ସରକାରଙ୍କ ଇସି

ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ବହୁ ସାମ୍ବିଧାନିକ ସଂସ୍ଥାର କ୍ଷମତାକୁ ସଙ୍କୁଚିତ କରିବାରେ ଲାଗିଛନ୍ତି। ମୋଦି ସରକାର ପୂର୍ବରୁ ଯୋଜନା କମିଶନକୁ ଭାଙ୍ଗି ତା’ ସ୍ଥାନରେ ନୀତି ଆୟୋଗ ଗଢ଼ିଛନ୍ତି। ସେହିଭଳି ଅତ୍ୟଧିକ କ୍ଷମତା ପ୍ରୟୋଗ କରି ନିଜ ଦଳକୁ ସୁହାଇଲା ଭଳି ସିବିଆଇ ଓ ଇଡିକୁ ପରିଚାଳନା କରୁଛନ୍ତି। ସଦ୍ୟ ଘଟଣା ଦେଖିଲେ ନିର୍ବାଚନ କମିଶନ (ଇସି) ଭଳି ସଂସ୍ଥାରେ ସରକାରଙ୍କ ପ୍ରତି ଆନୁଗତ୍ୟ ରଖୁଥିବା ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତ କରିବାର ସବୁ ବାଟ ଖୋଲିଦିଆଯାଇଛି।
ନିକଟରେ ଶେଷ ହୋଇଥିବା ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ମଣିପୁର ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଥିଲା। ଯେତେବେଳେ ଉତ୍ତର ପୂର୍ବାଞ୍ଚଳର ଏହି ରାଜ୍ୟରେ ବୃଦ୍ଧି ପାଇଥିବା ହିଂସା ଓ ଦିଲ୍ଲୀ ସେବା ବିଲ୍‌କୁ ନେଇ ସଂସଦର ଉଭୟ ଗୃହ ସରଗରମ ଥିଲା, ସେତିକିବେଳେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଉଚ୍ଚ ସଦନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ନିର୍ବାଚନ ଆୟୁକ୍ତଙ୍କ (ନିଯୁକ୍ତି ସର୍ତ୍ତ ଓ କାର୍ଯ୍ୟକାଳ) ବିଲ୍‌, ୨୦୨୩ ଆଗତ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଇସି ଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ ପାଇଁ ନିଯୁକ୍ତି ଦେଉଥିବା କମିଟିରେ ପ୍ରଧାନମନ୍ତ୍ରୀ, ଲୋକ ସଭାର ବିରୋଧୀ ଦଳ ନେତା ଏବଂ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(ସିଜେଆଇ) ରହିବାର ବ୍ୟବସ୍ଥା ଅଛି। କିନ୍ତୁ ରାଜ୍ୟ ସଭାରେ ଆଗତ ହୋଇଥିବା ବିଲ୍‌ରେ ସିଜେଆଇଙ୍କ ସ୍ଥାନରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ରଖାଯିବାର ପ୍ରସ୍ତାବ ଦିଆଯାଇଛି। ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା। ଏହାର ନିରପେକ୍ଷତା ଗଣତନ୍ତ୍ରର ସ୍ଥାୟିତ୍ୱ ସକାଶେ ନିତାନ୍ତ ଜରୁରୀ। ଏଥିରେ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଓ ଦୁଇ ଜଣ ନିର୍ବାଚନ କମିଶନର ଅଛନ୍ତି। ଏମାନେ ନିର୍ବାଚନ ପ୍ରକ୍ରିୟାକୁ ମୁକ୍ତ ଓ ଅବାଧ ପରିଚାଳନା କରିବା ଦାୟିତ୍ୱରେ ରହିଥାଆନ୍ତି। ଏହି ପଦବୀରେ ଅବସ୍ଥାପିତ ହେଉଥିବା ବ୍ୟକ୍ତିମାନେ ନିର୍ବାଚନ ନିୟନ୍ତ୍ରକ ଭାବେ ପରିଗଣିତ ହୋଇଥାଆନ୍ତି। ଅର୍ଥାତ୍‌ ନିର୍ବାଚନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ନିରପେକ୍ଷତା ଅବଲମ୍ବନ କରିବା ହେଉଛି ଏମାନଙ୍କ ଗୁରୁଦାୟିତ୍ୱ। ନିରପେକ୍ଷତା ସେତେବେଳେ ହିଁ ବଜାୟ ରଖିହେବ ଯେବେ ନିଯୁକ୍ତି ପ୍ରକ୍ରିୟା ସ୍ବଚ୍ଛ ଓ ରାଜନୈତିକ ଦଳର ହସ୍ତକ୍ଷେପଠାରୁ ଦୂରରେ ଥିବ। ଏଠାରେ ମନେପଡ଼େ ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ର ନିମନ୍ତ୍ରଣ କ୍ରମେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ଏକ ବୈଠକରେ ଯୋଗ ଦେଇଥିଲେ। ତାହା ସାଧାରଣ ନିୟମର ଉଲ୍ଲଂଘନ ବୋଲି ଅଭିହିତ କରାଯାଇଥିଲା। ତାହାକୁ ନେଇ ସେତେବେଳେ ଘୋର ସମାଲୋଚନା ମଧ୍ୟ ହୋଇଥିଲା।
ଚଳିତବର୍ଷ ମାର୍ଚ୍ଚ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି କେନ୍ଦ୍ର ସରକାରଙ୍କ ହାତରେ ଥିଲା। ବାରମ୍ବାର ଏହି ଅଧିକାରୀଙ୍କ ଚୟନ ପ୍ରକ୍ରିୟାକୁ ନେଇ ସମାଲୋଚନା ହେବା ପରେ ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟର ଏକ ସାମ୍ବିଧାନିକ ପୀଠ ଏକ ରାୟରେ କହିଥିଲେ, ସିଇସି ଓ ଇସିମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ କମିଟି ଚୟନ କରିବ। କମିଟିର ପରାମର୍ଶ କ୍ରମେ ରାଷ୍ଟ୍ରପତି ସେମାନଙ୍କୁ ନିଯୁକ୍ତି ଦେବେ। ସେହି କମିଟିରେ ପ୍ରଧାନମନ୍ତ୍ରୀଙ୍କ ସହିତ ଲୋକ ସଭାର ବିରୋଧୀ ଦଳ ନେତା ଓ ସିଜେଆଇ ରହିବେ ବୋଲି ରାୟରେ କୁହାଯାଇଥିଲା। ଲୋକ ସଭାରେ ବିରୋଧୀ ଦଳ ନେତା ନ ଥିଲେ, ସବୁଠାରୁ ବଡ଼ ବିରୋଧୀ ଦଳର ନେତା ଏଥିରେ ସାମିଲ ହେବେ। ଇସିରେ ନିଯୁକ୍ତି ଲାଗି ସଂସଦରେ ନୂଆ ଆଇନ ପ୍ରଣୟନ ହେବା ପର୍ଯ୍ୟନ୍ତ ଏହି ଧାରା ଚାଲିବ ବୋଲି ପୀଠ ସ୍ପଷ୍ଟ କରିଥିଲେ। ହେଲେ ରାଜ୍ୟ ସଭାରେ ଆଗତ ହୋଇଥିବା ବିଲ୍‌ରେ ସିଜେଆଇଙ୍କ ସ୍ଥାନରେ ଜଣେ କ୍ୟାବିନେଟ ମନ୍ତ୍ରୀ ରହିବାର ପ୍ରସ୍ତାବ ଦିଆଯାଇଛି। ‘ଘରେ ନ ପଶୁଣୁ ଚାଳ ବାଜିବା’ ଭଳି ବିଲ୍‌ର ସ୍ବରୂପ ସୂଚାଇ ଦେଉଛି ଯେ, କେନ୍ଦ୍ର ସରକାର ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ତାଙ୍କ ମନମୁତାବକ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ଚୟନ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି। ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ, ନିର୍ବାଚନ କମିଶନକୁ ନିଜ ହାତରେ ରଖି ଶାସକ ଦଳ ଭାଜପା ଆଗକୁ ନିର୍ବାଚନ ଲଢ଼ିବାର ବାଟ ତିଆରି କରିଛି। ଦେଖିବାକୁ ମିଳେ ଯେ, ନିର୍ବାଚନ କମିଶନରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ନିଯୁକ୍ତ ହୋଇଥାଆନ୍ତି। ସେହି କ୍ରମରେ ଦେଖିଲେ ବର୍ତ୍ତମାନ ସରକାରଙ୍କ ବୋଲହାକ କରୁଥିବା ଅଫିସରଙ୍କୁ ସରକାରୀ ଆଦବକାଇଦାରେ ନିଯୁକ୍ତି ଦେବା ଲାଗି କସରତ କରାଯିବ। ସୁପ୍ରିମକୋର୍ଟ ଯେଉଁ ଚୟନ କମିଟି ବିଷୟରେ ଉଲ୍ଲେଖ କରିଥିଲେ ସେଥିରୁ ସିଜେଆଇଙ୍କୁ ବାଦ୍‌ ଦିଆଯିବା ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ବାରି ହୋଇପଡ଼ୁଛି। କାରଣ ଉକ୍ତ କମିଟିରେ ବିରୋଧୀ ଦଳ ନେତାଙ୍କ ପରାମର୍ଶକୁ ପ୍ରଧାନମନ୍ତ୍ରୀ ଓ ତାଙ୍କ କ୍ୟାବିନେଟ ମନ୍ତ୍ରୀ ଶୂନ୍ୟରେ ଉଡ଼ାଇ ଦେବାର ସବୁ ସମ୍ଭାବନା ରହିଛି।
ଏବର ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନ କମିଶନଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଉକ୍ତ ବିଲ୍‌ରେ ଥିବା ପ୍ରସ୍ତାବକୁ ଦେଖିଲେ ଏହି ସଂସ୍ଥା ଚାହିଁଲେ ବହୁ ବିବାଦୀୟ ଘଟଣାକୁ ସରକାରଙ୍କ ସପକ୍ଷରେ ଢଳେଇ ସବୁକିଛି ଏପଟସେପଟ କରିଦେବ। ଏହା ହେଲେ ନିର୍ବାଚନ ଫଳାଫଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହା ଆଗକୁ ଏକ ଗମ୍ଭୀର ସ୍ଥିତି ସୃଷ୍ଟି କରିବ। ଫଳରେ ନିର୍ବାଚନ ପ୍ରକ୍ରିୟା କଳୁଷିତ ହେବା ଥୟ। ଏକ ନିରପେକ୍ଷ ନିର୍ବାଚନ କମିଶନ ଗଢ଼ାଯିବା ଲାଗି ସରକାରଙ୍କ ଉପରେ ଚାପ ନ ପଡ଼ିଲେ ଚାଇନା କିମ୍ବା ରୁଷିଆରେ ଆଜୀବନ ରାଷ୍ଟ୍ର ମୁଖ୍ୟ ବଛାଯିବା ଭଳି ସ୍ଥିତି ଏଠାରେ ମଧ୍ୟ ଉପୁଜିପାରେ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri