ଆର୍ଥିକ ବୈଷମ୍ୟ ଓ ସାମାଜିକ ଚିତ୍ର

ପ୍ରଭାତ କୁମାର ଦାସ

ଲେଖାଟି ଆରମ୍ଭ କରୁଛି, ନିଜ ବ୍ୟକ୍ତିଗତ ଅନୁଭବରୁ। ପଞ୍ଚଷଠି ମସିହାରେ ମୁଁ ଏକ ସରକାରୀ ଶିଳ୍ପ ଉଦ୍ୟୋଗରେ ଉତ୍ପାଦନ ବିଭାଗରେ ବୈଷୟିକ ଶିକ୍ଷାନବିସ ଭାବରେ ଯୋଗଦେଇଥିଲି। କିଛିଦିନ ପରେ ମୋତେ, ଉତ୍ପାଦନ ବିଭାଗରୁ କଞ୍ଚାମାଲ ବ୍ୟବସାୟିକ ବିଭାଗକୁ ବଦଳି କରାହେଲା। ମୁଁ ଅସନ୍ତୋଷ ବ୍ୟକ୍ତକରି ଉଦ୍ୟୋଗ ଅଧିକାରୀଙ୍କୁ ଦେଖାକଲି। ଉତ୍ପାଦନ ବିଭାଗ ଭଳି ମୁଖ୍ୟ ବିଭାଗରୁ କଞ୍ଚାମାଲ ଭଳି ଗୌଣ ବିଭାଗକୁ ନ ଯିବା ପାଇଁ ଇଚ୍ଛା ପ୍ରକାଶ କଲି। ଉଦ୍ୟୋଗ ଅଧିକାରୀ ମୋ ଅଭିଯୋଗ ଶୁଣିଲେ, ମୋ ବଦଳି ଆଦେଶକୁ ରଦ୍ଦ କରି ମୋ ସାଥିର ଆଉ ଜଣେ ଶିକ୍ଷାନବିସଙ୍କୁ ସେଠାକୁ ପଠାଇଲେ। ଆନନ୍ଦର ସହ ସେ ଆଦେଶକୁ ଗ୍ରହଣ କଲେ।
ପଚିଶ ବର୍ଷର ଚାକିରି କାଳ ପରେ, ମୁଁ ସେଦିନର ମୂର୍ଖତା ପାଇଁ ଅନୁତାପ କରିଥିଲି। କାରଣ ଆମ ଦୁହିଁଙ୍କର ପଦବୀ ଓ ମର୍ଯ୍ୟାଦାରେ ବିଶେଷ ବ୍ୟତିକ୍ରମ ନ ହୋଇଥିଲେ ବି ବାହାର ପରିଚୟ ଓ ଆର୍ଥିକ ସ୍ବଚ୍ଛନ୍ଦତାରେ ଆକାଶପାତାଳ ପ୍ରଭେଦ ବାରିହୋଇ ପଡିଥିଲା। ମୁଁ ମୋ ନିଜ ବିଭାଗରେ ବୈଷୟିକ ପରିସୀମା ଭିତରେ ସୀମିତ ହୋଇ ରହିଗଲି। ସେ କିନ୍ତୁ ଏକ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟ ପରିଚାଳନାର ଅଧିପତି ହୋଇଗଲେ। ଖଣିଖାଦାନ ମାଲିକମାନଙ୍କଠାରୁ ଆରମ୍ଭ କରି ଅନେକ ଠିକାଦାର ଓ କମିଶନ ମଧ୍ୟସ୍ଥମାନେ ତାଙ୍କ ଚାରିପଟେ ଘୂରି ବୁଲିଲେ। ସରକାରୀ ଉଚ୍ଚାଧିକାରୀମାନଙ୍କ ସହିତ ତାଙ୍କର ପରିଚୟ ଓ ସମ୍ପର୍କ ତିଆରି ହୋଇପାରିଲା। ତେଣୁ ତାଙ୍କର କ’ଣ ସବୁ ଲାଭ ହେଲା, ସେ ସବୁ ସହଜରେ ଅନୁମେୟ।
ମୁଁ ଏତକ ଲେଖିବାର ଉଦ୍ଦେଶ୍ୟ ହେଲା, ଆମ ଦେଶର ନୀତିଚରିତ୍ର ଏଇଭଳି ମାନସିକତାରେ ଉଲ୍ଲସିତ। ଉତ୍ପାଦନଠାରୁ ବ୍ୟବସାୟ ଅଧିକ ଆକର୍ଷଣୀୟ ଓ ଲାଭପ୍ରଦ। ଆଉ ତା’ଠାରୁ ଅଧିକ ଆକର୍ଷଣୀୟ ହେଉଛି ପ୍ରଶାସନିକ ଓ ସେବା କ୍ଷମତା। ହାଡ଼ଭଙ୍ଗା କଠିନ ପରିଶ୍ରମ କରି ଯେଉଁମାନେ ଉତ୍ପାଦନ କରାନ୍ତି, ସେମାନଙ୍କ ପ୍ରତ୍ୟକ୍ଷ ଲାଭ-ବ୍ୟବସାୟିକ ଓ ପ୍ରଶାସନିକ ଉପାୟରେ ଯେଉଁମାନେ ତାକୁ ପରିଚାଳନା କରନ୍ତି, ସେମାନଙ୍କ ପରୋକ୍ଷ ଲାଭଠାରୁ ଅନେକ କମ୍‌। ଏ କଥା ଜଣେ ଚିନ୍ତା କରିପାରିବ ନାହିଁ, ଆଉ ଚିନ୍ତାକଲେ ସହିପାରିବ ନାହିଁ।
ଏବେ ଦେଶବ୍ୟାପୀ ଚାଲିଥିବା କୃଷକ ଆନ୍ଦୋଳନକୁ ବିଚାରକୁ ନିଆଯାଉ। କୃଷକମାନେ ସରକାର ବିରୋଧରେ ଆନ୍ଦୋଳନ କରୁନାହାନ୍ତି। ସେମାନଙ୍କ ଆନ୍ଦୋଳନ ବୈଷମ୍ୟତା ବିରୋଧରେ। ଯେଉଁମାନେ ଦିନ ରାତି ପରିଶ୍ରମ କରି ଦେଶ ପାଇଁ ଉତ୍ପାଦନ କରୁଛନ୍ତି, ତାଙ୍କ ଉତ୍ପାଦିତ ଦ୍ରବ୍ୟର ଯେତିକି ଲାଭ ତାଙ୍କ ପାଖରେ ପହଞ୍ଚେ, ତା’ଠାରୁ ଯଥେଷ୍ଟ ଅଧିକ ବ୍ୟବସାୟୀ ଓ ପ୍ରଶାସକଙ୍କ ପାଖରେ ପହଞ୍ଚେ। ସେମାନେ ସେହି ଲାଭକୁ କୌଶଳରେ ଅପହରଣ କରି ନିଅନ୍ତି। ଲାଭରୂପକ ଫଳରୁ ସେମାନେ ରସ ଶୋଷି ନେଲା ପରେ ଉତ୍ପାଦନ କରିଥିବା ମଣିଷ ପାଇଁ ଶିଠା ଟିକକ ରହେ। ଦେଶ ତମାମ ଏ ତିନି ଶ୍ରେଣୀର ଜୀବନଧାରଣର ମାନକକୁ ଯଦି ନିରପେକ୍ଷ ଭାବରେ ବିଚାର କରାଯାଏ, ତେବେ ଏକଥା ବୁଝିବାରେ ଅସୁବିଧା ହେବନାହିଁ ଯେ, କୃଷକ ଶ୍ରେଣୀର ଜୀବନ ଧାରଣର ମାନଠାରୁ, ପ୍ରଶାସକ ଶ୍ରେଣୀ ଓ ବ୍ୟବସାୟୀ ଶ୍ରେଣୀର ଜୀବନ ଧାରଣର ମାନ ଅନେକ ଭଲ।
ଆବଶ୍ୟକୀୟ ପଦାର୍ଥର ମୂଲ୍ୟବୃଦ୍ଧି ହେଲେ ଚାକିରିଆଙ୍କ ମହଙ୍ଗାଭତ୍ତା ଆପେ ବଢ଼ିଯାଏ। ବ୍ୟବସାୟୀମାନେ ସେମାନଙ୍କ ସେବା ଓ ସାମଗ୍ରୀର ମୂଲ୍ୟବୃଦ୍ଧି ନିଜେ କରି ଦିଅନ୍ତି। ଅବଶିଷ୍ଟ ଶ୍ରେଣୀ ଭକୁଆ ଭଳି ଚାହିଁଥାନ୍ତି। ପ୍ରଶାସକମାନେ ସରକାରଙ୍କୁ ଭୁଲ୍‌ ମାର୍ଗରେ ପରିଚାଳିତ କରାନ୍ତି। ଏଥିପାଇଁ ମଝିରେ ମଝିରେ, କେବେକେବେ ସାଙ୍ଗଠନିକ କ୍ରୋଧ ପ୍ରକାଶ ପାଏ। ତାକୁ କୁହାଯାଏ ଆନ୍ଦୋଳନ। କିନ୍ତୁ ଅଧିକାଂଶ ଅଣସଙ୍ଗଠିତ ହୋଇ ଅଧିକ ନିର୍ଯାତିତ ହୁଅନ୍ତି। ସେମାନଙ୍କ ଲାଳସା ଆଉ କ୍ରୋଧ ସହଜରେ ପ୍ରଶମିତ ହୁଏନାହିଁ। ସେମାନେ ଅନ୍ୟାୟ ଉପାୟରେ, ଆପରାଧୀକ ରାସ୍ତାରେ ଲାଭ ଆଦାୟ କରି ନେବାର ପ୍ରୟାସ କରନ୍ତି। ଆପରାଧୀକ ପ୍ରବୃତ୍ତି ବଢ଼େ। ଦେଶ ଭ୍ରଷ୍ଟାଚାର ଦିଗରେ ଯିବାର ଏହା ଏକ କାରଣ।
ଗୋଟିଏ ଅତି ସାଧାରଣ ବିଷୟ ବିଚାରକୁ ନିଆଯାଉ। ସମସ୍ତ ଉପାର୍ଜନକ୍ଷମ ନାଗରିକଙ୍କୁ ତିନି ଭାଗରେ ଭାଗ କରି ଦିଆଯାଉ। ପ୍ରଥମଟି ଯେଉଁମାନେ ଉତ୍ପାଦନ ପ୍ରକ୍ରିୟାରେ ଉପାର୍ଜନ କରନ୍ତି, ଦ୍ବିତୀୟଟି ଯେଉଁମାନେ ସେବା ଆଉ ବ୍ୟବସାୟିକ ପ୍ରକ୍ରିୟାରେ ଉପାର୍ଜନ କରନ୍ତି, ତୃତୀୟଟି ଯେଉଁମାନେ ପରିଚାଳନା ଓ ପ୍ରଶାସନିକ ଉପାୟରେ ଉପାର୍ଜନ କରନ୍ତି। ବିଗତ ପଚିଶ ବର୍ଷର ଅଭିବୃଦ୍ଧିର ହିସାବ ମୂଲ୍ୟାୟନ କରାଯାଉ। କେଉଁ ଶ୍ରେଣୀର ସମ୍ପତ୍ତିମୂଲ୍ୟ କେତେ ବଢ଼ିଛି, କିଏ କେତେ ଜୀବନ ମାନରେ ଉନ୍ନତି କରିଛି, କିଏ କେତେ ମାତ୍ରାରେ ଶିକ୍ଷା ଓ ସ୍ବାସ୍ଥ୍ୟସେବା ପାଇବାରେ ସକ୍ଷମ ହୋଇଛି, କାହାର ଆଗାମୀ ପିଢ଼ି, ଆସନ୍ତା ସମୟ ପାଇଁ କେତେ ଶିକ୍ଷାଗତ ଯୋଗ୍ୟତାରୁ ପ୍ରସ୍ତୁତ ହୋଇଛି। ଏହି ପରିଗଣନାରେ ସ୍ପଷ୍ଟ ଦେଖାଯିବ, ଉତ୍ପାଦନରେ ନିୟୋଜିତ ଶ୍ରେଣୀ ସବୁଠାରୁ ଅବହେଳିତ ଓ ଅସମର୍ଥ। ପରିଚାଳନା-ପ୍ରଶାସକ କ୍ଷେତ୍ର ସବୁଠାରୁ ବିକଶିତ।
ଏହି ମାତ୍ରାଧିକ ବୈଷମ୍ୟ କାରଣରୁ, ଦେଶର ବେକାରି ସମସ୍ୟା ବଢ଼ିଚାଲିଛି। ସମସ୍ତେ ଚାହୁଁଛନ୍ତି ଚାକିରି କରିବେ। କାରଣ ସେହି ବାଟଟି ଜୀବନ ଜିଇବାର ସବୁଠାରୁ ସହଜ ଉପାୟ। କେହି ଚାହାନ୍ତି ନାହିଁ ଚାଷ କରିବେ-ଶ୍ରମ କରିବେ। ସରକାର ସବୁବର୍ଷ ବିକାଶର ନୂଆ ନୂଆ ଯୋଜନା କରୁଛନ୍ତି। କିନ୍ତୁ ମୌଳିକ ଭାବନା ନଈରେ ଭାସି ସମୁଦ୍ରରେ ବୁଡିଗଲାଣି। ସରକାର ସେକଥା ଭାବୁନାହାନ୍ତି, କାରଣ ଯଦି ସରକାର ଠିକ ମାର୍ଗରେ ଯିବ, ତେବେ ତାଙ୍କ ହାତରୁ କ୍ଷମତାର ସୁନା ଅଣ୍ଡାଦିଆ କୁକୁଡାଟା ଉଡ଼ିଯାଇ ଏଇ ଶ୍ରମିକ-କୃଷକ ଶ୍ରେଣୀଙ୍କ ଅଗଣାରେ ଅଣ୍ଡା ଦେଇଦବ।
ଭୟାବହ କରୋନା ମହାମାରୀ ସମୟରେ, କେଉଁମାନେ ସବୁଠାରୁ ଅଧିକ ଆର୍ଥିକ ସ୍ବଚ୍ଛନ୍ଦତାରେ ରହୁଥିଲେ? ସେମାନେ ଚାକିରିଆ, ତାଙ୍କ ଆୟ ଓ ଉପାର୍ଜନରେ ଟିକିଏ ବି ମଳି ଲାଗିଲାନି। ଆମ ଦେଶରେ ସମସ୍ତେ ଏକଥା ଜାଣନ୍ତି କିନ୍ତୁ କେହି କିଛି କରିବେ ନାହିଁ।
୫୮, ସ୍ବର୍ଣ୍ଣପୁରୀ, ଭୁବନେଶ୍ବର
ମୋ-୯୪୩୭୦୧୫୨୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri