ଖଣିରେ ପୋତି ହୋଇ ନ ଯାଆନ୍ତୁ ଆଦିବାସୀ

ବିଚିତ୍ର ବିଶ୍ୱାଳ

 

ଯେଉଁଠି ପାହାଡ଼, ଜଙ୍ଗଲ, ଝରଣା ଅଛି, ସେଠି ଆଦିବାସୀମାନେ ଅଛନ୍ତି। ଆଦିବାସୀମାନଙ୍କ ଜୀବନ, ଜୀବିକା ଓ ସଂସ୍କୃତି ପାହାଡ଼, ଜଙ୍ଗଲ ଓ ଝରଣା ସହିତ ଓତପ୍ରୋତ ଭାବେ ଜଡ଼ିତ। କିନ୍ତୁ ଦୁର୍ଭାଗ୍ୟର ବିଷୟ , ପ୍ରଚଳିତ ବିକାଶ ଧାରାରେ ପାହାଡ଼, ଜଙ୍ଗଲ ଓ ଝରଣା ଆଦିବାସୀଙ୍କ ପାଇଁ ଅଭିଶାପରେ ପରିଣତ ହେଉଥିବାର ଦେଖିବାକୁ ମିଳୁଛି। ଦକ୍ଷିଣ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ପାହାଡ଼ର ପେଟ ଭିତରେ ପ୍ରଚୁର ଖଣିଜ ପଦାର୍ଥ ଯଥା ବକ୍‌ସାଇଟ୍‌ ଓ ଲୁହାପଥର ଆଦି ଗଚ୍ଛିତ ଅଛି। ସେହି ବକ୍‌ସାଇଟ୍‌ ଉପରେ ବହୁରାଷ୍ଟ୍ରୀୟ କଂପାନୀଙ୍କ ଆଖି ଲାଖି ରହିବା ସ୍ବାଭାବିକ। କିନ୍ତୁ ଯେଉଁଟା ଅସ୍ବାଭାବିକ, ତାହା ହେଉଛି ଗୋଟିଏ ଜନକଲ୍ୟାଣକାରୀ ଦେଶର ଗଣତାନ୍ତ୍ରିକ ଶାସକ ସେହି ପାହାଡ଼ ଉପରେ ଓ ଜଙ୍ଗଲ ଭିତରେ ରହୁଥିବା ଆଦିବାସୀ ସମାଜକୁ ମୂଳରୁ ଓପାଡ଼ି ଦେଇ ବହୁରାଷ୍ଟ୍ରୀୟ କଂପାନୀକୁ ଖଣି ଖୋଳିବାକୁ ଅନୁମତି ଦେଇଦେବା। ନିୟମଗିରିର କଞ୍ଚା ଘା’ ଶୁଖିବା ପୂର୍ବରୁ ପୁଣି ଥରେ ରାୟଗଡ଼ା ଜିଲାର କାଶିପୁର ବ୍ଲକ୍‌ରେ ସିଜିମାଳିରେ ଖଣି ଖନନର ଅନୁମତି ଦିଆଯାଇଛି, ଯାହା ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କର ଜୀବନ ଓ ଜୀବିକାକୁ ସଙ୍କଟ ମଧ୍ୟକୁ ଠେଲିଦେଇଛି। ଯେଉଁ ଆଦିବାସୀମାନେ ଶାନ୍ତିପୂର୍ଣ୍ଣ ଭାବେ ବସବାସ କରିବାକୁ ନେଇ ବେଶ୍‌ ପରିଚିତ, ସେମାନଙ୍କ ମନ ଭିତରେ ଆଜି ଜୀବନ ଓ ଜୀବିକା ହରେଇବାର ଭୟ ପଶିଯାଇଛି। କେଉଁ ମୁହୂର୍ତ୍ତରେ ଖଣି ଯେ ସେମାନଙ୍କ ଜୀବନ ଓ ଜୀବିକାକୁ ଗିଳି ଦେବ, ତାକୁ ନେଇ ସେମାନଙ୍କର ଚିନ୍ତାର ଶେଷ ନାହିଁ। ଦ୍ୱିତୀୟ ଚିନ୍ତାର ବିଷୟ ହେଉଛି, କଂପାନୀ ପାଇଁ ଖଣି ଖୋଳିବାର ରାସ୍ତାକୁ ସୁଗମ କରିବା ଲାଗି ଖୋଦ୍‌ ସରକାର ଓ ପୋଲିସ୍‌ ବାହିନୀ ନିରୀହ ଆଦିବାସୀଙ୍କ ଉପରେ ଜୁଲମ କରିବାର ଅଭିଯୋଗ ଆସୁଛି। ପ୍ରସ୍ତାବିତ ଖଣି ଅଞ୍ଚଳ ସୁଙ୍ଗେର, କଣ୍ଟାମାଳ ଆଦି ଗାଁ’ରୁ ରାତିଅଧିଆ ଗିରଫଦାରି ଆରମ୍ଭ ହୋଇଛି। ନିଜ ଜୀବନ ଜୀବିକାକୁ ରକ୍ଷା କରିବା ପାଇଁ ଖଣି ଖନନକୁ ବିରୋଧ କରୁଥିବା ନିରୀହ ଆଦିବାସୀମାନେ ପୋଲିସ୍‌ ଡରରେ ଲୁଚି ଲୁଚି ଜଙ୍ଗଲରେ ବୁଲୁଛନ୍ତି। ସେମାନଙ୍କର ମୁଖ୍ୟ ଅପରାଧ ସେମାନେ ନିଜ ଭିଟାମାଟି ତଥା ପାହାଡ଼ ଜଙ୍ଗଲରୁ ବିସ୍ଥାପିତ ହେବାକୁ ରାଜି ନାହାନ୍ତି। କିନ୍ତୁ ଗଣତାନ୍ତ୍ରିକ ଶାସନରେ ଲୋକମାନଙ୍କର ଅରାଜି କ’ଣ ସରକାରଙ୍କ ପାଇଁ ମହତ୍ତ୍ୱ ରଖେ? ପରିଣାମ ଭବିଷ୍ୟତ କହିବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସ୍ତାବିତ ଖଣି ଅଞ୍ଚଳରେ ଯାହା ପରିସ୍ଥିତି ହୋଇଛି, ସେଥିରୁ ବୁଝାପଡ଼ୁଛି ସରଳ ନିରୀହ ଆଦିବାସୀ ଗୋଟିଏ ପଟେ ଥିବା ବେଳେ ଆର ପଟେ ଅଛନ୍ତି ମିଲିଓନାୟାର ବହୁରାଷ୍ଟ୍ରୀୟ କମ୍ପାନୀ, ନିର୍ବାଚିତ ସରକାର ଓ ପ୍ରଶାସନ। ପୁନଶ୍ଚ ଦୁର୍ଭାଗ୍ୟର ବିଷୟ , ବିରୋଧୀ ଦଳମାନେ ମଧ୍ୟ କମ୍ପାନୀ ସାମ୍ନାରେ ଆଣ୍ଠୁ ପାତି ଦେଇ ଆଦିବାସୀଙ୍କ ସ୍ବାର୍ଥ ବିରୋଧରେ ଯାଇ ଖଣି ଖନନକୁ ଖୋଲାଖୋଲି ସମର୍ଥନ କରୁଛନ୍ତି।
କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍‌ ଓ ରାୟଗଡ଼ା ଜିଲାର କାଶିପୁର ବ୍ଲକ୍‌ସ୍ଥିତ ସିଜିମାଳି ପାହାଡ଼ରେ ୧୫୪୯.୦୨୨ ହେକ୍ଟର ଖଣି ଖନନ ପାଇଁ ବେଦାନ୍ତ କମ୍ପାନୀକୁ ଅନୁମତି ଦିଆଯାଇଛି। ବେଦାନ୍ତ ତରଫରୁ ମୈତ୍ରୀ ଇନ୍‌ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍‌ କମ୍ପାନୀ ଖଣି ଖୋଳିବାର ଠିକା ପାଇଛି। କମ୍ପାନୀର ହିସାବ ଅନୁସାରେ ସିଜିମାଳି ପାହାଡ଼ରେ ସମୁଦାୟ ୨୨୦.୩୯ ମିଲିଅନ୍‌ ଟନ୍‌ ବକ୍ସାଇଟ୍‌ ଗଚ୍ଛିତ ଅଛି, ଯାହାକୁ ଚାରୋଟି ବ୍ଲକ୍‌ରେ ଭାଗ କରି ଖଣି ଖନନର ଯୋଜନା ରହିଛି। ପ୍ରଥମ ବ୍ଲକ୍‌ରେ ୭୬.୯୭ ମିଲିଅନ୍‌ ଟନ୍‌ର ବକ୍ସାଇଟ୍‌ ଖନନ ପାଇଁ ପ୍ରସ୍ତାବିତ ହୋଇଛି, ଯେଉଁଠି ଖନନ କାର୍ଯ୍ୟ ପ୍ରାୟ ପନ୍ଦର ବର୍ଷ ଧରି ଚାଲିବାର ସମ୍ଭାବନା ରହିଛି। କମ୍ପାନୀର ରିପୋର୍ଟ ଅନୁସାରେ ସିଜିମାଳି ପାହାଡ଼ଟି ପଥରଭରା ଏକ ଅଦରକାରୀ ଅଞ୍ଚଳ। କିନ୍ତୁ ବାସ୍ତବତା ଏହାଠାରୁ ବହୁତ ଭିନ୍ନ। ସିଜିମାଳି ଖଣି ଖନନ ହେଲେ କାଶିପୁର ବ୍ଲକ୍‌ର ସୁଙ୍ଗେର, ସିନ୍ଦୂରଘାଟି, ତଳଝିରି ଆଦି ପଞ୍ଚାୟତର ଅନେକ ଗ୍ରାମ ସହିତ ଥୁଆମୂଳ ରାମପୁର ବ୍ଲକ୍‌ର କିଛି ଗ୍ରାମ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହେବ। ସିଜିମାଳି ପାହାଡ଼ରେ ସ୍ଥାନୀୟ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନେ ପୁରୁଷ ପୁରୁଷ ଧରି ବିଭିନ୍ନ ପ୍ରକାର କ୍ଷୁଦ୍ରଶସ୍ୟ ଚାଷ କରି ନିଜ ଜୀବନ ଜୀବିକା ଚଳେଇ ଆସୁଛନ୍ତି। ସଂପ୍ରତି ରାଜ୍ୟ ସରକାର ଭୁବନେଶ୍ୱରଠାରେ ଅନ୍ତର୍ଜାତୀୟ କ୍ଷୁଦ୍ରଶସ୍ୟ ଉତ୍ସବ ପାଳନ କରିଛନ୍ତି। ଯେଉଁଠି ଆଦିବାସୀମାନଙ୍କ କ୍ଷୁଦ୍ରଶସ୍ୟକୁ ଭୂରି ଭୂରି ପ୍ରଶଂସା କରାଯିବା ସହିତ ତାହାକୁ ପ୍ରୋତ୍ସାହନ ଦେବା ପାଇଁ ଆଲୋଚନା ହୋଇଛି। ଜାତିସଂଘ ବି ଚଳିତବର୍ଷକୁ ଅନ୍ତର୍ଜାତୀୟ କ୍ଷୁଦ୍ରଶସ୍ୟ ବର୍ଷ ଭାବେ ନାମିତ କରିଛନ୍ତି। ବର୍ତ୍ତମାନ ଡାକ୍ତରମାନେ ସ୍ବାସ୍ଥ୍ୟ ପାଇଁ କ୍ଷୁଦ୍ରଶସ୍ୟର ମହତ୍ତ୍ୱ ଉପରେ ବହୁତ ଗୁରୁତ୍ୱ ଦେଉଛନ୍ତି। ଯଦି ପ୍ରକୃତରେ ସମସ୍ତେ କ୍ଷୁଦ୍ରଶସ୍ୟ ପାଇଁ ଏତେ ଚିନ୍ତିତ, ତେବେ କ୍ଷୁଦ୍ରଶସ୍ୟ ନିୟମିତ ଭାବେ ଚାଷ ହେଉଥିବା ପାହାଡ଼, ଡଙ୍ଗର, ଗୁଡ଼ିଆ ଆଦିକୁ ଖଣି ଖୋଳିବା ପାଇଁ ଅନୁମତି ଦିଆଯାଉଛି କିପରି? କାଶିପୁରର ସିଜିମାଳିରେ ବସବାସ କରୁଥିବା ଆଦିବାସୀମାନେ ପାହାଡ଼ରେ ମାଣ୍ଡିଆ, କାଙ୍ଗୁ, କୋଶଳା, ସୁଆଁ, ଜନା, ଗାଣ୍ଠିଆ, ମକା, ବାଜରା ଆଦି ବହୁତ ପ୍ରକାର କ୍ଷୁଦ୍ରଶସ୍ୟ ଚାଷ କରି ସେମାନଙ୍କ ପରିବାର ପ୍ରତିପୋଷଣ କରିଆସୁଛନ୍ତି। ଏହି ସବୁ କ୍ଷୁଦ୍ରଶସ୍ୟ ପୋଷକ ତତ୍ତ୍ୱରେ ଭରପୂର୍‌ ଥିବା ସହିତ ଏଗୁଡ଼ିକର ଜଳବାୟୁ ସହଣୀ ଶକ୍ତି ମଧ୍ୟ ଅଧିକ। ଆଜି ଜଳବାୟୁ ପରିବର୍ତ୍ତନ ଏକ ନିଶ୍ଚିତ ସତ୍ୟରେ ପରିଣତ ହୋଇଥିବା ବେଳେ ପାହାଡ଼ ଓ ଡଙ୍ଗରରେ ଚାଷ ହେଉଥିବା କ୍ଷୁଦ୍ରଶସ୍ୟ ହିଁ ଏକମାତ୍ର ସମାଧାନ ଭଳି ମନେହୁଏ। ଅଧିକ ବର୍ଷା ହେଉ କି କମ୍‌ ବର୍ଷା, କି ଅନିୟମିତ ବର୍ଷା, ହାଇବ୍ରିଡ୍‌, ହାଇ ୟିଲ୍‌ଡିଙ୍ଗ୍‌ ଧାନ ପରି କ୍ଷୁଦ୍ରଶସ୍ୟ ସମୂଳେ ବରବାଦ୍‌ ହୋଇଯାଏ ନାହିଁ। ଜଳବାୟୁ ବିରୋଧରେ ଲଢ଼ି କ୍ଷୁଦ୍ରଶସ୍ୟ ଆଦିବାସୀମାନଙ୍କୁ ଅମଳ ପ୍ରଦାନ କରିଥାଏ, ଯେଉଁଥିରେ ସେମାନଙ୍କ ପରିବାର ଚଳେ। ଆଦିବାସୀମାନେ ଜଙ୍ଗଲରୁ ଶତାଧିକ ପ୍ରକାରର ଖାଦ୍ୟ ଯଥା ଶାଗ, ଫଳ, ମୂଳ, କନ୍ଦା, ଛତୁ, କରଡ଼ି, କୋଳି ଆଦି ସଂଗ୍ରହ କରି ଖାଦ୍ୟ ଭାବେ ବ୍ୟବହାର କରିଥାଆନ୍ତି। ସିଜିମାଳି ଆଦିବାସୀଙ୍କୁ କେବଳ ଖାଦ୍ୟ ପ୍ରଦାନ କରୁନାହିଁ, ସେଠାରେ ବସବାସ କରୁଥିବା ଲୋକଙ୍କ ପାଇଁ ଏହା ହେଉଛି ଦେବତା। ସେମାନଙ୍କ ଦେବତାକୁ ଖୋଳି ଦେଲେ ସେମାନଙ୍କ ଛାତି କେମିତି ସହନ୍ତା! ଆଦିବାସୀଙ୍କ ପାଇଁ ତାଙ୍କ ପାହାଡ଼ ହେଉଛି ଦେବତା। ଉପାସନା ସ୍ଥଳ। ତାକୁ ଖୋଳିଦେବା ଅର୍ଥ ତାଙ୍କ ଅସ୍ତିତ୍ୱକୁ ଉପାଡ଼ିଦେବା। ତା’ହେଲେ ଆମ ବିକଶିତ ଦେଶର ମାନଚିତ୍ରରେ କ’ଣ ଆମେ ଆଦିବାସୀଙ୍କୁ ରଖିବାକୁ ଚାହୁଁନାହୁଁ?
ଏକଦା ନିୟମଗିରିର ବକ୍‌ସାଇଟ୍‌ ପାଇଁ ଲାଳାୟିତ ଥିବା ବେଦାନ୍ତ କମ୍ପାନୀର ଖଣିଖୋଳା ସ୍ବପ୍ନକୁ ସ୍ଥାନୀୟ ଡଙ୍ଗରିଆ କନ୍ଧ ଆଦିବାସୀମାନେ ଗ୍ରାମସଭା ମାଧ୍ୟମରେ ନିଜର ଅସହମତି ପ୍ରକାଶ କରି ଫସର ଫଟେଇ ଦେଇଥିଲେ। ନିୟମଗିରିର ଆଦିବାସୀମାନେ ବେଦାନ୍ତ ବିରୋଧରେ ଦୀର୍ଘ ଦିନ ଧରି ଲଢ଼େଇ ଲଢ଼ିବା ପରେ ସୁପ୍ରିମ୍‌କୋର୍ଟ ଗ୍ରାମସଭାର ଅନୁମତି ହେଲେ ହିଁ ଖଣି ଖୋଳାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ପରିଣାମ ବେଦାନ୍ତ ବିରୋଧରେ ଯାଇଥିଲା। ଆଜି ପୁଣି ଥରେ ବେଦାନ୍ତ ସିଜିମାଳି ଉପରେ ଆଖି ପକେଇଛି। କିନ୍ତୁ ସରକାର ଗ୍ରାମସଭାର ଅନୁମତି ନନେଇ ଖଣିଖୋଳାକୁ ଅନୁମୋଦନ ଦେଇଛନ୍ତି। ଯଦି ସରକାର ଶାନ୍ତିପୂର୍ଣ୍ଣ ବିକାଶ ପ୍ରକ୍ରିୟା ଚାହାନ୍ତି, ତେବେ ପ୍ରଥମେ ସେ ଗ୍ରାମସଭାର ଅନୁମତି ନେବା ଉଚିତ୍‌ ହୋଇଥାଆନ୍ତା।
କମ୍ପାନୀ ଓ ତା’ର ପ୍ରବକ୍ତାମାନେ ଯାହା କହୁଛନ୍ତି, ସିଜିମାଳି କେବଳ ଗୋଟେ ପାହାଡ଼, ତାହା ସେମାନଙ୍କ ଅଜ୍ଞାନତା। ସିଜିମାଳି କେବଳ ଗୋଟେ ପାହାଡ଼ ନୁହେଁ। ସିଜିମାଳି ଗୋଟେ ସଭ୍ୟତା, ଯାହା କେଉଁ ଆଦିମ କାଳରୁ ବର୍ତ୍ତମାନ ଯାଏ ଲମ୍ବି ଆସିଛି। ତାକୁ ଖୋଳିଦେଲେ ଝରଣା ଶୁଖିଯିବ। ଜଙ୍ଗଲ ମରିଯିବ। ଆଦିବାସୀଙ୍କ ଜୀବନ ଓ ଜୀବିକା ଉଜୁଡ଼ିଯିବ। ଖଣିର ଗର୍ଭରେ ଆଦିବାସୀମାନେ ପୋତି ହୋଇଯିବା କେବେ ବି ବିକାଶ ନୁହେଁ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri