରେ।
ମହିଳାରୋପ୍ୟ ନଗରୀର ରାଜପୁତ୍ରମାନେ ଯଥା- ବହୁଶକ୍ତି, ଉଗ୍ରଶକ୍ତି ଓ ଅନନ୍ତଶକ୍ତି ତିନିହେଁ ନିତାନ୍ତ ମୂର୍ଖ ଥିଲେ। ସେମାନଙ୍କୁ କୌଣସି ଶିକ୍ଷକ ବଶୀଭୂତ କରିପାରି ନ ଥିଲେ। ମନ୍ତ୍ରୀ ଓ ପଣ୍ଡିତମଣ୍ଡଳୀଙ୍କ ପରାମର୍ଶ ଅନୁସାରେ ରାଜା ଅମରଶକ୍ତି, ମହାପଣ୍ଡିତ ବିଷ୍ଣୁଶର୍ମାଙ୍କ ହାତରେ ରାଜପୁତ୍ରମାନଙ୍କ ଶିକ୍ଷା ଦାୟିତ୍ୱ ନ୍ୟସ୍ତ କଲେ। ବିଷ୍ଣୁଶର୍ମା ରାଜପୁତ୍ରମାନଙ୍କୁ ସର୍ବମୋଟ ୭୫ଟି ଗଳ୍ପ ଓ ପ୍ରାୟ ବାରଶତ ଉପାଦେୟ ଶ୍ଳୋକ ସନ୍ନିବେଶିତ ‘ପଞ୍ଚତନ୍ତ୍ର’ ନାମରେ ବିଦିତ ଅମର କାହାଣୀମାଳା ଶୁଣାଇ, କିପରି ରାଜପୁତ୍ରମାନଙ୍କୁ ଶିକ୍ଷିତ କରିପାରିଲେ, ସେ କିମ୍ବଦନ୍ତୀ ନିଶ୍ଚୟ ପାଠକମାନଙ୍କୁ ଜଣା। ସଂକ୍ଷେପରେ ହେଲେ ବି ଧର୍ମ-ଦର୍ଶନ, ସମାଜଶାସ୍ତ୍ର, ଅର୍ଥଶାସ୍ତ୍ର ଓ ନୀତିଶାସ୍ତ୍ର, ଶାସନ, ପାରସ୍ପରିକ ବ୍ୟବହାର, କର୍ତ୍ତବ୍ୟ-ଅକର୍ତ୍ତବ୍ୟର ବିଚାର ଇତ୍ୟାଦି ଯାହା ଶିଖିଲେ; ଜଣେ ରାଜପୁତ୍ର ପରବର୍ତ୍ତୀ କାଳରେ ରାଜ୍ୟକୁ ସୁଶାସନ ଦେଇପାରିବ, ସେ ସମସ୍ତ ବିଦ୍ୟା ପଣ୍ଡିତ ମହାଶୟ ରାଜପୁତ୍ରମାନଙ୍କୁ ହୃଦୟଙ୍ଗମ କରାଇଦେଲେ। ସେମାନଙ୍କୁ ରାଜାଙ୍କ ଛାମୁରେ ଉପସ୍ଥାପିତ କରି ଶିକ୍ଷିତ ବୋଲି ଘୋଷଣା କଲେ ସେ ଅନନ୍ୟ ଶିକ୍ଷାଦାତା।
ରାଜପୁତ୍ରମାନେ ଆଜିର ଅର୍ଥରେ ସାକ୍ଷର ହେଲେ କି ନାହିଁ, ସେ କଥା ଆମକୁ ଜଣାନାହିଁ। କିନ୍ତୁ ଯାହା ଉଲ୍ଲେଖଯୋଗ୍ୟ ତାହା ହେଲା, ବିନା ଲେଖାପଢ଼ାରେ ମଧ୍ୟ ଜଣକ ଭିତରେ ସାଧାରଣ ଜ୍ଞାନ ତଥା ମହତ୍ତର ଜ୍ଞାନ ବିକଶିତ ହୋଇପାରେ। ଅପରନ୍ତୁ ପର୍ଯ୍ୟାପ୍ତ ଶିକ୍ଷା ଓ ତାଲିମ ସତ୍ତ୍ୱେ ଜଣକ ଭିତରେ ଅଜ୍ଞାନ ରହିପାରେ ବଳବତ୍ତର। ଅନ୍ତତଃ ପକ୍ଷେ ଶିକ୍ଷା ଆମର ମାନବିକ ଗୁଣତକ ଅପହରଣ କରି ନ ନେଉ ଏତିକି ହିଁ ଆଶା କରିବା ଯଥାର୍ଥ ମନେହେୁଏ।
ପ୍ଲଟ୍‌ ନଂ. ୧୦୦୭, ମହାନଦୀ ବିହାର, କଟକ
ମୋ: ୯୮୬୧୧୪୦୧୬୯


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri