ପୃଥିବୀ ମା’ର ଚିଠି

ଡ. ଅମରେନ୍ଦ୍ର ଦାସ

 

ମୋ ପିଲାମାନେ ମୋ ସାଙ୍ଗରେ ଘଡ଼ିଏ ବସିବ କି? ତୁମ ସହ ଦୁଇ ପଦ କଥା ହେବାର ଥିଲା। ବହୁତ ଦିନ ହେଲା ତୁମମାନଙ୍କ ସହ କଥା ହେବି ବୋଲି ଭାବିଲିଣି, ହେଲେ ତୁମମାନଙ୍କର କାର୍ଯ୍ୟବ୍ୟସ୍ତତା ଦେଖି କହିପାରୁ ନ ଥିଲି। ହେଲେ ଏବେ କରୋନା ପାଇଁ ସମସ୍ତେ ଘରେ ରହୁଛ। ଭାବିଲି ଏଇ ସମୟରେ କଥା ହେଇଯିବି। କରୋନା ମହାମାରୀ ଯୋଗୁ ତମେମାନେ ଜାକଜମକରେ ମୋତେ ଦୁର୍ଗା ମା’ ଭାବରେ ପୂଜା କରିପାରିଲନି କି ଏବେ ମା’ କାଳୀ ରୂପରେ ବି ପୂଜା କରିପାରୁନାହଁ। ଏଥିପାଇଁ ତୁମମାନଙ୍କର ମନ ଊଣା। ତମେମାନେ ସବୁ ନୂଆ ଜାମାପ୍ୟାଣ୍ଟ ଆଉ ଶାଢ଼ି ପିନ୍ଧି କେତେ ମେଢ଼ବୁଲି ଦେଖିଥାଆନ୍ତ। ସବୁଆଡ଼େ ରଙ୍ଗିନ ଆଲୋକରେ ଝଟକିଥାଆନ୍ତା। କେତେ ବାଣ ଫୁଟେଇ ଥାଆନ୍ତ। ପୂଜାଉତ୍ତାରୁ ମୂର୍ତ୍ତି ବିସର୍ଜନ କରିବାବେଳେ କେତେ ଖୁସିି କରିଥାନ୍ତ। ତୁମମାନଙ୍କର ମନଊଣା ବୋଲି ମୋ ମନ ବି ଟିକେ ଊଣା। ହେଲେ ମୋ ନିଜ ମନ କିନ୍ତୁ ଭାରି ଖୁସି। ମୁଁ କାରଣଟା ନ କହିଲେ ତମେମାନେ ମୋତେ କାଳେ ଭୁଲ ବୁଝିବ। ସେଥିପାଇଁ ତମକୁ କହୁଛି ଟିକେ ମନଦେଇ ଶୁଣିବ ଆଉ ଚିନ୍ତା କରିବ। ପୂଜା ସାରି ଯେତେବେଳେ ମୂର୍ତ୍ତିଗୁଡ଼ାକ ପାଣିରେ ପକେଇ ଦଉଛ ମତେ ଭାରି କଷ୍ଟ ହୁଏ। ଆଗରୁ ଜଣେ ଅଧେ କିଏ ପକାଉଥିଲା ବୋଲି ମୋ ପାଣି ଏତେ କିଛି ମଇଳା ହଉ ନ ଥିଲା। କିନ୍ତୁ ଏବେ ତମେମାନେ ବହୁ ସଂଖ୍ୟାରେ ଆଉ ଏତେସବୁ ବିଷାକ୍ତ ରଙ୍ଗ ଲଗେଇ ମୋ ପାଣି ବିଷାକ୍ତ କରିଦଉଛ। ପାଣିଘରେ ଥିବା ସବୁଛୁଆ ଭାରି କଷ୍ଟ ପାଆନ୍ତି। ଅନେକ ମାଛଛୁଆ ଜୀବନ ବି ହାରୁଛନ୍ତି। ଆଉ ଏଇ ବିଷପାଣି ପିଇ ବାକି ପଶୁପକ୍ଷୀ ଛୁଆ ବି ଅଜଣା ରୋଗରେ ମରୁଛନ୍ତି। ଏଇସବୁ ଦେଖି ମୋ ଦେହ ସହୁନି।
ତମେମାନେ ଯେମିତି ମୋ ଛୁଆ, ବାକି ପଶୁପକ୍ଷୀ ସବୁ ବି ମୋ ଛୁଆ। ତମେମାନେ ସବୁ ମିଳିମିଶି ଖୁସିରେ ରହିଲେ ମୁଁ ସିନା ଖୁସିରେ ରହନ୍ତି। ହେଲେ ତମେମାନେ ପାଠଶାଠ ପଢି ବୁଦ୍ଧିଆ ହେଲ ବୋଲି ମୋର ବାକି ଛୁଆମାନଙ୍କୁ ଭାରି ହୀନିମାନ କରୁଛ। କୋଉ କୋଉ ଦେଶରେ ତ ସବୁପ୍ରକାର ପୋକଜୋକ, ପଶୁପକ୍ଷୀ କୀଟପତଙ୍ଗମାନଙ୍କୁ ବି ତମେମାନେ ମାରିକିି ଖାଇଦଉଛ। ମାରିମାରି ତମେ ମୋର କେତେ ଛୁଆମାନଙ୍କର ବଂଶ ବି ନିପାତ କରିସାରିଲଣି। ଆଉ ତାଙ୍କୁ ସବୁ ଖାଉ ଖାଉ ତମ ଦେହପାଆ ବି ଖରାପ ହଉଚି। ଏଇସବୁ ଦେଖିକି ମୋ ଦେହ ସହୁନି। ଏଇ ଦେଖୁନ, ଏବେ ଯୋଉ ତମମାନଙ୍କୁ ସବୁ କରୋନା ରୋଗ ହଉଚି।
ତମେମାନେ ବହିପଢ଼ିଲା ବେଳକୁ ଯେତେବେଳେ ବସୁଧୈବ କୁଟୁମ୍ବକଂ କୁହ ଶୁଣିକି ମନଟା ଭାରି ଖୁସିଲାଗେ। ହେଲେ ତମ ଆଚାର ବ୍ୟବହାର ଦେଖିଲାବେଳକୁ ମୋର ଛାତିଟି କୋହଭରା ହୋଇଯାଏ। ତମେମାନେ ଖାଲି ନିଜ ସ୍ବାର୍ଥ ଭାବି ନିଜେ କ’ଣ ଖାଇବ, ପିଇବ, ପିନ୍ଧିବ ଏଇସବୁ ଚିନ୍ତାକରୁଛ ହେଲେ ତମ ଚାଲିଚଳଣି ଯୋଗୁ ଯଦି ମୋର ଅନ୍ୟ ପିଲାମାନେ ରୋଗରେ ପଡ଼ିବେ କି ମୃତ୍ୟୁବରଣ କରିବେ ମତେ କେମିତି ଲାଗିବ? ମୁଁ ଆଗରୁ ତମକୁ କିଛି କହିଲିନି। ଭାବିଲି ତମେମାନେ ଆଗ ଭଲରେ ରହିଲେ ଅନ୍ୟ ଜୀବଜନ୍ତୁ, ପକ୍ଷୀ, କୀଟପତଙ୍ଗ, ବୃକ୍ଷଲତା ଆଦି ସବୁଙ୍କ କଥାବି ଟିକେ ଭାବିବ। ଆଉ ସେମାନେ କେମିତି ଟିକେ ଖୁସିରେ ରହିବେ ତମେ ସଜାଗ ହୋଇ ସାହାଯ୍ୟ କରିବ। ହେଲେ ତମେମାନେ କ’ଣ ସବୁ କରିଦେଲ? ମୋର ଅନ୍ୟସବୁ ଲକ୍ଷ ଲକ୍ଷ ପ୍ରଜାତିର ପିଲାମାନଙ୍କୁ ତମେମାନେ ପୂରା ନିଶ୍ଚିହ୍ନ କରିଦେଲ। ଏଇସବୁ ଦେଖି ମୁଁ କ’ଣ ଶାନ୍ତିରେ ରହିପାରିବି। ମୁଁ ଏବେ ଭାବୁଛି ତୁମମାନଙ୍କୁ ଆଗରୁ ଆକଟ କରିବାର ଥିଲା।
ତମେମାନେ ଆଗରୁ କେଡେ ଶ୍ରଦ୍ଧାରେ ମାଟି ମା’, ପୃଥିବୀ ମା’, ଧରିତ୍ରୀ ମା’, ଗଙ୍ଗା ମା’ ଏଇମିତି କେତେକ’ଣ କହି ଶ୍ରଦ୍ଧା କରୁଥିଲ। ପୂଜାର୍ଚ୍ଚନା ବି କରୁଥିଲ। ଏବେ ବେଳେ ବେଳେ ପୂଜା ବି କରୁଛ; ହେଲେ ସେ ଶ୍ରଦ୍ଧା ନାହିଁ। ତମେମାନେ ଚାରିଆଡ଼େ ବିଷଦେଇ ମତେ କଲବଲ କରିଦେଲଣି। ମୋ ଦେହ ବିଷାକ୍ତ ହେବାରୁ ମୋର କେତେ ଅନ୍ୟସବୁ ପିଲାମାନେ ଅଚିହ୍ନା ରୋଗରେ ପଡ଼ି ମରିହଜି ଗଲେ। ତମମାନଙ୍କୁ ଯେତେବେଳେ ମୁଁ ଜନମ କରିଥିଲି, ତମ ବଞ୍ଚିବା ପାଇଁ କେତେ କ’ଣ ବ୍ୟବସ୍ଥା କରି ନ ଥିଲି। କେତେ ପ୍ରକାର ଫଳ, ମୂଳ ଓ ପତ୍ରସବୁ ଫଳେଇଛି ତମମାନଙ୍କ ପାଇଁ। ତମେମାନେ ଯଦି ବାଣ୍ଟିକି ଖାଇଥାନ୍ତ, ଏସବୁ ସରି ନ ଥାନ୍ତା। ହେଲେ ତମେମାନେ କ’ଣ କଲ ! ସବୁ ନଷ୍ଟ କରିଦେଲ। ଜଙ୍ଗଲ ଧ୍ୱଂସ କରିଦେଲ, ମାଟି, ପାଣି, ପବନ, ଆକାଶ, ସବୁକୁ ବିଷାକ୍ତ କରିଦେଲ। କିଛି ଲୋକଙ୍କର ଲୋଭ ପାଇଁ କୋଟି କୋଟି ମୋର ମଣିଷଛୁଆ ଆଉ ଲକ୍ଷ ଲକ୍ଷ କୋଟି ଅନ୍ୟ ଜୀବଜନ୍ତୁ କେତେ କଷ୍ଟ ପାଉଛନ୍ତି।
ଏବେ ଆହୁରି ଶୁଣିକି ମନ କଷ୍ଟ ହଉଚି ଯେ ତମେ ମତେ କ୍ଷତବିକ୍ଷତ ଆଉ ବିଷାକ୍ତ କରିସାରିବା ପରେ ଜହ୍ନ କି ମଙ୍ଗଳ ଘରକୁ ପଳେଇବ ବୋଲି ଭାବିଲଣି। ମୋର ଡର ଯେ ତମେମାନେ ସେଠିକି ଯାଇ ସେମାନଙ୍କୁ ବି ସେଇ ପ୍ରକାର କଷ୍ଟ ଦବ। ତମେ ଏଇଠି କେତେ ଜାତି, ଧର୍ମ, ବର୍ଣ୍ଣ କହି ଜଣେ ଆଉ ଜଣକୁ ଛୋଟ ବଡ଼ କହୁଛ। ସେଠିକି ଗଲେ କ’ଣ କରିବ?
ମୁଁ ତୁମମାନଙ୍କର ନିର୍ଯାତନା ଆଉ କେତେ ସହିବି ଯେ? ତୁମେମାନେ ଯାହା ମାଗିଲ ସବୁ ଦେଲି। ଭାବିଲି ତମର ମନ ଦିନେ ନା ଦିନେ ପୂରିଯିବ; ଆଉ ମୋ ମନକଥା ବୁଝିବ। ହେଲେ ଆଜିଯାଏ ସେଇଟା ଦେଖିପାରୁନି। ଏବେ କରୋନା ହେଲା ବୋଲି ତୁମମାନଙ୍କ ଭିତରୁ କେତେ ମଲେଣି। ଏସବୁ ଦେଖିକି ମତେ କ’ଣ କଷ୍ଟ ହଉନି? ହେଲେ ଏବେ ବି ମନରେ ଆଶା ରଖିଛି, କାଳେ ଏବେ ଟିକେ ବୁଝିଯିବ ପରା। ମୋତେ ଆଉ ଏମିତି ବିଭିନ୍ନ ପ୍ରକାର ବିଷଦେଇ କଲବଲ କରିବନି। ମୋର ବାକିସବୁ ପିଲା ଛୁଆ, ପଶୁପକ୍ଷୀ, କୀଟପତଙ୍ଗ, ବୃକ୍ଷଲତାଙ୍କ ମଙ୍ଗଳ ବିଷୟରେ ତମେମାନେ ଟିକେ ଭାବିବ। ମୁଁ ତୁମ ମା’ ହିସାବରେ ମୋ କଥାରେ ଭରସା ରଖ। ବସୁଧୈବ କୁଟୁମ୍ବକଂ ମନ୍ତ୍ରରେ ସବୁ ଜୀବଜନ୍ତୁଙ୍କ ହିତକୁ ରଖ। ଦେଖିବ ତମେମାନେ ସମସ୍ତେ ପୁଣି ଥରେ ଖୁସିରେ ରହିବ। ତୁମର ହିତାକାଂକ୍ଷୀ ପୃଥିବୀ ମା’।
ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର
ମୋ: ୯୪୩୯୯୨୩୬୨୬


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri