ଟଙ୍କା କମଉଛି କାହା ପାଇଁ

ମାଆବାପା ଅଫିସ୍‌ରେ ଥାଆନ୍ତି। ହଠାତ୍‌ ଝିଅର ଫୋନ୍‌ ଆସିଲା। ଘରେ ସାନ ଭାଇ ଆତ୍ମହତ୍ୟା କରିଦେଇଛି। କିଛି ସମୟ ପୂର୍ବରୁ ମାଆଙ୍କ ଆକାଉଣ୍ଟ୍‌ରୁ କିଛି ଟଙ୍କା କଟିଯାଇଥାଏ। ଆଉ ତାହା ବି ଅନ୍‌ଲାଇନ୍‌ ଗେମ୍‌ରେ। ସେଥିପାଇଁ ମାଆ ତାକୁ ଗାଳି ଦେଇଥିଲେ। ମାତ୍ର ୧୨ ବର୍ଷର ପୁଅ ପୁଣି ଆତ୍ମହତ୍ୟା କରିବା ପୂର୍ବରୁ ଚାଳିଶ ହଜାର ଟଙ୍କା ଅନ୍‌ଲାଇନ୍‌ ଗେମ୍‌ରେ ହାରିଥିବା କଥା ଚିଠିରେ ଲେଖିଦେଇ ଯାଇଥାଏ। ହୃଦୟ ବିଦାରକ ଘଟଣାଟି ମଧ୍ୟପ୍ରଦେଶର। ଏଇ କିଛି ମାସ ମଧ୍ୟରେ ଆମ ରାଜ୍ୟର କିଛି ସ୍ଥାନରେ ଏମିତି ଘଟଣା ଘଟିବାର ନଜିର ରହିଛି; ଯେଉଁଥିରେ ତେର-ଚଉଦ ବର୍ଷର ପିଲା ଅନ୍‌ଲାଇନ୍‌ କ୍ଲାସ୍‌ କରୁକରୁ ଅନ୍‌ଲାଇନ୍‌ ଗେମ୍‌ ନିଶାରେ ପଡ଼ିଛନ୍ତି। ଆଉ ମାଆବାପା ଜାଣିବା ପରେ ଖେଳିବାକୁ ମୋବାଇଲ୍‌ ଦେବାକୁ ମନାକରିଛନ୍ତି, ବୁଝାଇଛନ୍ତି, ଗାଳି ବି ଦେଇଛନ୍ତି। ଆଉ ତା’ପରେ ସେମାନେ ରାଗରେ ହେଉ କି ବିଷାଦରେ ହେଉ ଏମିତି ଗୋଟେ ପଦକ୍ଷେପ ନେଇଯାଇଛନ୍ତି।
ଆମ ଦେଶରେ ପ୍ରତି ଘଣ୍ଟାରେ ଜଣେ ପିଲା ଆତ୍ମହତ୍ୟା କରୁଥିବାର ଆକଳନ କରାଯାଇଛି। ୨୦୧୯ରେ ଦଶ ହଜାରରୁ ଅଧିକ ପିଲା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି; ଯାହା ବିଗତ ପଚିଶ ବର୍ଷ ଭିତରେ ସବୁଠୁ ଅଧିକ। ପିଲାମାନେ ଆତ୍ମହତ୍ୟା କରିବା ପଛରେ ବିଭିନ୍ନ କାରଣ ରହିଛି। ପରୀକ୍ଷାରେ ଖରାପ୍‌ କରିବା କି କରିବାର ଡର, ପାଠ ପାଇଁ ମାଆବାପାଙ୍କର ମାତ୍ରାଧିକ ଚାପ, ନିଶାଦ୍ରବ୍ୟ ସେବନ, ଯୌନ ଶୋଷଣ, ଅଭିଭାବକଙ୍କ ପିଲାଙ୍କୁ ଆଗଧାଡ଼ିରେ ଦେଖିବାର ନିଶା ଏମିତି ଅନେକ କାରଣ। ଆଉ ଏସବୁ ଭିତରେ ବିଗତ କିଛିବର୍ଷ ହେବ ଅନ୍‌ଲାଇନ୍‌ ଗେମ୍‌, ମୋବାଇଲ୍‌ ଦେଖିବା ବା ସେଥିରେ ଖେଳିବାର ନିଶା ସାମିଲ୍‌ ହୋଇଛି। ଆଉ ଗତ ଦୁଇବର୍ଷ ଧରି କରୋନା ପାଇଁ ଯେମିତି ଏ ଚିତ୍ରରେ ଆହୁରି ଅନେକ ପରିବର୍ତ୍ତନ ଦେଖାଦେଇଛି।
ଏବେ ଘରେ ଘରେ କୁନି ପିଲାଏ ମୋବାଇଲ୍‌ ନିଶାରେ ପଡ଼ିଛନ୍ତି। ସ୍କୁଲ୍‌ କଲେଜ୍‌ ବନ୍ଦ ପରେ କିଛି ଶ୍ରେଣୀର ପିଲାଙ୍କ ପାଇଁ ଏହା ସାମୟିକ ଭାବେ ଖୋଲିଛି। ହେଲେ ଅଧିକାଂଶ କ୍ଲାସ୍‌ ଅନ୍‌ଲାଇନ୍‌ ମାଧ୍ୟମରେ ଏବେ ବି ହେଉଛି। ତେଣୁ ପାଠପଢ଼ା ସମୟ ପରେ ବି ପିଲାଏ ମୋବାଇଲ୍‌, ଲାପ୍‌ଟପ୍‌, ସୋସିଆଲ୍‌ ମିଡିଆ ନିଶାରୁ ବାହାରି ପାରୁନାହାନ୍ତି। କରୋନା ପାଇଁ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଆଉ ତା’ପରେ ପୁଣି ବିଭିନ୍ନ ଜାଗାକୁ ଯିବାର ପ୍ରତିବନ୍ଧକ, ଏସବୁ ଯେମିତି ଆମ ପିଛା ଛାଡ଼ୁନି। ଆଉ ଏସବୁ ଭିତରେ ସବୁଠୁ ବେଶି ପ୍ରଭାବିତ ହୋଇଛନ୍ତି ପିଲାଏ। କିନ୍ତୁ ଅଭିଭାବକମାନେ ଯେମିତି କେବଳ ପିଲାଙ୍କ ପାଠକୁ ନେଇ ବେଶ୍‌ ଚିନ୍ତିତ। ଏତେ ମାସ ହେଲା ସ୍କୁଲ୍‌ ନ ଯାଇ ଘରଭିତରେ ରହି ରହି ତାଙ୍କ ମାନସିକତାରେ କେତେ ଯେ ପରିବର୍ତ୍ତନ ହୋଇଛି ସେ କଥା ବୁଝିବାକୁ ଯେମିତି କେହି ନାହାନ୍ତି।
ନିଜ ପିଲାଙ୍କୁ ଆଗଧାଡ଼ିରେ ଦେଖିବାର ନିଶା ବି କିଛି କମ୍‌ ନୁହେଁ। ଦିନେ ଶହେରୁ ପଚାଶ ରଖିପାରି ନ ଥିବା ଲୋକର ବି ଇଚ୍ଛା ତା’ ଛୁଆ ଶହେରୁ ଶହେ ରଖୁ। ଏସବୁ ଚାପ ଭିତରେ ପିଲା ମାଆବାପାଙ୍କଠୁ ଦୂରେଇ ଯାଉଛନ୍ତି। ବିଭିନ୍ନ ପରିସ୍ଥିତି ଦେଇ ଗତିକରିବା ବେଳେ କେମିତି ତା’ର ମୁକାବିଲା କରିବେ ସେ କଥା ବୁଝିପାରୁନାହାନ୍ତି। କାରଣ ଚାମଚରେ ଖୁଆଇବା ପରି ଆମେ ତାଙ୍କୁ ଘରଭିତରେ ରଖି କେବଳ ପାଠପଢ଼ାର ବୋଝ ଦେଇ ଅତି ସୀମିତ ପରିସ୍ଥିତିର ମୁକାବିଲା କରିବାର ରାସ୍ତା ବତେଇ ଦେଉଛେ। ଆଉ ପ୍ରକୃତ ସଂଘର୍ଷ କଥା ଛାଡ଼ନ୍ତୁ ନିତିଦିନିଆ ଜୀବନରେ ମାମୁଲି ଅସୁବିଧାର ସମ୍ମୁଖୀନ ହେବାକୁ ବି ସେମାନେ ନିଜକୁ ପ୍ରସ୍ତୁତ କରିପାରୁନାହାନ୍ତିି। ବରଂ ଛୋଟଛୋଟ କଥାରେ ସେମାନେ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି। ଆଉ ଏ ସବୁ ପାଇଁ କେବଳ ଆମପରି ଅଭିଭାବକମାନେ ହିଁ ଦାୟୀ।
ନଡ଼ିଆ ଫୋପଡ଼ାରୁ ତିଆରି କ୍ରିକେଟ୍‌ ବ୍ୟାଟ୍‌, ଜରି କି ପତ୍ର ସବୁକୁ ନେଗଇ ସୁତୁଲି ଗୁଡ଼ାଇ ସେଥିରେ ବଲ୍‌ ତିଆରିକରି ଖେଳିବା, ସାଇକେଲ୍‌ କି ଗାଡ଼ି ଟାୟାରକୁ କାଠିରେ ଗଡ଼େଇବା ଆଦିପରି ଅନେକ କଥା ଆଗରୁ ଦେଖିବାକୁ ମିଳୁଥିଲା। ସେମିତି ନଟୁ, କାଚବାଟି ଖେଳ, ଡାଗରପୁଆ ସାଙ୍ଗକୁ କବାଡ଼ି, କିତିକିତି, ବୋହୂଚୋରି ଏମିତି ଅନେକ ଖେଳ ଗାଁ ଦାଣ୍ଡରେ ଦେଖିବାକୁ ମିଳୁଥିଲା। ହେଲେ ଏସବୁ ଏବେ ସ୍ବପ୍ନ ପ୍ରାୟ। ଆଉ ଏସବୁର ଜାଗା ଏବେ ନେଇଛି ଟିଭି, ମୋବାଇଲ୍‌, ସୋସିଆଲ୍‌ ମିଡିଆ ଇତ୍ୟାଦି। ଆମ ଜେଜେବାପା ଅମଳରେ ପାଲିଙ୍କି, ଶଗଡ଼ଗାଡ଼ି ଥିଲା। ଆଉ ବାପାଙ୍କ ଅମଳରେ ସାଇକେଲ, ଦୁଇଚକିଆ, ଚାରିଚକିଆ ଆମେ ଦେଖିଲେ। ଆଉ ଆମ ପିଲାଏ ଏକାଥରେ ଜନ୍ମରୁ ଚାରିଚକିଆରେ ବସିଲେ। ଖଣ୍ଡେ ସାଇକେଲ୍‌ କିଣିବାକୁ ହେଲେ ଆମକୁ ଅନ୍ତତଃ ସପ୍ତମ କି ଅଷ୍ଟମ ଶ୍ରେଣୀଯାଏ ଅପେକ୍ଷା କରିବାକୁ ପଡ଼ୁଥିଲା। ସାଇକେଲ୍‌ ମିଳୁଥିଲା। ହେଲେ ଅନେକ ସର୍ତ୍ତ ପରେ। ଆଉ ସର୍ତ୍ତଟି ହେଲା ପାଠପଢ଼ାରେ ଧ୍ୟାନ ଦିଅ। ଆଉ ଉପର ତଳ ଭାଇଭଉଣୀଙ୍କର ବି ସେ ସାଇକେଲ୍‌ରେ ଭାଗ ରହୁଥିଲା। କିନ୍ତୁ ଏବେ ସେଇସମୟ ଭିତରେ ଅଧିକାଂଶ ପିଲା ଦୁଇ ତିନୋଟି କି ତାଠୁ ବି ଅଧିକ ସାଇକେଲ ବଦଳାଇ ଦେଉଛନ୍ତି। କଥା ନୁହେଁ ଆମେ ତାଙ୍କୁ କ’ଣ ଦେଇପାରୁଛେ। କଥା ହେଉଛି ତାଙ୍କୁ କ’ଣ କ’ଣ ନ ମିଳିଲେ ସେମାନେ କେମିତି ପ୍ରତିକ୍ରିୟାଶୀଳ ହେଉଛନ୍ତି। ଆଗରୁ ଆମ ମାଆବାପା ଆମକୁ କିଛି ପାଇଁ ନା କହିବାଟା ଆମ ଲାଗି ବେଶ୍‌ ସ୍ବାଭାବିକ ଥିଲା। ହେଲେ ଏବେ ପିଲାଙ୍କ ପାଇଁ ନା ଶୁଣିବାଟା ଏତେ ସହଜ ନୁହେଁ।
ଥିଲାବାଲା ହେଉ କି ନ ଥିଲାବାଲା, ଅଧିକାଂଶ ମାଆବାପାଙ୍କର ମାନସିକତା ହେଲା ଯାହା ମୁଁ କରିନି ତାହା ମୋ ପିଲା କରିବ। ଯାହା ମୁଁ ପାଇନି ସେସବୁ ଯେମିତି ମୋ ପିଲା ପାଇବ। ସେଥିପାଇଁ କେବେକେମିତି ଆମ ଛୁଆଙ୍କୁ କେହି କିଛି ପାଇଁ ଆକଟ କଲାବେଳେ ଆମେ କହୁ ଟଙ୍କା କମଉଛି କାହା ପାଇଁ! ମାନେ ଯଦି ମୋ ଛୁଆକୁ ସମସ୍ତ ସୁଖସୁବିଧା ନ ମିଳିଲା, ଯଦି ମୋ ଛୁଆ ଯାହା ମାଗୁଛି କି ଦରକାର କରୁଛି ମୁଁ ନ ଦେଇ ପାରିଲି ତା’ହେଲେ ମୁଁ ରୋଜଗାର କରୁଥିବା ଟଙ୍କା କି କାମର। ମାଆବାପା କି ଅଭିଭାବକ ହିସାବରେ ଏମିତି ଭାବିବା ସ୍ବାଭାବିକ। ହେଲେ ପିଲାଙ୍କୁ ଆପଣ ନା କହିବା ଯେତିକି ଜରୁରୀ ନୁହେଁ, ପିଲା କେବେ କେମିତି ନା ଶୁଣି ତାକୁ ସହଜରେ ଗ୍ରହଣ କରିବା ସେତିକି ଜରୁରୀ; ଯାହାଫଳରେ ସେମାନେ ନା ଶବ୍ଦକୁ ଅତି ସହଜରେ ଗ୍ରହଣ କରିପାରିବେ। ଆଉ ଏଇ ନା, ଶବ୍ଦ ହିଁ ସେମାନଙ୍କୁ ଜୀବନ ଜିଇବାର ପରିଭାଷା ଶିଖାଇବ।
ମୋ-୯୩୩୮୫୬୬୫୮୭


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri