ହାର୍‌ ମାନିବା ନାହିଁ

ନିରନ୍ତର ସାଧନା ଓ ପ୍ରଚେଷ୍ଟା ପରେ ମଧ୍ୟ ବେଳେବେଳେ କାର୍ଯ୍ୟରେ ସଫଳତା ମିଳି ନ ଥାଏ। ଏଭଳି କ୍ଷେତ୍ରରେ ବ୍ୟକ୍ତି ନିରାଶ ହୋଇ ଚେଷ୍ଟା ଛାଡ଼ିଦିଏ କିମ୍ବା ହାର୍‌ ମାନିଯାଏ। କାର୍ଯ୍ୟଟିକୁ ଅସମ୍ଭବ ମନେକରି ପଛଘୁଞ୍ଚା ଦିଏ ଅଥବା ଭାଗ୍ୟରେ ନାହିଁ ବୋଲି ମନକୁ ବୁଝେଇଦିଏ। ସତ କହିବାକୁ ଗଲେ, ଏହା ହିଁ ଥାଏ ପ୍ରକୃତ ପରୀକ୍ଷାର ବେଳ; ଧୈର୍ଯ୍ୟ ଓ ଏକାଗ୍ରତାର ପରୀକ୍ଷା। ଯେଉଁ ବ୍ୟକ୍ତି ଧୈର୍ଯ୍ୟର ସହ ପୁଣିଥରେ ନୂଆ ଉତ୍ସାହ ନେଇ କାମ କରିବାକୁ ଇଚ୍ଛା କରେ, ସେ ପ୍ରତ୍ୟକ୍ଷ ଭାବରେ କାମଟିକୁ ପୂରା କରି ନ ପାରିଲେ ମଧ୍ୟ ପରୋକ୍ଷ ଭାବେ କାହାର ସାହାଯ୍ୟ ପାଇ କିମ୍ବା ସେ କାମଟିକୁ ଶେଷ କରିବାରେ ସଫଳ ହୁଏ। ଏହାକୁ ବୁଝାଇବାକୁ ଯାଇ ଗୋଟିଏ ଛୋଟ କାହାଣୀ।
ପୋଖରୀ କୂଳରେ ବସିଥିବା ଜଣେ ବ୍ୟକ୍ତି ଥରେ ପକ୍ଷୀଟିଏକୁ ବାରମ୍ବାର ପାଣିରେ ବୁଡ଼ି ଉଠିବାର ଦେଖିଲେ। ତାଙ୍କ ମନରେ ଘଟଣାଟି ବିଷୟରେ ଜାଣିବାକୁ କୌତୂହଳ ଜାତ ହେଲା। ସେ ଅତି ନିକଟକୁ ଯାଇ ପ୍ରକୃତ ଘଟଣାଟି ବୁଝି ଜାଣିପାରିଲେ ଯେ ପକ୍ଷୀର ଶାବକଟି ପୋଖରୀରେ ପଡ଼ିଯାଇଛି। ତାକୁ ରକ୍ଷା କରିବା ପାଇଁ ସେ ବାରମ୍ବାର ପାଣିରେ ପଶି ନିଜକୁ ଓଦା କରିବା ପରେ କୂଳକୁ ଆସି ପରରୁ ପାଣିଝାଡ଼ି ତାକୁ ଶୁଖାଇ ପୁଣି ପାଣିରେ ପଶୁଛି। ପକ୍ଷୀଟି ପୋଖରୀକୁ ଶୁଖାଇବାର ଅସମ୍ଭବ ପ୍ରୟାସରେ ଲିପ୍ତ ଅଛି। ଅସମ୍ଭବ ମନେହେଉଥିବା କାମଟିକୁ ସେ ନ ଥକି, ନ ହାରି କରିଚାଲିଛି। ଏହାପରେ ସେ ନିଜେ ଯାଇ ପକ୍ଷୀ ଶାବକକୁ ପାଣିରୁ ଉଦ୍ଧାର କଲେ। ପକ୍ଷୀ ପାଇଁ ଅସମ୍ଭବ ପ୍ରାୟ କାର୍ଯ୍ୟଟି ଅନ୍ୟ କାହା ଦ୍ୱାରା ସଫଳ ହେଲା, କାରଣ ତା’ର ନିରନ୍ତର ଚେଷ୍ଟା ଓ ପରିଶ୍ରମ ଭଦ୍ରବ୍ୟକ୍ତିଙ୍କ ଦୃଷ୍ଟି ଆକର୍ଷଣ କଲା ଏବଂ ସେ ସାହାଯ୍ୟ କଲେ।
କାହାଣୀ କହିବାର ଅଭିପ୍ରାୟ ଏହା ଯେ, ନିଜର ଚେଷ୍ଟା, ସାଧନା ବିଫଳ ହେଉଛି ଭାବି ନିରାଶ ହୋଇ ବସିପଡ଼ିଲେ କିମ୍ବା ଦୁଃଖରେ ଭାଙ୍ଗିପଡ଼ିଲେ ହେବନାହିଁ। ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଉପାୟରେ ପରିଶ୍ରମର ଫଳ ନିଶ୍ଚୟ ମିଳିଥାଏ। ପିଲାମାନେ କୌଣସି ପ୍ରତିଯୋଗିତା କିମ୍ବା ପରୀକ୍ଷାରେ ସଫଳତା ପାଇବାର କଥା ଉଦାହରଣ ରୂପେ ନିଆଯାଉ। ଅନେକ ସମୟରେ ବହୁତ ପଢ଼ି ମଧ୍ୟ ବିଫଳତାର ସ୍ବାଦ ଚାଖିବାକୁ ହୋଇଥାଏ। ମାତ୍ର ସେଥିରେ ନିରୁତ୍ସାହିତ ନ ହୋଇ ଚେଷ୍ଟା ଜାରି ରଖିବାକୁ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଗୁରୁଜନମାନେ ପରାମର୍ଶ ଦେବା ଉଚିତ୍‌। ସ୍ନେହବୋଳା କଥା କେଇପଦ ସହିତ ଠିକ୍‌ ମାର୍ଗଦର୍ଶନ ସେମାନଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବାର କ୍ଷମତା ରଖେ। ପରିଶ୍ରମର ମୂଲ୍ୟ ଯେ ଖୁବ୍‌ଶୀଘ୍ର ମିଳିବ, ଏହି ବିଶ୍ୱାସ ଜନ୍ମେଇବା ପାଇଁ ସେମାନଙ୍କ ପାଖରେ ସେପରି ସହୃଦୟ ବ୍ୟକ୍ତିଙ୍କ ଉପସ୍ଥିତିର ଆବଶ୍ୟକତା ନିଶ୍ଚିତରୂପେ ରହିଛି ଓ ରହିଥିବ। ୧oooରୁ ଅଧିକ ଉଦ୍ଭାବନ କରିଥିବା ଥୋମାସ୍‌ ଏଡିସନଙ୍କୁ ପିଲାଦିନେ ଶିକ୍ଷକମାନେ ସ୍ବଳ୍ପବୁଦ୍ଧିସମ୍ପନ୍ନ କହି ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ କରିଥିଲେ। ମାତ୍ର ତାଙ୍କ ମା’ ନିଜେ ଘରେ ନିଜ ଉଦ୍ୟମରେ ତାଙ୍କୁ ଶିକ୍ଷା ଯୋଗାଇ ଦେଇଥିଲେ, ଯାହାର ପରିଣାମ ଆଜି ସମଗ୍ର ବିଶ୍ୱରେ ଥୋମାସ୍‌ ଏଡିସନ ଚର୍ଚ୍ଚିତ ଏବଂ ପୂରା ବିଶ୍ୱବାସୀ ତାଙ୍କ ଉଦ୍ଭାବିତ ଉପକରଣଗୁଡ଼ିକ ଦ୍ୱାରା ଉପକୃତ ହେଉଛନ୍ତି।
ଅସଫଳତା ଭୋଗିଥିବା ବ୍ୟକ୍ତି ଏହାକୁ ସଫଳତାର ବିରୋଧୀ ନ ଭାବି, ତା’ର ଗୋଟିଏ ଅଂଶ ଭାବିବା ଠିକ୍‌ ହେବ। ବାସ୍ତବରେ କହିବାକୁ ଗଲେ ସଫଳତା ଓ ଅସଫଳତା କେବଳ ଆମ ମନର ସ୍ଥିତି ମାତ୍ର। ଜୀବନରେ ଅନେକ ପରୀକ୍ଷା ଆସିବ ଏବଂ ପ୍ରତ୍ୟେକ ପରୀକ୍ଷାରେ ସଫଳ ହେବା ପାଇଁ ଆମେ ଚେଷ୍ଟିତ ରହିବା। ଏମିତି ବି ହେବ, ଆମକୁ ପଛରେ ପକେଇ ଅନ୍ୟ କିଏ ଜିତିଯିବ। ଏହାକୁ ନିଜର ପରାଜୟ ନ ଭାବି ଆହୁରି ଅଧିକ ପରିଶ୍ରମ କରିବା ଉଚିତ। କାରଣ ଆମର ପରାଜୟ ତେବେ ହୁଏନାହିଁ, ଯେବେ ଅନ୍ୟ ଜଣେ ଜିତିଯାଏ। ବରଂ ସେତେବେଳେ ହୁଏ, ଯେବେ ଆମେ ନିଜେ ପରାଜୟ ସ୍ବୀକାର କରୁ। ଠିକ୍‌ ସେହିପରି ଜଣେ ବ୍ୟକ୍ତି ସେତେବେଳେ ଅସଫଳ ହୁଏ ନାହିଁ, ଯେବେ ସେ ତା’ର ଲକ୍ଷ୍ୟକୁ ପାଇପାରେ ନାହିଁ, ବରଂ ସେ ସେତେବେଳେ ଅସଫଳ ହୁଏ, ଯେବେ ସେ ଚେଷ୍ଟା କରିବା ହିଁ ବନ୍ଦ କରିଦିଏ। ଭାରତର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. କଲାମ କହିଥିଲେ, ”ଜଣେ ସଫଳତାର କାହାଣୀ ପଢ଼ିଲେ କେବଳ ଏକ ବାର୍ତ୍ତା ପାଇବ, କିନ୍ତୁ ଅସଫଳତାର କାହାଣୀ ପଢ଼ିଲେ ସଫଳତା ପାଇବା ପାଇଁ କିଛି ଧାରଣା ପାଇ ପାରିବ। ସଫଳତା ପାଇବାକୁ ହେଲେ ଅସଫଳତାର ଅନୁଭୂତି ମଧ୍ୟ ରହିଥିବା ଆବଶ୍ୟକ।“
ଏଣୁ ଅକୃତକାର୍ଯ୍ୟ ହେଲେ କିମ୍ବା ବିଫଳତା ଲାଭକଲେ ସେଥିରେ ମ୍ରିୟମାଣ ନ ହୋଇ ପୁଣିଥରେ ସେହି କାମକୁ ନୂଆ ଉପାୟରେ କରିବାର ପ୍ରୟାସ କରିବାକୁ ହେବ। ଭାବିବାକୁ ହେବ ଯେ ଏହା ଭାଙ୍ଗିପଡ଼ିବା ନୁହେଁ ବରଂ ସଳଖି ଠିଆହେବାର ବେଳ। ମନେ ରଖିବାକୁ ହେବ ଯେ, ଆମେ ଜୀବନ ତମାମ୍‌ ଚେଷ୍ଟା କରିଚାଲିଥିବା ଏବଂ କେବେହେଲେ ହାର୍‌ ମାନିବା ନାହିଁ। ହାର୍‌ ସ୍ବୀକାର କରିବା ବନ୍ଦ କରିଦେଲେ ସଫଳତା ନିଶ୍ଚୟ ଦିନେ ହାତ ବଢ଼େଇ ପାଖକୁ ଡାକିବ।

  • ଶ୍ରୁତକୀର୍ତ୍ତି ତ୍ରିପାଠୀ
    ମୋ: ୬୩୭୦୫୧୬୪୭୮

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

ଏଇ ଭାରତରେ

ସାମଗ୍ରିକ ପ୍ରୟାସ ସଫଳତା ପାଇଁ ବାଟ କଢ଼ାଇନିଏ ବୋଲି ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ମୁନ୍‌ସିଆରି ବ୍ଲକର ଶଙ୍ଖଦୁରା ଗାଁର ମହିଳାମାନେ ପ୍ରମାଣ କରିପାରିଛନ୍ତି। ଗ୍ରାମପଞ୍ଚାୟତରେ ସେମାନେ...

ଓଡ଼ିଆ ଭାଷାରେ ଲିପ୍ୟନ୍ତରଣ

ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷା ଓ ଏହାର ବ୍ୟବହାରିକ ସଂଜ୍ଞାରେ ଅନେକ ପରିବର୍ତ୍ତନ ହେଲାଣି। ଦୈନନ୍ଦିନ କଥାବାର୍ତ୍ତା ଓ ବିନିମୟରେ କଥିତ ତଥା ଚଳନ୍ତି ଓଡ଼ିଆ...

ନୀରବ ପ୍ରତିକ୍ରିୟା

ପ୍ରତ୍ୟେକ କ୍ରିୟାର ବିପରୀତ ପ୍ରତିକ୍ରିୟା ରହିଛି। ଏଣୁ କଥା କହିଲା ବେଳେ ଭାବିଚିନ୍ତି କହିବା ନିହାତି ଜରୁରୀ। ସବୁ ସମୟରେ ଧ୍ୟାନ ପୂର୍ବକ ପ୍ରତିକ୍ରିୟା ରଖିବା...

ଭବିଷ୍ୟତର ଭୟ

ଆମେରିକା ନୂଆ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ହ୍ବାଇଟ୍‌ ହାଉସ୍‌ ଏକ ୩୩ ପୃଷ୍ଠା ବିଶିଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri