ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଏଏସଆଇ ସୁଧୀର ନାୟକ ଶୁକ୍ରବାର ବ୍ରହ୍ମପୁର ବଡ ବଜାର ଥାନା ଜଗନ୍ନାଥ ବିହାର ୭ ମ ଲେନର ଗାଡ଼ି ଚାଳକ ପ୍ରଦୀପ ମହାନ୍ତି(୩୧) ଙ୍କୁ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୋର୍ଟକୁ ଚାଲାଣ କରିଛନ୍ତି।
ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଇକ ଜଗନ୍ନାଥପୁର – ପ୍ରତାପଗିରି ଗ୍ରାମ ଛକ ପୋଖରୀ ନିକଟ ବୁଲାଣି ରାସ୍ତାରେ ବୁଧବାର ବିଳମ୍ବିତ ରାତି ପ୍ରାୟ ୧ ଟାରେ ଦ୍ରୁତଗତିରେ ଯାଉଥିବା ବାଲି ବୋଝେଇ ହାଇୱା ଟ୍ରକ୍ (ନଂ. ଓଡ଼ି୦୨ ଡିକେ -୧୭୧୨) ଏକ ବାଉଁଶ ବୋଝେଇ ଶଗଡ଼କୁ ଧକ୍କା ଦେବାରୁ ପ୍ରତାପଗିରି ଗ୍ରାମର ବିଜି ଓରଫ ବିଜୟ ଗୌଡ଼(୫୫) ଏବଂ ନାଥ ଜେନା(୬୦) ୨ ଜଣ ଚାଷୀ ମୃତ୍ୟୁବରଣ କରିଥିଲେ। ହାଇୱା ଚାଳକ ପ୍ରଦୀପ ଫେରାର ଥିଲେ। ଏପରିକି ଦୁର୍ଘଟଣାରେ ଶଗଡ଼ ଟାଣୁ ଥିବା ୨ ପୋଢ଼ ଆହାତ ହୋଇଥିଲେ। ସେଥିରୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଗୋଟିଏ ପୋଢ଼କୁ ରାସ୍ତାକଡ ଜମିରେ ମାଟି ଖୋଳି ପୋତି ଦିଆଯାଇଥିଲା। ତଦନ୍ତକାରୀ ଅଧିକାରୀ ସୁଧୀର ନାୟକ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରିଛନ୍ତି।

