ବାଣ ବର୍ଜନ, କରୋନା ଓ ପରିବେଶ

କମଳାକାନ୍ତ ଜେନା

 

୨୦୨୦ର ଦୀପାବଳିରେ ବାଣବର୍ଜନକୁ ସମସ୍ତେ ସ୍ବାଗତ କରିଛନ୍ତି। ଏହି ଅଭିଯାନରେ ସବୁଠାରୁ ଆଗରେ ଅଛନ୍ତି ଓଡ଼ିଶା, ରାଜସ୍ଥାନ, ସିକ୍କିମ, ଚଣ୍ଡିଗଡ, କର୍ନାଟକ, ହରିୟାଣା, ମହାରାଷ୍ଟ୍ର, ଦିଲ୍ଲୀ ପ୍ରଦୂଷଣ ବୋର୍ଡ ଓ କଲିକତାର ଉଚ୍ଚ ନ୍ୟାୟାଳୟ। ଓଡ଼ିଶା ସରକାର ନଭେମ୍ବର ୧୦ରୁ ୩୦ ପର୍ଯ୍ୟନ୍ତ ବାଣ ବିକ୍ରି ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି। ବାଣ ଫୁଟେଇଲେ କଠୋରଦଣ୍ଡ ଦିଆଯିବ ବୋଲି କୁହାଯାଇଛି। ଦିଲ୍ଲୀ ସରକାର ନଭେମ୍ବର ୭ରୁ ୩୦ ପର୍ଯ୍ୟନ୍ତ ବାଣ ବିକ୍ରି ଓ ଫୁଟାଇବାକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି। ପଶ୍ଚିମବଙ୍ଗରେ କାଳୀପୂଜା, ଦୀପାବଳି, ଛଟ୍‌ପୂଜା ଓ କାର୍ତ୍ତିକପୂଜାରେ ବାଣ ଫୁଟାଇବା ନିଷିଦ୍ଧ କରିଛନ୍ତି। ମହାରାଷ୍ଟ୍ର ସରକାର ନଭେମ୍ବର ୬ରେ ବାଣ ବର୍ଜନ ସକାଶେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଓ ସର୍ବସାଧାରଣ ଜାଗାରେ ବାଣ ଫୁଟେଇବାକୁ ବାରଣ କରାଯାଇଛି । ହରିୟାଣାରେ ଦୀପାବଳିରେ ମାତ୍ର ୨ ଘଣ୍ଟା ବାଣ ଫୁଟେଇବା ପାଇଁ ଦିଆଯିବ। ସୁପ୍ରିମକୋର୍ଟର ନିୟମାବଳୀ ଆଧାରରେ କର୍ନାଟକରେ କେବଳ ସବୁଜବାଣ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ସିକ୍କିମ ଓ ଚଣ୍ଡିଗଡରେ ଦୀପାବଳି ଉପଲକ୍ଷେ ବାଣ ବିକ୍ରି ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ବାଣ ବର୍ଜନ ଅଭିଯାନରେ ଜାତୀୟ ସବୁଜ ନ୍ୟାୟାଧିକରଣର ଉଲ୍ଲେଖନୀୟ ଭୂମିକା ରହିଛି। ଚଳିତବର୍ଷ କରୋନା ସଂକ୍ରମଣ ଓ ପରିବେଶ ପ୍ରଦୂଷଣକୁ ଆଖି ଆଗରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଆଜିର କୋଭିଡ୍‌-୧୯ ଜନିତ ସମ୍ବେଦନଶୀଳ ପରିସ୍ଥିତିରେ ଏଭଳି ପଦକ୍ଷେପ ଜରୁରୀ ଥିଲା। କୋଭିଡ୍‌-୧୯ ହେଉଛି ଶ୍ୱାସନଳୀ ଓ ଫୁସ୍‌ଫୁସ୍‌କୁ ଅକାମୀ କରୁଥିବା ଏକ ମାରାତ୍ମକ ରୋଗ। କରୋନା ରୋଗୀର ଶ୍ୱାସକ୍ରିୟାରେ ଗୁରୁତର ସମସ୍ୟା ସୃଷ୍ଟି ହୁଏ। କରୋନା ଭୂତାଣୁ ପ୍ରଥମେ ଶ୍ୱାସନଳୀର ଜୀବକୋଷକୁ ଆକ୍ରମଣ କରେ। ଫଳରେ ଶ୍ୱାସନଳୀ ଫୁଲିଯାଏ। ତା’ପରେ ଏହା ଯାଇ ଫୁସ୍‌ଫୁସ୍‌ ଭିତରେ ଥିବା କ୍ଷୁଦ୍ର କ୍ଷୁଦ୍ର ବାୟୁଥଳିକୁ ନଷ୍ଟ କରେ। ଆମ ଫୁସ୍‌ଫୁସ୍‌ ଭିତରେ ପ୍ରାୟ ୪୮ କୋଟି ଏମିତି ଥଳି ରହିଛି, ଯାହାକୁ ପ୍ରାଣୀବିଜ୍ଞାନୀ କୁହନ୍ତି ‘ଆଲଭିଓଲାଇ’। କରୋନା ଭୂତାଣୁର ଆକ୍ରମଣ ହେତୁ ସେହି ଥଳିଗୁଡିକର ସଂକୋଚନ-ପ୍ରସାରଣ ହୋଇପାରେ ନାହିଁ। ରୋଗୀ ଶ୍ୱାସକ୍ରିୟା କରିପାରେ ନାହିଁ ଓ ଶରୀରର ଜୀବକୋଷ ଆବଶ୍ୟକ ପରିମାଣ ଅମ୍ଳଜାନ ପାଏ ନାହିଁ।
ବାଣ ତିଆରି ପାଇଁ କୋଇଲା, ପୋଟାସିୟମ ନାଇଟ୍ରେଟ୍‌, ତମ୍ବା, କ୍ୟାଲସିୟମ୍‌, ସୋଡିୟମ,ଗନ୍ଧକ, ଫସ୍‌ଫରସ୍‌, ଆଲୁମିନମ୍‌, ବେରିୟମ୍‌ ଓ ଆହୁରି ଅନେକ ଉପାଦାନ ବ୍ୟବହୃତ ହୁଏ। ବେରିୟମ୍‌ରୁ ସବୁଜ, କ୍ୟାଲସିୟମରୁ କମଳା, ତମ୍ବା ଯୌଗିକରୁ ନୀଳ, ଲିଥିୟମରୁ ଲାଲ, ସୋଡିୟମରୁ ହଳଦିଆ, ଷ୍ଟ୍ରୋନ୍‌ସିୟମ୍‌ ସଲଫେଟ୍‌ରୁ ହାଲୁକା ନୀଳ ଏବଂ ଷ୍ଟ୍ରୋନ୍‌ସିୟମ୍‌ କାର୍ବୋନେଟ୍‌ ଯୌଗିକରୁ ହଳଦିଆ ଆଲୋକ ମିଳେ। ବାଣ ଫୁଟିଲେ କାର୍ବନ୍‌ ମନୋକ୍ସାଇଡ୍‌, ସଲଫର ଡାଇଅକ୍ସାଇଡ୍‌, ଅଙ୍ଗାରକାମ୍ଳ ଓ ଆହୁରି ଅନେକ ବିଷାକ୍ତ ରାସାୟନିକ ଧୂଆଁ ନିର୍ଗତ ହୁଏ। ଧୂଆଁ ସୃଷ୍ଟି କରିବା କାମରେ ଦସ୍ତାଗୁଣ୍ଡ ସାହାଯ୍ୟ କରେ ା ବିଷାକ୍ତ ବାଣଧୂଆଁ ଓ ବିଭିନ୍ନ ପାଉଡର ବାୟୁମଣ୍ଡଳରେ ମିଶେ। ତେଣୁ ପ୍ରଶ୍ୱାସ-ବାୟୁରେ ଯଥେଷ୍ଟ ଅମ୍ଳଜାନ ନ ଥାଏ। ପ୍ରଥମତଃ ପ୍ରଶ୍ୱାସ ବାୟୁରେ ଅମ୍ଳଜାନ କମ୍‌ ଥାଏ। ଦ୍ୱିତୀୟରେ, ରୋଗୀର ଫୁସ୍‌ଫୁସ୍‌ ଭିତରେ କରୋନା ଭୂତାଣୁ ‘ଆଲଭିଓଲାଇ’ ଥଳିଗୁଡିକୁ ନଷ୍ଟ କରିବା ହେତୁ ରୋଗୀର ଅମ୍ଳଜାନ ଗ୍ରହଣ କରିବା କ୍ଷମତା କମ୍‌ ଥାଏ। ଅତଏବ, କରୋନା ରୋଗୀ ବାଣଧୂଆଁ ପରିବେଶରେ ରହିଲେ ଶରୀରରେ ଅମ୍ଳଜାନ ମାତ୍ରା ଶୀଘ୍ର କମିଯିବ। ଏହା ରୋଗୀର ଜୀବନ ବି ନେଇପାରେ। ତେଣୁ ଏବେ ବାଣ ଫୁଟେଇ ମଉଜ କରିବା ଅର୍ଥ କରୋନାଜନିତ ମୃତ୍ୟୁକୁ ନିମନ୍ତ୍ରଣ କରିବା ସହିତ ସମାନ ହେବ।
ବାଣ ଫୁଟିଲେ ମଜା ଲାଗେ। ଶବ୍ଦ ଓ ଆଲୋକ ଆମକୁ ଆନନ୍ଦ ଦିଏ। କିନ୍ତୁ ଦୁଃଖର କଥା, ବାରୁଦରୁ ବାହାରୁଥିବା ରାସାୟନିକ ଧୂଆଁ ବାୟୁମଣ୍ଡଳରେ କେବଳ ବିଷ ଭରିଦିଏ । ବାଣରେ ଥିବା ରାସାୟନିକ ପଦାର୍ଥ ଆଖିରେ ପଡିଲେ କିମ୍ବା ପେଟ ଭିତରକୁ ଗଲେ ବିଭିନ୍ନ ରୋଗ ସୃଷ୍ଟି କରେ। ମୁଣ୍ଡବିନ୍ଧା, ବାନ୍ତି, ପେଟ କାଟିବା ଓ ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖାଯାଏ। ଶବ୍ଦର ସ୍ତରକୁ ମାପିବା ପାଇଁ ‘ଡେସିବଲ’ ଏକକ ବ୍ୟବହାର କରାଯାଏ। ଆମର କାନ ଅତି ବେଶିରେ ୮୫ ଡେସିବଲ ଶବ୍ଦକୁ ଦିନକୁ ୮ ଘଣ୍ଟା ସହ୍ୟ କରିପାରିବ । କିନ୍ତୁ ଆମର ଅଧିକାଂଶ ରାସାୟନିକ ବାଣର ଧ୍ୱନିସ୍ତର ୧୨୦ ଓ ୧୪୦ ଡେସିବଲଠାରୁ ଅଧିକ। ବାଣଜନିତ ଶବ୍ଦ ପ୍ରଦୂଷଣ ମୁଣ୍ଡବିନ୍ଧା, ବିରକ୍ତି ଓ ଅନିଦ୍ରାର କାରଣ। ଅତଏବ, ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା କ୍ଷେତ୍ରରେ ରାସାୟନିକ ବାଣର ମାରାତ୍ମକ ଭୂମିକା ରହିଛି। ସେଥିପାଇଁ ଏବର୍ଷର ବାଣବର୍ଜନ ନିଷ୍ପତ୍ତିକୁ ଜନସାଧାରଣ ପ୍ରଶଂସା କରିଛନ୍ତି।
ବାଣର ବ୍ୟବହାର ବାୟୁ ପ୍ରଦୂଷଣଜନିତ ବିଭିନ୍ନ ସମସ୍ୟା ସୃଷ୍ଟି କରେ। ଏହାର ଅର୍ଥ ସେସବୁ ସମସ୍ୟା ସୃଷ୍ଟି କରିବା ପାଇଁ ଆମେ ଟଙ୍କା ଖର୍ଚ୍ଚ କରୁ। ପ୍ରତି ବର୍ଷ ଭାରତରେ ବାଣ ଫୁଟେଇବାରେ ପାଖାପାଖି ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୁଏ। ୨୦୧୨ରେ ୩୩୦୦ କୋଟିର ବାଣ ଜଳିଥିଲା। ୨୦୧୮ରେ ବାଣ ବ୍ୟବସାୟ ବଜେଟ୍‌ ଥିଲା ୨୦,୦୦୦ କୋଟି। ଏହାଛଡା ଚାଇନାରୁ ଆଉ ୪,୦୦୦ କୋଟି ଟଙ୍କାର ବାଣ ମଧ୍ୟ ଆସିଥିଲା। ଏବର୍ଷ କରୋନା ସକାଶେ ଅନେକ କମ୍ପାନୀ ବନ୍ଦ ହୋଇଯାଇଛି। ଅନେକ ଲୋକ ନିଜ ନିଜର ଜୀବିକା ହରେଇ ଘରେ ବସିଛନ୍ତି। ଏଯାଏ ସବୁ ଦୋକାନପତ୍ର ଠିକ୍‌ ଭାବରେ ଖୋଲିନାହିଁ। ବ୍ୟବସାୟୀ ହତାସ। ଚାକିରିଆମାନଙ୍କୁ ଦରମା ମିଳି ନାହିଁ। ଘରୁ ବାହାରକୁ ବାହାରିଲେ ମୃତ୍ୟୁ ଜଗି ବସିଛି। ଏମିତି ସମୟରେ ବାଣ ଫୁଟେଇ ମଉଜ କରିବା ସମୀଚୀନ ନୁହେଁ। ସଚେତନ ନାଗରିକଠାରୁ ଏଭଳି ଅବିବେକୀ କାର୍ଯ୍ୟ ଆଶା କରାଯାଏ ନାହିଁ।
ସଂପ୍ରତି ବାୟୁ ପ୍ରଦୂଷଣ ଆମକୁ ଭୟଭୀତ କରିଛି ଓ ଅନେକ ଶିକ୍ଷା ବି ଦେଇଛି। ନିକଟ ଅତୀତରେ ଦିଲ୍ଲୀ ସମେତ କେତେକ ମହାନଗରରେ ନିଃଶ୍ୱାସ-ପ୍ରଶ୍ୱାସ ପାଇଁ ଲୋକମାନେ ଅମ୍ଳଜାନ କିଣିବାକୁ ବାଧ୍ୟ ହୋଇଥିଲେ। ଏକ ଲିଟର ଅମ୍ଳଜାନର ମୂଲ୍ୟ ଥିଲା ୫୦୦ଟଙ୍କା । ସେପଟେ ଆମ ଦେଶ ବାୟୁ ପ୍ରଦୂଷଣକୁ ୨୦୨୪ ସୁଦ୍ଧା ୩୦ ପ୍ରତିଶତ ହ୍ରାସ କରି ଜନସାଧାରଣଙ୍କୁ ଟିକିଏ ସୁସ୍ଥ ବାୟୁ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା କରୁଛି । ଆଉ ଏପଟେ ବାଣ ଫୁଟେଇ ବାୟୁମଣ୍ଡଳକୁ ଦୁଃସ୍ଥ କରିବାରେ ଆମର ତିଳେହେଲେ ଦୁଃଖ ନାହିଁ। ଏହା ଆଦୌ ଗ୍ରହଣୀୟ ନୁହେଁ ା ଆମ ଜେଜେ-ଜେଜେମା’ କେବେ ଭାବି ନ ଥିଲେ ଜଳଗ୍ରହ ପୃଥିବୀରେ ଦିନେ ଏମିତି ଜଳକଷ୍ଟ ହେବ। ପିଇବା ପାଇଁ ଗିଲାସେ ପାଣି ମିଳିବନି। ଆମେ ବାହାରକୁ ଗଲେ ସାଙ୍ଗରେ ପାଣିବୋତଲ ଧରିବା। କିନ୍ତୁ ଆମର ଅବିବେକୀ କାର୍ଯ୍ୟକଳାପ ହେତୁ ଆଜି ଜଳଗ୍ରହରେ ଜଳକଷ୍ଟ ଦେଖାଦେଇଛି। ଠିକ୍‌ ସେମିତି ଆମେ ବାଣଫୁଟେଇ ମଉଜ କଲେ, କଳକାରଖାନା ଚଳେଇଲେ, ଗାଡ଼ିମୋଟର ବଢେଇଲେ, କାଲି ଆମର ନାତିନାତୁଣୀ ପିଠିରେ ଅମ୍ଳଜାନ ଥଳି ଓ ନାକରେ ଅମ୍ଳଜାନ ନଳୀ ପୂରେଇ ବାହାରକୁ ବାହାରିବେ, ଯାହା କି ଆଜି ଆମେ ଭାବି ନାହୁଁ।
ଦୁଃଖର କଥା, ଆମ ଦେଶରେ ଦିନକ ପାଇଁ ବାଣ ପୋଡ଼ିବା ବଜେଟ୍‌ ଆମର ଚନ୍ଦ୍ରଯାନ ଖର୍ଚ୍ଚଠାରୁ ବି ଅଧିକ। ୨୦୦୮ରେ ଭାରତ ପ୍ରଥମ ଚନ୍ଦ୍ରଯାନ ପଠେଇଥିଲା, ଯାହା କି ଅନେକ ଆନ୍ତର୍ଜାତିକ ପୁରସ୍କାର ପାଇଥିଲା। ଖର୍ଚ୍ଚ ହୋଇଥିଲା ମାତ୍ର ୩୮୬ କୋଟି ଟଙ୍କା। ମୁଣ୍ଡପିଛା ୩ ଟଙ୍କା ୨୦ ପଇସା। ସେହିପରି ୨୦୧୯ରେ ଭାରତ ଦ୍ୱିତୀୟ ଚନ୍ଦ୍ରଯାନ ପଠେଇଥିଲା, ଯାହା ପାଇଁ ଖର୍ଚ୍ଚ ହୋଇଥିଲା ମାତ୍ର ୯୭୮ କୋଟି ଟଙ୍କା। ଅର୍ଥାତ୍‌ ମୁଣ୍ଡପିଛା ୭ ଟଙ୍କା ୧୦ ପଇସା। ନିଃସନ୍ଦେହ ଏହି ମହାକାଶ ଗବେଷଣା ଦିନେ ଆମ ଦେଶର ଅର୍ଥନୈତିକ ବିକାଶରେ ସହାୟକ ହେବ। ଯଦି ଆମେ ବାଣ ଫୁଟେଇ ପରିବେଶକୁ ପ୍ରଦୂଷିତ ନ କରି ସେଇ ଟଙ୍କାରେ ବର୍ଷକୁ ୧୦ ଥର ମହାକାଶଯାନ ପଠେଇ ପାରନ୍ତେ, ତେବେ ଏହି ପଦକ୍ଷେପ ଆମ ଦେଶକୁ ସାରା ପୃଥିବୀରେ ଅଧିକରୁ ଅଧିକ ଗୌରବାନ୍ବିତ କରିପାରନ୍ତା।
କୋର୍ଡିନେଟର, ସ୍ନାତକୋତ୍ତର ପ୍ରାୟୋଗିକ ପଦାର୍ଥ ବିଜ୍ଞାନ ବିଭାଗ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ, ମୋ-୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri