ଦାରିଙ୍ଗବାଡ଼ି, ୩।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଉପାନ୍ତ ଅଞ୍ଚଳରେ ରାସ୍ତା ନଥିବାରୁ ମୃତଦେହକୁ ଖଟିଆରେ ବୁହାହେବା ଘଟଣା ଏବେ ମୋବାଇଲକୁ ମୋବାଇଲ ଭାଇରଲ ହେବାରେ ଲାଗିଛି । ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଛି ଉକ୍ତ ବ୍ଲକ ଗୁମିକିଆ ପଞ୍ଚାୟତର କାଂଜୁମାହା ଗ୍ରାମରେ। ଗ୍ରାମର ଜଣେ ଯୁବକଙ୍କ ଦେହ ଖରାପ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ବାଲିଗୁଡା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେ ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ହେଲେ ଇସେ ପ୍ରଧାନ (୩୦ ), ମୃତ୍ୟୁ ପରେ ମୃତ ଶରୀରକୁ ପରିବାର ଲୋକ ମହାପ୍ରୟାଣ ଯାନ ଯୋଗେ ଗାଁକୁ ଆଣିଥିଲେ। ଗାଁ କୁ ସବୁଦିନିଆ ପକ୍କା ରାସ୍ତା ନ ଥିବାରୁ ଆହୁରି ଗାଁ କୁ ପହଞ୍ଚିବାକୁ ୪ କିମି ବାଟ ରହିଥିବା ବେଳେ ଆମ୍ବୁଲାନ୍ସ ରାସ୍ତା ନଥିବାରୁ ମୃତଦେହକୁ ଅଧବାଟରେ ଛାଡି ଚାଲିଯାଇଥିଲା। ପରିବାର ଓ ଗ୍ରାମବାସୀ ମୃତଦେହକୁ ଖଟିଆ ସାହାଯ୍ୟରେ ୪ କିମି ଦୂରତା ବୋହି ନେଇଥିଲେ। ସୂଚନାଯୋଗ୍ୟ, କେବଳ ମୃତଦେହ ନୁହଁ ଗ୍ରାମବାସୀ ସ୍ବାସ୍ଥ୍ୟକେନ୍ଦ୍ର ହେଉ କି ରାସନ ସାମଗ୍ରୀ ପାଇଁ ଏଭଳି ୪ କିମି ଦୂର ପାଦରେ ଘାଟି ରାସ୍ତାରେ ଚାଲିକି ଆସିବା ପରେ ଅଟୋରେ ଯାତାୟାତ କରନ୍ତି ଏଭଳି ଦୈନନ୍ଦିନ ଜୀବନରେ ସେମାନଙ୍କ ପାଇଁ ଏକ ଦୁର୍ଦ୍ଦଶା ଭାବେ ରାସ୍ତା ରହିଛି ବୋଲି ଉକ୍ତ ଅଞ୍ଚଳର ଡାଇକା ପ୍ରଧାନ କହିଛନ୍ତି।

