ଖାଉଣିଆ

ଦ୍ୱିତୀ ଚନ୍ଦ୍ର ସାହୁ

 

ସାମ୍ନାରେ ଥିବ କଞ୍ଚା ଆମ୍ବ। ତାକୁ ଲାଗି ରହିଥିବ ଲୁଣ, ଲଙ୍କାଗୁଣ୍ଡ ଓ ଛୁରି। ଆପଣ ଦେଖୁ ଦେଖୁ ଖାଇବାକୁ ବ୍ୟାକୁଳ ହେବେ ନିଶ୍ଚିତ। ଆମ୍ବକୁ ତୁରନ୍ତ କାଟି ଲୁଣ ଲଙ୍କାରେ ବୁଡାଇ ପାକୁଳି କରିଚାଲିବେ ଓ ସ୍ବାଦକୁ ଅନୁଭବ କରିବେ। ହଁ ଆଜ୍ଞା, ଏତିକି ପଢୁ ପଢୁ ଆପଣଙ୍କର ପାଟିରେ ଲାଳ ଭରି ଯାଇଥିବ ନିଶ୍ଚିତ। ତାକୁ ତୁରନ୍ତ ଗିଳି ପକାନ୍ତୁ। ନ ହେଲେ ପାଟି ଦେଇ କାଳେ ବାହାରକୁ ବୋହିଯାଇପାରେ! ନିଜ ପସନ୍ଦର ଖାଦ୍ୟ ଖାଇବାକୁ କାହାକୁ ଭଲ ନ ଲାଗେ। ମିଳୁଛି ଯଦି ଅପେକ୍ଷା ନ କରି ସଭିଏଁ ଖାଇ ଚାଲିବେ। ପେଟ ଭରି ଗିଳିବାକୁ ତର ସହିବନି। ସେଥିପାଇଁ ତ ଭୋଜି ହେଉ କି ପାର୍ଟିରେ ଟିକେ ଅଧିକ ଖାଇବାକୁ ଇଚ୍ଛା ହୁଏ। ଅଧିକାଂଶ ଲୋକଙ୍କର ଖାଦ୍ୟରେ ରୁଚି ରହିଛି। ସେଥିରୁ ଆଉ କିଛି ଅଛନ୍ତି ପେଟୁ ବା ଖାଉଣିଆ ଗୋଷ୍ଠୀର। ତେବେ ମନପସନ୍ଦର ଖାଇବା ମିଳିଲେ ବି କେତେ ଖାଇବେ ଆପଣ? ଅତି ବେଶିରେ ସାଧାରଣ ଦିନଠାରୁ ସାମାନ୍ୟ ଅଧିକ ଖାଇବେ। ତା’ଠାରୁ ବେଶି ଅଧିକ ଖାଇବାକୁ ରୁଚିବନି। ଅଧିକା ଭୋଜନ ବଦହଜମି ହେବ। ଡାକ୍ତରଖାନାକୁ ଯିବାକୁ ପଡିବ। କିନ୍ତୁ ଏଠି ଆମେ ଯେଉଁ ଖାଦ୍ୟର କଥା କହୁଛୁ ତାହା ଯେତେ ଖାଇଲେ ବି କିଛି ହେବନି। ରଙ୍କିଠାରୁ ଧନୀ, ଧନୀଠାରୁ ମାନି ସମସ୍ତଙ୍କର ତା’ ପ୍ରତି ପ୍ରବଳ ଲୋଭ଼। ଯେତେ ଅଧିକା ଦେବେ ସେତେ ସେତେ ଖାଇବେ ପଛେ ମନା କରିବେନି କେହି।
ଏଇ ଖାଦ୍ୟ ଖାଉଣିଆଙ୍କ ବିଶେଷ ପସନ୍ଦର। ପେଟ ଭରିବା ଲାଗି ଏମିତିଆ ଖାଦ୍ୟ ଅବଶ୍ୟ ଖିଆ ଯାଏନି। ମନ ଓ ହୃଦୟ ଭରିବା ଲାଗି ଖିଆଯାଏ। ହେଲେ ମନ କୋଉଠି କେବେ ଭରେ ଯେ ଖାଇବା ଛାଡି ହୁଏ ! ସମୟ ଅନୁଯାୟୀ ନିର୍ଦ୍ଦିଷ୍ଟ ଧରଣର ଖାଦ୍ୟ ଖାଇବାର ଏକ ଅଲିଖିତ ନିୟମ ଅଛି। ଅଥଚ ଖାଉଣିଆମାନେ ଏଇ ଅପୂର୍ବ ଖାଦ୍ୟକୁ ଖାଇବା ଲାଗି ବେଳକାଳ ଦେଖନ୍ତିନି। ଠିଆ ହୋଇ, ବସି ବସି, ଘରେ, ବାହାରେ, ଦିନରେ ଓ ରାତିରେ ସବୁଠି ସବୁସ୍ଥିତିରେ ଖାଉଣିଆମାନେ ସହଜରେ ଖାଇପାରନ୍ତି। ଅବସ୍ଥା ଭିତରେ ବ୍ୟବସ୍ଥା କରିପାରନ୍ତି। ଭଲକୁ ଭେଲ ଓ ଖରାପକୁ ଗେଲ କରିପାରନ୍ତି। କିଛି ନିର୍ଦ୍ଦିଷ୍ଟ ଜାତୀୟ ଲୋକଙ୍କୁ ଖାଉଣିଆ ବୋଲି ସାଧାରଣରେ ଗଣା ଯାଉଥିଲେ ବି ଏହି ତାଲିକା ଏବେ ବହୁତ ଲମ୍ବା। ଭାରତରେ ଏମିତି ଖାଉଣିଆଙ୍କ ସଂଖ୍ୟା ପ୍ରବଳ ବେଗରେ ଓ ପ୍ରବଳ ସଂଖ୍ୟାରେ ବଢୁଥିବାରୁ ବିଶ୍ୱରେ ଦୁର୍ନୀତି ଦେଶ କ୍ରମରେ ଆମ ଦେଶ ୮୬ତମ ସ୍ଥାନରେ। ଭିନ୍ନ ଭିନ୍ନ ମାର୍ଗରେ ଖାଉଣିଆମାନେ ସହଜରେ ଲାଞ୍ଚ ଖାଇପାରନ୍ତି। ଲାଞ୍ଚ ଖାଇବା ରୋକିବାକୁ ବହୁ ସଂସ୍ଥା ରହିଥିଲେ ବି ଦେଶରୁ ଦୁର୍ନୀତିକୁ ହଟାଯାଇ ପାରୁନି। ଖାଉଣିଆମାନେ ଅର୍ଥ ଖାଇବା ଲାଗି ବହୁ ଉପାୟ ଅବଲମ୍ବନ କରନ୍ତି। ସହଜିଆ କାମକୁ ଜାଣିଶୁଣି ଅଧିକ ଜଟିଳ କରିଦିଅନ୍ତି। ସେଥିରୁ ମୁକୁଳିବା ଲାଗି ଶରଣାଗତଙ୍କ ତଣ୍ଟିକୁ ଧରି ଖାଉଣିଆମାନେ ଶୋଷି ଚାଲନ୍ତି । ଆଉ କିଛି ମୂଳରୁ ସର୍ବସ୍ବାହା କରିବାରେ ପାରିବାର। ଭାରି ଦମ୍ଭର ସହ ସବୁ ଚଳୁ କରିପାରନ୍ତି ଅକ୍ଳେଶରେ। ଅନୁଦାନକୁ ଏମିତି ବାଗରେ ବ୍ୟୟ କରିବେ ଯେମିତି ସବୁକିଛି ଠିକ୍‌ଠାକ୍‌ ଥିବ। ମାତ୍ର ଭିତରେ ଫମ୍ପା ହୋଇ ସାରିଥିବ। କୋଉଠି ସ୍ତର ସ୍ତର ଦେଇ ଏସବୁ ହୁଏ। ଭାଗବଣ୍ଟା ବି ଠିକ୍‌ଠାକ୍‌ ଭାବେ ହେବା ଜରୁରୀ, ଯାହାର ଯେତିକି ପ୍ରାପ୍ୟ ସେଇ ପରିମାଣରେ ତା’ ନିକଟରେ ଠିକ୍‌ ସମୟରେ ପହଞ୍ଚିବା ଦରକାର। ନ ହେଲେ କାମ ହାସଲର ଗତି ବିଗିଡ଼ି ଯାଇପାରେ।
ସବୁ କ୍ଷେତ୍ରରେ ଏବଂ ସବୁ ସ୍ତରରେ ଏମିତି ଖାଉଣିଆ ଅଛନ୍ତି ବୋଲି ଗୋଟେ ବିଧିବଦ୍ଧ ଧାରଣା ହୋଇଗଲାଣି ସମସ୍ତଙ୍କର। ଅବଶ୍ୟ ତାରି ଭିତରେ କିଛି ଭଲ ଲୋକ ଅଛନ୍ତି ବୋଲି ଏଇ ନେଣଦେଣ, ଠକାମି ଆଦି କଲାବେଳେ ବହୁ ସର୍ତକତା ଅବଲମ୍ବନ କରିବାକୁ ପଡେ। ସେଇ ଭଲ ଲୋକଟି ପ୍ରତି ବାକି ଖାଉଣିଆଙ୍କ ପ୍ରବଳ ଭୟ ଥାଏ। ସବୁ ଖାଉଣିଆମାନେ ନିଜକୁ ଧୂର୍ତ୍ତ ଓ ଚାଲକି ବୋଲି ଭାବନ୍ତି ସତ। ସ୍ବଚ୍ଛତାର ବେଶି ଜୟଗାନ କରନ୍ତି। ନିଜକୁ ଅଧିକ ସାଧୁ ବୋଲି ପ୍ରକାଶ କରିବାରେ କୁଣ୍ଠା କରନ୍ତିନି। ଏମିତିକି ଦୁର୍ନୀତିକୁ ନେଇ ଲମ୍ବାଚୌଡା ସୁନ୍ଦର ଭାଷଣ ବି ଝାଡିପାରନ୍ତି। ନିଜକୁ ଜଣେ ଦକ୍ଷ ଓ ଅତ୍ୟନ୍ତ ସଚ୍ଚୋଟ ବୋଲି ଅଭିହିତ କରିଥାନ୍ତି କଥାରେ କଥାରେ। କିନ୍ତୁ ସେମାନଙ୍କ ସମସ୍ତ କାରନାମାକୁ ପାଖାପାଖି ଲୋକ ବେଶ୍‌ ଜାଣନ୍ତି। ବିଶେଷତଃ ନିଜର ବିଶ୍ୱସ୍ତ ଅଧସ୍ତନ ବା ଅନୁଗାମୀମାନେ ହିଁ ଖାଉଣିଆଙ୍କ ଗୁମରକୁ ଧୀରେ ଖୋଲି ଦେଇଥାନ୍ତି। ସବୁକିଛି ଠିକ୍‌ଠାକ୍‌ ଥିଲେ ଗାଡି ଆରାମରେ ଗଡିଚାଲେ। ଅସାଧୁ ମେଣ୍ଟ ଭିତରେ ସାମାନ୍ୟ ଓଲମବିଲମ ହେଲେ ଅସନ୍ତୁଷ୍ଟ ବର୍ଗ ଅଡୁଆ ସୂତାର ଗଣ୍ଠିକୁ ଖୋଲି ଦିଅନ୍ତି ପ୍ରକାଶ୍ୟରେ। ସେଇଠୁ ଆରମ୍ଭ ହୁଏ ଅଧଃପତନ ଖାଉଣିଆଙ୍କର।
ଏଇକ୍ରମରେ ଥୋକାଏ ଅଧସ୍ତନ ବି ଖାଉଣିଆଙ୍କ ସହ ଜଡିତ ହୋଇ ଭୟରେ ସବୁବେଳେ ଛନଛନ ହୋଇ ରହନ୍ତି। କ’ଣ କିଛି ଘଟିଗଲେ ଚଡକ ବି ସେମାନଙ୍କ ମୁଣ୍ଡରେ ପଡିପାରେ ଏକଥା ନିଶ୍ଚିତ ଥାଆନ୍ତି। ତଥାପି ସ୍ବଭାବକୁ ଛାଡିପାରନ୍ତିନି। ମୋହରେ ଉବୁଟୁବୁ ହେଉଥାନ୍ତି। ବାକି କିଛି ଲୋକ ସମୟ ସବୁକିଛି ଠିକ୍‌ କରିଦେବ ଭାବି ଚୁପ ରହନ୍ତି। ଅନେକଙ୍କୁ ଅଧା ନଈରେ ବୁଡିବାକୁ ହୁଏ। ସମୟ ସୁଅରେ ଅନେକ ଖସି ଯାଆନ୍ତି ନିଜ ଭାଗ୍ୟର ଜୋରରେ। ଅଥଚ ଭଗବାନଙ୍କ ଦରବାରରୁ ମୁକୁଳି ପାରନ୍ତିନି ସେମାନେ। ବ୍ୟକ୍ତିଗତ ଜୀବନରେ ସବୁଥାଇ ବଞ୍ଚିବା ଲାଗି ଦହଗଞ୍ଜ ହୁଅନ୍ତି। ରୋଗ, କ୍ଳେଶ ଓ ଯନ୍ତ୍ରଣା ଭିତରେ ଛଟପଟ ହୁଅନ୍ତି। ଖାଉଣିଆମାନେ ହେଜନ୍ତୁ- ସତରେ ସମୟ ବଡ ବଳବାନ! ଆପଣମାନେ ଯେଉଁ ଯେଉଁ ମାର୍ଗରେ ଖାଇବା ଅଭ୍ୟାସ କରିଛନ୍ତି ସମୟ ଆସିଲେ ସେଥି ଭିତରୁ କୋଉ ମାର୍ଗରେ ଆପଣଙ୍କ ତଣ୍ଟି ଏମିତି ଚିପି ହୋଇଯିବ ଯେ ମୁକୁଳିବା ଲାଗି ଛଟପଟ ହେଉଥିବେ ଅଥଚ କେହି ସହାୟତା କରିବାକୁ ଆସିବେନି। ଏମିତିକି ବିଶ୍ୱସ୍ତ ବୋଲାଉଥିବା ଅଧସ୍ତନ ମୁହଁକୁ ଛାହିଁବେନି। ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ କରଛଡା ହୋଇଯିବେ କିଛି ନ ଜାଣିବା ପଣରେ। ମଧୁମେହ ରୋଗୀ ଖାଇବା ଲାଳସାରେ ନିଜର ଅବସ୍ଥା ଜାଣି ବି ସୁବିଧା ସୁଯୋଗ ମିଳିଲେ ପାଟିରେ ମିଠା ପୂରେଇଦିଏ ଏବଂ ପଛରେ ବହୁତ ଭୋଗିବା ଭଳି ଖାଉଣିଆଙ୍କ ଏଇ ନିଆରା ବଦଭ୍ୟାସ ନିଜକୁ ସହଜରେ ସଙ୍କଟ ଭିତରକୁ ଟାଣିନିଏ। କାରଣ ଅତି ହେଲେ ପରା ଇତି ହୁଏ। ସୁତରାଂ ଖାଉଣିଆ ସାବଧାନ! ବେଳ ଥାଉ ଥାଉ ସୁଧୁରିଯାଅ!
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା
ମୋ:୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?