ଖାଉଣିଆ

ଦ୍ୱିତୀ ଚନ୍ଦ୍ର ସାହୁ

 

ସାମ୍ନାରେ ଥିବ କଞ୍ଚା ଆମ୍ବ। ତାକୁ ଲାଗି ରହିଥିବ ଲୁଣ, ଲଙ୍କାଗୁଣ୍ଡ ଓ ଛୁରି। ଆପଣ ଦେଖୁ ଦେଖୁ ଖାଇବାକୁ ବ୍ୟାକୁଳ ହେବେ ନିଶ୍ଚିତ। ଆମ୍ବକୁ ତୁରନ୍ତ କାଟି ଲୁଣ ଲଙ୍କାରେ ବୁଡାଇ ପାକୁଳି କରିଚାଲିବେ ଓ ସ୍ବାଦକୁ ଅନୁଭବ କରିବେ। ହଁ ଆଜ୍ଞା, ଏତିକି ପଢୁ ପଢୁ ଆପଣଙ୍କର ପାଟିରେ ଲାଳ ଭରି ଯାଇଥିବ ନିଶ୍ଚିତ। ତାକୁ ତୁରନ୍ତ ଗିଳି ପକାନ୍ତୁ। ନ ହେଲେ ପାଟି ଦେଇ କାଳେ ବାହାରକୁ ବୋହିଯାଇପାରେ! ନିଜ ପସନ୍ଦର ଖାଦ୍ୟ ଖାଇବାକୁ କାହାକୁ ଭଲ ନ ଲାଗେ। ମିଳୁଛି ଯଦି ଅପେକ୍ଷା ନ କରି ସଭିଏଁ ଖାଇ ଚାଲିବେ। ପେଟ ଭରି ଗିଳିବାକୁ ତର ସହିବନି। ସେଥିପାଇଁ ତ ଭୋଜି ହେଉ କି ପାର୍ଟିରେ ଟିକେ ଅଧିକ ଖାଇବାକୁ ଇଚ୍ଛା ହୁଏ। ଅଧିକାଂଶ ଲୋକଙ୍କର ଖାଦ୍ୟରେ ରୁଚି ରହିଛି। ସେଥିରୁ ଆଉ କିଛି ଅଛନ୍ତି ପେଟୁ ବା ଖାଉଣିଆ ଗୋଷ୍ଠୀର। ତେବେ ମନପସନ୍ଦର ଖାଇବା ମିଳିଲେ ବି କେତେ ଖାଇବେ ଆପଣ? ଅତି ବେଶିରେ ସାଧାରଣ ଦିନଠାରୁ ସାମାନ୍ୟ ଅଧିକ ଖାଇବେ। ତା’ଠାରୁ ବେଶି ଅଧିକ ଖାଇବାକୁ ରୁଚିବନି। ଅଧିକା ଭୋଜନ ବଦହଜମି ହେବ। ଡାକ୍ତରଖାନାକୁ ଯିବାକୁ ପଡିବ। କିନ୍ତୁ ଏଠି ଆମେ ଯେଉଁ ଖାଦ୍ୟର କଥା କହୁଛୁ ତାହା ଯେତେ ଖାଇଲେ ବି କିଛି ହେବନି। ରଙ୍କିଠାରୁ ଧନୀ, ଧନୀଠାରୁ ମାନି ସମସ୍ତଙ୍କର ତା’ ପ୍ରତି ପ୍ରବଳ ଲୋଭ଼। ଯେତେ ଅଧିକା ଦେବେ ସେତେ ସେତେ ଖାଇବେ ପଛେ ମନା କରିବେନି କେହି।
ଏଇ ଖାଦ୍ୟ ଖାଉଣିଆଙ୍କ ବିଶେଷ ପସନ୍ଦର। ପେଟ ଭରିବା ଲାଗି ଏମିତିଆ ଖାଦ୍ୟ ଅବଶ୍ୟ ଖିଆ ଯାଏନି। ମନ ଓ ହୃଦୟ ଭରିବା ଲାଗି ଖିଆଯାଏ। ହେଲେ ମନ କୋଉଠି କେବେ ଭରେ ଯେ ଖାଇବା ଛାଡି ହୁଏ ! ସମୟ ଅନୁଯାୟୀ ନିର୍ଦ୍ଦିଷ୍ଟ ଧରଣର ଖାଦ୍ୟ ଖାଇବାର ଏକ ଅଲିଖିତ ନିୟମ ଅଛି। ଅଥଚ ଖାଉଣିଆମାନେ ଏଇ ଅପୂର୍ବ ଖାଦ୍ୟକୁ ଖାଇବା ଲାଗି ବେଳକାଳ ଦେଖନ୍ତିନି। ଠିଆ ହୋଇ, ବସି ବସି, ଘରେ, ବାହାରେ, ଦିନରେ ଓ ରାତିରେ ସବୁଠି ସବୁସ୍ଥିତିରେ ଖାଉଣିଆମାନେ ସହଜରେ ଖାଇପାରନ୍ତି। ଅବସ୍ଥା ଭିତରେ ବ୍ୟବସ୍ଥା କରିପାରନ୍ତି। ଭଲକୁ ଭେଲ ଓ ଖରାପକୁ ଗେଲ କରିପାରନ୍ତି। କିଛି ନିର୍ଦ୍ଦିଷ୍ଟ ଜାତୀୟ ଲୋକଙ୍କୁ ଖାଉଣିଆ ବୋଲି ସାଧାରଣରେ ଗଣା ଯାଉଥିଲେ ବି ଏହି ତାଲିକା ଏବେ ବହୁତ ଲମ୍ବା। ଭାରତରେ ଏମିତି ଖାଉଣିଆଙ୍କ ସଂଖ୍ୟା ପ୍ରବଳ ବେଗରେ ଓ ପ୍ରବଳ ସଂଖ୍ୟାରେ ବଢୁଥିବାରୁ ବିଶ୍ୱରେ ଦୁର୍ନୀତି ଦେଶ କ୍ରମରେ ଆମ ଦେଶ ୮୬ତମ ସ୍ଥାନରେ। ଭିନ୍ନ ଭିନ୍ନ ମାର୍ଗରେ ଖାଉଣିଆମାନେ ସହଜରେ ଲାଞ୍ଚ ଖାଇପାରନ୍ତି। ଲାଞ୍ଚ ଖାଇବା ରୋକିବାକୁ ବହୁ ସଂସ୍ଥା ରହିଥିଲେ ବି ଦେଶରୁ ଦୁର୍ନୀତିକୁ ହଟାଯାଇ ପାରୁନି। ଖାଉଣିଆମାନେ ଅର୍ଥ ଖାଇବା ଲାଗି ବହୁ ଉପାୟ ଅବଲମ୍ବନ କରନ୍ତି। ସହଜିଆ କାମକୁ ଜାଣିଶୁଣି ଅଧିକ ଜଟିଳ କରିଦିଅନ୍ତି। ସେଥିରୁ ମୁକୁଳିବା ଲାଗି ଶରଣାଗତଙ୍କ ତଣ୍ଟିକୁ ଧରି ଖାଉଣିଆମାନେ ଶୋଷି ଚାଲନ୍ତି । ଆଉ କିଛି ମୂଳରୁ ସର୍ବସ୍ବାହା କରିବାରେ ପାରିବାର। ଭାରି ଦମ୍ଭର ସହ ସବୁ ଚଳୁ କରିପାରନ୍ତି ଅକ୍ଳେଶରେ। ଅନୁଦାନକୁ ଏମିତି ବାଗରେ ବ୍ୟୟ କରିବେ ଯେମିତି ସବୁକିଛି ଠିକ୍‌ଠାକ୍‌ ଥିବ। ମାତ୍ର ଭିତରେ ଫମ୍ପା ହୋଇ ସାରିଥିବ। କୋଉଠି ସ୍ତର ସ୍ତର ଦେଇ ଏସବୁ ହୁଏ। ଭାଗବଣ୍ଟା ବି ଠିକ୍‌ଠାକ୍‌ ଭାବେ ହେବା ଜରୁରୀ, ଯାହାର ଯେତିକି ପ୍ରାପ୍ୟ ସେଇ ପରିମାଣରେ ତା’ ନିକଟରେ ଠିକ୍‌ ସମୟରେ ପହଞ୍ଚିବା ଦରକାର। ନ ହେଲେ କାମ ହାସଲର ଗତି ବିଗିଡ଼ି ଯାଇପାରେ।
ସବୁ କ୍ଷେତ୍ରରେ ଏବଂ ସବୁ ସ୍ତରରେ ଏମିତି ଖାଉଣିଆ ଅଛନ୍ତି ବୋଲି ଗୋଟେ ବିଧିବଦ୍ଧ ଧାରଣା ହୋଇଗଲାଣି ସମସ୍ତଙ୍କର। ଅବଶ୍ୟ ତାରି ଭିତରେ କିଛି ଭଲ ଲୋକ ଅଛନ୍ତି ବୋଲି ଏଇ ନେଣଦେଣ, ଠକାମି ଆଦି କଲାବେଳେ ବହୁ ସର୍ତକତା ଅବଲମ୍ବନ କରିବାକୁ ପଡେ। ସେଇ ଭଲ ଲୋକଟି ପ୍ରତି ବାକି ଖାଉଣିଆଙ୍କ ପ୍ରବଳ ଭୟ ଥାଏ। ସବୁ ଖାଉଣିଆମାନେ ନିଜକୁ ଧୂର୍ତ୍ତ ଓ ଚାଲକି ବୋଲି ଭାବନ୍ତି ସତ। ସ୍ବଚ୍ଛତାର ବେଶି ଜୟଗାନ କରନ୍ତି। ନିଜକୁ ଅଧିକ ସାଧୁ ବୋଲି ପ୍ରକାଶ କରିବାରେ କୁଣ୍ଠା କରନ୍ତିନି। ଏମିତିକି ଦୁର୍ନୀତିକୁ ନେଇ ଲମ୍ବାଚୌଡା ସୁନ୍ଦର ଭାଷଣ ବି ଝାଡିପାରନ୍ତି। ନିଜକୁ ଜଣେ ଦକ୍ଷ ଓ ଅତ୍ୟନ୍ତ ସଚ୍ଚୋଟ ବୋଲି ଅଭିହିତ କରିଥାନ୍ତି କଥାରେ କଥାରେ। କିନ୍ତୁ ସେମାନଙ୍କ ସମସ୍ତ କାରନାମାକୁ ପାଖାପାଖି ଲୋକ ବେଶ୍‌ ଜାଣନ୍ତି। ବିଶେଷତଃ ନିଜର ବିଶ୍ୱସ୍ତ ଅଧସ୍ତନ ବା ଅନୁଗାମୀମାନେ ହିଁ ଖାଉଣିଆଙ୍କ ଗୁମରକୁ ଧୀରେ ଖୋଲି ଦେଇଥାନ୍ତି। ସବୁକିଛି ଠିକ୍‌ଠାକ୍‌ ଥିଲେ ଗାଡି ଆରାମରେ ଗଡିଚାଲେ। ଅସାଧୁ ମେଣ୍ଟ ଭିତରେ ସାମାନ୍ୟ ଓଲମବିଲମ ହେଲେ ଅସନ୍ତୁଷ୍ଟ ବର୍ଗ ଅଡୁଆ ସୂତାର ଗଣ୍ଠିକୁ ଖୋଲି ଦିଅନ୍ତି ପ୍ରକାଶ୍ୟରେ। ସେଇଠୁ ଆରମ୍ଭ ହୁଏ ଅଧଃପତନ ଖାଉଣିଆଙ୍କର।
ଏଇକ୍ରମରେ ଥୋକାଏ ଅଧସ୍ତନ ବି ଖାଉଣିଆଙ୍କ ସହ ଜଡିତ ହୋଇ ଭୟରେ ସବୁବେଳେ ଛନଛନ ହୋଇ ରହନ୍ତି। କ’ଣ କିଛି ଘଟିଗଲେ ଚଡକ ବି ସେମାନଙ୍କ ମୁଣ୍ଡରେ ପଡିପାରେ ଏକଥା ନିଶ୍ଚିତ ଥାଆନ୍ତି। ତଥାପି ସ୍ବଭାବକୁ ଛାଡିପାରନ୍ତିନି। ମୋହରେ ଉବୁଟୁବୁ ହେଉଥାନ୍ତି। ବାକି କିଛି ଲୋକ ସମୟ ସବୁକିଛି ଠିକ୍‌ କରିଦେବ ଭାବି ଚୁପ ରହନ୍ତି। ଅନେକଙ୍କୁ ଅଧା ନଈରେ ବୁଡିବାକୁ ହୁଏ। ସମୟ ସୁଅରେ ଅନେକ ଖସି ଯାଆନ୍ତି ନିଜ ଭାଗ୍ୟର ଜୋରରେ। ଅଥଚ ଭଗବାନଙ୍କ ଦରବାରରୁ ମୁକୁଳି ପାରନ୍ତିନି ସେମାନେ। ବ୍ୟକ୍ତିଗତ ଜୀବନରେ ସବୁଥାଇ ବଞ୍ଚିବା ଲାଗି ଦହଗଞ୍ଜ ହୁଅନ୍ତି। ରୋଗ, କ୍ଳେଶ ଓ ଯନ୍ତ୍ରଣା ଭିତରେ ଛଟପଟ ହୁଅନ୍ତି। ଖାଉଣିଆମାନେ ହେଜନ୍ତୁ- ସତରେ ସମୟ ବଡ ବଳବାନ! ଆପଣମାନେ ଯେଉଁ ଯେଉଁ ମାର୍ଗରେ ଖାଇବା ଅଭ୍ୟାସ କରିଛନ୍ତି ସମୟ ଆସିଲେ ସେଥି ଭିତରୁ କୋଉ ମାର୍ଗରେ ଆପଣଙ୍କ ତଣ୍ଟି ଏମିତି ଚିପି ହୋଇଯିବ ଯେ ମୁକୁଳିବା ଲାଗି ଛଟପଟ ହେଉଥିବେ ଅଥଚ କେହି ସହାୟତା କରିବାକୁ ଆସିବେନି। ଏମିତିକି ବିଶ୍ୱସ୍ତ ବୋଲାଉଥିବା ଅଧସ୍ତନ ମୁହଁକୁ ଛାହିଁବେନି। ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ କରଛଡା ହୋଇଯିବେ କିଛି ନ ଜାଣିବା ପଣରେ। ମଧୁମେହ ରୋଗୀ ଖାଇବା ଲାଳସାରେ ନିଜର ଅବସ୍ଥା ଜାଣି ବି ସୁବିଧା ସୁଯୋଗ ମିଳିଲେ ପାଟିରେ ମିଠା ପୂରେଇଦିଏ ଏବଂ ପଛରେ ବହୁତ ଭୋଗିବା ଭଳି ଖାଉଣିଆଙ୍କ ଏଇ ନିଆରା ବଦଭ୍ୟାସ ନିଜକୁ ସହଜରେ ସଙ୍କଟ ଭିତରକୁ ଟାଣିନିଏ। କାରଣ ଅତି ହେଲେ ପରା ଇତି ହୁଏ। ସୁତରାଂ ଖାଉଣିଆ ସାବଧାନ! ବେଳ ଥାଉ ଥାଉ ସୁଧୁରିଯାଅ!
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା
ମୋ:୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri